Odiapua.com

ଗାନ୍ଧୀବାଦର ଶିକ୍ଷା ଅମୂଳକ !

କ୍ଟୋବର ୦୨।ଆଜି ଗାନ୍ଧୀ ଜୟନ୍ତୀ।ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କ ଜନ୍ମତିଥି।ଅଗଷ୍ଟ ୧୫ ସ୍ୱାଧୀନତା ଦିବସ, ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ଏବଂ ଅକ୍ଟୋବର ୦୨ ଗାନ୍ଧୀ ଜୟନ୍ତୀ ଭାରତରେ ତିନୋଟି ବଡ଼ ସରକାରୀ ଉତ୍ସବ।ଗାନ୍ଧୀ ଜୟନ୍ତୀରେ ରାଷ୍ଟ୍ରବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ହୋଇଥାଏ।ସମସ୍ତଙ୍କ ମୂଖରୁ ଗାନ୍ଧିବାଦର କଥା ଶୁଣାଯାଇଥାଏ।ସମସ୍ତଙ୍କ କଲମରୁ ଗାନ୍ଧୀବାଦର କଥା ଲେଖାଯାଇଥାଏ।ସମସ୍ତେ ଏବଂ ବିଶେଷ କରି ପିଲାମାନଙ୍କୁ ଗାନ୍ଧୀବାଦର ଶିକ୍ଷା ଦେଇଥାଆନ୍ତି।ଗାନ୍ଧୀବାଦ କ’ଣ?ହିଂସା ନ’କରିବା, ମିଛ ନ’କହିବା, ନିଶା ସେବନ ନ’କରିବା, ସ୍ୱଚ୍ଛତା ଏବଂ ଗାନ୍ଧୀଙ୍କ ତିନି ମାଙ୍କଡ଼ କାହାଣୀକୁ ନେଇ ଖରାପ କଥା ନ’ଶୁଣିବା, ନ’କହିବା ଏବଂ ନ’ଦେଖିବାର ଶିକ୍ଷା ଦିଆଯାଏ।କିନ୍ତୁ, ଏପରି ଗାନ୍ଧୀବାଦର ଶିକ୍ଷା ଦେବା ଅମୂଳକ ଅନୁଭବ ହୁଏ!

ଜନ୍ମପରେ ପିଲାଟି ଯେତେବେଳେ ଧୀରେଧୀରେ ବଡ଼ ହୁଏ ତାକୁ ପ୍ରଥମେ ନିଜ ଘରେ ଗାନ୍ଧୀବାଦର ଶିକ୍ଷା ଦେବା ଆରମ୍ଭ ହୋଇଯାଏ।ପିଲାଟିକୁ ସିନା ଗାନ୍ଧୀ ଆଦର୍ଶ କଥା କୁହାଯାଇ, ମିଛ ନ’କହିବା, ହିଂସା ନ’କରିବା ଏବଂ ତିନି ମାଙ୍କଡ଼ର କଥା କୁହାଯାଏ, କିନ୍ତୁ ପିଲାଟିର ଚାରି ବଳୟରେ ଅହରହ ଗାନ୍ଧିବାଦର ହତ୍ୟା ହେଉଥାଏ।ଏଣେ ହିଂସା ବିରୋଧରେ କୁହାଯାଏ।ତେଣେ ଘରେ ଭାଇ ଭାଇ ମଧ୍ୟରେ ଜାଗାବାଡ଼ିକୁ ନେଇ ଗଣ୍ଡଗୋଳ, ପଡ଼ୋଶୀ ସହ ଗଣ୍ଡଗୋଳ, ଶାଶୁ-ନଣନ୍ଦ-ଯାଆ ଭିତରେ କଳି, ବଧୂହତ୍ୟା, ବୃଦ୍ଧ ବାପା,ମା’ଙ୍କୁ ଅନାଦର କରି ବୃଦ୍ଧାଶ୍ରମ ପଠାଇ ଦିଆଯାଏ।ଏପରିକି ଛୋଟ ଛୁଆଟି ଯେତେବେଳେ ତଳେ ପଡ଼ିଯାଇ କାନ୍ଦେ, ମା’ ତାକୁ କିଏ ମାରିଲା କହି ବୁଝାଇବାକୁ ଯାଇ କିଛି ନହଲେ ଭୂମିକୁ ଦି’ ଗୋଇଠା ମାରି ଦେଇଥାଏ।ଏଣେ ଗାନ୍ଧୀ ଆଦର୍ଶ ଅହିଂସାର କଥା କହି ଏଠାରୁ ହିଁ ପିଲାକୁ ହିଂସା ଆଚରଣର ଶିକ୍ଷା ଦେବା ଆରମ୍ଭ ହୋଇଥାଏ।ସ୍ୱଚ୍ଛତାର କଥା କୁହାଯାଉଥିବା ବେଳେ ପିଲାଟି ତା’ର ପିଲାବେଳୁ ନିଜଘର ଲୋକଙ୍କୁ ଘରର ଅଳିଆ ପର ଘର ବାରିପଟେ ଫିଙ୍ଗିବାର ଦେଖି ଆସିଥାଏ।ଏହାପରେ ପିଲାଟି ସ୍କୁଲ ଯାଏ।ସେଠାରେ ତାକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଗାନ୍ଧିବାଦର ଶିକ୍ଷା ମିଳିଥାଏ।ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ସମୟ ଅନୁଯାୟୀ ସ୍କୁଲକୁ ଆସୁନଥିବା ଯୋଗୁଁ ତାଙ୍କୁ ଜଗିବାକୁ ଆଜି ସ୍କୁଲରେ ବାୟୋମେଟ୍ରିକ ଲଗାଇବା ବ୍ୟବସ୍ଥା ଚିନ୍ତା କରାଯାଉଛି, ସେମାନେ ପିଲାଙ୍କୁ ଗାନ୍ଧୀଙ୍କ ସମୟାନୁବର୍ତ୍ତିତାର ଶିକ୍ଷା ଦିଅନ୍ତି।ନକଲି ସାର୍ଟିଫିକେଟ୍ ଦେଇ ଧରା ପଡ଼ୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ ସତ କହିବାର କି ଶିକ୍ଷା ଦେବେ?ଏହାପରେ ପିଲାଟି ଯାଏ କଲେଜ।ଭଲ ପଢ଼ି ବିଦେଶରେ ଚାକିରୀ କରିବାର ତା’ଠାରୁ ଆଶା ରଖି ତାକୁ କି ପ୍ରକାର ସ୍ୱଦେଶୀ ଶିକ୍ଷା ଦିଆଯାଏ।ଗାନ୍ଧୀବାଦ ଉପରେ ପତ୍ରପତ୍ରିକାରେ ସ୍ତମ୍ଭ ଲେଖୁଥିବା ସ୍ତମ୍ଭକାରମାନେ କୋଟ ଏବଂ ଟାଏ ପିନ୍ଧି କେଉଁ ସ୍ୱଦେଶୀ ଶିକ୍ଷା ଦିଅନ୍ତି?

ସବୁଠାରୁ ଗାନ୍ଧିବାଦର ଅଧିକ ଶିକ୍ଷା ଦେଇଥାଆନ୍ତି ଆମ ରାଜନେତା।ଯେଉଁମାନେ ଅଧିକ ହିଂସା କରନ୍ତି, ଅଧିକ ମିଛ କୁହନ୍ତି।ମିଛ ପ୍ରତିଶୃତି ଦେଇ ଶାସନକୁ ଆସି ପ୍ରତାରଣା କରନ୍ତି।ବିଭିନ୍ନ ଦଳ ଗୁଡ଼ିକ ମଧ୍ୟରେ ପରସ୍ପର ମଧ୍ୟରେ ହିଂସାତ୍ମକ ଟିପ୍ପଣୀ, ହିଂସାତ୍ମକ ଆଚରଣ ସବୁବେଳେ ଦେଖିବାକୁ ମିଳେ।କିନ୍ତୁ, ଏମାନେ ଦିଅନ୍ତି ଗାନ୍ଧୀବାଦର ଶିକ୍ଷା?ଅଧିକ ମଦ ବିକ୍ରି କଲେ ବିକ୍ରେତା ପାଇଁ ପୁରସ୍କାର ଘୋଷଣା କରି ଏମାନେ ଦିଅନ୍ତି ଗାନ୍ଧୀବାଦର ଶିକ୍ଷା?ଗାନ୍ଧୀ ଅହିଂସାର ପୂଜାରୀ ଥିଲେ କହି ଟିଭି ଡିବେଟରେ ଅଂଶ ଗ୍ରହଣ କରୁଥିବା ଅହିଂସାର ପୂଜାରୀମାନେ ଯୁକ୍ତି କିନ୍ତୁ କଲା ବେଳେ ଉତ୍କ୍ଷିପ୍ତ ହୋଇ ସେମାନଙ୍କ କଥା ଏବଂ ଆଚରଣରେ ହିଂସା ପ୍ରଦର୍ଶନ କରନ୍ତି।ଜୀବନ ସାରା ଗାନ୍ଧୀ ଯେଉଁ ଗୀତାକୁ ହାତରେ ଧରି ରଖିଥିଲେ, ସେହି ପବିତ୍ର ଗୀତାକୁ ମନୁବାଦ କହି ବିରୋଧ କରାଯାଏ।ଯେଉଁ ଧର୍ମାନ୍ତରୀକରଣକୁ ଗାନ୍ଧୀ ବିରୋଧ କରୁଥିଲେ, ସେହି ଧର୍ମାନ୍ତରୀକରଣକୁ ପ୍ରଶୟ ଦିଆଯାଏ।ଆଉ ସବୁଠାରୁ ବଡ଼ କଥା ଗାନ୍ଧୀ ସିନା ଜାତିବାଦ, ଆଞ୍ଚଳିକତାବାଦକୁ ବିରୋଧ କରୁଥିଲେ।ସର୍ବଧର୍ମ ସମାନ କଥା କହୁଥିଲେ।ଆଜି କିନ୍ତୁ ସେହି ଧର୍ମ, ଜାତି ଏବଂ ଆଞ୍ଚଳିକବାଦକୁ ନେଇ ରାଜନୈତିକ ଦଳ ଗୁଡ଼ିକର ଗଠନ।ତେଣୁ, ଜନ୍ମ ଆରମ୍ଭରୁ ପିଲାଟିଏ ପାଇଁ ମୂଳରୁ ଘରର ଗୁରୁଜନ ହୁଅନ୍ତୁ ଅବା ପରେ ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା ରାଜନେତା ନିଜେ ପ୍ରତିଦିନ ଗାନ୍ଧିବାଦକୁ ହତ୍ୟାକରି ଏମାନେ ଗାନ୍ଧିବାଦର ଶିକ୍ଷା ଦେବା ଅମୂଳକ ନୁହେଁ କି?
//-ଦେବଦତ୍ତ ରଥ