Odiapua.com

ଅର୍ଥାଭାବ ଯୋଗୁଁ ହୋଇ ପାରୁନି ଚିକିତ୍ସା, ପଙ୍ଗୁ ପାଲଟିଛନ୍ତି ମାଧବ

କୋରାପୁଟ ୨୪-୦୩ ଓଡିଆ ପୁଅ/ରଂଜନ କୁମାର ଦାସ)ଅର୍ଥାଭାବରୁ ଚିକିତ୍ସା ହୋଇ ନପାରି ପଙ୍ଗୁ ପାଲଟି ଗଲେଣି ମାଧବ। ସାହାଯ୍ୟ ନିମନ୍ତେ କେତେ ଦ୍ୱାର ବୁଲିଲେ ହେଲେ ପ୍ରଶାସନ କିମ୍ବା ସରକାର କେହି ଶୁଣିଲେନି ମାଧବଙ୍କ ଆକୁଳ ନିବେଦନ। ଯନ୍ତ୍ରଣାରେ ଛଟପଟ ହେଉଛନ୍ତି କୋରାପୁଟ ଜିଲା କୋଟପାଡ ବ୍ଲକ ଝୋଲାଗୁଡା ଗ୍ରାମର ମାଧବ ମୁଦୁଲି। ଦେଢବର୍ଷ ପୂର୍ବର୍ରୁ ଏକ ସଡକ ଦୁର୍ଘଟଣାରେ ଗୋଟିଏ ଗୋଡ ଭାଙ୍ଗି ଯାଇଥିଲା ହେଲେ ମାଧବ ଠିକ ଭାବେ ଚିକିତ୍ସା ନପାଇ ଏବେ ଶଯ୍ୟାଶାୟୀ ହୋଇଛନ୍ତି। ଆଜିକୁ ଦେଢବଷ ପୂର୍ବେ ମାଧବ ଦିନ ମଜୁରିଆ ଭାବେ ଏକ ଟ୍ରକରେ କାମ କରିବାକୁ ଯାଇଥିବାବେଳେ ଟ୍ରକଟି ଦୁର୍ଘଟଣାଗସ୍ତ ହୋଇଥିଲା ଓ ମାଧବଙ୍କର ଗୋଟିଏ ଗୋଡ ବାଙ୍ଗି ଯାଇଥିଲା। ଚିକିତ୍ସା ନିମନ୍ତେ ପାଖରେ ପଇସା ନଥିବାରୁ ପରିବାର ଲୋକେ ପ୍ରଥମେ ମାଧବକୁ କୋଟପାଡ ନିକଟ ଏକ ଗାଁକୁ ନେଇ ଗାଁ ବୈଦ୍ୟ ଦ୍ୱାରା ଚିକିତ୍ସା କରାଇଥିଲେ। କିନ୍ତୁ ମାଧବର ଗୋଡ ଭଲ ନହେବାରୁ କୋରାପୁଟ ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ଜିଲା ମୁଖ୍ୟ ହସ୍ପିଟାଲରେ ଅସ୍ଥିଶଲ୍ୟ ବିଶେଷଜ୍ଞ ମାଧବଙ୍କ ଗୋଡ ଅପରେସନ କରି ଷ୍ଟିଲପ୍ଲେଟ ଦେଇଥିଲେ। ମାଧବଙ୍କ ପରିବାର ଲୋକ, ବନ୍ଧୁବାନ୍ଧବ ଓ ସମ୍ପୃକ୍ତ ଟ୍ରକମାଲିକ ଦେଇଥିବା ପ୍ରାୟ ୮୦ ହଜାର ଟଙ୍କା ଅପରେସନ ଷ୍ଟିଲପ୍ଲେଟ ପକାଇବାରେ ଖର୍ଚ ହୋଇଗଲା। ହେଲେ ମାଧବ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବାବେଳେ ଅଧିକ ଚିକିତ୍ସା ପାଇଁ ପାଖରେ ପଇସା ମଧ୍ୟ ଅଭାବ ଦେଖାଦେଲା। ତେଣୁ ମାଧବ ଆଉ ଚିକିତ୍ସା କରାଇ ପାରିନଥିଲେ। ବର୍ଷେ ଦେଢବର୍ଷ ମଧ୍ୟରେ ଗୋଡରେ ଦିଆ ଯାଇଥିବା ଷ୍ଟିଲ୍ ପ୍ଲେଟ୍ ବାହାର କରିବା କଥା କିନ୍ତୁ ପୁନର୍ବାର ଅପରେସନ ପାଇଁ ମାଧବଙ୍କ ନିକଟରେ ପଇସା ନଥିବାରୁ ତାହା କରା ଯାଇ ପାରୁନି, ଫଳରେ ମାଧବଙ୍କ ଗୋଡ କାଠଗଣ୍ଡି ଭଳି ପୁଲି ଯାଉଛି। ମାଧବ ଘରର ଏକମାତ୍ର ରୋଜଗାରିଆ ଲୋକ, ସେ ବିଛଣାରେ ପଡି ରହିଥିବାବେଳେ କିଏ ଆମକୁ ଆର୍ଥିକ ସାହାଯ୍ୟ କରିବ ବୋଲି ମାଧବଙ୍କ ସ୍ତ୍ରୀ କହିଥିବାବେଳେ ଚିକିତ୍ସା ନିମନ୍ତେ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।