Odiapua.com

ଏବେ ଓଡ଼ିଶା ଉପରେ ବିଶ୍ୱର ନଜର, ସାରା ବିଶ୍ୱକୁ ଦେଖାଇବାକୁ ହେବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୨-୬ (ଓଡ଼ିଆ ପୁଅ) ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଳନ କରିବା ପାଇଁ ଅନୁମତି ଦେଇଥିବାରୁ ସୁପ୍ରିମ କୋର୍ଟଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ରଥଯାତ୍ରା ପାଇଁ ରାଜ୍ୟ ସରକାର ଏବଂ ଶ୍ରୀ ମନ୍ଦିର ପ୍ରଶାସନ ପୁରା ପ୍ରସ୍ତୁତି କରିଛନ୍ତି ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଠିକ୍ ସମୟରେ ରଥ ଅନୁକୂଳ ଓ ନିର୍ମାଣ ସରିଛି। ଠାକୁରଙ୍କର ସବୁ ରୀତିନୀତି ଠିକ୍ ଭାବରେ ଚାଲିଛି ଥିବାରୁ ସେବାୟତମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରଶାସନ ତରଫରୁ ସବୁ ପ୍ରସ୍ତୁତି ସରିଛି। ଚିଫ୍ ସେକ୍ରେଟେରୀ ଓ ଡିଜିଙ୍କୁ ପୁରୀ ପଠାଯାଇଛି। ବର୍ତ୍ତମାନ କୋଭିଡ ୧୯ ଯୋଗୁଁ ସାରା ବିଶ୍ୱ ଏକ କଠିନ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି। ଏହି ପରିସ୍ଥିତିରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରିବା ନିଶ୍ଚିତ ଭାବରେ ଏକ ଚ୍ୟାଲେଞ୍ଜ। କୋଭିଡ ପରିସ୍ଥିତିରେ ରଥଯାତ୍ରାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଅତି ସାବଧାନତାର ସହ କରିବାକୁ ହେବ।

ରଥଯାତ୍ରା ପରିଚାଳନାରେ ଭାଗ ନେଇଥିବା ସମସ୍ତେ କୋଭିଡ ଗାଇଡଲାଇନ୍ସକୁ ନିଷ୍ଠାର ସହ ପାଳନ କରିବେ ବୋଲି ଆଶା ଏବଂ ବିଶ୍ୱାସ ରଖିଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ସେ ତାଙ୍କ ଅଭିଭାଷଣରେ ପ୍ରକାଶ କରିଛନ୍ତି।

ପରମ୍ପରା ସହିତ ଜନସ୍ବାସ୍ଥ୍ୟ ପ୍ରତି ଉଚିତ ଧ୍ୟାନ ଦେଇ ରଥଯାତ୍ରା ପାଳନ କରିବାକୁ ହେବ। ସାରା ବିଶ୍ବର ନଜର ଏବେ ଓଡ଼ିଶା ଉପରେ ରହିବ। ଶୃଙ୍ଖଳା ସହିତ ସାମାଜିକ ଦୂରତା ଓ ଗାଇଡଲାଇସକୁ ପାଳନ କରି କେମିତି ଠାକୁରଙ୍କ ନୀତିକାନ୍ତି କରାଯାଏ, ତାର ନିଦର୍ଶନ ଆମକୁ, ସାରା ବିଶ୍ବକୁ ଦେଖାଇବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି।

ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାର ଉତ୍ତମ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ତିନି ଜଣ ମନ୍ତ୍ରୀଙ୍କୁ ପୁରୀରେ କ୍ୟାମ୍ପ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସେମାନେ ପୁରୀରେ ରହି ରଥଯାତ୍ରା କାର୍ଯ୍ୟ ତଦାରଖ କରିବେ। ପୁରୀର ଜନସାଧାରଣଙ୍କୁ ବିଶେଷ ଅନୁରୋଧ କରି କୋଭିଡ ଗାଇଡଲାଇନ୍ସ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ଏହା ସହ ରଥଯାତ୍ରା ପାଇଁ ସମସ୍ତ ଓଡ଼ଶା ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।