Odiapua.com

ଚନ୍ଦ୍ରାଣୀଙ୍କ ଅଭିଯୋଗ ପରେ ଟ୍ୱିଟ୍ କରିବେନି କି ବୈଜୟନ୍ତ ?

ଭୁବନେଶ୍ୱର: ୨୦୧୯ ନିର୍ବାଚନ ପୂର୍ବରୁ ଏକ ମିଛ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ ହୋଇଥିଲା। ଯାହାକି ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କର ବୋଲି କୁହାଯାଇଥିଲା। ସେହି ଅଶ୍ଳୀଳ ଭିଡିଓ ଭାଇରାଲ୍ ଘଟଣାରେ ସଂପୃକ୍ତି ନେଇ ଓଟିଭିର ଜଣେ ସାମ୍ବାଦିକଙ୍କୁ ପୋଲିସ ନେଇ ଜେରା କରିବା ପରେ ଓଟିଭି କତ୍ତୃପକ୍ଷ ଅଭିଯୋଗ କରୁଛନ୍ତି, ବାସ୍ତବରେ ବନ୍ୟାଞ୍ଚଳ ପରିଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର ଗସ୍ତକୁ ନେଇ ସଂପୃକ୍ତ ସାମ୍ବାଦିକ କରିଥିବା ଏକ ରିପୋର୍ଟକୁ ନେଇ ଆକ୍ରୋଶମୂଳକ ଭାବରେ ତାଙ୍କୁ ଟାର୍ଗେଟ୍ କରାଯାଉଛି। ତେବେ, ଏହା ଉପରେ ମୁହଁ ଖୋଲିଛନ୍ତି ସାଂସଦ ଚନ୍ଦ୍ରାଣୀ ମୁର୍ମୁ।

ଚନ୍ଦ୍ରାଣୀ କହିଛନ୍ତି, ପୋଲିସ ସଂପୃକ୍ତ ସମ୍ବାଦିକଙ୍କୁ ପଚରାଉଚରା କରିବାରୁ ଓଟିଭି ଏମ୍‌ଡି ଜଗି ପଣ୍ଡା ଓ ତାଙ୍କ ସ୍ବାମୀ ବୈଜୟନ୍ତ ପଣ୍ଡା ତାଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି। ସେମାନେ ଏହାକୁ ଓଟିଭି ଉପରେ ସରକାରଙ୍କ ଆକ୍ରୋଶ ବୋଲି ଚିତ୍ରଣ କରୁଛନ୍ତି। ଜଗି ମାଡାମ୍‌ ଓ ବୈଜୟନ୍ତ ବାବୁଙ୍କୁ ମୋର ପ୍ରଶ୍ନ ଯଦି ଆପଣଙ୍କ ପରିବାରର ଜଣେ ମହିଳାଙ୍କର ଏଭଳି ମିଛ ଏବଂ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥାଆନ୍ତା, ତେବେ କ’ଣ ସେମାନେ ସେହି ସାମ୍ବାଦିକଙ୍କୁ ସୁରକ୍ଷା ଦେଇଥାଆନ୍ତେ କି ବୋଲି ଚନ୍ଦ୍ରାଣୀ ପ୍ରଶ୍ନ କରିଛନ୍ତି। ସେମାନେ ଦିଲ୍ଲୀରେ ନିଜର ମିଡିଆ ବନ୍ଧୁଙ୍କୁ ବ୍ୟବହାର କରି ପ୍ରଚାର କରୁଛନ୍ତି ଯେ ସରକାର ସାମ୍ବାଦିକ ଓ ସାମ୍ବାଦିକତା ଉପରେ ଆକ୍ରମଣ କରୁଛନ୍ତି। ମୋର ପ୍ରଶ୍ନ ଯଦି ଆପଣଙ୍କ ଝିଅ କିମ୍ବା ପରିବାରର କାହାର ଏଭଳି ଭିଡିଓ ଭାଇରାଲ ହୋଇଥାନ୍ତା ତେବେ କ’ଣ ଆପଣ ଏହାକୁ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବୋଲି କହିଥାଆନ୍ତେ ବୋଲି ଚନ୍ଦ୍ରାଣୀ ପ୍ରଶ୍ନ କରିଛନ୍ତି।

ତାଙ୍କର ଉଦ୍ଦେଶ୍ୟ ଥିଲା ମୋ ଭଳି ଜଣେ ଆଦିବାସୀ ମହିଳାଙ୍କୁ ବଦନାମ କରିବା ଓ ମାନସିକ ଉତ୍ପୀଡ଼ନ ଦେବା। ମୁଁ ନ୍ୟାୟ ସେବେ ପାଇବି ଯେବେ ପୋଲିସ ସେହି ସାମ୍ବାଦିକ ଏବଂ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଜଗି ପଣ୍ଡା, ବୈଜୟନ୍ତ ପଣ୍ଡା ଏବଂ ଓଟିଭି ମତେ ନ୍ୟାୟ ପାଇବାରୁ ବଞ୍ଚିତ କରୁଛନ୍ତି। ମୋ ବିରୋଧରେ ଅପରାଧ କରିଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛନ୍ତି। ମିଡିଆକୁ ବ୍ୟବହାର କରି ସୁରକ୍ଷା ଦେଉଛନ୍ତି। ମତେ ନ୍ୟାୟ ନ’ମିଳିଲେ ଭାରତୀୟ ଗଣତନ୍ତ୍ର ପ୍ରତି ଅନ୍ୟାୟ ହେବ। ଜଗି ପଣ୍ଡା ବି ଜଣେ ମହିଳା, ତାଙ୍କ ବିବେକ କୁଆଡ଼େ ଗଲା ବୋଲି ସାଂସଦ ଚନ୍ଦ୍ରାଣୀ ମର୍ମୁ ପ୍ରଶ୍ନ କରିଛନ୍ତି। ତେବେ, ଚନ୍ଦ୍ରାଣୀ ମୁର୍ମୁଙ୍କ ଏହି ସାଙ୍ଘାତିକ ଅଭିଯୋଗ ପରେ ଟ୍ୱିଟ୍ କରିବେନି କି ବୈଜୟନ୍ତ ପଣ୍ଡା ବୋଲି ପ୍ରଶ୍ନ ଉଠୁଛି।
/- ଦେବଦତ୍ତ ରଥ