Odiapua.com

ଜିଲାପାଳଙ୍କ ବଦଳି ପରେ ସିଲ୍ ଗୋଦାମ ଖୋଲିଲା

ନୟାଗଡ଼, ୩୦ା୪: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡରେ ବହୁଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟାକୁ ସୁଧାରିବା ଲକ୍ଷ୍ୟରେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଟ୍ରାଫିକ ଛକଠାରୁ ଓଡ଼ଗାଁ ଛକ ପର୍ଯ୍ୟନ୍ତ ଥିବା ଗୋଦାମକୁ ସିଲ୍ କରିବା ସହ ଅନ୍ୟତ୍ର ଗୋଦାମ ଉଠାଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ ଏଥିପାଇଁ ଗତମାସ ଫେବୃଆରୀ ୨୮ରେ ନୋଟିସ ଦେଇଥିଲେ। ହେଲେ ସେଥିପ୍ରତି ଗୋଦାମ ମାଲିକମାନେ କର୍ଣ୍ଣପାତ ନକରିବାରୁ ମାର୍ଚ୍ଚମାସ ୧୨ ତାରିଖରେ ତାଗିଦ୍ କରିଥିଲେ। ତଥାପି ଗୋଦାମ ମାଲିକମାନେ ନଶୁଣିବାରୁ ଗତ ୨ତାରିଖରେ ଜିଲ୍ଲା ପ୍ରଶାସନ ରାତିଅଧିଆ ଚଢାଉ କରି ୨୨ଟି ଗୋଦାମ ସିଲ୍ କରିଥିଲା। ଯେଉଁ ସମସ୍ୟା ବର୍ଷ ବର୍ଷ ଧରି ହୋଇପାରୁ ନଥିଲା ଜିଲ୍ଲାପାଳ ଶ୍ରୀ ଡାକୁଆଙ୍କ ଏପରି ପଦକ୍ଷେପ ନେବା ପରେ ତାହାକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଥିଲା। ଏପରିକି ସେହି ରାସ୍ତା ଗମନା ଗମନରେ ବହୁ ସୁଧାର ଆଣିଥିଲା। ମାତ୍ର ଜିଲ୍ଲାପାଳ ଶ୍ରୀ ଡାକୁଆଙ୍କ ଏଠାରୁ ବଲାଙ୍ଗିର ବଦଳି ହୋଇଯିବା ପରେ ସିଲ୍ ହୋଇଥିବା ଗୋଦାମ ଗୃହ ଏବେ ଖୋଲି ଗଲାଣି। ଫଳରେ ଯେଉଁ ଟ୍ରାଫିକ ସମସ୍ୟାରେ ସୁଧାର ଆସିଥିଲା ତାହା ପୁନର୍ବାର ଦେଖାଗଲାଣି। ସାଧାରଣ ଜନତା ପୁଣି ଟ୍ରାଫିକ ସମସ୍ୟାକୁ ନେଇ ବଡ଼ ହଇରାଣ ହେଉଥିବା ଦେଖାଦେଇଛି। ଜିଲାପାଳଙ୍କ ବଦଳି ପରେ କାହା ଇଙ୍ଗିତରେ ଗୋଦାମ ଗୃହର ସିଲ୍ ଖୋଲିଲା ଓ ଜନଗହଳି ରାସ୍ତାରେ ପୁଣି ଗୋଦାମ ଗୃହ ଚାଲିବା ପାଇଁ କିଏ ଗୋଦାମ ମାଲିକମାନଙ୍କ ପାଖରେ ଆଣ୍ଠେଇଲା ତାକୁ ନେଇ ସାଧାରଣରେ ଏବେ ଆଲୋଚନାର ଖୋରାକ ଯୋଗାଇଛି।