ଭୁବନେଶ୍ୱର: ବିଶ୍ୱ ଆଜ୍ମା ଦିବସ ହେଉଛି ଆଜ୍ମା ସଚେତନତା ଏବଂ ଯତ୍ନର ଉନ୍ନତି ପାଇଁ ଗ୍ଲୋବାଲ୍ ଇନିସିଏଟିଭ୍ ଫର୍ ଆଜ୍ମା (ଜିଏନା) ଦ୍ୱାରା ଆୟୋଜିତ ଏକ ବାର୍ଷିକ କାର୍ଯ୍ୟକ୍ରମ। ଆଜ୍ମା ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ସଚେତନତା, ଯତ୍ନ ଏବଂ ସମର୍ଥନ ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ। ବିଶ୍ୱ ଆଜମା ଦିବସ ବର୍ଷର ମେ’ ମାସ ପ୍ରଥମ ମଙ୍ଗଳବାର ଦିନ ଆୟୋଜିତ ହୁଏ। ୧୯୯୮ ମସିହାରେ ବିଶ୍ୱ ଆଜ୍ମା ଦିବସ ପ୍ରଥମେ ଅନୁଷ୍ଠିତ ହୋଇଥିଲା। ଗତବର୍ଷ (୨୦୧୯) ମସିହାରେ ଏହା ମେ’ ୭ ତାରିଖରେ ପଡ଼ିଥିବା ବେଳେ, ଚଳିତ ବର୍ଷ (୨୦୨୦) ମସିହାରେ ମେ’ ୫ ତାରିଖରେ, ଆସନ୍ତା ବର୍ଷ (୨୦୨୧) ମସିହାରେ ମେ’ ୪ ତାରିଖରେ ଏବଂ ୨୦୨୨ ମସିହାରେ ମେ’ ୩ ତାରିଖରେ ପଡ଼ୁଛି ବିଶ୍ଵ ଆଜ୍ମା ଦିବସ।
ଥଣ୍ଡା ଏବଂ ଗରମ ସମସ୍ୟା –
ଉଭୟ ଥଣ୍ଡା ଏବଂ ଗରମ କାରଣରୁ ଆଜ୍ମା ସମସ୍ୟା ବଢ଼ିଯାଏ। ଗ୍ରୀଷ୍ମ ଋତୁରେ ଗରମ ଲାଗିଲା ମାତ୍ରେ ଲୋକେ ବାରମ୍ବାର ଗାଧୋଇବା ସହ ଏସି ଲଗାଇ ଥାଆନ୍ତି। ଶରୀରକୁ ଥଣ୍ଡା କରିବା ଲାଗି ଅନ୍ୟାନ୍ୟ ମାଧ୍ୟମ ମଧ୍ୟ ଗ୍ରହଣ କରିଥାଆନ୍ତି। ଆଜ୍ମା ରୋଗୀ ହଠାତ୍ ଥଣ୍ଡାରୁ ଗରମ କିମ୍ବା ଗରମରୁ ଥଣ୍ଡାକୁ ଗଲେ ଆଲର୍ଜି ହୋଇପାରେ। ଯାହା ଫଳରେ ଆଜ୍ମା ଆଟାକ୍ ହେବାର ଆଶଙ୍କା ବଢ଼ି ଯାଇଥାଏ। ସେହିପରି ଖରାରେ ବାହାରୁ ଫେରିବା ପରେ ପ୍ରାୟ ସମସ୍ତେ ଥଣ୍ଡା ପାଣି, ଆଇସ୍କ୍ରୀମ୍, ବରଫ ଗୋଲା ଆଦି ଖାଇଥାଆନ୍ତି। ଯାହା ଫଳରେ କାଶ, କଫ କିମ୍ବା ଗଳାରେ ସଂକ୍ରମଣ ହୋଇଯାଏ। ଏହି ସଂକ୍ରମଣ କାରଣରୁ ଆଜ୍ମା ରୋଗୀଙ୍କ ଶ୍ବାସ ପ୍ରଶ୍ବାସରେ ସମସ୍ୟା ଉପୁଜିଥାଏ।
ଧୂଳି, ପ୍ରଦୂଷଣ ଏବଂ ଋତୁ ପରିବର୍ତ୍ତନ –
ଧୂଳି ଏବଂ ପ୍ରଦୂଷଣ ଆଲର୍ଜି ସହିତ ଜଡ଼ିତ ବ୍ୟକ୍ତିଙ୍କୁ ଶୀଘ୍ର ଆଜ୍ମା ଶିକାର କରିଥାଏ। ଏହା ସହିତ ଆଜ୍ମା ରୋଗୀ ଅନ୍ୟାନ୍ୟ ସମସ୍ୟାରେ ମଧ୍ୟ ପଡ଼ିଥାଆନ୍ତି।ପ୍ରଦୂଷଣ ଦ୍ବାରା ବ୍ୟକ୍ତିର ଗଳା ଏବଂ ନାକରେ ସଂକ୍ରମଣ ହୋଇପାରେ। ଯାହା ଫଳରେ ନିଶ୍ବାସ ପ୍ରଶ୍ବାସ ନେବା ଆଣିବାରେ ସମସ୍ୟା ହୋଇଥାଏ। ସେହିପରି ଋତୁ ପରିବର୍ତ୍ତନ ହେବା ସହ ସଂକ୍ରମଣ ସମସ୍ୟା ମଧ୍ୟ ବଢ଼ିଥାଏ। ଫଳରେ ଆଜ୍ମା ରୋଗୀଙ୍କ ସମସ୍ୟା ବଢ଼ି ଯାଇଥାଏ। ଆଜ୍ମା ରୋଗୀଙ୍କ ପାଇଁ ଏହା ଏକ ବଡ଼ ସମସ୍ୟା ହୋଇଥାଏ। ଏପରି ସମସ୍ୟାରୁ ମୁକ୍ତି ପାଇଁ ଯଥାସାଧ୍ୟ ସତର୍କତା ଅବଲମ୍ବନ କରିବା ଉଚିତ୍। -ଦେବଦତ୍ତ ରଥ
ହଠାତ୍ ଆସି ଯାଏନି ହାର୍ଟ ଆର୍ଟାକ୍: କିଛି ଦିନ ପୂର୍ବରୁ ଦେଖାଦିଏ ଏହିସବୁ ଲକ୍ଷଣ ..