Odiapua.com

ସଡ଼କ ଦୁର୍ଘଟଣାରେ ବିଗ୍ ବସ୍ ଅଭିନେତ୍ରୀ ୟାଶିକା ଗୁରୁତର, ସାଥୀଙ୍କର ଘଟଣାସ୍ଥଳରେ ମୃତ୍ୟୁ

ନୂଆ ଦିଲ୍ଲୀ ୨୫-୭ (ଓଡ଼ିଆ ପୁଅ) ତାମିଲ ବିଗ୍ ବସ୍ ମାଧ୍ୟମରେ ଲାଇମଲାଇଟକୁ ଆସିଥିବା ଅଭିନେତ୍ରୀ ୟାଶିକା ଆନନ୍ଦ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ୟାଶିକା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସାଥୀ ଭାଲିଚେଟ୍ଟି ଭବାନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଏକ ଓଭରସ୍ପିଡ୍ ଏସୟୁଭି ECR ରାସ୍ତାରେ ଯାଉଥିଲା। କାରଟି ରୋଡ୍‌ ଜିଭାଇଡ୍କୁ ଧକ୍କା ଦେଇଥିଲା ଏବଂ ପରେ ରାସ୍ତା ପାର୍ଶ୍ୱରେ ଥିବା ଏକ ଖାଲରେ ଖସିପଡିଥିଲା। ଘଟଣା ପରେ ସେଠାରେ ଉପସ୍ଥିତ ଥିବା ଲୋକମାନେ କାରରେ ଥିବା ଲୋକଙ୍କୁ ଉଦ୍ଧାର କରିଥିଲେ।

ୟାଶିକାଙ୍କ ସହ କାରରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିଲା। ତିନିଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୟାଶିକାଙ୍କ ବନ୍ଧୁ ଭାଲିଚେଟ୍ଟି ଭବାନୀ କାର ଭିତରେ ଗୁରୁତ୍ତରଭାବେ ଫସି ରହିଥିଲେ। ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରାଯାଇଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।

ପୋଲିସ ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଚେଙ୍ଗାଲପେଟ ଡାକ୍ତରଖାନାକୁ ପଠାଇଛି। ଡାକ୍ତରୀ ପରୀକ୍ଷା ରିପୋର୍ଟ ପରେ ହିଁ ମାମଲା ରୁଜୁ ହେବ ବୋଲି ପୋଲିସ କହିଛି। ଏହି ପ୍ରସଙ୍ଗରେ ଅଧିକ ଅନୁସନ୍ଧାନ ଚାଲିଛି।