Odiapua.com

ବିଶ୍ୱନେତା ସ୍ୱୟଂ ପ୍ରଭୁ ଜଗନ୍ନାଥ

ଆଧ୍ୟାତ୍ମିକ ଜଗତରେ କେଉଁ ଉପାୟଟି ହାସଲ କରିବା ସରଳ ଓ ସହଜ, ତାହା ଜାଣିଛନ୍ତି। ପ୍ରଭୁଙ୍କ ନାମ ମାଧ୍ୟମରେ ତାଙ୍କୁ ମନନ ସ୍ମରଣ କରିବା ହେଉଛି ସବୁଠୁ ସୁବିଧାଜନକ ଭକ୍ତି ଶୈଳୀ। ନାମ ଉଚ୍ଚାରଣ କରିବା ସହ ଶ୍ରବଣ ଓ କୀର୍ତନରେ ମଧ୍ୟ ଶୁଭ ଫଳ ମିଳେ। ପୁଣ୍ୟ ମିଳିବା ପାଇଁ ଏହାଠାରୁ ଆଉ କୌଣସି ସହଜ ମାର୍ଗ ନାହିଁ। ସେଥିପାଇଁ କୁହାଯାଇଛି, “ ଜଗନ୍ନାଥ ନାମ ଜଗତେ ସୁଲଭ, ଶ୍ରବଣ କୀର୍ତନ ଫଳ ସର୍ବଶୁଭ।” ମହାପ୍ରଭୁ ଜଗନ୍ନାଥଙ୍କ ନାମ ପାଇଁ ଆପଣଙ୍କୁ ପଇସା ଦେବାକୁ ପଡିବ ନାହିଁ। କିମ୍ବା ଏଥିପାଇଁ କୌଣସି ଖର୍ଚ୍ଚ ପଡେନାହିଁ। ତେବେ କୁଣ୍ଠା କାହିଁକି। ଯେଉଁ ନାମ ତୁଣ୍ଡରେ ଧରିଲେ ଆନନ୍ଦ ମିଳିଥାଏ, ଶକ୍ତି ମିଳିଥାଏ, ଭକ୍ତି ଜାଗ୍ରତ ହୋଇଥାଏ, ସେହି ନାମାମୃତ ପ୍ରତି କୋଟି କୋଟି ଭକ୍ତ ଆକର୍ଷିତ ହେଉଛନ୍ତି। ଆପଣ ସେଥିରେ ସାମିଲ ଅଛନ୍ତି ତ। ଜୀବନରେ ସବୁ କ୍ଷଣରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପସ୍ଥିତିକୁ ଆମେ ତାଙ୍କ ନାମ ନେଇ ଅନୁଭବ କରିପାରିବା। କାରଣ ଆମେ ଯାହା ଦେଖୁଛେ ବା ଯାହା ନ ଦେଖୁଛେ, ସେ ସବୁ ଚିରନ୍ତନ ସତ୍ୟ ନୁହେଁ। କିନ୍ତୁ ମହାପ୍ରଭୁ ମୋର ଚିରନ୍ତନ ସତ୍ୟ। ତାଙ୍କୁ ସାଥୀ କଲେ, ପରଲୋକରେ କେହି ନଥିବା ବେଳେ ସେ ଥିବେ। ତେଣୁ ଆମେ ଏବେ ଠାରୁ ଏହି ପ୍ରସ୍ତୁତି କରୁଛେ କି। ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଧର୍ମଜ୍ଞାନୀ। ଜ୍ଞାନର ପୁରୁଷ ମହାପ୍ରଭୁଙ୍କ ସହିତ ଆଉ କେଉଁ ଜ୍ଞାନୀ ଅବା ତୁଳନୀୟ। କାରଣ ନିଜକୁ ଜ୍ଞାନୀ ବୋଲାଉଥିବା ଲୋକ ତ ତାଙ୍କରି ହିଁ ସୃଷ୍ଟି। ସାରା ଜଗତରେ ଜୀବନ ସଂଚାରିଛନ୍ତି ମହାପ୍ରଭୁ। ଯୋଗ ଓ ତଳ ବଳରେ ସେ ସମସ୍ତ ପ୍ରାଣୀମାନଙ୍କ ହିତ କରି ଚାଲିଛନ୍ତି। ସେଥିପାଇଁ ସେ ହେଉଛନ୍ତି ଚରାଚର ବିଶ୍ୱବ୍ରହ୍ମାଣ୍ଡର ନେତା। ନେତା ସିଏ, ଯିଏ ପରର ହିତ ସାଧନ କରେ। ସେଥିପାଇଁ ‘ଗୀତ ଶ୍ରୀଜଗନ୍ନାଥ’ ପୁସ୍ତକରେ କୁହାଯାଇଛି, “ବିଶ୍ୱ ନେତା ସ୍ୱୟଂ ପ୍ରଭୁ ଜଗନ୍ନାଥ, ଜଗତ ଜୀବନ ଯୋଗ ଜନହିତ।” ସେ ହିଁ ଆମର ମାର୍ଗ ଦର୍ଶକ। ସେ ହିଁ ଆମର ପ୍ରତିନିଧି। ତାଙ୍କର ପଥ ଅନୁସରଣ କଲେ ହିଁ ଆମ ଜୀବନର ଲକ୍ଷ୍ୟ ଆମେ ପାଇ ପାରିବା। ଆପଣ ତାଙ୍କୁ ନିଜର ନେତା ଭାବେ ମାନନ୍ତୁ କିମ୍ବା ଗୁରୁ। ଦେଖିବେ ଆପଣଙ୍କ ଜୀବନରେ କିଭଳି ତାଙ୍କ କୃପା ବର୍ଷା ହେଉଛି। କୋଟି କୋଟି ସାଧୁସନ୍ଥ ମହାପ୍ରଭୁଙ୍କ ନାମ ଓ ରୂପକୁ ଧ୍ୟାନ କରୁଛନ୍ତି। ସେ ହିଁ ସତ୍ୟ, ସେ ହିଁ ନିତ୍ୟ ଓ ସେ ହିଁ ବ୍ରହ୍ମ ଓ ସେ ହି ସନାତନ। ସୂର୍ଯ୍ୟ ଓ ଚନ୍ଦ୍ର ଯାହାର ନୟନ ରୂପେ ଶୋଭାପାଉଛନ୍ତି। ଗ୍ରହନକ୍ଷତ୍ରମାନେ ପ୍ରଭୁଙ୍କ ଆଜ୍ଞାରେ ହିଁ ଘୁରି ବୁଲୁଛନ୍ତି। ମୋତେ ତ ମହାପ୍ରଭୁ ସବୁ ରୂପରେ ଦେଖାଯାଉଛନ୍ତି। ସେ ହିଁ ରାମ, ସେ ହି କୃଷ୍ଣ। ସେ ଶଂଖଚକ୍ର ଧାରୀ। ସେ ହିଁ ନାରାୟଣ ଓ ସେ ହି ଭଗବତ। ଇଶ୍ୱରଙ୍କୁ ଚାରିଆଡେ ଦେଖୁଛି ମୁଁ। ତାଙ୍କର ଭଜନ ଓ କୀର୍ତନରେ ମଜ୍ଜି ରହୁଛି। ଏପଟସେପଟ ହେଉଥିବା ମନକୁ ମହାପ୍ରଭୁଙ୍କ ଠାରେ ଲଗାଉଛି। ଫଳରେ ମନର ଭକ୍ତିଭାବ ଜାଗ୍ରତ ହେଉଛି ଏବଂ ଏହି ମହାନ୍ ବିଶ୍ୱନେତାଙ୍କୁ ଚିହ୍ନିପାରିଛି। ତାଙ୍କ ଶରଣରେ ନିଜକୁ ଅର୍ପଣ କରିଛି। ଆପଣ ବି ଶ୍ରୀଜଗନ୍ନାଥଙ୍କ ନାମ ଦୀକ୍ଷା ନେଇ ଜୀବନକୁ ମହାପ୍ରଭୁଙ୍କ ସହ ସଂଯୁକ୍ତ କରନ୍ତୁ।

– ଶ୍ରୀ ଅଖଣ୍ଡ

ଦୀକ୍ଷା ମିଶନ, ପିପିଲି, ପୁରୀ