Odiapua.com

ଅଲଣାଗୁଡା ସ୍କୁଲରେ ତାଲା ପକାଇଲେ ସରପଂଚ

କୋରାପୁଟ ;ତା୨୧-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ଦଶମନ୍ତପୁର ବ୍ଲକ ପାଇକ ଫୁଲବେଡା ପଂଚାୟତର ଅଲଣାଗୁଡା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଦୁଇଜଣ ଶିକ୍ଷୟତ୍ରୀ ନିୟମିତ ସ୍କୁଲ ଆସୁନଥିବା ପ୍ରତିବାଦରେ ସିଆରସିସିଙ୍କ ଉପସ୍ଥିତିରେ ସ୍ଥାନୀୟ ସରପଂଚ ଓ ଅଭିଭାକ ବାଧ୍ୟ ହୋଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲରେ ତାଲା ପକାଇଛନ୍ତି। ଦୁଇ ଶିକ୍ଷୟତ୍ରୀଙ୍କୁ ବଦଳୀ ନକରିବା ଯାଏ ତାଲା ଖୋଲିବେନି ବୋଲି ଗ୍ରାମବାସୀ ଜିଦରେ ଅଟଳ ରହିଛନ୍ତି। ଅଲଣାଗୁଡା ପ୍ରାଥମିକ ବିଦୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀରେ ୩୩ଜଣ ଛାତ୍ରଛାତ୍ରୀ ଥିବାବେଳେ ଦୁଇଜଣ ଶିକ୍ଷୟତ୍ରୀ ରହିଛନ୍ତି। ସ୍କୁଲକୁ ଆସୁନଥିବା ଅଭିଯୋଗ କଲେ ଓଲଟା ଧମକ ଦେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସିଆରସିସି, ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ବୋଲି ଅଭିଭାବକମାନେ ଗଣ ମାଧମକୁ କହିଥିବାବେଳେ ନିଜକୁ ଜିଲାର ଜଣେ ବରିଷ୍ଠ ରାଜନେତାଙ୍କ ସମ୍ପର୍କୀୟା ବୋଲି ପରିଚୟ ଦେଇ ଜଣେ ଶିକ୍ଷୟତ୍ରୀ ସରକାରୀ ଅଧିକାରୀ ଓ ଗ୍ରାମବାସୀଙ୍କୁ ଭୟଭୀତ କରାଉଥିବା ଅଭିଯୋଗ ହୋଇଛି। ସିଆରସିସି କୈଳାଶ ଚନ୍ଦ୍ର ପ୍ରଧାନ ଆଜି ସ୍କୁଲ ପରିଦର୍ଶନ ପାଇଁ ଯାଇଥିବାବେଳେ ଉତ୍ୟକ୍ତ ଅଭିଭାକମାନେ ସିଆରସିସିଙ୍କୁ ଘେରାଉ କରିବା ସହ ସ୍କୁଲରେ ତାଲା ପକାଇଛନ୍ତି। ସ୍ଥାନୀୟ ସରପଂଚ ହୀରାମଣି ଗାଦବା, ଗ୍ରାମର ହରି ଯାନୀ, ଘନ ଗୌଡ, କେଶବ ଗୌଡ, ଚୈତନ୍ୟ ଗୌଡ, ବିଶୁ ଗୌଡ, ରଘୁନାଥ ଯାନୀ ପ୍ରମୁଖ ସ୍କୁଲରେ ତାଲା ପକାଇ ଶିକ୍ଷୟତ୍ରୀ ଦୁଇଜଣକୁ ବଦଳୀ କରାଗଲେ ତାଲା ଖୋଲା ଯିବ ବୋଲି କହିଛନ୍ତି। ଆଦିବାସୀ ଅଂଚଳରେ ଶିକ୍ଷାର ବିକାଶ ନିମନ୍ତେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶାସନ ଆଖିରେ ଧୁଳି ଦେଇ ସ୍କୁଲକୁ ନଯାଇ ଠକି ଚାଲିଛନ୍ତି। ତେଣୁ ଏ ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।