Odiapua.com

ରାଜନୈତିକ ମଇଦାନରେ “ଓଡ଼ିଶାର ଯୋଗୀ ” : ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଛି

ଗଞ୍ଜାମ ୧୯-୨ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଜଣେ ମଠ ମହନ୍ତଙ୍କ ଆଧ୍ୟାତ୍ମିକ, ସାମାଜିକ ଓ ସେବା ମୂଳକ କାର୍ଯ୍ୟକ୍ରମ ଲୋକଙ୍କୁ ବେଶ ଆକୃଷ୍ଠ କରିଛି। ଗୋ ମାତାର ସେବା ଠାରୁ ଆରମ୍ଭ କରି ଘର ସମ୍ମୁଖରେ ତୁଳସୀ ଗଛ ଲଗାଇବା, ଗ୍ରାମରେ ଭାଗବତ ଚର୍ଚ୍ଚା କରିବା, ଯୁବ ଗୋଷ୍ଠୀକୁ ସଦମାର୍ଗରେ ଅଗ୍ରସର ହେବାକୁ ପରାମର୍ଶ ଦେବା ସହ ସଂକୀର୍ତ୍ତନ ପରମ୍ପରାକୁ ଜାରୀ ରଖିବା ପ୍ରଭୃତି କ୍ଷେତ୍ରରେ ମହନ୍ତଙ୍କ ଅବଦାନ ଲୋକଙ୍କୁ ବିମୋହିତ କରିଛି।

ବ୍ରହ୍ମପୁର ଉପକଣ୍ଠ ଭାବିନିପୁର ମଠର ମହନ୍ତ ଶ୍ରୀ ଚିନ୍ମୟା ନନ୍ଦ ମହାରାଜ ନିଜ କର୍ମଭୂମି ଭାବେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ନିଜ ସେବା, ସମ୍ପର୍କକୁ ନିରବଛିନ୍ନ ଭାବେ ଜାରୀ ରଖିଛନ୍ତି।

ଦେଶର ପ୍ରମୁଖ ମହନ୍ତ, ଯୋଗୀ, ସନ୍ୟାସୀ ଏବଂ ଆଧ୍ୟାତ୍ମିକ ପୁରୁଷ ମାନଙ୍କ ଯୋଗାଯୋଗରେ ରହିଥିବା ମହନ୍ତ ଚିନ୍ମୟନନ୍ଦ ମହାରାଜ ଲୋକଙ୍କ ଠାରେ ସେବା ଓ ସୁଶାସନର ସୁଫଳ ପହଞ୍ଚାଇବା ପାଇଁ କ୍ଷମତା ଓ କୌଣସି ପଦ ପଦବୀ ହାତେଇବା ଜରୁରୀ ବୋଲି ଅନୁଭବ କରିଥିବା ପ୍ରକାଶ କରିଛନ୍ତି। ଦିଗପହଣ୍ଡି ଭଳି ନିର୍ବାଚନ ମଣ୍ଡଳୀରେ ଜନ ପ୍ରତିନିଧି ଭାବେ ଆଗେଇ ଆସିବାକୁ ତାଙ୍କ ଭକ୍ତ, ଶ୍ରଦ୍ଧାଳୁ ଏବଂ ନିର୍ବାଚନ ମଣ୍ଡଳୀର ଅନେକ ଜନସାଧରଣ ମହନ୍ତଙ୍କୁ ଅନୁରୋଧ କରି ପ୍ରବଳ ଚାପ ପକାଇଛନ୍ତି। ସେବା, ସଂସ୍କାର ଓ ଶୁଦ୍ଧତା ପାଇଁ ଅଭିଯାନ କରୁଥିବା ମହନ୍ତ ଏବେ ବି ଜେ ପି କୁ ସେହି ଧାରରେ ପ୍ରକୃଷ୍ଠ ରାଜନୈତିକ ଦଳ ଭାବେ ବାଛିନେଇଛନ୍ତି।

“ଓଡ଼ିଶାର ଯୋଗୀ” ଭାବେ ଲୋକଙ୍କ ଠାରେ ଜଣା ଶୁଣା ମହନ୍ତ ଶ୍ରୀ ଚିନ୍ମୟନନ୍ଦ ନିର୍ବାଚନ ପ୍ରତିଦ୍ୱନ୍ଦିତା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି।

ଉତ୍ତର ପ୍ରଦେଶରେ ଜଣେ ସାଧୁ ତଥା ଯୋଗୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଦିଗପହଣ୍ଡିରେ ଜଣେ ମହନ୍ତ ଯଦି ବି ଜେ ପି ଓ ଲୋକଙ୍କ ସମର୍ଥନରେ ବିଧାୟକ ପ୍ରାର୍ଥୀ ହେବାରେ ଅସୁବିଧା କାହିଁକି ବୋଲି ପ୍ରଶ୍ନ କରିଛନ୍ତି।

ରାଜନୈତିକ ମଇଦାନରେ ବିଶେଷ କରି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଜଣେ ମହନ୍ତଙ୍କ ଆବିର୍ଭାବ ଘଟଣା ବି ଜେ ଡି ମହଲରେ ହଇଚଇ ଖେଳାଇଦେଇଛି। କିଏ ଦଳୀୟ ଟିକଟ ପାଇବ ତାହା ନେଇ ଆଲୋଚନା ବେଳେ ସାଧୁ, ଅସାଧୁ, ପ୍ରତାରକ ଓ ଦୁର୍ନୀତି ଗ୍ରସ୍ତ କିଏ ତାହା ନେଇ ସମଗ୍ର ନିର୍ବାଚନ ମଣ୍ଡଳୀର ତର୍ଜମା ଚାଲିଛି। ବର୍ତ୍ତମାନ ର ବିଧାୟକ ଓ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପତିଆରା ଉପରେ ଏପରି ଚର୍ଚ୍ଚା ଓ ତର୍ଜମା କେତେ ପ୍ରଭାବ ପକାଇବ ତାହା ଆଗାମୀ ଦିନରେ ଅଧିକ ସ୍ପଷ୍ଟ ହେବା ଜଣାଯାଏ। ମହନ୍ତ ଶ୍ରୀ ଚିନ୍ମୟନନ୍ଦ ସମ୍ପ୍ରତି ବି ଜେ ପି ନେତା, ମନ୍ତ୍ରୀ, ସଂଗଠକ ମାନଙ୍କ ସହ ଦଳୀୟ କାର୍ଯ୍ୟକ୍ରମରେ ଆଗ ଧାଡିରେ ରହି ବେଶ ଲୋକପ୍ରିୟ ହୋଇଛନ୍ତି।