Odiapua.com

ଓଡ଼ିଶା ବିଜେପିରେ ଗୋଲକ ଧନ୍ଦା: କହି ହେଉନି କି; ସହି ବି ହେଉନି !

ଭୁବନେଶ୍ୱର: ଓଡ଼ିଶା ବିଜେପିରେ ଚାଲିଛି ଏବେ ଗୋଲକ ଧନ୍ଦା।୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ଅନେକ ଗୁଡ଼ାଏ ମିଶ୍ରଣ ପର୍ବ କରାଇଲା।ତେବେ, ବାସ୍ତବରେ ଏହି ମିଶ୍ରଣ ପର୍ବରେ ମିଶ୍ରଣ ଅପେକ୍ଷା ଅପମିଶ୍ରଣ ଅଧିକ ଥିଲା।ଯାହାର ପରିଣାମ ନିର୍ବାଚନରେ ବିଜେପି ଭୋଗିଲା।ନିଜ ଦଳର ନେତାଙ୍କ ଉପରେ ଭରଷା ନକରି ହଠାତ୍ ମିଶିଥିବା ନେତା ନେତ୍ରୀଙ୍କୁ ଟିକେଟ ଦିଆଗଲା।ଆଉ ଏସବୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଚ୍ଛାରେ ହୋଇଥିଲା।ତେବେ, ଏପରି ଅପମିଶ୍ରଣ ଯୋଗୁଁ ଓଡ଼ିଶା ବିଜେପି ପ୍ରତି ସାଧାରଣରେ ଏକ ଖରାପ ଧାରଣା ସୃଷ୍ଟି ହେଲା।ମହିଳା ସୁରକ୍ଷା ନେଇ ବିଜେପି ପକ୍ଷରୁ ମହିଳା ମୋର୍ଚ୍ଚା ମାଧ୍ୟମରେ ଅଧିକ ଆନ୍ଦୋଳନ କରାଯାଇଥିଲା।ଦାମ ରାଉତଙ୍କ ସ୍ୱାମୀ ଛାଡ଼ି.. ମନ୍ତବ୍ୟ ମହିଳା ବିରୋଧୀ ଦର୍ଶାଇ ବିଜେପି ମହିଳା ମୋର୍ଚ୍ଚା ଦାମଙ୍କ ବହିଷ୍କାର ଦାବିରେ ହୁଳସ୍ତୁଲ କରିଦେଲା।ଦାମ ଲେଖାଶ୍ରୀଙ୍କୁ ଆକ୍ଷେପ କରିଥିଲେ, ଆଉ ବିଜେପି ରାଜ୍ୟ ସମ୍ପାଦିକା ଡଃ: ଲେଖାଶ୍ରୀ ଦାମଙ୍କୁ ଶ୍ରୀଖଣ୍ଡି ମଧ୍ୟ କହିଥିଲେ।ପରେ କିନ୍ତୁ ସେହି ଦାମ ରାଉତଙ୍କୁ ବିଜେପି କୋଳେଇ ନେଲା।ଟିକେଟ ବି ଦେଲା।ସତେ ଯେପରି ଶ୍ରୀଖଣ୍ଡି ବିଜେପି ଗାଡ଼ିଆରେ ବୁଡ଼ ପକାଇ ପୁରୁଷତ୍ୱ ପ୍ରାପ୍ତ କଲେ।କ୍ଷମତା ଲୋଭରେ ବିଚାରଧାରା, ଆଦର୍ଶକୁ ବିଜେପି କିପରି ଗୋଇଠା ମାରିପାରେ ଲୋକେ ଜାଣିଲେ।କୁହାଗଲା, ଯଦି ପ୍ରଦୀପ ମହାରଥୀଙ୍କୁ ସେତେବେଳେ ବିଜେଡି ଟିକେଟ ମିଳିନଥାନ୍ତା, ସେ ଚାହିଁଥିଲେ ତାଙ୍କୁ ମଧ୍ୟ ବିଜେପି କୋଳେଇ ନେଇ ଥାଆନ୍ତା।ଆଉ ବିଜେପି ପାଇଁ ସେ ହୋଇ ଯାଇଥାଆନ୍ତେ ଆଦର୍ଶ ପୁରୁଷ!ଓଡ଼ିଶା ବିଜେପିର ଯେ ଆଦର୍ଶ ବୋଲି କିଛି ନାହିଁ।କ୍ଷମତା ଲୋଭରେ କାଲି ଯାହାକୁ ମହିଳା ବିରୋଧୀ ନେତା କୁହାଯାଉଥିଲା ବିଜେପି ତାଙ୍କୁ କୋଳେଇ ନେଲା।ଆଉ କାଲି ଯିଏ କଂଗ୍ରେସରେ ଥାଇ ମୋଦୀଙ୍କ ବାବଦରେ ଅପଶବ୍ଦ କହୁଥିଲା, ମୋଦୀଙ୍କ ପୋଷ୍ଟରକୁ ଜୋତାରେ ପିଟୁଥିଲା ଏବଂ ସଂଘ (ଆରଏସଏସ)କୁ ଶକୁନି ମାମା କହୁଥିଲା ତାଙ୍କୁ କେନ୍ଦ୍ରମନ୍ତ୍ରୀ ଫୁଲ ତୋଡ଼ା ଦେଇ ସ୍ୱାଗତ କଲେ।ଆଜି ସେ ବିଜେପି ପ୍ରବକ୍ତା!

ଏବେ, ସ୍ମିତାରାଣୀଙ୍କ ଘଟଣାକୁ ନେଇ ବିଜେପି ସମ୍ପାଦିକା ଡଃ: ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।ସାଙ୍ଗରେ ଥିଲେ ମୋଦୀଙ୍କ ପୋଷ୍ଟରକୁ ଜୋତାରେ ପିଟିଥିବା ଏବଂ ସଂଘକୁ ଶକୁନି ମାମା କହିଥିବା ନେତ୍ରୀ।କାଲି ଯିଏ ଥିଲେ କଂଗ୍ରେସ ପ୍ରବକ୍ତା ଆଜି ସେ ବିଜେପି ପ୍ରବକ୍ତା।ବିଜେପି ଏପରି କିପରି ଯେ, କରେ ତାହା ବୁଝି ହୁଏନି!ହୁଏତ ଦଳର ଦୃବଳ ସ୍ଥିତି ଥିବା ସ୍ଥାନରେ ଜଣେ ନବାଗତଙ୍କୁ ଟିକେଟ ଦେବା ଭିନ୍ନ କଥା।କିନ୍ତୁ, ନିର୍ଦ୍ଧିଷ୍ଟ ଭାବରେ ବଜେପି ଭଳି ଏକ ନିର୍ଦ୍ଦିଷ୍ଟ ବିଚାରଧାରର କ୍ୟାଡର ବେସ୍ ପାର୍ଟିରେ ଜଣେ ନବାଗତା ପୁଣି ଯେ କାଲି ମୋଦୀଙ୍କ ପୋଷ୍ଟରକୁ ଜୋତାରେ ପିଟିଥିଲେ, ମୂଳ ବିଚାରଧାରା ବିରୋଧରେ ଯାଇ ସଂଘ (ଆରଏସଏସ)କୁ ଅତି କଟୁ ସମାଲୋଚନା କରି ଆରଏସଏସକୁ ଶକୁନି ମାମା ବୋଲି କହୁଥିଲେ, ତାହାକୁ ସାଧାରଣ କାର୍ଯ୍ୟକର୍ତ୍ତା ତ’ ଗ୍ରହଣ କରିବା କଷ୍ଟ।ଏ’ ରାଜ୍ୟ ନେତା କିପରି ଗ୍ରହଣ କରିପାରିଲେ?ସ୍ମିତାରାଣୀଙ୍କ ଘଟଣାରେ ଲେଖାଶ୍ରୀ ସାମ୍ବାଦିକ ସମ୍ମିଳନୀ କରି କହିବା ପରେ ତାଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ନେତ୍ରୀ ସୁଲତା ଦେଓ।ସୁଲତା ବ୍ୟକ୍ତିଗତ ସ୍ତରକୁ ଯାଇ ଲେଖାଶ୍ରୀଙ୍କୁ ଅତ୍ୟନ୍ତ କଟୁ ସମାଲୋଚନା ଏବଂ କଟାକ୍ଷ କରିଛନ୍ତି।ଯାହାକୁ ହୁଏତ ସହଜେ ଗ୍ରହଣ କରିପାରୁ ନାହାଁନ୍ତି ବିଜେପି ମହିଳା ମୋର୍ଚ୍ଚାର ଅନେକ ନେତ୍ରୀ।ନିଜ ଦଳର ଜଣେ ନେତ୍ରୀଙ୍କ ବିରୋଧରେ ବିରୋଧୀ ଦଳ ନେତ୍ରୀଙ୍କ ଏପରି ମନ୍ତବ୍ୟକୁ ହୁଏତ ସେମାନେ ସହ୍ୟ କରିପାରୁ ନାହାଁନ୍ତି।ସହି ପାରୁ ନାହାଁନ୍ତି, କିନ୍ତୁ କହି ବି ପାରୁ ନାହାଁନ୍ତି!କାଲି ଯିଏ ମୋଦୀଙ୍କୁ.., ଆରଏସଏସକୁ …ଏବଂ କାଲି ଏଇ ଲେଖାଶ୍ରୀଙ୍କୁ ମଧ୍ୟ କଟୁ ସମାଲୋଚନା କରୁଥିଲେ, ବିଜେପି ତାଙ୍କୁ ଆଣି ହଠାତ୍ ପ୍ରବକ୍ତା କରିଦେଲା।ଆଉ ଦାମ ବାବୁଙ୍କୁ ମଧ୍ୟ ଟିକେଟ ଦେଲା।ଏ’ ସବୁ ଗୋଲକ ଧନ୍ଦା!ଗୋଲକ ଧନ୍ଦାରେ ଫସିଯାଇଛି ଓଡ଼ିଶା ବିଜେପି।ଆଉ ଏପରି ଗୋଲକ ଧନ୍ଦା କାରଣରୁ ଓଡ଼ିଶାରେ ବିଜେପି ଗ୍ରହଣୀୟ ହୋଇପାରୁ ନାହିଁ।ଏ’ ସବୁକୁ ନେଇ ବିଜେପିରେ ଅନେକ ଅସନ୍ତୋଷ ଥିଲେ ମଧ୍ୟ, ଅନୁଶାସନ ନାମରେ ପ୍ରତିବାଦର ସ୍ୱର ଦବି ଯାଉଛି।କ’ଣ ବା କରାଯାଇ ପାରେ?କହି ହେଉନି, କି ସହି ବି ହେଉନି!/-ଦେବଦତ୍ତ ରଥ

ଜବାବ ମାଗୁଛି ଓଡ଼ିଶା: ଧିକାର ତୁମକୁ ମହିଳା ମୋର୍ଚ୍ଚା!