Odiapua.com

ହୀରାଟିଏ ହରପ୍ରିୟା: ଦଳ ଚିହ୍ନିଲାନି ତାଙ୍କୁ, ଆପଣଙ୍କୁ ଚିହ୍ନିବ ତ’ .. ?

ଭୁବନେଶ୍ୱର: ଦଳ ପାଇଁ ହୀରାଟିଏ ହରପ୍ରିୟା। ଆଜି ସେ ମୌନ!! ହେଲେ କାହିଁକି? ବିଜେପିର ୩୬ଟି ସାଙ୍ଗଠନିକ ଜିଲ୍ଲା ମଧ୍ୟରେ ବୋଧହୁଏ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ଥିଲା ସବୁଠାରୁ ଆଗରେ। ଦଳୀୟ ସାଙ୍ଗଠନିକ କାର୍ଯ୍ୟ ହେଉ ଅବା ସେବା କାର୍ଯ୍ୟ କିମ୍ବା ଆନ୍ଦୋଳନ, ସବୁଥିରେ ଆଗୁଆ ଥିଲେ ହରପ୍ରିୟା। ପିପିଲି ଉପ- ନିର୍ବାଚନ ପ୍ରଚାର କାର୍ଯ୍ୟରେ ଥିବା ବେଳେ ସେ ହୋଇଗଲେ କୋଭିଡ୍ ଆକ୍ରାନ୍ତ। ଅବସ୍ଥା ଗୁରୁତ୍ୱର ହୋଇଯାଇଥିଲା। ସେଥିରୁ ସେ ମୁକ୍ତ ହୋଇ ଘରକୁ ଫେରି ତୁରନ୍ତ ଲାଗିଗଲେ କୋଭିଡ୍ ସଂକ୍ରମଣ ବିରୋଧରେ ବିଜେପି ପକ୍ଷରୁ ଆୟୋଜିତ ସେବା କାର୍ଯ୍ୟରେ। ଜିଲ୍ଲାରେ ରେକର୍ଡ ସଂଖ୍ୟକ ୟୁନିଟ୍ ବ୍ଲଡ୍ ଡୋନେସନ୍ କ୍ୟାମ୍ପ କରାଇଛନ୍ତି ହରପ୍ରିୟା। ବିଭିନ୍ନ ସମୟରେ ମେଡିକାଲରେ ଖାଦ୍ୟ ବଣ୍ଟନ, ବୃଦ୍ଧାଶ୍ରମ ଯାଇ ଖାଦ୍ୟ କମଳ ଆଦି ବଣ୍ଟନ, ଆଦିବାସୀ ବସ୍ତିରେ ଯାଇ ଛୋଟ ଛୋଟ ପିଲାଙ୍କ ସହ କୌଣସି ଉତ୍ସବ ପାଳନ ଆଦି ହରପ୍ରିୟାଙ୍କ ରୀତିମତ କାର୍ଯ୍ୟକ୍ରମ ଥିଲା। ରାଜ୍ୟ ଯୋଜନା ହେଉ ଅବା କେନ୍ଦ୍ର ଯୋଜନା, ଦଳ ତରଫରୁ ମହିଳା ମୋର୍ଚ୍ଚା ପାଇଁ ଉଦ୍ଦିଷ୍ଟ ଯେ କୌଣସି କାର୍ଯ୍ୟକ୍ରମ କରିବାରେ ଆଗୁଆ ଥିଲେ ହରପ୍ରିୟା।ସେହପରି ଆନ୍ଦୋଳନାତ୍ମକ କାର୍ଯ୍ୟରେ ତ’ ହରପ୍ରିୟା ଥିଲେ ସବୁଠୁ ଆଗରେ। ଏକଦା ହରପ୍ରିୟାଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚା ନିଜ ଦମରେ ଭଦ୍ରକ ଜିଲ୍ଲାକୁ ଧଳା ଜହର (ଡ୍ରଗ୍ସ) ମୁକ୍ତ କରାଇବା ପାଇଁ ଚଳାଇଥିଲା ଆନ୍ଦୋଳନ। ଭଦ୍ରକରେ ‘ଲଭ୍ ଜିହାଦ’ର ଶୀକାର ହୋଇ ମୃତ୍ୟୁ ବରଣ କରିଥିବା ଜଣେ ଯୁବତୀ ପାଇଁ ନିର୍ଣ୍ଣାୟକ ଆନ୍ଦୋଳନ କରି ଅପରାଧୀ ମାନଙ୍କୁ ଗିରଫ୍ କରାଇବାରେ ସଫଳ ନେତୃତ୍ୱ ନେଇଥିଲେ ହରପ୍ରିୟା। ଏହାସହ ଗୋହତ୍ୟା ଏବଂ ବେଆଇନ୍ ଗୋଚାଲାଣ ବିରୋଧରେ କେବଳ ଯେ ସ୍ୱର ଉଠାଉନଥିଲେ, ନିଜେ ରାସ୍ତାକୁ ଓହ୍ଲାଇ ଯାଉଥିଲେ ହରପ୍ରିୟା। ତେବେ, ଲାଉଡସ୍ପିକରରେ ଅଜାନ୍ ପାଠକୁ ବିରୋଧ କରି ବିବାଦୀୟ ହୋଇ ପଡ଼ିଥିଲେ ହରପ୍ରିୟା। ଏପରିକି ନିଜ ଦଳର ସଂଖ୍ୟାଲଘୁ ସେଲ୍ ପକ୍ଷରୁ ତାଙ୍କୁ ବିରୋଧ କରାଯାଇ ରାଜ୍ୟ ନେତୃତ୍ୱଙ୍କ ନିକଟରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲା ରାଜ୍ୟ ବିଜେପି ସଂଖ୍ୟଲଘୁ ସେଲ୍। ତେବେ, ବିଶେଷତଃ ନେପୋଟିଜିମ୍ (ପରିବାରବାଦ)କୁ ବିରୋଧ କରି ହରପ୍ରିୟା ନିଜ ଦଳ ଭିତରେ ଆକ୍ରୋଶର ଶୀକାର ହୋଇଯାଇଥିଲେ।ସେହିପରି ଗତ ପଞ୍ଚାୟତ ଜିଲ୍ଲା ପରିଷଦ ନିର୍ବାଚନରେ ମହିଳା ମୋର୍ଚ୍ଚାର କାହାକୁ ଟିକେଟ୍ ନମିଳିବା, ଓଲଟି ବ୍ଲକ୍ ଚେୟାରମ୍ୟାନ୍ ହେବା ଚକରରେ ବିଜେପି ସମର୍ଥନରେ ଜିଲ୍ଲା ସଭାପତି ନିଜେ ସମିତି ସଭ୍ୟ ପାଇଁ ପାର୍ଥି ହେବା ସହ ତାଙ୍କ ପତ୍ନୀଙ୍କୁ ପୁଣି ଆଉ ଗୋଟେ ସ୍ଥାନରୁ ପାର୍ଥି କରାଇବାକୁ ବିରୋଧ କରି ହରପ୍ରିୟା ହୋଇଯାଇଥିଲେ ଅଧିକ ବିବାଦୀୟ। ଏମିତିରେ ଅତୀତରେ ଯେବେ ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତିଙ୍କୁ ନିଜ ଦଳୀୟ ପିଲା ମାଡ଼ ମାରିଥିଲେ, ସେତେବେଳେ ଦଳରେ ସମସ୍ତେ ମୌନ ରହିଥିବା ବେଳେ ମୁହଁ ଖୋଲିଥିଲେ ହରପ୍ରିୟା। ତେଣୁ, ଦଳ ଭିତରେ ଚାଲିଥିବା ମନମାନି, ପରିବାରବାଦ ତଥା ବ୍ୟକ୍ତିଗତ ଆକ୍ରୋଶର ଶୀକାର ହେଲେ ହରପ୍ରିୟା। କୌଣସି ସୂଚନା ଦିଆନଯାଇ, ହଠାତ୍ ତାଙ୍କୁ ଜିଲ୍ଲା ସଭାନେତ୍ରୀ ପଦରୁ ହଟାଇ ଆଉ ଜଣଙ୍କୁ ସଭାନେତ୍ରୀ କରି ବସାଇ ଦିଆଗଲା। ସୋସିଆଲ୍ ମିଡିଆରୁ ଏହି ସୂଚନା ପାଇଲେ ହରପ୍ରିୟା। ଯାହା କି ସମ୍ପୂର୍ଣ୍ଣ ବେନିୟମ ଏବଂ ଦଳୀୟ ସମ୍ବିଧାନ ବିରୋଧୀ। ଏତେ ସବୁ ଅନ୍ୟାୟ ସତ୍ତ୍ୱେ ତଥାପି ଦଳ କିମ୍ବା କାହା ବିରୋଧରେ ଆଜି ପର୍ଯ୍ୟନ୍ତ ମୁହଁ ଖୋଲିଲେ ନାହିଁ ନିଜକୁ ଜଣେ ଶୃଙ୍ଖଳିତ ତଥା ଦଳ ପାଇଁ ସମର୍ପିତ କାର୍ଯ୍ୟକର୍ତ୍ତା ବୋଲି ଭାବୁଥିବା ହରପ୍ରିୟା! ଏମିତିରେ ଦେଖିଲେ ଆଜି ହୁଏତ ହରପ୍ରିୟାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଥାଇପାରେ। ଡ୍ରଗ୍ସ ମାଫିଆ, ଗୋରୁ ମାଫିଆ ଏବଂ ସାଂପ୍ରଦାୟିକ ପ୍ରସଙ୍ଗ ଉଠାଇ ହୁଏତ ସେମାନଙ୍କ କାହା ଟାର୍ଗେଟରେ ଥାଇପାରନ୍ତି ହରପ୍ରିୟା। ସେହପରି ଦିନେ ଶାସକ ବିଜେଡିର ବିଜୁ ଯୁବା ବାହିନୀ ସହିତ ଏକାକୀ ଭୟଙ୍କର ଭାବରେ ମୁହାଁମୁହିଁ ହୋଇଯାଇଥିଲେ ହରପ୍ରିୟା। ଦଳ କିନ୍ତୁ ତାଙ୍କୁ ଚିହ୍ନିଲାନି। ଆଉ, ଆପଣଙ୍କୁ ଚିହିଁବ ତ’??

-/DevDr