Odiapua.com

ଆରୁକୁ ବିଧାୟକ ହତ୍ୟା ଘଟଣା; ଗିରଫ ଡମ୍ବରୁର ପରିବାର ପ୍ରଶାସନର ଦ୍ୱାରସ୍ତ

କୋରାପୁଟ ୧୬-୨ (ଓଡିଆ ପୁଅ/ରଂଜନ କୁମାର ଦାସ) ଆରୁକୁର ବିଧାୟକ କେ.ସର୍ବେଶ୍ୱର ରାଓ ଓ ପୂର୍ବତନ ବିଧାୟକ ଏସ୍.ସୋମାଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ୮ତାରିଖରେ ଗିରଫ ଡମ୍ବରୁ ଖୀଲର ପତ୍ନୀ ଓ ୧୦ ଖଣ୍ଡ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ତ ହୋଇଥିଲେ ବୋଲି ଜଣାପଡିଛି। ପତ୍ନୀ ଜୟନ୍ତୀ ଖୀଲ, ଚାଟୁଆ ସରପଂଚ ପୂର୍ଣ ଗଲୋରୀଙ୍କ ସହ ଚାଟୁଆ, କୁମ୍ବିଗୁଡା, ସଲପାପଦର, ସାରିଆଗୁଡା, ପାତାଲପୁଟ, ଦୁର୍ବା, କୋଡିଖାଲ, ଭାଲିଆଗୁଡା.ନାରିଗାଁ ଇତ୍ୟାଦି ଗ୍ରାମର ୩୦ରୁ ଉର୍ଦ୍ଧ୍ୱ ଲୋକ ଶୁକ୍ରବାର କୋରାପୁଟ ଆସି ସେମାନଙ୍କ ଗୁହାରୀ ଜଣାଇଥିଲେ। ଗ୍ରାମବାସୀ ଓ ଡମ୍ବରୁର ପତ୍ନୀ ଜୟନ୍ତିଙ୍କ କହିବା ମୂତାବକ ଡମ୍ବରୁ ଉକ୍ତ ଘଟଣାରେ କିଛି ଜାଣିନି। ପୁଲିସ ପଚରାଉଚୁରା କରିବାକୁ ଡାକି ନେଇ ଡମ୍ବରୁକୁ ଗିରଫ କରି ଆନ୍ଧ୍ର ପଠାଇ ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରିବାକୁ ସେମାନେ ଜିଲାପାଳ ଓ ଏସପିଙ୍କ ନିକଟରେ ଦାବି କରିଛନ୍ତି। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନଙ୍କୁ ଦାବିପତ୍ର ଦେଇଥଲେ। ଅନ୍ୟ ପକ୍ଷରେ ସ୍ୱାମୀଙ୍କୁ ପୁଲିସ୍ ନେଇଗଲା ୨ଟି ଛୁଆଙ୍କୁ ନେଇ ମୁଁ ବଂଚିବି କିପରି ବୋଲି ଡମ୍ବରୁର ସ୍ତ୍ରୀ ଜୟନ୍ତୀ ପ୍ରଶ୍ନ ଉଠାଇଛନ୍ତି। ସୂଚନା ଥାଉକି, ବିଧାୟକ କେ.ସର୍ବେଶ୍ୱର ରାଓ ଓ ପୂର୍ବତନ ବିଧାୟକ ଏସ୍.ସୋମାଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ୮ତାରିଖରେ କୋରାପୁଟ ଜିଲା ପାଡୁଆ ପୁଲିସ ଡମ୍ବରୁ ଖୀଲକୁ ଧରି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ )କୁ ହସ୍ତାନ୍ତର କରିଥିଲା। ହାଇଦ୍ରାବାଦରୁ ଆସିଥିବା ଏନ୍ଆଇଏର ୧୦ ଜଣିଆ ଟିମ୍ ଡମ୍ବରୁକୁ ନନ୍ଦପୁର ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ କୋରାପୁଟ ଏସଡିଜେଏମ୍ କୋର୍ଟରେ ହାଜର କରାଇଥିଲା। ପରେ ଟ୍ରାଂଜିଟ୍ ରିମାଣ୍ଡରେ ଡମ୍ବରୁକୁ ହାଇଦ୍ରାବାଦ୍ ନିଆ ଯାଇଥିଲା।