Odiapua.com

୨୧ ନଭେମ୍ବର: ବିଶ୍ୱ ମତ୍ସ୍ୟ ପାଳନ ଦିବସ; ଭୁବନେଶ୍ୱରରେ ଆୟୋଜିତ ହେବ ସମାରୋହ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ସରକାରଙ୍କ ମତ୍ସ୍ୟପାଳନ, ପଶୁପାଳନ ଏବଂ ଡାଏରୀ ମନ୍ତ୍ରଣାଳୟ ଅଧୀନ ମତ୍ସ୍ୟପାଳନ ବିଭାଗ ଏବଂ ଜାତୀୟ ମତ୍ସ୍ୟ ପାଳନ ବିକାଶ ବୋର୍ଡ ପକ୍ଷରୁ ୨୧ ନଭେମ୍ବର ୨୦୨୧ରେ ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ରେଳ ଅଡିଟୋରିୟମରେ ‘ବିଶ୍ୱ ମତ୍ସ୍ୟପାଳନ ଦିବସ’ ସମାରୋହ ପାଳନ କରାଯିବ। ମାନ୍ୟବର କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ଏବଂ ଡାଏରୀ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା, କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ଏବଂ ଡାଏରୀ ରାଷ୍ଟ୍ର ମନ୍ତ୍ରୀ ଡ. ଏଲ ମୁରୁଗାନ, ମତ୍ସ୍ୟପାଳନ ସଚିବ ଜତିନ୍ଦ୍ର ନାଥ ସ୍ୱାଇଁ, ଏନଏଫଡିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ଡକ୍ଟର ସି ସୁବର୍ଣ୍ଣା, ଭାରତ ସରକାରଙ୍କ ମତ୍ସ୍ୟପାଳନ ବିଭାଗ ଯୁଗ୍ମ ସଚିବ ସାଗର ମେହେରା, ଓଡ଼ିଶା ସରକାରଙ୍କ ମତ୍ସ୍ୟପାଳନ ବିଭାଗ କମିଶନର ତଥା ସଚିବ ଆର. ରଘୁ ପ୍ରସାଦ ପ୍ରମୁଖ ଏହି ସମାରୋହରେ ଯୋଗ ଦେବେ। ଓଡ଼ିଶା ସରକାରଙ୍କ ସମେତ ଅନ୍ୟ ରାଜ୍ୟର ମତ୍ସ୍ୟପାଳନ ବିଭାଗର ବରିଷ୍ଠ ଅଧିକାରୀ, ଅନ୍ୟ ସମ୍ପୃକ୍ତ ବିଭାଗ/ମନ୍ତ୍ରଣାଳୟର ଅଧିକାରୀ, ଦେଶର ବିଭିନ୍ନ ସ୍ଥାନରୁ ମତ୍ସ୍ୟ ଚାଷୀ, ମତ୍ସ୍ୟଜୀବୀ, ଉଦ୍ୟୋଗୀ, ଅଂଶୀଦାର, ପେସାଦାର, ଅଧିକାରୀ ଏବଂ ବୈଜ୍ଞାନିକମାନେ ଏହି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ ବୋଲି ଜଣାପଡ଼ିଛି।
ଏହି କାର୍ଯ୍ୟକ୍ରମ ଅବସରରେ ଦ୍ୱିତୀୟ ଥର ପାଇଁ ମତ୍ସ୍ୟପାଳନ କ୍ଷେତ୍ରରେ ଭାରତ ସରକାର ୨୦୨୦- ୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟମାନଙ୍କୁ ପୁରସ୍କୃତ କରିବେ। ଅନ୍ତର୍ଦେଶୀୟ, ସାମୁଦ୍ରିକ, ପାର୍ବତ୍ୟ ଏବଂ ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ର ବର୍ଗରେ ରାଜ୍ୟ, ଜିଲ୍ଲା ଓ ଅର୍ଦ୍ଧସରକାରୀ ସଙ୍ଗଠନ ମାନଙ୍କୁ ପୁରସ୍କୃତ କରାଯିବ। ସେହିପରି ଏହିସବୁ ବର୍ଗରେ ମତ୍ସ୍ୟ ଚାଷୀ, ଶ୍ରେଷ୍ଠ ହାଚେରୀ, ଶ୍ରେଷ୍ଠ ମତ୍ସ୍ୟପାଳନ ଉଦ୍ୟୋଗୀ, ଶ୍ରେଷ୍ଠ ମତ୍ସ୍ୟପାଳନ ସମବାୟ ସମିତି/ଏଫପିଓ, ଏଚଏଚଜି, ଶ୍ରେଷ୍ଠ ବ୍ୟକ୍ତିଗତ ଉଦ୍ୟୋଗୀ, ଶ୍ରେଷ୍ଠ ଅଭିନବ ଉପାୟ/ପ୍ରଯୁକ୍ତି/ଇନଫ୍ୟୁଜନ ଆଦିକୁ ମଧ୍ୟ ପୁରସ୍କୃତ କରାଯିବ। ଏହି କାର୍ଯ୍ୟକ୍ରମ ଅବସରରେ ଅପରାହ୍ଣରେ ଏକ ବୈଷୟିକ ଅଧିବେଶନ ମଧ୍ୟ ଆୟୋଜନ କରାଯିବ ଯେଉଁଥିରେ ଆଇସିଏଆର- ସିଫାର ବୈଜ୍ଞାନିକ ମାନେ ମଧ୍ୟ ଅଂଶଗ୍ରହଣ କରିବେ। ଏ ସମସ୍ତ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାରପ୍ରସାର ଲାଗି ଲାଇଭ୍ ଟେଲିକାଷ୍ଟ କରାଯିବ। ଭାରତ ସରକାର ନୀଳ ବିପ୍ଳବ ଜରିଆରେ ଆର୍ଥିକ କ୍ରାନ୍ତି ଆଣିବା ଲାଗି ମତ୍ସ୍ୟପାଳନ କ୍ଷେତ୍ରର ରୂପାନ୍ତରଣ ପାଇଁ ସରକାର ସକ୍ରିୟ ଭାବେ ପ୍ରୟାସ କରୁଛନ୍ତି। ଏହି କ୍ଷେତ୍ରରେ ଉତ୍ପାଦନ ଏବଂ ଉତ୍ପାଦକତା ବୃଦ୍ଧି, ଗୁଣବତ୍ତାରେ ସୁଧାର ଏବଂ ବର୍ଜ୍ୟ ହ୍ରାସ ଆଦି ଜରିଆରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଏ କ୍ଷେତ୍ରରେ ରହିଥିବା ସମ୍ଭାବନାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୦୨୦ରେ “ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସୱାଇ) ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ପାଞ୍ଚ ବର୍ଷର ଅବଧି ମଧ୍ୟରେ ୨୦,୦୫୦ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ପିଏମଏମଏସୱାଇ ମାଧ୍ୟମରେ ମତ୍ସ୍ୟ ଉତ୍ପାଦନକୁ ବର୍ତ୍ତମାନର ୧୫.୦ ଏମଏମଟିରୁ ୨୦୨୪- ୨୫ ସୁଦ୍ଧା ୨୨ ଏମଏମଟି ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖାଯାଇଛି ଯାହାକି ଏହି କ୍ଷେତ୍ରରେ ଅତିରିକ୍ତ ୫୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ।
ସାରା ବିଶ୍ୱରେ ଥିବା ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ ଏବଂ ସମ୍ପୃକ୍ତ ଅଂଶୀଦାର ମାନଙ୍କ ପ୍ରତି ସମର୍ଥନ ଯୋଗାଇ ଦେବା ଲାଗି ପ୍ରତିବର୍ଷ ନଭେମ୍ବର ୨୧ ତାରିଖରେ ବିଶ୍ୱ ମତ୍ସ୍ୟପାଳନ ଦିବସ ପାଳନ କରାଯାଇଥାଏ। ପ୍ରଥମ ଥର ପାଇଁ ୧୯୯୭ ମସିହାରେ ଏହା ଆରମ୍ଭ କରାଯାଇଥିଲା। ଏହି ସମୟରେ ନୂଆଦିଲ୍ଲୀ ଠାରେ “ମତ୍ସ୍ୟଚାଷୀ ଏବଂ ମତ୍ସ୍ୟଜୀବୀ ମାନଙ୍କର ବିଶ୍ୱ ମଞ୍ଚ”ର ବୈଠକ ଆୟୋଜନ କରାଯାଇଥିଲା। ଏଠାରେ ୧୮ଟି ଦେଶର ପ୍ରତିନିଧିମାନଙ୍କୁ ନେଇ “ବିଶ୍ୱ ମତ୍ସ୍ୟ ପାଳନ ମଞ୍ଚ” ଗଠନ କରାଯାଇଥିଲା। ସେମାନେ ଦୀର୍ଘସ୍ଥାୟୀ ମତ୍ସ୍ୟଚାଷ କାର୍ଯ୍ୟ ଏବଂ ନୀତି ସପକ୍ଷରେ ଏକ ଘୋଷଣାନାମାରେ ସ୍ୱାକ୍ଷର କରିଥିଲେ। ଅତିଶୟ ମାଛଧରା, ବାସସ୍ଥଳୀ ଧ୍ୱଂସ ଏବଂ ଆମ ସାମୁଦ୍ରିକ ଓ ମଧୁର ଜଳ ଉତ୍ସର ଦୀର୍ଘସ୍ଥାୟିତ୍ୱ ପ୍ରତି ଅନ୍ୟ ଗମ୍ଭୀର ବିପଦ ପ୍ରତି ଧ୍ୟାନ ଆକର୍ଷଣ କରିବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଦୀର୍ଘସ୍ଥାୟୀ ଭଣ୍ଡାର ଓ ସୁସ୍ଥ ପରିବେଶ ସୁନିଶ୍ଚିତ କରିବା ଲାଗି ବିଶ୍ୱ ମତ୍ସ୍ୟପାଳନ କ୍ଷେତ୍ରର ପରିଚାଳନାରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱାରୋପ କରିବା ଏହି ଦିବସ ପାଳନର ଲକ୍ଷ୍ୟ।
-/Dr