Odiapua.com

ମହିଳା ସଂରକ୍ଷଣ ଡ୍ରାମା କାହିଁକି? ବିଜେପି ନେତୃତ୍ୱଙ୍କୁ ପ୍ରଶ୍ନ, ବିଜେପି ନେତ୍ରୀଙ୍କ ଏ’ ପ୍ରଶ୍ନ ..

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନକୁ ନେଇ ଓଡ଼ିଶା ରାଜନୀତି ଏବେ ଗରମ। ପ୍ରତ୍ୟେକ ଦଳରେ ଚାଲିଛି ମିଶ୍ରଣ ଆଉ ବିଚ୍ଛେଦ। ପଞ୍ଚାୟତ ନିର୍ବାଚନରେ ୫୦% ମହିଳା ସଂରକ୍ଷଣ ନିଷ୍ପତ୍ତି ନେଇ ରାଜନୀତିରେ ମହିଳା ମାନଙ୍କ ସମାନ ଭାଗିଦାରୀ ଅର୍ଥାତ୍ ମହିଳା ସଶକ୍ତିକରଣ ଦିଗରେ ବିଜେଡି କେତେ ଯତ୍ନବାନ ନେଇ ଡିଣ୍ଡିମ ପିଟୁଛି। ଏଣେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ୧୧ ଜଣ ମହିଳା ମନ୍ତ୍ରୀ ସ୍ଥାନ ପାଇଥିବା ନେଇ ଏହା ମହିଳା ମାନଙ୍କ ପାଇଁ ଏକ ଗୌରବର ବିଷୟ ବୋଲି କହି ପ୍ରଧାନମନ୍ତ୍ରୀଙ୍କୁ ଏଥିଲାଗି କୃତଜ୍ଞତା ଜଣାଇବା ସହ ମହିଳା ମନ୍ତ୍ରୀମାନଙ୍କ ଉଦ୍ଦେଶ୍ୟରେ ନିକଟରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲା ବିଜେପି ମହିଳା ମୋର୍ଚ୍ଚା। ସମ୍ବର୍ଦ୍ଧନା ସଭାରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାନଥି ଶ୍ରୀନିବାଶନ ମହିଳା ମନ୍ତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ, ଏଠାରେ ଆଜି ଆସି ପହଞ୍ଚି ପାରିଥିବା ମହିଳା ମାନେ କାହାର ଝିଅ, କାହାର ଭଉଣୀ ଯୋଗୁଁ ନୁହେଁ ବରଂ ନିଜର ଦକ୍ଷତା ଏବଂ କଠିନ ପରିଶ୍ରମ ଯୋଗୁଁ ପହଞ୍ଚି ପାରିଛନ୍ତି। ଅନ୍ୟାନ୍ୟ ମନ୍ତ୍ରୀମାନଙ୍କ ସହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସ୍ମୃତି ଇରାଣୀ ସେହି କଥାକୁ ଅଧିକ ବ୍ୟାଖ୍ୟା କରି କହିଥିଲେ, ଏ ସନ୍ଦେଶ ଭାରତର ସମସ୍ତ ନାରୀଙ୍କୁ ଯେ, ଜରୁରୀ ନୁହଁ ଯେ ତୁମେ କୌଣସି ବଡ଼ ଘରେ ଜନ୍ମ ନେଇଥାଅ। ଜରୁରୀ ନୁହେଁ ଯେ କୌଣସି ରାଜନୈତିକ ପରିବାରରେ ଜନ୍ମ ହୋଇଥିଲେ ହିଁ ଭବିଷ୍ୟ ଉଜ୍ଜ୍ୱଳ ହୋଇ ପାରିବ। ମୋଦୀ ସରକାର ସମୟରେ ପ୍ରତ୍ୟେକ ମହିଳାଙ୍କ ପାଇଁ ଏହା ଏକ ଆବାହନ ଯେ ଯଦି ତୁମେ ଦୃଢ଼ ନିଷ୍ପତ୍ତି ନେଇଗଲ, ତେବେ ତୁମେ ବି ସମ୍ମାନର ସହିତ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିପାରିବ। ଭାନଥିଙ୍କ ପରେ ସ୍ମୃତିଙ୍କ ଏହି ବକ୍ତବ୍ୟ ଅନେକ ମହିଳା ନେତ୍ରୀଙ୍କ ମଧ୍ୟରେ ଏକ ଉତ୍ସାହ ଆଣି ଦେଇଥିବ ଏବଂ ମନରେ ଏକ ଆଶାର ସଞ୍ଚାର ସୃଷ୍ଟି କରିଦେଇଥିବ ନିଶ୍ଚିତ।ତେବେ, ବାସ୍ତବରେ କ’ଣ ଦକ୍ଷତା ଏବଂ ପରିଶ୍ରମର ମୂଲ୍ୟ ରହିଛି? ନାଁ, କୌଣସି ରାଜନୈତିକ ପରିବାରରେ ଜନ୍ମ, କୌଣସି ନେତାଙ୍କ ଭଉଣୀ, ପତ୍ନୀ କିମ୍ବା ଝିଅ ହେବାର ମହତ୍ତ୍ୱ ଅଧିକ ରହିଛି? ବିନା ଗଡଫାଦର (ନେତାଙ୍କ ଛତ୍ରଛାୟା) ବିନା କେବଳ ଦକ୍ଷତା, ପରିଶ୍ରମ ବଳରେ ଜଣେ ମହିଳା ନେତ୍ରୀ କ’ଣ ଏଠି ନିଜର ପରିଚୟ ସୃଷ୍ଟି କରିପାରିବ? ବାସ୍ତବରେ ଏ’ ଯେଉଁ ୫୦% ମହିଳାଙ୍କୁ ଟିକେଟ ଦିଆଯାଇଛି, ସେମାନଙ୍କ ଦକ୍ଷତା, ପରିଶ୍ରମ ଭିତ୍ତିରେ ସଙ୍ଗଠନ ପାଇଁ ସମର୍ପିତ କାର୍ଯ୍ୟକର୍ତ୍ତାଙ୍କୁ ଟିକେଟ୍ ଦିଆଯାଇଛି? ନାଁ, କୌଣସି ନେତାଙ୍କ ଭଉଣୀ, ପତ୍ନୀ କିମ୍ବା ଝିଅଙ୍କୁ କିମ୍ୱା କୌଣସି ଗଡଫାଦରଙ୍କ ସୁପାରିଶରେ ଟିକେଟ୍ ବଣ୍ଟନ କରାଯାଇଛି? ନିକଟରେ ଓଡ଼ିଶା ବିଜେପିର ଜଣେ ରାଜ୍ୟ ମହିଳା ପ୍ରବକ୍ତା ତାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହା ଉପରେ ଏକ ପ୍ରଶ୍ନ ଉଠାଇ ଲେଖିଥିଲେ, ଯଦି ନେତାଙ୍କ ସ୍ତ୍ରୀ ନେତ୍ରୀ ହେବେ, ତେବେ ଏ ୫୦% ମହିଳା ସଂରକ୍ଷଣର ଡ୍ରାମା କାହିଁକି? ଚେହେରା ବଦଳିଲେ କଣ ଆଭିମୁଖ୍ୟ ବଦଳିଯିବ କି? କିଛି ଦିନ ପରେ ଆଉ ଏକ ପୋଷ୍ଟ୍ କରି ସେ ଲେଖିଥିଲେ, ମହିଳା ସଶକ୍ତ ହେଲେ ସମାଜର ପଟ୍ଟ ପରିବର୍ତ୍ତନ ହୁଏ। କିନ୍ତୁ ସଶକ୍ତ ଜଞ୍ଜିର ଯଦି ପୁରୁଷ ହାତରେ ରୁହେ ତେବେ?ଜଞ୍ଜିର ତ’ ରହିଛି! ବାସ୍ତବରେ ଏଠି ସାଙ୍ଗଠନିକ ଦାୟିତ୍ୱ କ୍ଷେତ୍ରରେ ହେଉ ଅବା ଟିକେଟ୍ ବଣ୍ଟନ କ୍ଷେତ୍ରରେ ହେଉ ଦକ୍ଷତା କିମ୍ବା ସଙ୍ଗଠନ ପ୍ରତି ସମର୍ପିତ ଆଧାରରେ ନୁହେଁ, ନେପୋଟିଜିମ୍, ଗଡ଼ଫାଦରଙ୍କ ସୁପାରିଶ କିମ୍ବା ପ୍ରିୟାପ୍ରୀତି ତୋଷଣରେ ସୁଯୋଗ ମିଳିଥାଏ ବୋଲି କୁହାଯାଏ। ଏବେ ପଞ୍ଚାୟତ ନିର୍ବାଚନ କ୍ଷେତ୍ରରେ ମଧ୍ୟ ଏପରି ଦେଖିବାକୁ ମିଳୁଛି। ଦକ୍ଷତା ଆଧାରରେ କିମ୍ବା ସଙ୍ଗଠନ ପ୍ରତି ସମର୍ପିତ ଆଧାରରେ ନୁହେଁ, ନେପୋଟିଜିମ୍ (ପାରିବାରିକ ରାଜନୀତି) ଆଧାରରେ ଯେପରି କି ପତ୍ନୀ, ଭାଉଜ, ଖୁଡ଼ି, ଭଉଣୀ, ଝିଅ କିମ୍ବା କେଉଁ ନେତାଙ୍କ ଅନୁଗ୍ରହରେ ବା କୌଣସି ଗଡ଼ଫାଦରଙ୍କ ଆଧାରରେ ସୁଯୋଗ ମିଳୁଛି। ଭଦ୍ରକ ଜିଲ୍ଲା ବିଜେପିରେ ଏପରି ଉଦାହରଣ ଦେଖିବାକୁ ମିଳିଛି। ଏଣେ ସଙ୍ଗଠନ ପ୍ରତି ସମର୍ପିତ, ସଙ୍ଗଠନ ପାଇଁ ସମୟ ଦେଉଥିବା ଆଶାୟୀଙ୍କୁ ଟିକେଟ୍ ଦିଆନଯାଇ ନେତା ବା କାର୍ଯ୍ୟକର୍ତ୍ତାଙ୍କ ପତ୍ନୀଙ୍କୁ ମିଳିଛି ସମର୍ଥନ ବା ଟିକେଟ୍। ଖୋଦ୍ ଜିଲ୍ଲା ସଭାପତି ଗୋଟେ ପଞ୍ଚାୟତରୁ ସମିତି ସଭ୍ୟ ପାର୍ଥି ହୋଇଥିବା ବେଳେ ନିଜ ପତ୍ନୀଙ୍କୁ କରାଇଛନ୍ତି ଆଉ ଏକ ପଞ୍ଚାୟତରୁ ସମିତି ସଭ୍ୟ ପାର୍ଥିନୀ। ଆଉ ବଡ଼ ଦୁଃଖର କଥା, ଗତ ଥରର ଜଣେ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ମିଳିନି ଟିକେଟ୍। କିନ୍ତୁ ସେ ଭାରୀ ଖୁସି! କାରଣ ଏଥର ସେହି ଆସନଟି ସାଧାରଣ ବର୍ଗର ହୋଇ ଯାଇଥିବାରୁ ତାଙ୍କ ସ୍ୱାମୀ ହୋଇଛନ୍ତି ପାର୍ଥି। ତେଣୁ ସେ ଖୁସି। ପତି ପରମେଶ୍ୱର ହୋଇଥାଆନ୍ତି। ପତ୍ନୀ ଧର୍ମ ପାଳନ ପୂର୍ବକ ପତିଙ୍କ ଖୁସିରେ ଖୁସି ହୋଇ ସେ ନିଜ ଖୁସିକୁ ମାରି ଦେଇଛନ୍ତି। ଜଣେ ମହିଳାଙ୍କ ଅଧିକାରକୁ ସେ ଛିନ୍ନ କରିଛନ୍ତି। ପତିଙ୍କ ପାଇଁ ଭାରି ଖୁସିରେ ସେ ପ୍ରଚାର କରୁଛନ୍ତି। ଏମିତିରେ ସେ ପୂର୍ବରୁ କେବଳ ଏକ ରବର ଷ୍ଟାମ୍ପ ଜିଲ୍ଲା ପରିଷଦ ସଭ୍ୟା ଥିଲେ ବୋଲି ମଧ୍ୟ କୁହାଯାଇ ପାରେ। ଏଠାରେ ସେହି ବିଜେପି ମହିଳା ପ୍ରବକ୍ତାଙ୍କ ପ୍ରଶ୍ନକୁ ଚାଲି ଆସନ୍ତୁ। ମହିଳା ସଶକ୍ତ ହେଲେ ସମାଜର ପଟ୍ଟ ପରିବର୍ତ୍ତନ ହୁଏ। କିନ୍ତୁ, ସଶକ୍ତ ଜଞ୍ଜିର ଯଦି ପୁରୁଷ ହାତରେ ରୁହେ ତେବେ? ଏଠି ତ’ ଜଞ୍ଜିର ରହିଲା ଟିକେଟ୍ ବଣ୍ଟନ କରିଥିବା ଜଣେ ପୁରୁଷ ନେତା ହାତରେ, ନିଜ ସ୍ୱାମୀ ହାତରେ। ନିଜ ଦଳରେ, ଦଳୀୟ ନେତା, ଦଳୀୟ କାର୍ଯ୍ୟକର୍ତ୍ତା ନିଜ ପରିବାରରେ ଜଣେ ନେତ୍ରୀଙ୍କୁ ଜଞ୍ଜିର ଭିତରେ ରଖିଦିଆଗଲା! ତେଣୁ, ଏ’ ମହିଳା ସଂରକ୍ଷଣ ଡ୍ରାମା କାହିଁକି? ବିଜେପି ନେତୃତ୍ୱଙ୍କୁ ପ୍ରଶ୍ନ, ବିଜେପି ଏ’ ନେତ୍ରୀଙ୍କ ପ୍ରଶ୍ନ। ତେବେ, ଏହା ଏକ ମାତ୍ର ଘଟଣା ନୁହଁ କିମ୍ବା ଏହା କେବଳ ବିଜେପି ଭିତରର ଘଟଣା ନୁହଁ। ଏପରି ଘଟଣା ସବୁ ଦଳରେ ଏବଂ ପ୍ରାୟ ସବୁ ସ୍ଥାନରେ ଘଟୁଛି।
/-DevDrath