Odiapua.com

ଅଲ୍‌ ଇଜ୍ ନଟ୍‌ ୱେଲ୍‌!

କାହ୍ନା ଚା ଦୋକାନୀ କହୁଥିଲା ବେପାର ମାନ୍ଦା ହେବାକୁ ଲାଗିଲାଣି। ଅଲ୍‌ ଇଜ୍ ନଟ୍‌ ୱେଲ୍‌। କୋରୋନା ମାଡ ଆଉ ତା’ଉପରେ ଏ ସହରର ଚେଙ୍ଗ ବେଙ୍ଗ ରାଜନୀତି। କିରେ ଏ ସହରର ରାଜନୀତିରେ ତୋର ପୁଣି କଣ ଅସୁବିଧା। ଲୋକେ ଦୁଇପଦ ଆଲୋଚନା କରୁଛନ୍ତି। ତୋ ଦୋକାନରେ ଦୁଇଟା ବଦଳରେ ଚାରିଟା ଚା ବିକ୍ରି ହେଉଛି। ଭଲ କଥାଟେ। ସେଥିରେ ପୁଣି ତୋର ବେପାର ମାନ୍ଦା କେମିତି ହେଲା। କଥାଆଳରେ ପ୍ରଶ୍ନଟିଏ କରିଦେଲି କାହ୍ନାକୁ। ସାର୍‌ ଆପଣ ବୁଝୁ ନାହାଁନ୍ତି। ଏଠି ପେଣ୍ଟରେ ଠିକ ସେ ବଟନ ଲଗାଇ ପାରୁନଥିବା ପିଲା ବି କେଉଁ ଗୋଟିଏ ପାର୍ଟିର ସକ୍ରିୟ କର୍ମୀ। ସହରର ଗୋଟିଏ ବି ଲୋକ ବାଦ ପଡ଼ିନି ମାୟାରୁ। ପୁରା ସହରଟା ଆଜି ଦୁଇଭାଗ। କିଏ ନବୀନାକୁ ଗାଳି ଦେଉଛି ତ କିଏ ମୋଦି ବିରୋଧରେ ଶୁଣିଲେ ମା’ ଭଉଣୀ ଶୋଧୁଛି। କଂଗ୍ରେସ ବାଲା କାଇଁ କେଜାଣି ଟିକିଏ ଦୂରେଇ ଦୂରେଇ ରହୁଛନ୍ତି। ସତ କହିଲେ, କିଏ ଆଉ କଂଗ୍ରେସିଆ ଜଣାବି ପଡ଼ୁନାହାଁନ୍ତି। ଦଳ ମାତ୍ର ଦୁଇଟି। ବିଜେପି ଆଉ ବିଜେଡ଼ି। ହେଇ ଗତ ରବିବାର ଦିନ କଥା, କାଳିଆ ଟଙ୍କା ଫେରେଇବା କଥାରେ ମୁଁ ଟିକିଏ କେଉଁ ଅବେଳାରେ କହି ଦେଲି ନବୀନା ଏଇଟା କ’ଣ ଭଲ କଲା। ସାରେ, ବାବୁମାନଙ୍କୁ କଥାଟି ପସନ୍ଦ ଆସିଲାନି। ଶହେ କୋଡ଼ିଏ ଟଙ୍କା ପାଇବାକୁ ହେଉଥିଲା। ନଦେଇ ଚାଲିଗଲେ। ସେମାନେ ନାଁ ଆସୁଛନ୍ତି ନାଁ ଆଉ ସେ ପଇସା ଆଉ ମିଳିବ।

ଆଉ ଆଜିକା ଯୁବପିଢୀ କୁଆଡ଼େ ଦେଶର ଭବିଷ୍ୟତ। କି ଭବିଷ୍ୟତ ଗଢ଼ିବେ କେଜାଣି। ପାଠଶାଠ ଛାଡ଼ି ସବୁ ଗୋଟେ ଗୋଟେ ଦଳର ବାନା ଉଡ଼େଇବା କାମରେ ଲାଗି ଯାଇଛନ୍ତି। ଏମାନଙ୍କ ମୁଣ୍ଡରୁ ବାପାମା ଯେବେ ହାତ ଉଠେଇ ନେବେ, ଆଜ୍ଞା ଏମାନେ ଏଇ ନବୀନାର ପାଞ୍ଚ ଟଙ୍କିଆ ଥାଳି ଆଗରେ ଲାଇନ୍‌ ଲଗେଇବେ। ଘର ଚଳେଇବା କଣ ଛୋଟ କଥା। ଜିନ୍ସ ପେଣ୍ଟ ସାର୍ଟ ଉପରେ କଳା ଚଷମା ଲଗେଇ, ବାଇକ୍‌ ଉପରେ ବସି ଜୋକର୍‌ ପରି ଯେଉଁ ସର୍କସ୍‌ ଦେଖଉଛନ୍ତି କାହା ପଇସାରେ କହୁ ନାହାଁନ୍ତି। ଘରେ ନାହିଁ ଦାନା କନା, ପୁଅ କହୁଛି ମୁଁ ରାଜେଶ ଖାନ୍ନା। କେମିତି ଦୁଇ ପଇସା ଠିକ ସେ କମେଇବେ ସେ ଚିନ୍ତା ନକରି ସବୁ ଆଜ୍ଞା ଗୋଟିଏ ଗୋଟିଏ କୁଜୀ ନେତା। ଦୋକାନୀଠୁ ଆରମ୍ଭ କରି ସରକାରୀ ବାବୁ, ସମସ୍ତଙ୍କୁ ନାଲି ଆଖି ଦେଖେଇ ଚାଲିଛନ୍ତି। କଣ ନାଁ ମୁଁ ବେଙ୍ଗ ପାର୍ଟିର ଲୋକ। ଆଜ୍ଞା ଚା’ ଦୋକାନୀ ବି ଏମାନଙ୍କ ରଙ୍ଗ ଢ଼ଙ୍ଗରେ ଭାଗ ହୋଇସାରିଲେଣି। କେଉଁ ଦୋକାନରେ ବିଜେପି ପାର୍ଟିର ଲୋକଙ୍କ ଖଟି ତ କେଉଁଠି ବିଜେଡ଼ି। ଆମନା ସାମାନା ଯଦି ଭୁଲ ସେ ହୋଇଯାଏ, ପରିବେଶଟିକୁ ଟିକିଏ ଗରମ ନକଲେ ନଛାଡ଼ନ୍ତି।

ଆଉ ଗୋଟିଏ ପାର୍ଟି ହେଲେ ସମ୍ବାଦିକ ପାର୍ଟି। ଯାହା ହେଉ ଏମାନେ ଯେଣ ତେଣ କରି ମୁଣ୍ଡରେ ମସଲା ଟିକିଏ ଭରିଛନ୍ତି। ଏମାନେ କାହାର ନୁହେଁ ଆଜ୍ଞା। ଯେଉଁ ପାର୍ଟି ଚା ପଇସାଟା ଦେବ ସେଦିନ ସେପାର୍ଟିର ଚର୍ଚ୍ଚା। ଚା ଦୋକାନରେ ଗହଳିଟା ଜମି ଆସିଲେ ଚୁପ କରି ଖସିଯାଆନ୍ତି ଏମାନେ। ଏମାନଙ୍କର ଅଲଗା ଗୋଟିଏ ଗୋଷ୍ଠୀବି ଅଛି, ଯେଉଁଠି ଏମାନେ ମୋଦି ଆଉ ନବୀନାର ଭବିଷ୍ୟତ ଗଢ଼ନ୍ତି। ଏଇଠି ବସି ସେମାନେ ଦିଲ୍ଲୀ ବାଲାଙ୍କୁ ଟର୍ଚ ଲାଇଟ୍‌ ଦେଖାନ୍ତି। ଆଜ୍ଞା ଅଧାରୁ ଅଧିକ ସାମ୍ବାଦିକତ ଗୋଟିଏ ଗୋଟିଏ କଣ୍ଟ୍ରାକ୍ଟର। କଥାଟା କଣ ଅଛପା। ଏମାନଙ୍କ ସାମ୍ବାଦିକତା କାହାଁ ପାଇଁ। ଛାଡ଼ନ୍ତୁ ଏମାନଙ୍କ କଥା। ବାବୁମାନଙ୍କ ଆସିବା ସମୟ ହୋଇଗଲାଣି। ଜିନିଷପତ୍ର ସଜେଇ ନରଖିଲେ, ମୋ ଉପରେ ଆଜି ଜ୍ଞାନ ବର୍ଷା କରିଦେବେ। ଗଜାନନ ଏମାନଙ୍କୁ ସଦବୁଦ୍ଧି ଦିଅନ୍ତୁ।

ବୁଢ଼ା କଲମ
ଇମେଲ୍‌ : budhakalama@gmail.com