Odiapua.com

ଇମ୍ପିରିଅଲ କଲେଜ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଫି ଛାଡ ବ୍ୟବସ୍ଥା

ବରଗଡ଼ ୮-୬ : (ଓଡ଼ିଆ ପୁଅ/ସଚିଦାନନ୍ଦ ପାତ୍ର) – କରୋନା କାଳରେ ଯେ କୌଣସି କାରଣରୁ ପ୍ରାଣ ହରାଇଥିବା ପରିବାର ସଦସ୍ୟମାନଙ୍କ ପାଠପଢ଼ା ପାଇଁ ଇମ୍ପିରିଅଲ କଲେଜ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି।

ଏହି ଘୋଷଣାରେ କୁହାଯାଇଛି ଯେ ଏପ୍ରିଲ ୨୦୨୦ ପରଠାରୁ ଯେ କୌଣସି କାରଣରୁ ପରିବାରର ପିତାମାତା , ଭାଇ ଭଉଣୀ ମଧ୍ୟରୁ କେହି ପରଲୋକ ହୋଇଥିଲେ ସେହି ପରିବାରର ଛାତ୍ରଛାତ୍ରୀମାନଙ୍କୁ କଲେଜ ଆଡମିଶନରେ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯିବ। ଏହି ସୁବିଧା ଉଭୟ କୋଭିଡ ଓ ଅଣ କୋଭିଡ ପ୍ରଭାବିତ ପରିବାରଙ୍କ ପାଇଁ ରହିବ। ସ୍ନାତକ ଓ ସ୍ନାତକୋତର ଶ୍ରେଣୀରେ ଦୁଇ ବର୍ଷ ପାଇଁ କଲେଜ ଫି ସଂପୂର୍ଣ୍ଣ ଛାଡ କରାଯିବା ସହିତ ଗୋଟିଏ ବର୍ଷ ମାଗଣାରେ ହଷ୍ଟେଲରେ ରହିବା ଓ ଖାଦ୍ୟପେୟର ବ୍ୟବସ୍ଥା କରାଯିବ। ୨୦୨୧ ନାମଲେଖା ପାଇଁ ବିଏ , ବିବିଏ, ବିସିଏ ଶ୍ରେଣୀ ସହିତ ସ୍ନାତକୋତର କମ୍ପ୍ୟୁଟର ବିଜ୍ଞାନ (ଏମ୍ଏସି) ରେ ମଧ୍ୟ ଏହି ସୁବିଧା ମିଳିବ। କରୋନା ସମୟରେ ପ୍ରିୟଜନଙ୍କୁ ହରାଇଥିବା ଛାତ୍ରଛାତ୍ରୀମାନଙ୍କୁ କଲେଜ ପକ୍ଷରୁ ସମବେଦନା ଜ୍ଞାପନ କରାଯାଇ ଏହି ବ୍ୟବସ୍ଥା ପାଇଁ ଆବେଦନ କରିବାକୁ ଅନୁରୋଧ କରାଯାଇଛି। ଇମ୍ପିରିଏଲ କଲେଜ ଅଧ୍ୟକ୍ଷ ଦିପକ ଗୋୟଲ କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ନେଇ ଏହି ବ୍ୟବସ୍ଥା ପାଇଁ ଏକ ସ୍ୱତନ୍ତ୍ର କମିଟୀ ଗଠନ କରିଛନ୍ତି।