Odiapua.com

ଧାମନଗର ଯିବାକୁ ମତେ ହୋଇଛି ମନା ..

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଧାମନଗର ଉପ- ନିର୍ବାଚନକୁ ନେଇ ଏବେ ଓଡ଼ିଶା ରାଜନୀତି ସରଗରମ। ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ପରେ ଦଳିତ ବର୍ଗ ପାଇଁ ସଂରକ୍ଷିତ ଏହି ଆସନ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଯାଉଛି ଉପ- ନିର୍ବାଚନ। ବିଜେଡି, ବିଜେପି ଏବଂ କଂଗ୍ରେସ ସମେତ ଜଣେ ସ୍ୱାଧୀନ ପାର୍ଥିଙ୍କୁ ନେଇ ରାଜନୀତି ଏବେ ସରଗରମ। ବିଜେଡିରୁ ଟିକେଟ୍ ଆଶାୟୀ ଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଟିକେଟ୍ ନପାଇବା ପରେ ସ୍ୱାଧୀନ ପାର୍ଥି ହୋଇଛନ୍ତି। ଏହାକୁ ନେଇ ବିଜେଡି ଭିତରେ ଘୋର ଗୋଷ୍ଠୀ କନ୍ଦଳ ଚାଲିଛି ବୋଲି କୁହାଯାଉଛି। ତେବେ, ବିଜେପି କଥା ଦେଖିଲେ ଏଥିରେ ବିଜେଡି ଠାରୁ ଅଧିକ ଆଉ ଭୟଙ୍କର ଗୋଷ୍ଠୀ କନ୍ଦଳ ରହିଛି। ଅବଶ୍ୟ ଚଳିତ ଉପନିର୍ବାଚନ ବିଜେପି ଏକ ଭିନ୍ନ ତଥା ବ୍ୟବସ୍ଥିତ ଢଙ୍ଗରେ ଲଢ଼ିବାକୁ ପ୍ରୟାସ କରୁଛି। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଏବଂ ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ପ୍ରୟାସରେ ବିଜେପିର ସାଙ୍ଗଠନିକ ବ୍ୟବସ୍ଥା ମଧ୍ୟରେ ନିର୍ବାଚନ ପ୍ରଚାର ପରିଚାଳନା ପାଇଁ ବ୍ୟବସ୍ଥା କରାଯାଉଛି। କିନ୍ତୁ, ଉପରେ ସ୍ତରରେ ଭୟଙ୍କର ଗୋଷ୍ଠୀ କନ୍ଦଳ ଏବଂ ଶୀତଳ ଯୁଦ୍ଧର ପ୍ରଭାବ ବିଜେପିର ନିର୍ବାଚନ ପ୍ରଚାର ଉପରେ ପରିଲକ୍ଷିତ ହେଉଛି।ଏଇ ନିକଟରେ, ଗତ ୭ ତାରିଖରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭଦ୍ରକ ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣି ଦର୍ଶନ ଯାଇଥିବା ସମୟରେ ସ୍ୱର୍ଗତଃ ବିଷ୍ଣୁ ଚରଣ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ତଥା ତାଙ୍କ ପରିବାରକୁ ସାନ୍ତ୍ୱନା ଦେବା ଉଦ୍ଦେଶ୍ୟରେ ତାଙ୍କ ଘରକୁ ଯାଇଥିଲେ। ବିଷ୍ଣୁ ସେଠୀଙ୍କ ପତ୍ନୀଙ୍କ ସହ ସାକ୍ଷାତ ହେଲା। କିନ୍ତୁ, ବିଷ୍ଣୁ ସେଠୀଙ୍କ ପୁଅ ତଥା ଏବେକାର ବିଜେପି ପାର୍ଥି ସୁରଜ ସୂର୍ଯ୍ୟବଂଶୀ ଅନୁପସ୍ଥିତ ଥିଲେ। ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ପ୍ରଭାବ ସ୍ୱରୂପ ମନ୍ତ୍ରୀଙ୍କୁ ଅସନ୍ତୁଷ୍ଟ ନ’କରିବା ଉଦ୍ଦେଶ୍ୟରେ ଅବା ସିଆଡ଼ୁ ନିର୍ଦ୍ଦେଶ କ୍ରମେ ସୁରଜ ଅପରାଜିତାଙ୍କୁ ଲୁଚିଲେ ବୋଲି ଆଲୋଚନା ହେଉଛି। ଏଥିପାଇଁ ହୁଏତ ଧାମନଗର ଉପ- ନିର୍ବାଚନ ପାଇଁ ବିଜେପିର ପ୍ରଚାରକ ଲିଷ୍ଟରେ ନାଁ’ ଥାଇ ସୁଦ୍ଧା ଅପରାଜିତା ଏବେ ଓଡ଼ିଶା କଥା ଛାଡ଼ି ହିମାଚଳ ପ୍ରଦେଶ ନିର୍ବାଚନ ପ୍ରଚାର କାମରେ ସେଠାକୁ ଯାଇଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡାଙ୍କ ଆଗ୍ରହ କ୍ରମେ ଅପରାଜିତା ନିର୍ବାଚନ ପ୍ରଚାର ପାଇଁ ହିମାଚଳ ପ୍ରଦେଶ ଗସ୍ତରେ ଯାଇଥିବା କୁହାଯାଉଛି।ସେହିପରି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ କଣଠେସା ଦିଆଯାଉଥିବା ପରି ଅନୁଭବ ହେଉଛି। ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା ଭଦ୍ରକ ଯାଇଥିବା ସମୟରେ ସାଙ୍ଗରେ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବୈଜୟନ୍ତ ପଣ୍ଡା ମଧ୍ୟ ସେଠାକୁ ଯିବାକୁ ଆଗ୍ରହୀ ଥିଲେ। ବୈଜୟନ୍ତ କୁଆଡ଼େ ସେଠାକୁ ତାଙ୍କ ନିଜସ୍ୱ ହେଲିକେପ୍ଟରରେ ଯିବାର ଥିଲା। ହେଲିକେପ୍ଟର ଅବତରଣ (ହେଲିପ୍ୟାଡ୍) ପାଇଁ ଏକ ପଡ଼ିଆ ସଫା କରିବାକୁ ଜଣଙ୍କ ସହିତ କଥା ସରିଥିଲା। କିନ୍ତୁ, କ’ଣ ହେଲା କେଜାଣି ଶେଷ ସମୟରେ ତାହା ବାତିଲ୍ ହେଲା। ମନ୍ତ୍ରୀଙ୍କ ଅନିଚ୍ଛା କାରଣରୁ ବୈଜୟନ୍ତଙ୍କ ଗସ୍ତକୁ ଅନାଗ୍ରହ ଦେଖାଇ ବାତିଲ୍ କରିଦିଆଗଲା ବୋଲି ଆଲୋଚନା ହେଉଛି। ଏବେ ପ୍ରଚାରକ ଲିଷ୍ଟରେ ନାଁ’ ଥିବା ବୈଜୟନ୍ତ ପଣ୍ଡା ପ୍ରଚାର ପାଇଁ ଧାମନଗର ଆସୁଛନ୍ତି ନାଁ’ ନାହିଁ, ତାହା ଦେଖିବାକୁ ବାକି ରହିଲା। ସେହିପରି ଏହି ଉପ- ନିର୍ବାଚନରେ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କର ଆଦୌ ଦେଖା ଦର୍ଶନ ମିଳୁନି। ଅନ୍ୟାନ୍ୟ ଉପ- ନିର୍ବାଚନ ଗୁଡ଼ିକରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାକୁ ଯାଇ ନିର୍ବାଚନ ପ୍ରଚାରରେ ଚଳଚଞ୍ଚଳ ରହୁଥିବା ହରପ୍ରିୟା ନିଜ ଜିଲ୍ଲାରେ ଉପନିର୍ବାଚନରେ ପୂରା ନିଷ୍କ୍ରିୟ ଥିବା ଜଣାପଡ଼ୁଛି। ପରିବାରବାଦ ବା ବଂଶବାଦ ରାଜନୀତିକୁ ବିରୋଧ କରି ସବୁବେଳେ ମନ୍ତବ୍ୟ ରଖି ଆସୁଥିବା ହରପ୍ରିୟା ହୁଏତ ଏଠି ପରିବାରବାଦ ଆଧାରରେ ଟିକେଟ ମିଳିଥିବା କାରଣରୁ ନିଜକୁ ଏହି ଉପ- ନିର୍ବାଚନ ପ୍ରଚାର କାର୍ଯ୍ୟରୁ ବୋଧହୁଏ ଦୂରେଇ ରଖିଛନ୍ତି, ଅଥବା ତାଙ୍କୁ ଦୂରେଇ ରଖାଯାଇଛି ବୋଲି ଆଲୋଚନା ହେଉଛି। ସେହିପରି ଧାମନଗର ନିର୍ବାଚନରେ ସଂଖ୍ୟାଲଘୁ ଭୋଟର ଏକ ବଡ଼ ଭୂମିକା ରହିଥିବା କାରଣରୁ ଏବଂ ହରପ୍ରିୟାଙ୍କର ଏକ ଉଗ୍ର ହିନ୍ଦୁତ୍ୱ ଛବି ରହିଥିବା କାରଣରୁ ତାଙ୍କର ସକ୍ରିୟତା ଏଠି ଦେଖିବାକୁ ମିଳୁନି ବୋଲି ମଧ୍ୟ କୁହାଯାଉଛି। ସେ ଯାହା ହେଉ ସାଧାରଣରେ ଲୋକେ କିନ୍ତୁ, ଏମାନଙ୍କ ସମସ୍ତଙ୍କର ଉପସ୍ଥିତି ଆଶା କରୁଛନ୍ତି। କିନ୍ତୁ, କଣ ବା’ କରାଯିବ? ବିରୋଧୀ ମଧ୍ୟ ଆକ୍ଷେପ କରି କହୁଛନ୍ତି, ଧାମନଗର ଯିବାକୁ ମତେ ହୋଇଛି ମନା ..
-/Dr