Odiapua.com

ଓଡିଶାରେ ଶ୍ରୀ ଗୀତଗୋବିନ୍ଦର ପ୍ରଭାବ

– ଦେବପ୍ରସାଦ ମିଶ୍ର
ସମଗ୍ର ଓଡିଆଭାଷୀ ଭୂଖଣ୍ଡରେ ଭକ୍ତକବି ଜଗନ୍ନାଥ ଦାସଙ୍କ ଭାଗବତ ତୁଲ୍ୟ ଉତ୍କଳୀୟ ସନ୍ଥଶିରୋମଣି ଶ୍ରୀ ଜୟ ଦେବଙ୍କ ଶ୍ରୀ ଗୀତଗୋବିନ୍ଦ ବିଶେଷ ଲୋକପ୍ରିୟତା ଅର୍ଜନ କରିଥିଲା। ତେଣୁ ପୁରାତନ ଜରାଜୀର୍ଣ୍ଣ ମଠ, ମନ୍ଦିର, ରାଜପ୍ରାସାଦ ଏବଂ ଗ୍ରାମର ମିଳନପୀଠ ଭାଗବତଟୁଙ୍ଗୀଠାରୁ ଆରମ୍ଭ କରି ସମ୍ଭ୍ରାନ୍ତ ବ୍ରାହ୍ମଣ, ଖଣ୍ଡାୟତ, କରଣ ପରିବାରମାନଙ୍କ ଘରେ ପୁରୁଷାନୁକ୍ରମେ ସାଇତା ହୋଇ ରଖାଯାଇଥିବା ପୋଥି ଗାଦି ଗୁଡିକ ପରୀକ୍ଷା କଲେ ଜଗନ୍ନାଥ ଦାସଙ୍କ ଭାଗବତ ବାରସ୍କନ୍ଦ ସାଙ୍ଗକୁ ଶ୍ରୀ ଗୀତଗୋବିନ୍ଦର ସଚିତ୍ର ବା ଚିତ୍ରହୀନ ଖଣ୍ଡିଏ ଦୁଇଖଣ୍ଡି ପୋଥି ନିଶ୍ଚୟ ହସ୍ତଗତ ହେବ। ସ୍ଥାନେ ସ୍ଥାନେ ପୂରା ଶ୍ରୀ ଗୀତଗୋବିନ୍ଦ ପୋଥି ନ ମିଳିଲେ ମଧ୍ୟ ଏହାର ଅତ୍ୟନ୍ତ ଲୋକପ୍ରିୟ ଦଶାବତାର ସ୍ତୁତି ଲାଖା ହୋଇଥିବା ଖେଦା ଖଣ୍ଡିଏ ଗାଦିରୁ ମିଳିବାର ଯଥେଷ୍ଟ ସମ୍ଭାବନା ଥାଏ। ବେଳେ ବେଳେ କେତକ ଖେଦାରେ ଦଶାବତାରମାନଙ୍କର ନାନା ରଙ୍ଗରଞ୍ଜିତ ମନୋରମ ଚିତ୍ରାବଳୀ ଅଙ୍କିତ ହୋଇଥିବାର ମଧ୍ୟ ଦେଖାଯାଏ। ବର୍ତ୍ତମାନ ଭୁବନେଶ୍ୱରସ୍ଥ ରାଜ୍ୟ ସଂଗ୍ରାହଳୟର ମୋଟ ୨୦.୦୦୦ ( କୋଡିଏ ହଜାର ) ପୋଥି ମଧ୍ୟରେ କେବଳ ଶ୍ରୀ ଗୀତଗୋବିନ୍ଦ ପୋଥି ସଂଖ୍ୟା ହେଉଛି ପାଞ୍ଚଶତରୁ ଅଧିକ। ମିଉଜିୟମକୁ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଯେତେ ଲୋକ ପୋଥିସବୁ ଆଣିଥାନ୍ତି, ପ୍ରାୟ ପ୍ରତ୍ୟେକଙ୍କ ସଂଗ୍ରହରେ ୩/୪ ଖଣ୍ଡ ଶ୍ରୀ ଗୀତଗୋବିନ୍ଦ ପୋଥି ଥାଏ। ଭାରତର ଅନ୍ୟ କୌଣସି ଅଞ୍ଚଳରେ ଏପରି ଭାବରେ ଘରେ ଘରେ ଗ୍ରାମେ ଗ୍ରାମେ ଶ୍ରୀ ଗୀତଗୋବିନ୍ଦ ପୋଥି ମିଳୁଥିବାର ଜଣାଯାଏ ନାହିଁ। ସରକାରୀ ଓ ବେସରକାରୀ ପ୍ରଚେଷ୍ଟାରେ ସଂଗଠିତ ଭାରତର ଅନ୍ୟ କୌଣସି ପୋଥିଭଣ୍ଡାରରେ ଏପରି ବହୁଳ ସଂଖ୍ୟାରେ ଶ୍ରୀ ଗୀତଗୋବିନ୍ଦ ପୋଥି ସଂଗୃହୀତ ହୋଇ ନାହିଁ। ତେଣୁ ଅତୀତରେ ଭାରତର ଅନ୍ୟାନ୍ୟ ପ୍ରାନ୍ତ ଅପେକ୍ଷା ଶ୍ରୀ ଜଗନ୍ନାଥ କ୍ଷେତ୍ରରେ ରଚିତ ଶ୍ରୀ ଗୀତଗୋବିନ୍ଦ ଉତ୍କଳରେ ସର୍ବାଧିକ ପ୍ରସାର ଲାଭ କରିଥିବା ନିର୍ବିବାଦରେ ସ୍ୱୀକାର୍ଯ୍ୟ। ପ୍ରାଚୀନ ସାହିତ୍ୟରେ ପ୍ରଭାବ ସାରଳା ମହାଭାରତ – ପ୍ରାୟ ଦ୍ୱାଦଶ ଶତାବ୍ଦୀର ମଧ୍ୟଭାଗରେ ଶ୍ରୀ କ୍ଷେତ୍ରରେ ରଚିତ ଶ୍ରୀ ଗୀତଗୋବିନ୍ଦ ମହାକବି ସାରଳା ଦାସଙ୍କ ସମୟକୁ ( ପ୍ରାୟ ୧୪୪୦ – ୧୪୭୦ ଖ୍ରୀଷ୍ଟାବ୍ଦ ) ସର୍ବଜନାଦୃତ ହୋଇଥିବାରୁ ତତ୍ କୃତ ବିରାଟ ମହାଭାରତରେ ଏହାର ପ୍ରଭାବ ପରିଲକ୍ଷିତ ହୁଏ। ଏହାର ବନପର୍ବରେ ଶ୍ରୀ ରାଧାମାଧବଙ୍କ ଶୃଙ୍ଗାରଲୀଳାର ବର୍ଣ୍ଣନା ମିଳେ

ରାଧାମାଧବ ଯେ ଶୃଙ୍ଗାର ଅବକାଶେ
ଦହିଲା ଅନଙ୍ଗ ଯେ ପ୍ରେମର ସେ ରୋଷେ।
ଉଦଯୋଗ ପର୍ବରେ ଦୁର୍ଯ୍ୟୋଧନ ମୁଖରେ ଶ୍ରୀରାଧା-କୃଷ୍ଣ ଙ୍କ ପ୍ରେମଲୀଳା ବର୍ଣ୍ଣିତ ହୋଇଅଛି। ରାଧାକୃଷ୍ଣଙ୍କ ସମ୍ଭୋଗ ଶୃଙ୍ଗାର ସମୟରେ ଚନ୍ଦ୍ରସେଣା ବାଧା ଦେବାରୁ ତାହାଙ୍କୁ ଶ୍ରୀ କୃଷ୍ଣ ବିଶ୍ୱରୂପ ଦେଖାଇଛନ୍ତି। କୃଷ୍ଣ ଚନ୍ଦ୍ରସେଣାର ଭୁଜକୁ ଧରି ବୁଲାଇ ପକାଇ ଦେବାରେ ସେ ସହସ୍ର ଯୋଜନ ଦୂରରେ ପଡିଛି ଓ ଅନେକ କାଳ ବାଟବଣା ହୋଇ ବୁଲିଛି।

ରୁଦ୍ରସୁଧାନିଧି – ପଞ୍ଚଦଶ ଶତାବ୍ଦୀର ଶେଷ ପାଦରେ ଏକାମ୍ରକାନନବାସୀ ନାରାୟଣାନନ୍ଦ ଅବଧୂତ ସ୍ୱାମୀଙ୍କ ଦ୍ୱାରା ରଚିତ ରୁଦ୍ରସୁଧାନିଧି ପ୍ରାଚୀନ ଓଡିଆ ସାହିତ୍ୟରେ ଏକ ଅଭୂତପୂର୍ବ ଅନୁପମ ଅଦ୍ୱିତୀୟ ଗଦ୍ୟ କାବ୍ୟ। ଏହା ଶ୍ରୀ ଗୀତଗୋବିନ୍ଦ ପରି ଆମୂଳଚୁଳ ଯମକ ଓ ଅନୁପ୍ରାସାଦି ଅଳଙ୍କାରଦ୍ୱାରା ଝଙ୍କୃଡ ଏବଂ ମଧୁର କୋମଳକାନ୍ତ ପଦାବଳିମଣ୍ଡିତ। ଶ୍ରୀ ଗୀତଗୋବିନ୍ଦର ଜୟ ଜୟ ଦେବ ହରେ ଧ୍ରୁବ ପଦ ପରି ରୁଦ୍ରସୁଧାନିଧି ର ପାଞ୍ଚଶଦ ବର୍ଣ୍ଣ ଭେଦରେ ରଚିତ ଶିବସ୍ଥୁତିର ପ୍ରତି ଅନୁଚ୍ଛେଦ ଶେଷରେ ଜୟ ଜୟ ପଦଦ୍ୱୟ ଅତି ଶ୍ରୁତିରୋଚକ ଭାବରେ ବିନ୍ୟସ୍ତ ହୋଇଅଛି। ଯଥା – ଜୟ ଜୟ କୁନ୍ଦ କୁମୁନ୍ଦ କୁରଙ୍ଗଧର, ଜୟ ଜୟ ଶିବଶମ୍ଭୋ, ଜୟ ଜୟ ଗଗନ ପତି, ଜୟ ଜୟ ଜଗତନାଥ ଜଗତଶରଣ, ଜୟ ଜୟ ନରକ ଉଦ୍ଧାରଣ, ଜୟ ଜୟ ତ୍ରିଭୁବନ ନାୟକ ତ୍ରିଲୋଚନ, ଜୟ ଜୟ ନବ-ନୀରଜ-ଦଳ-ନୟନ ଇତ୍ୟାଦି। ଉଭୟ ଗ୍ରନ୍ଥର ପଦଯୋଜନାରେ ଅସାଧାରଣ ସାମଞ୍ଜସ୍ୟ ପରିଲକ୍ଷିତ ହେଉଥିବାରୁ ଏହାକୁ ଓଡିଆ ଗଦ୍ୟରେ ଶ୍ରୀ ଗୀତଗୋବିନ୍ଦ ଆଖ୍ୟା ପ୍ରଦାନ କରାଯାଇପାରେ।

ଗୋପକେଳି କାବ୍ୟ – ଗଜପତି ପ୍ରତାପରୁଦ୍ର ଦେବ ( ୧୪୭୯ – ୧୫୩୪ ଖ୍ରୀଷ୍ଟାବ୍ଦ ) ଙ୍କ ପୃଷ୍ଠପୋଷକତା ଲାଭ କରିଥିବା ପ୍ରସିଦ୍ଧ କବି ପଣ୍ଡିତ ବୈଦ୍ୟ ନରସିଂହ ସେଣ ଶ୍ରୀ ଗୀତଗୋବିନ୍ଦର ଅନୁକରଣରେ ଓଡିଆ ଭାଷାରେ ଗୋପକେଳି ନାମକ ଓଡିଆ ସାହିତ୍ୟର ପ୍ରଥମ ଶୃଙ୍ଗାର କାବ୍ୟ ରଚନା କରିଥିଲେ। ପୁଷ୍ପବତୀ ଲତାକୁଞ୍ଜଶୋଭିତ ଯମୁନାପୁଳିନ ଗୋପକେଳିର ସ୍ଥାନ ଫାଲଗୁନ ପୂର୍ଣ୍ଣିମାର ଉନ୍ମାଦକାରିଣୀ ନିଶୀଥିନୀ ଏହାର କାଳ ଗୋପାଙ୍ଗନା ଲମ୍ପଟ ଶ୍ରୀକୃଷ୍ଣ ଏହାର ମୁଖ୍ୟପାତ୍ର। ଏଥିରେ ଶ୍ରୀ ରାଧାକୃଷ୍ଣଙ୍କ ବସନ୍ତ ରାସ ବିଭିନ୍ନ ରାଗନିବଦ୍ଧ କେତୋଟି ଛାନ୍ଦରେ ସରଳ ଲଳିତ କୋମଳ ଭାଷାରେ ବର୍ଣ୍ଣିତ ହୋଇଅଛି। ଏହା ଶ୍ରୀ ଗୀତଗୋବିନ୍ଦ ପରି ଆମୂଳଚୁଳ ଉତ୍କଟ ଶୃଙ୍ଗାର ରସାପ୍ଳୁତ। ରସକଲ୍ଲୋଳ – କବି ଶ୍ରୀ ଜୟଦେବ ଉତ୍କଳ ଭୂମିରେ ଗେୟ ମହାକାବ୍ୟର ଯେଉଁ ସୁଦୃଢ ଭିତ୍ତି ସ୍ଥାପନ କରିଥିଲେ, ତାଙ୍କର ସୁଯୋଗ୍ୟ ଦାୟାଦ ଶ୍ରୀକ୍ଷେତ୍ର ବାସୀ କାନ୍ତକବି ଦୀନକୃଷ୍ଣ ତଦୁପରି କ ଆଦ୍ୟ ଅନୁପ୍ରାସରେ ରଚିତ ରସାକଲ୍ଲୋଳ ରୂପକ ରମଣୀୟ ବିରାଟ କାବ୍ୟ-ସୌଧ ଉତ୍ତୋଳନ କରି ଓଡିଆ ସାହିତ୍ୟକୁ ସମସାମୟିକ ପ୍ରାନ୍ତୀୟ ସାହିତ୍ୟସମୂହ ମଧ୍ୟରେ ଏକ ଶୀର୍ଷସ୍ଥାନ ପ୍ରଦାନ କରିବା ପାଇଁ ସମର୍ଥ ହୋଇଥିଲେ। ଶ୍ରୀ ଗୀତଗୋବିନ୍ଦର ଦ୍ୱିତୀୟ ଗୀତରେ ପ୍ରଦତ୍ତ ବସନ୍ତ ବର୍ଣ୍ଣନା ଦୀନକୃଷ୍ଣ ସ୍ୱକୀୟ ପ୍ରତିଭା ବଳରେ କିପରି ନିଜସ୍ୱ ଓ ଅଧିକ ମନୋରମ କରି ପାରିଛନ୍ତି, ତାହା ନିମ୍ନରେ ଉଦ୍ଧୃତ ପଦାବଳିରୁ ସ୍ପଷ୍ଟ ପ୍ରତିଭାତ ହୁଏ।
( ଦ୍ୱାଦଶ ଛାନ୍ଦ, ରାଗ – କଲ୍ୟାଣଆହରୀ )

କୁସୁମ ସମୟ ହୋଇଲା ଉଦୟ ଦକ୍ଷିଣ ପବନ ବହିଲା।
ମଦେବ ଦୂତ ହୋଇ ମହାମତ୍ତ ପଞ୍ଚମ ସ୍ୱରରେ କହିଲା
କନ୍ଦର୍ପ ଦର୍ପ ହୋଇଲା ଅତିଶୟ
କୁସୁମ-ବିଶିଖ କରିବାକୁ ଲାଖ
କାମୀ କାମିନୀ କଲେ ଭୟ।୧ା

କମଳ ରସାଳ ନୀଳ ଉତପଳ
ନିଆଳି ଅଶୋକ ବିକାଶ କାମ ପଞ୍ଚବାଣ କାମୀ ପଞ୍ଚପ୍ରାଣ
ଘେନିମାକୁ ହେଲେ ପ୍ରକାଶ
କେତକୀ କୁନ୍ତ କି ହୋଇଲା ପ୍ରକଟ
କାନ୍ତ-କାନ୍ତା ଭେଟ ହୋଇଲା ଅଭେଟ
ଜୀବ ଯିବା ହେଲା ନିକଟ।୨ା
କୋକିଳ କୁହୁ କୁହୁ ରାବ ସଜାଉଁ
ବାଜିଲା ଅତ୍ୟନ୍ତ ପ୍ରବଳେ
କଲେ ପ୍ରୟାଣ କୁସୁମ ବାଣ ରାଏ ବସନ୍ତ ପ୍ରାଣସଖା ମେଳେ
କହିବି କେ ଅବା ସେକାଳ ସମ୍ପତ୍ତି କରି ମହାଭୟେ କିଙ୍କର ପରାଏ
କାମ ବଶ ଯୁବା ଯୁବତୀ ।

ଆଦ୍ୟ ପ୍ରାନ୍ତ ଯମକ ଅନୁପ୍ରାସାଦି ଅଳଙ୍କାର ମଣ୍ଡିତ ଓ ଲଳିତ କୋମଳ କାନ୍ତ ପଦାବଳିସମନ୍ୱିତ ଷୋଡଶ ଶତାବ୍ଦୀର ଶେଷଭାଗରେ ଶ୍ରୀକ୍ଷେତ୍ରରେ ରଚିତ ଶ୍ରୀ ଗୀତଗୋବିନ୍ଦର ସମକକ୍ଷ ଉକ୍ତ କାବ୍ୟଟି ଏକ ସମୟରେ ସମଗ୍ର ଉତ୍କଳ ବଂଗ ଓ ମଧ୍ୟପ୍ରଦେଶର ପୂର୍ବାଞ୍ଚଳରେ ଲୋକପ୍ରିୟତା ଅର୍ଜନ କରିଥିବାର ଜଣାଯାଏ। ଏହାର ପଦଲାଳିତ୍ୟରେ ମୁଗ୍ ଧ ହୋଇ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଯଥାର୍ଥରେ ଗାଇଥିଲେ –

କହେ ଉପେନ୍ଦ୍ର ଭଞ୍ଜ ଟେକି ବେନି ବାହାକୁ
ରବି ତଳେ କବି ପଣେ ନ ଗଣେଁ ମୁଁ କାହାକୁ।
ଜୟଦେବ ଦୀନକୃଷ୍ଣ ଏକା ମୋର ଶରଣ
ଆନ କବିଙ୍କର ମୁଣ୍ଡେ ମୋର ବାମ ଚରଣ।

ଉଷାଭିଳାଷ କାବ୍ୟ – ଷୋଡଶ ଶତାବ୍ଦୀରେ ଆବିର୍ଭୂତ ଶିଶୁ ଶଙ୍କରଙ୍କ ଭାଷାଭିଳାଷ ପ୍ରାଚୀନ ଓଡିଆ ସାହିତ୍ୟ ଭଣ୍ଡାରର ଏକ ସମୁଜ୍ଜ୍ୱଳ ରତ୍ନ। ଶ୍ରୀ ଜୟଦେବ ଚାଟୁବଚନ ରଚନାରେ ସ୍ୱୀୟ ଶ୍ରୀ ଗୀତଗୋବିନ୍ଦର ଦଶମ ସର୍ଗରେ ଯେଉଁ ଦ୍ରବ୍ୟ କଳାକୁଶଳତା ଦର୍ଶାଇଛନ୍ତି, ତାହାଦ୍ୱାରା ପ୍ରଭାବିତ ହୋଇ ଶିଶୁ ଶଙ୍କର ଲେଖିଛନ୍ତି –

ତୁ ମୋର ଦେହ ଜୀବନ ତୁ ମୋର ଭୂଷଣମାନ
ତୁ ମୋର ଇନ୍ଦ୍ରି ବିଷୟ ମନ ସଦନ
ତୁ ମୋହର ମୁକୁଟ ଶିରେ ତୁ ମୋର
ସୃକତ ଫଳ ସୁଖ ସାଗରେ।୧୫ା ତୁ ମୋର ଚାରୁନନ୍ଦନ ତୁ ମୋର ଶରବନ୍ଦନ
ତୁ ମୋର ମଦନ ଜଳନିଧି ତରଣା
ତୁ ମୋ ଗଳେ ବନମାଳା ତୁ ମୋହର କାର୍ଯ୍ୟବଳ
ତୁ ମୋର ଭବ ବିଭବ ସୁଖ ସରଣା
ତୁ ମୋର ସବୁର ମଣି
ମୁଁ ତୋର ପରିଚାର କି କେ ନ ଗଣି॥

ରହସ୍ୟମଞ୍ଜରୀ – ଷୋଡଶ ଶତାବ୍ଦୀର ଶେଷ ଭାଗରେ ଆବିର୍ଭୂତ ବେଦ ଦୁର୍ଲଭ ଦାସ କବିରାଜ ଜୟଦେବଙ୍କ ପଦାଙ୍କ ଅନୁସରଣ କରି ସ ରହସ୍ୟମଞ୍ଜରୀ କାବ୍ୟରେ ଶ୍ରୀ ରାଧାକୃଷ୍ଣ ପ୍ରେମଲୀଳାର ଉତ୍କର୍ଷ ପ୍ରତିପାଦନ ପାଇଁ ଅତି ଚତୁରତାର ସହିତ ଉଦ୍ୟମ କରିଛନ୍ତି। ରହସ୍ୟମଞ୍ଜରୀର ଦଶମ ଛାନ୍ଦରେ ନନାଳଙ୍କାରଭୂଷିତ ଶ୍ରୀ ରାଧାକୃଷ୍ଣଙ୍କ ନିକଟକୁ ଗମନ ପାଇଁ ଦୂତୀଙ୍କ ଅନୁରୋଧରେ ଶ୍ରୀ ଗୀତଗୋବିନ୍ଦ ଏକାଦର୍ଶ ପ୍ରଦତ୍ତ ଶ୍ରୀ ରାଧାଙ୍କ ଅଭିସାର ବର୍ଣ୍ଣନା ପ୍ରତିଧ୍ୱନିତ ହୋଇଅଛି। ଶ୍ରୀ ଗୀତଗୋବିନ୍ଦର ପ୍ରବିଶ ରାଧେ ମାଧବ ସମୀପମିହ ଧ୍ରୁବପଦ ପରି ଏହି ଛାନ୍ଦର ଘୋଷା ହୋଇଛି –
ଗୋ ସଖି ତୁ ଯାଉ କି ନା
କନାଇ ପାଖକୁ ଯାଉ କି ନା

ଏହାର ପଞ୍ଚଦଶ ଛାନ୍ଦରେ ଶ୍ରୀ ରାଧାକୃଷ୍ଣଙ୍କ ସମ୍ଭୋଗସଙ୍ଗାର ବର୍ଣ୍ଣିତ ହୋଇଅଛି। ଶ୍ରୀ ଗୀତଗୋବିନ୍ଦ ସୁଲଭ ପଦଲାଳିତ୍ୟ ମଧ୍ୟ ଏହି କାବ୍ୟ ଏକ ବୈଶିଷ୍ଟ୍ୟ। ଅଷ୍ଟାଦଶ ଶତାବ୍ଦୀରେ ଆବିର୍ଭୂତ ସଦାନନ୍ଦ କବି ସୂର୍ଯ୍ୟ ବ୍ରହ୍ମା ଶ୍ରୀ ଗୀତଗୋବିନ୍ଦର ଶ୍ରୀ ରାଧାକୃଷ୍ଣଙ୍କ ଯୁଗଳ ମିଳନ ବର୍ଣ୍ଣନାରେ ଆତହରା ହୋଇ ରଚନା କରିଥିଲେ ଯୁଗଳ ରସାମୃତ ଲହରୀ, ଯୁଗଳ ରସାମୃତ ଭଉଁରୀ, ଯୁଗଳ ରସାମୃତ ବିନ୍ଦୁ, ପ୍ରେମ ଭଉଁରୀ, ପ୍ରେମ ଲହରୀ, ପ୍ରେମ କଳ୍ପଲତା ପ୍ରଭୃତି ଶ୍ରୀ ରାଧାକୃଷ୍ଣ ପ୍ରେମଲୀଳା ବର୍ଣ୍ଣନାତ୍ମକ ବହୁ ଉଚ୍ଚକୋଟୀର ଗ୍ରନ୍ଥ। ତାଙ୍କର ରଚନା ବଳିଦ୍ୱାରା ଉତ୍କଳରେ ଯୁଗଳରସାମୃତର ଲହରୀ ଖେଳିଯାଇଥିଲା। କବିସୂର୍ଯ୍ୟ ସଦାନନ୍ଦଙ୍କ ଶିଷ୍ୟ ବରେଣ୍ୟ ବୈଷ୍ଣବ କବି ଅଭିମନ୍ୟୁ ସାମନ୍ତସିଂହାର ସ୍ୱୀୟ ଅମରକୃତି ବିଦଗଧ ଚିନ୍ତାମଣିରେ ତାଙ୍କର ସ୍ୱଭାବସୁଲଭ ସରଳ କୋମଳ ଓ ମଧୁର ଭାଷାରେ ପ୍ରେମମୟୀ ଶ୍ରୀ ରାଧାଙ୍କର ଶ୍ରୀକୃଷ୍ଣଙ୍କ ପ୍ରତି ଗଭୀର ପ୍ରେମର ଯେଉଁ ହୃଦୟସ୍ପର୍ଶୀ ଚିତ୍ର ପ୍ରଦାନ କରିଛନ୍ତି, ତାହା ପ୍ରାଚୀନ ଓଡିଆ ସାହିତ୍ୟରେ ଅତୁଳନୀୟ। ଶ୍ରୀ ଗୀତଗୋବିନ୍ଦର ରାଧାଙ୍କୁ ସ୍ୱଭାବକବି ସାମନ୍ତସିଂହାରଙ୍କ ଲେଖନ ଉତ୍କଳର ଜନତାଙ୍କ ନିକଟରେ ମୂର୍ତ୍ତିମନ୍ତ ପ୍ରେମପ୍ରତିମା ରୂପେ ପରିଚିତ କରାଇଅଛି। କବିସୂର୍ଯ୍ୟ ବଳଦେବ ରଥ ଅମର କବି ଶ୍ରୀ ଜୟଦେବଙ୍କ ର ଉପଯୁକ୍ତ ଦାୟାଦ ଏବଂ ତତ୍ କୃତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ଓଡିଆ ଭାଷାରେ ଶ୍ରୀ ଗୀତଗୋବିନ୍ଦର ଏକ ପରିମାର୍ଜିତ ସଂସ୍କରଣ ପ୍ରସିଦ୍ଧ କବି ଡକ୍ଟର ମାନସିଂହଙ୍କ ଭାଷାରେ ଓଡିଆ କବି ସଂସ୍କୃତ ଆଦର୍ଶକୁ ଯେ ଅନେକ ବିଭାବରେ ବଳି ଯାଇଛନ୍ତି, ଏହା କମ ଗୌରବର କଥା ନୁହେଁ। କବିସୂର୍ଯ୍ୟ ଚମ୍ପୂ ଗୀତଗୋବିନ୍ଦ ଅପେକ୍ଷା ଅନ୍ତତଃ କମ ଅଶ୍ଳୀଳତାଯୁକ୍ତ ଓ ଅଧିକ ପରମାର୍ଥିକ କାବ୍ୟ।

ଶ୍ରୀ ଗୀତଗୋବିନ୍ଦର ପଦ୍ୟାନୟବାଦ – ଏପର୍ଯ୍ୟନ୍ତ ଉପଲବ୍ ଧ ଶ୍ରୀ ଗୀତଗୋବିନ୍ଦର ପଦ୍ୟାନୁବାଦଗୁଡିକ ମଧ୍ୟରେ ଷୋଡଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଆବିର୍ଭୁତ ଦ୍ୱିଜ ଧରଣିଧର କୃତ ବିଭିନ୍ନ ରାଗନିବଦ୍ଧ ଷୋଳଛାନ୍ଦବିଶିଷ୍ଟ ପଦ୍ୟାନୁବାଦ ପ୍ରାଚୀନତମ। ଅଦ୍ୟାବଧୀ ଏହି ପଦ୍ୟାନୁବାଦର ବିଶେଷ ଲୋକପ୍ରିୟତା ଥିବାରୁ ଉତ୍କଳର ସର୍ବାଞ୍ଚଳରୁ ଶତ ଶତ ସଂଖ୍ୟାରେ ଏହାର ପୋଥି ମିଳୁଅଛି ଏବଂ ବିଗତ ଏକ ଶତାବ୍ଦୀ ମଧ୍ୟରେ ଏହାର ବହୁ ସଂସ୍କରଣ ମୁଦ୍ରିତ ହୋଇଅଛି। ସପ୍ତଦଶ ଶତାବ୍ଦୀର ପ୍ରଥମ ଆବିର୍ଭୂତ ବୃନ୍ଦାବନ ଦାସ ସ୍ୱୀୟ ରସବାରିଧି ଗ୍ରନ୍ଥରେ ଶ୍ରୀ ଗୀତଗୋବିନ୍ଦକୁ କୋଡିଏ ଛାନ୍ଦରେ ଅନୁବାଦ କରିଛନ୍ତି। ରାଜପୁତ ବଂଶଜାତ ଦୀନକୃଷ୍ଣ ଦାସ ବୈଷ୍ଣବ ମାନଙ୍କ ପ୍ରିୟତମ ଶ୍ରୀମଦ ଭାଗବତବଣ୍ଡିତ ଗୋପଲୀଳା ସହିତ ଶ୍ରୀ ଗୀତଗୋବିନ୍ଦରେ ପ୍ରକଟିତ ଶ୍ରୀ ରାଧାକୃଷ୍ଣ ବାସନ୍ତୀ ରାସଲୀଳାର ଏକତ୍ର ସମାବେଶ କରି ଅମୃତସାଗର ନାମକ ଗ୍ରନ୍ଥ ରଚନା କରିଥିଲେ। ବଜରୀଦାସ ନାମକ ଜନୈକ ବୈଷ୍ଣବ ସନ୍ଥ ୧୬୭୪ ଖ୍ରୀଷ୍ଟାବ୍ଦରେ ଶ୍ରୀ ଗୀତଗୋବିନ୍ଦକୁ ନବାକ୍ଷରୀ ବତ୍ତରେ ଅନୁବାଦ କରିଥିଲେ। ଅର୍ଥ ଗୋବିନ୍ଦ ନାମରେ ପ୍ରଖ୍ୟାତ ଏହି ଅନୁବାଦ ୨୭ ଟି ଅଧ୍ୟାୟରେ ସମ୍ପୂର୍ଣ୍ଣ। ଉଦ୍ଧବ ଦାସ ନାମକ ଜନୈକ କବି ତାଙ୍କ ଗୁରୁ ଜଗନ୍ନାଥ ମିଶ୍ରଙ୍କ ସହାୟତା ଲାଭକରି ଧରଣୀଧର କୃତ ଶ୍ରୀ ଗୀତଗୋବିନ୍ଦର ପଦ୍ୟାନୁବାଦକୁ ନବାକ୍ଷରୀ ଭାଗବତ ବୃତ୍ତରେ ରଚନା କରିଥିଲେ। ଏହି ଅନୁବାଦର ସମୟ ୧୫୭୮ ଖ୍ରୀଷ୍ଟାବ୍ଦର ପରବର୍ତ୍ତୀ। ନାପିଡକୁଳଜାତ ତ୍ରିଲୋଚନ ନାମକ ଜନୈକ କବି ଶ୍ରୀ ଗୀତଗୋବିନ୍ଦର ଦ୍ୱାଦଶ ସର୍ଗ ବିଭିନ୍ନ ରାଗ ଓ ବାଣୀ ନିବଦ୍ଧ ୧୨ ଟି ଛାନ୍ଦରେ ଅନୁବାଦ କରିଥିଲେ। ତାଙ୍କର ଅନୁବାଦରେ ସେ ଅନ୍ତରଙ୍ଗ ଓ ବହିରଙ୍ଗ ଅର୍ଥ ପ୍ରକାଶ କରି ବିଶେଷ ପାଣ୍ଡିତ୍ୟର ପରିଚୟ ଦେଇଛନ୍ତି। ତାଙ୍କ ରଚନାର ଭାଷା ଲଳିତ ଓ ମନୋମୁଗ୍ ଧକର।

ଶ୍ରୀ ଗୀତଗୋବିନ୍ଦର ଗଦ୍ୟାନୁବାଦ – ପ୍ରାଚୀନ ଓଡିଆଗଦ୍ୟରେ ଶ୍ରୀ ଗୀତଗୋବିନ୍ଦର ବହୁ ଅନୁବାଦ ପରିଦୃଷ୍ଟ ହୁଏ। ପଣ୍ଡିତ ଶ୍ରୀ ଜଗନ୍ନାଥ ମିଶ୍ରଙ୍କ ଗଦ୍ୟାନୁବାଦର ରଚନା କାଳ ଜ୍ୟୋତିଷ ଗଣନା ଅନୁସାରେ ହେଉଛି ୬-୮-୧୫୯୮ ବା ୨୮-୮-୧୬୫୩। ଅନନ୍ତରଥ ବାଣୀଭୂଷଣ ନାମକ ପଣ୍ଡିତ ଖୁରୁଧା ରାଜା ଗଜପତି ଦିବ୍ୟସିଂହ ଦେବଙ୍କ ରାଜତ୍ୱ କାଳରେ ( ୧୬୮୮-୧୭୧୬ ଖ୍ରୀଷ୍ଟାବ୍ଦ ) ଶ୍ରୀ ଗୀତଗୋବିନ୍ଦର ଏକ ସୁନ୍ଦର ଗଦ୍ୟାନୁବାଦ କରିଥରଲେ। ବାସୁଦେବ ମିଶ୍ର ନାମକ ଅନ୍ୟ ଜଣେ ପଣ୍ଡିତ ଶ୍ରୀ ଗୀତଗୋବିନ୍ଦର ବାଳବୋଧିନୀ ନାମକ ଗଦ୍ୟାନୁବାଦ କରିଥିବାର ଜଣାଯାଏ। କିନ୍ତ ଏହାର ରଚନା କାଳ ସମ୍ବନ୍ଧରେ କୌଣସି ତଥ୍ୟ ମିଳିନାହିଁ। ଓଡିଆ ସଙ୍ଗୀତରେ ଶ୍ରୀ ଗୀତଗୋବିନ୍ଦ ଅଷ୍ଟାଦଶ ଶତାବ୍ଦୀରେ ପୁରୀ ଜିଲ୍ଲାର ବେଗୁନିଆ ଥାନାର ସାନପଦର ନାମକ ପଲ୍ଲୀ ଗ୍ରାମରେ ଆବିର୍ଭୂତ କବି ପଣ୍ଡିତ ଶ୍ରୀଚନ୍ଦନ ଶ୍ରୀ ଚୈତନ୍ୟ ଭକ୍ତମାନଙ୍କ ପ୍ରତି ବିଧାନ ନିମିତ୍ତ୍ ଶ୍ରୀ ଗୀତଗୋବିନ୍ଦକୁ ବଙ୍ଗଳା ମିଶା ଓଡିଆ ଭାଷାରେ ବିଭିନ୍ନ ସଙ୍ଗୀତରେ ଅନୁବାଦ କରିଥିଲେ। ତତ୍ କୃତ ଲୋକପ୍ରିୟ ଗ୍ରନ୍ଥର ନାମ ବସନ୍ତରାସ। ଭକ୍ତ ରାସର ଭାଷାଲାଳିତ୍ୟ ଓ ଅଭିନୟ ଉପଯୋଗିତା ଯୋଗୁଁ ଏହା ଅଳ୍ପ ଦିନ ମଧ୍ୟରେ ଉତ୍କଳ ଓ ବଙ୍ଗ ଦେଶରେ ପ୍ରସାର ଲାଭ କରିଥିଲା। କଟକ ଜିଲ୍ଲା ଅନ୍ତର୍ଗତ ବଳରାମପୁରର ଜମିଦାର ଗୋପୀନାଥ ଧୀର ଜଗଦେବ ଶ୍ରୀ ଗୀତଗୋବିନ୍ଦକୁ ବିଭିନ୍ନ ରାଗ ଓ ବୃତ୍ତରେ ରଚିତ ବହୁ ସଂଗୀତ ଆକାରରେ ପ୍ରକାଶ କରି ନିଜର ଅସାଧରଣ ପାଣ୍ଡିତ୍ୟ ପ୍ରକାଶ କରିଥିଲେ। କବିଚନ୍ଦ୍ର କାଳୀଚରଣଙ୍କ ଭାଷାରେ ଏଭଳି ଧରଣର ଛାନ୍ଦବଳୀ ସଙ୍ଗୀତରେ ଏପରି ବିଶ୍ୱସ୍ତ ଅନୁବାଦ ଅତ୍ୟନ୍ତ ଦୁର୍ଲ୍ଲଭ। ତତ୍ କୃତ ଅନୁବାଦର ନାମ ସଂଗୀତ ଗୀତଗୋବିନ୍ଦ ପ୍ରସିଦ୍ଧ ଭକ୍ତ କବି ଗୋପାଳକୃଷ୍ଣଙ୍କ ସମସାମୟିକ ପାରଳାଖେମଣ୍ଡିନିବାସୀ କବି ଶ୍ରୀ ଗୌରହରି ପରିଛା ମଧ୍ୟ ଏକ ସଙ୍ଗୀତ ଗୀତଗୋବିନ୍ଦ ରଚନା କରିଥିଲେ। ଗୌରହରିଙ୍କର ଉଭୟ ଓଡିଆ ଓ ତେଲଙ୍ଗା ସାହିତ୍ୟ ଓ ସଙ୍ଗୀତରେ ବିଶେଷ ପାଣ୍ଡିତ୍ୟ ଥିବାରୁ ତାଙ୍କର ଅନେକ ସଙ୍ଗୀତରେ ତେଲଙ୍ଗା ସଙ୍ଗୀତର ପ୍ରଭାବ ପରିଲକ୍ଷିତ ହୁଏ। ଖୁରୁଧା ନିକଟବର୍ତ୍ତୀ ହଳଦିଆର ଜମିଦାର ଶ୍ୟାମସୁନ୍ଦର ଭଞ୍ଜ ପଣ୍ଡିତ ଶ୍ରୀଚନ୍ଦନଙ୍କ ବସନ୍ତରାସକୁ ଅନୁସରଣ କରି ବସନ୍ତ କ୍ରିଡା ସମୁଜ୍ଜ୍ୱଳ ରସାବଳୀ ନାମକ ସଂଗୀତ ପୁସ୍ତକ ରଚନା କରିଥିଲେ। ଓଡିଶାର ଶିଳ୍ପ ଓ ଚିତ୍ରକଳାରେ ଶ୍ରୀ ଗୀତଗୋବିନ୍ଦର ପ୍ରଭାବ – ଶ୍ରୀ ଚୈତନ୍ୟୋତ୍ତର ଯୁଗରେ ଶ୍ରୀ ରାଧାକୃଷ୍ଣ ଉପାସନାର ଲୋକପ୍ରିୟତା ବୃଦ୍ଧି ପାଇବା ଫଳରେ ଉତ୍କଳୀୟ ଶିଳ୍ପୀମାନେ ଶତ ଶତ ସଂଖ୍ୟାରେ କାଷ୍ଠ ପାଷାଣ ପିତଳ ପ୍ରଭୃତିରେ ଶ୍ରୀ ରାଧାକୃଷ୍ଣଙ୍କ ଯୁଗଳ ପ୍ରତିମା ନିର୍ମାଣ କରିବାକୁ ଲାଗିଲେ। ଅଷ୍ଟାଦଶ ଶତାବ୍ଦୀର ପ୍ରଥମ ଭାଗରେ ଆବିର୍ଭୂତ ବଙ୍ଗୀୟ ବୈଷ୍ଣବ କବି ନରହରୀ ଚକ୍ରବର୍ତ୍ତୀଙ୍କ ପ୍ରଣୀତ ଭକ୍ତି ରତାକର ଗ୍ରନ୍ଥରୁ ଜଣାଯାଏ ଯେ ବୃନ୍ଦାବନ ଧାମରେ ପୂଜିତ ଗୋବିନ୍ଦ ଓ ମଦନମୋହନ ଙ୍କ ନିକଟରେ ପ୍ରଥମେ ଶ୍ରୀ ରାଧା ମୂର୍ତ୍ତି ପୂଜିତ ହେଉଥିଲା। ଖୁରୁଧା ରାଜା ଗଜପତି ପୁରୁଷୋତ୍ତମ ଦେବ ( ୧୬୦୦-୧୬୨୩ ଖ୍ରୀଷ୍ଟାବ୍ଦ) ପଠାଇଥିବା ଶ୍ରୀ ରାଧା ମୂର୍ତ୍ତି ପ୍ରଥମେ ଗୋବିନ୍ଦଙ୍କ ନିକଟରେ ସ୍ଥାପିତ ହୋଇଥିଲା। ପରେ ଓଡିଶାରୁ ପ୍ରେରିତ ଅନ୍ୟ ଏକ ରାଧା ପ୍ରତିମା ମଦନମୋହନଙ୍କ ନିକଟରେ ପ୍ରତିଷ୍ଠିତ ହୋଇଥିଲା। ପ୍ରଭୁରସିକାନନ୍ଦ ( ୧୫୯୦-୧୬୫୨ ) ଙ୍କ ଉଦ୍ୟମ ଓ ମୟୁରଭଞ୍ଜର ମହାରାଜା ବୈଦ୍ୟନାଥ ଭଞ୍ଜଙ୍କ ଆନୁକୂଲ୍ୟରେ ଗୋପୀବଲ୍ଲଭପୁରରେ ଅଧିଷ୍ଠିତ ଗୋପୀବଲ୍ଲଭଙ୍କ ନିକଟରେ ଶ୍ରୀ ରାଧା ପ୍ରତିମା ସ୍ଥାପିତ ହୋଇଥିଲା। ଏହା ପରେ ଉତ୍କଳ ଓ ବଙ୍ଗର ନାନା ସ୍ଥ୍ରାନରେ ଶ୍ରୀ ରାଧାକୃଷ୍ଣ ଙ୍କ ଯୁଗଳ ପ୍ରତିମା ସ୍ଥାପିତ ହେବା ଫଳରେ ମୂର୍ତ୍ତି ନିର୍ମାଣ ଶିଳ୍ପର ଅଭୂତପୂର୍ବ ବିକାଶ ସାଧିତ ହୋଇଥିଲା। ଶ୍ରୀ ଗୀତଗୋବିନ୍ଦ ମାଧ୍ୟମରେ ଦଶାବତାର ଚିତ୍ରାଙ୍କନ ଓଡିଶାରେ ବହୁଳ ଭାବରେ ପରିଚିତ ହୋଇଥିଲା। ଏହା ଫଳରେ ପୂର୍ବ କାଳରେ ମଠ, ମନ୍ଦିର, ମଣ୍ଡପ, ରାଜନଅର ଓ ଅଭିଜାତ ଶ୍ରେଣୀର ବାସଗୃହରେ କାନ୍ଥ ଦେହରେ ବିଭିନ୍ନ ରଙ୍ଗରେ ଦଶାବତାର ଚିତ୍ର ଅଙ୍କନ କରିବା ଓଡିଶା ଚିତ୍ରକଳାର ଏକ ମହନୀୟ ପରମ୍ପରା ହୋଇ ପଡିଲା। ଏହା ବ୍ୟତୀତ ଦଶାବତାର ଶାଢୀ, ଦଶାବତାର ମୁଦି, ଦଶାବତାର ମାଳ ପ୍ରଭୁତି ବ୍ୟବହାର ସମ୍ବନ୍ଧରେ ପ୍ରାଚୀ ସାରଳା ସାହିତ୍ୟରେ ଉଲ୍ଲେଖ ମିଳେ। ଏକତ୍ର ସୂତାରେ ଗୁନ୍ଥା ହୋଇଥିବା ଏକ ତାଳପତ୍ର ଗୁଚ୍ଛ ଦେହରେ ଦଶାବତାର ଚିତ୍ରାବଳୀ ଅଙ୍କନ କରିବା ପ୍ରଥା ଉତ୍କଳରେ ଅଦ୍ୟାବଧି ପ୍ରଚଳିତ। ମିଉଜିୟମ ପୋଥିଭଣ୍ଡାରରେ ଏପରି ବହୁ ଦଶାବତାର ଚିତ୍ରାବଳୀ ସଂରକ୍ଷିତ। ବାଉଁଶପତ୍ରରେ ଶ୍ରୀ ଗୀତଗୋବିନ୍ଦର ପ୍ରତିଲିପି – ଶ୍ରୀ ଗୀତଗୋବିନ୍ଦ ଉତାରିବା ଏ ଓଡିଆ ଜାତିକୁ କିପରି ପାଗଳ କରିଥିଲା, ଅତି କ୍ଷୁଦ୍ରାକାର, ଭଙ୍ଗୁର, ଅପ୍ରଶସ୍ତ, କ୍ଷୀଣ, ଶୁଷ୍କ ବାଉଁଶପତ୍ର ଦେହରେ ଲୁହା ଲେଖନୀ ସାହାଯ୍ୟରେ ଶ୍ରୀ ଗୀତଗୋବିନ୍ଦର ଲିପିକରଣ ତାହାର ଏକ ଜ୍ୱଳନ୍ତ ନିଦର୍ଶନ। ଭଗ୍ନ ପୃଷ୍ଠକଟାଗ୍ରୀବ ହୋଇ ମୁନ ମୁନ ଚିତ୍ତ, ଚୈତନ୍ୟ ଠିକ ନ ରଖିଲେ ସୁଷ୍କ ବାଉଁଶପତ୍ରରେ ମାଛ ମଞ୍ଜି ପରି ଛୋଟ ଛୋଟ ଅକ୍ଷରରେ ଲେଖିବା ଏକ ଅସମ୍ଭବ ବ୍ୟାପାର। କିନ୍ତୁ ଓଡିଆ ଲିପିକାରଙ୍କୁ ଶ୍ରୀ ଗୀତଗୋବିନ୍ଦରେ ଅଚଳା ଭକ୍ତି ଏପରି ଅତ୍ୟନ୍ତ ଆୟାସସାଧ୍ୟ ଓ ବହୁ ସମୟସାପେକ୍ଷ ଅସାଧ୍ୟସାଧନ କରିବାରେ ସମର୍ଥ କରିଥିଲେ। ଏପରି ବିସ୍ମୟ ଉତ୍ପାଦକ କେତକ ସ୍ୱତନ୍ତ୍ର ବାଉଁଶପତ୍ର ଓ ଗୁଚ୍ଛାକୃତି ବାଉଁଶପତ୍ର ପୋଥି ମିଉଜିୟମ ରେ ସଂରକ୍ଷିତ। ଶ୍ରୀ ଗୀତଗୋବିନ୍ଦ ଖଣ୍ଡୁଆ – ବଡସିଂହାର ( ବଡଶଙ୍ଗାର ) ସମୟରେ ଶ୍ରୀ ଗୀତଗୋବିନ୍ଦ ବୁଣାଯାଇଥିବା ଖଣ୍ଡୁଆ ବା ଉତ୍ତରୀୟରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଆଚ୍ଛାଦନ କରିବା ପ୍ରଥା ଏପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପ୍ରଚଳିତ ଅଛି। ଖଣ୍ଡୁଆ ଦେହରେ ସମଗ୍ର ଶ୍ରୀ ଗୀତଗୋବିନ୍ଦ ଅଙ୍କନ କରିବା ବୟନ ଶିଳ୍ପର ଚରମ ଉତ୍କର୍ଷର ପରିଚାାୟକ। ଶ୍ରୀ ଜଗନ୍ନାଥଙ୍କଠାରେ ଅଚଳ ଭକ୍ତି ଯୋଗୁଁ ଏହି ବୟନ ଶିଳ୍ପ ନାନା ଘାତ ପ୍ରତିଘାତ ମଧ୍ୟରେ ଅଦ୍ୟାପି ବଞ୍ଚିରହିଛି। ଏ ଜାତିର ଚିରସ୍ମରଣୀୟ ମହାକବି ଭକ୍ତପ୍ରବର ଶ୍ରୀ ଜୟଦେବଙ୍କଦ୍ୱାରା ସ୍ୱଈଷ୍ଟ ଦେବତା ଜଗଦୀଶ ( ଜଗନ୍ନାଥ ) ଙ୍କ ନିକଟରେ ନିତ୍ୟ ଗୀତ ହେବା ପାଇଁ ରଚିତ ଓ ଉତ୍କଳର ଜନତାଦ୍ୱାରା ଏକ ଧମ୍ରଗ୍ରନ୍ଥ ରୂପେ ସମ୍ମାନିତ ଶ୍ରୀ ଗୀତଗୋବିନ୍ଦ ବିଗତ ଅଷ୍ଟ ଶତାବ୍ଦୀ ହେଲା ଓଡିଶାର ସାହିତ୍ୟ, ସଙ୍ଗୀତ, ଭାତ୍ସାର୍ଯ୍ୟ, ଚିତ୍ରକଳା, ଲିପିକରଣ ଓ ବୟନଶିଳ୍ପକୁ କିପରି ଗଭୀର ଭାବରେ ପ୍ରଭାବିତ ତଥା ସେଗୁଡିକର ବିକାଶସାଧନାରେ ସହାୟକ ହୋଇଛି ସେ ସମ୍ପର୍କରେ ଦୀର୍ଘ ବହୁ ଶତାବ୍ଦୀ ଧରି ଶ୍ରୀ ଗୀତଗୋବିନ୍ଦ ଓଡିଆ ଜାତି ଉପରେ କି ପ୍ରଭାବ ପକାଇଛି ତାହା ଐତିହାସିକ, ଗବେଷକ, ସାହିତ୍ୟିକ, ପ୍ରତ୍ନତତ୍ତ୍ୱବିଦ ସର୍ବଶ୍ରୀ ସତ୍ୟନାରାୟଣ ରାଜଗୁରୁ, ପରମାନନ୍ଦ ଆଚାର୍ଯ୍ୟ, କେଦାରନାଥ ମହାପାତ୍ର, ନୀଳମଣି ମିଶ୍ରଙ୍କ ଐତିହାସିକ ପ୍ରବନ୍ଧାବଳୀରୁ ବହୁ ତଥ୍ୟ ମିଳିଥାଏ।

ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮