Odiapua.com

କରୋନା ଭଇରସ୍ : ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫ ହଜାର ନୂଆ ମାମଲା, ୪୩ ହଜାର ଲୋକ ଆରୋଗ୍ୟ ହେଲେ, ୫୦୧ ମୃତ

ନୂଆଦିଲ୍ଲୀ ୨୨-୧୧ (ଓଡ଼ିଆ ପୁଅ) : ଭାରତରେ କରୋନା ମହାମାରୀ ଏବେ ପୁନଃ ବୃଦ୍ଧି ପାଇବା ଆରମ୍ଭ କରିଛି। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୫, ୨୦୯ ନୂଆ ସଂକ୍ରମିତ ହୋଇଛନ୍ତି। କରୋନାରେ ୫୦୧ ଜଣଙ୍କର ମୃତ୍ୟୁ ହୋଇଛି। ଭଲ କଥା ହେଉଛି ଏବେ ଗୋଟିଏ ଦିନରେ କରୋନାରୁ ୪୩, ୪୯୩ ରୋଗୀ ମଧ୍ୟ ଆରୋଗ୍ୟ ହୋଇଛନ୍ତି। ଆମେରିକାର ପରେ ବିଶ୍ୱରେ ଏହି ବୃଦ୍ଧି ପାଉଥିବା କରୋନା ମାମଲା ସର୍ବାଧିକ। ଏଥି ସହିତ ମୃତ୍ୟୁ ସଂଖ୍ୟା ବିଶ୍ୱରେ ପଞ୍ଚମ ସ୍ଥାନରେ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ ଭାରତରେ ମୋଟ କରୋନା ମାମଲା ୯୦ ଲକ୍ଷ ୯୫ ହଜାରକୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ଏପର୍ଯ୍ୟନ୍ତ ଏକ ଲକ୍ଷ ୩୩ ହଜାର ଲୋକ ପ୍ରାଣ ହରାଇଛନ୍ତି। ମୋଟ ସକ୍ରିୟ ମାମଲା ଚାରି ଲକ୍ଷ ୪୦ ହଜାରକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ, ସକ୍ରିୟ ମାମଲା ସଂଖ୍ୟା ୧୨୧୫ କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୮୫ ଲକ୍ଷ ୨୧ ହଜାର ଲୋକ କରୋନା ଭାଇରସ୍ ରୁ ଆରୋଗ୍ୟ ହୋଇଛନ୍ତି।