ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି ଏବଂ ଭାରତ ସରକାର ୨୦୨୪- ୨୫ ସୁଦ୍ଧା ଏହି କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାର ରପ୍ତାନି ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା। ଆଜି ଭୁବନେଶ୍ବର ଠାରେ ଆୟୋଜିତ ବିଶ୍ବ ମତ୍ସ୍ୟ ଦିବସ ଉପଲକ୍ଷେ ଶ୍ରୀ ରୂପାଲା ଏହା କହିଛନ୍ତି। କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରୂପାଲା କହିଥିଲେ ଯେ ସାମୁଦ୍ରିକ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ରାଜ୍ୟ ଗୁଡ଼ିକ ନୂତନ ବିକଳ୍ପ ସନ୍ଧାନ କରିବା ଏବଂ ପରସ୍ପରର କାର୍ଯ୍ୟରେ ଅନୁପ୍ରାଣିତ ହେବାର ଆବଶ୍ୟକତା ରହିଛି। କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ, ବର୍ତ୍ତମାନ ପରିବେଶ ଅନୁକୂଳ ମାଛ ଧରା ଉପରେ ଗୁରୁତ୍ବାରୋପ କରାଯିବାର ଆବଶ୍ୟକତା ରହିଛି। ଆବଶ୍ୟକତା ପୂରଣ କରିବା ସହିତ ଏହି କ୍ଷେତ୍ରର ଦୀର୍ଘସ୍ଥାୟିତ୍ବକୁ ବଜାୟ ରଖିବା ମଧ୍ୟ ଜରୁରି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ୨୦୨୪- ୨୫ ସୁଦ୍ଧା ଏହି କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାର ରପ୍ତାନି ଲକ୍ଷ୍ୟ ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି। କିସାନ କ୍ରେଡିଟ୍ କାର୍ଡ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ଲାଗି ଶ୍ରୀ ରୂପାଲା ଆହ୍ବାନ କରିଥିଲେ। ସେ କହିଥିଲେ ଯେ ସାମୁଦ୍ରିକ ମାଛ ଧରା କ୍ଷେତ୍ରକୁ ଯଥାସମ୍ଭବ ସହାୟତା ଯୋଗାଇ ଦେବା ଲାଗି ଆମର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି। ସରକାର କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ଲାଗି ଖୁବଶୀଘ୍ର ଏକ ବଡ଼ ଅଭିଯାନ ଆରମ୍ଭ କରିବେ ବୋଲି ସେ ସୂଚନା ଦେଇଥିଲେ।
-/DevDr