Odiapua.com

ଅରୁଣ ସାହୁଙ୍କ ପୁସ୍ତକ’ମଣିଷ ବ୍ୟତିରେକ’ ପାଠକାର୍ପଣ

ନୟାଗଡ଼, ୧୬-୬(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବିଧାୟକ ତଥା କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ସମ୍ପାଦିତ ପୁସ୍ତକ’ମଣିଷ ବ୍ୟତିରେକ’ଡିଜିଟାଲ ପ୍ଲାଟଫର୍ମରେ ପାଠକାର୍ପଣ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲାବେଳେ ବିଶିଷ୍ଟ ଲେଖିକା ଜ୍ଞାନପୀଠ ପୁରଷ୍କାର ବିଜେତା ପଦ୍ମଶ୍ରୀ ଡ.ପ୍ରତିଭା ରାୟ ଏହାକୁ ଉଦ୍‌ଘାଟନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୁସ୍ତକର ପ୍ରକାଶକ ଶୁଭେନ୍ଦୁ ଶେଖର ରଥ , କଥାକାର ଡ.ଅରବିନ୍ଦ ରାୟ, ବିଶିଷ୍ଟ କଥାକାର ଡ.ଅଜୟ ସ୍ୱାଇଁ ପ୍ରମୁଖ ଯୋଗେଦେଇଥିଲେ। ଜଟିଳ ଓ କାର୍ଯ୍ୟ ବ୍ୟସ୍ତତା ରାଜନୀତି ଭିତରେ ଥାଇ ମଧ୍ୟ ଡ.ସାହୁଙ୍କ ଏପରି ପ୍ରୟାସକୁ ଡ.ରାୟ ପ୍ରଶଂସା କରିବା ସହିତ ଏହି ପୁସ୍ତକରେ ସ୍ଥାନିତ ୨୯ଟି ଭିନ୍ନ ଭିନ୍ନ ଗଳ୍ପ ପଶୁ ପକ୍ଷୀଙ୍କ ଭାବାବେଗକୁ ନେଇ ପ୍ରକୃତିର ଯେପରି ସୁନ୍ଦର ଭାବେ ଉପସ୍ଥାପିତ ହୋଇଛି ତାହା ଜଣେ ସାହିତ୍ୟ ମନସ୍କ ବ୍ୟକ୍ତିର ଉଚ୍ଚକୋଟିର ମାନସିକତା ବୋଲି କହିଥିଲେ। ଏଥିରେ ଅନ୍ୟ ଅତିଥିମାନେ ‘ମଣିଷ ବ୍ୟତିରେକ’ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ବିରଳ ଗଳ୍ପ ସଂକଳନ ବୋଲି କହିବା ସହିତ ମଣିଷ ବ୍ୟତିରେକ ପଶୁ ପକ୍ଷୀବି କଥା କହିପାରନ୍ତି ଏବଂ ସେମାନଙ୍କ ଡିଏନ୍‌ଏରେ ବିଶ୍ୱାସଘାତକତା ନଥିବା ଲେଖକ ଡ.ସାହୁଙ୍କ ଗଳ୍ପ ସଂକଳନରେ ସ୍ଥାନିତ ସ୍ପଷ୍ଟୋକ୍ତି ବେଶ୍ ମାର୍ମିକ ଓ ନିଆରୀ ପରିକଳ୍ପନା ବୋଲି କହିଥିଲେ। ପକ୍ଷୀଘର ପ୍ରକାଶନର ମୁଖ୍ୟ ବନୋଜ ତ୍ରିପାଠୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।