Odiapua.com

ଓଡ଼ିଶାରୁ କିଏ ହେବେ କେନ୍ଦ୍ରମନ୍ତ୍ରୀ? ଚର୍ଚ୍ଚାରେ ଦୁଇ ଷଡ଼ଙ୍ଗୀ!

ଭୁବନେଶ୍ୱର:୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ୮ଟି ଆସନ ଜିତିପାରିଛି।ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ,ବରଗଡ଼ରୁ ସୁରେଶ ପୂଜାରୀ,ସୁନ୍ଦରଗଡ଼ରୁ ଜୁଏଲ ଓରାମ,ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂହଦେଓ, କଳାହାଣ୍ଡିରୁ ବସନ୍ତ ପଣ୍ଡା, ସମ୍ବଲପୁରରୁ ନିତେଶ ଗଙ୍ଗଦେବ ଏବଂ ମୟୁରଭଞ୍ଜରୁ ବିଶେଶ୍ୱର ଟୁଡୁ ନିର୍ବାଚନ ଜିତିଛନ୍ତି।ଯେତେବେଳେ କି ୨୦୧୪ ନିର୍ବାଚନରେ ବିଜେପିରୁ ଏକ ମାତ୍ର ଜୁଏଲ ଓରାମ ଜିତି ପାରିଥିଲେ।ବିଜେପି ମାତ୍ର ଗୋଟିଏ ସିଟ୍ ଜିତି ପାରିଥିବା ବେଳେ ମୋଦୀ କିନ୍ତୁ ଦୁଇ ଜଣଙ୍କୁ କେନ୍ଦ୍ରମନ୍ତ୍ରୀ କରାଇଲେ।ଏକ ମାତ୍ର ନିର୍ବାଚିତ ସାଂସଦ ଜୁଏଲଙ୍କ ବ୍ୟତୀତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଅନ୍ୟ ରାଜ୍ୟରୁ ରାଜ୍ୟ ସଭାକୁ ପଠାଇ କେନ୍ଦ୍ରମନ୍ତ୍ରୀ କରାଇଥିଲେ।ଏବେ କିନ୍ତୁ ୮ଜଣ ନିର୍ବାଚିତ ସାଂସଦ।ଆଶା ରହିବା ତ’ ସ୍ବଭାବିକ।ତାହା ପୁଣି ଟିକେ ଅଧିକ!

ଓଡ଼ିଶାରୁ କିଏ ହେବ କେନ୍ଦ୍ରମନ୍ତ୍ରୀ ନେଇ ବିଜେପି ଭିତରେ ଏବେ ଆଲୋଚନା ଜୋର ଚାଲିଛି।ପରସ୍ପର ମଧ୍ୟରେ ଆଲୋଚନା ହେଉଛି।ସୋସିଆଲ ମିଡିଆରେ ମଧ୍ୟ ଆଲୋଚନା ହେଉଛି।ସର୍ଭେ ହେଉଛି।ତର୍କ ହେଉଛି।ଏବଂ ଏହି କେନ୍ଦ୍ରମନ୍ତ୍ରୀ ଲିଷ୍ଟରେ ଅଧିକ ଆଲୋଚନାରେ ରହିଛନ୍ତି ଦୁଇ ଷଡ଼ଙ୍ଗୀ।ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ ଏବଂ ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ।ସମ୍ଭାବନା ବି ରହୁଛି।କାରଣ ଉଭୟ ବି ଯୋଗ୍ୟ।ଆଲୋଚନା ହୁଏ,୧୧ ବର୍ଷର ଆଇଏଏସ ଚାକିରୀ ଛାଡ଼ି ଅପରାଜିତା ଷଡ଼ଙ୍ଗୀ କେବଳ ଯେ ଜଣେ ସାଂସଦ ହେବା ପାଇଁ ରାଜନୀତିକୁ ଆସି ନ’ଥିବେ।ମୋଦୀ/ଦିଲ୍ଲୀ ଲେବଲରେ ତାଙ୍କର ପୂର୍ବରୁ ସେମିତି କିଛି ବୁଝାବଣା ହୋଇ ଆସିଥିବେ।ପ୍ରଶାସନିକ ସେବା ଚାକିରୀ ଛାଡ଼ି ରାଜନୀତିକୁ ଆସିବା କାରଣ ଭିତରେ ରାଜନୀତିରେ କାମ କରିବାରେ ବ୍ୟାପକତା ଥିବା ସେ କୁହନ୍ତି।ନିଜ ଆସନ ଭୁବନେଶ୍ୱରରେ ଜିତିବା ତାଙ୍କର ମୂଳ ଲକ୍ଷ ନେଇ ଅପରାଜିତା ଦିନରାତି ଏକ କରି ଦେଇଥିଲେ ମଧ୍ୟ ବିଭିନ୍ନ ସମୟରେ ତାଙ୍କ ବକ୍ତବ୍ୟରେ ସାରା ଓଡ଼ିଶାର ବିକାଶ ତାଙ୍କର ଲକ୍ଷ ବୋଲି କୁହନ୍ତି ଅପରାଜିତା।ଏହି ସବୁ କଥା ସେହିପରି କିଛି ସନ୍ଦେଶ ଦିଏ।ଯାହାକୁ ନେଇ ଅପରାଜିତା କେନ୍ଦ୍ରମନ୍ତ୍ରୀ ହେବା ଆଶା କରାଯାଇ ପାରେ।ଏମିତିରେ ୨୦୧୪ ମନ୍ତ୍ରୀ ମଣ୍ଡଳକୁ ଦେଖିଲେ ମୋଦୀ ରାଜନୈତିକ ଦକ୍ଷତା ବ୍ୟତୀତ ଭିନ୍ନ କିଛି କ୍ଷେତ୍ରରେ ଦକ୍ଷତା ସଂପର୍ଣ୍ଣ ଲୋକଙ୍କୁ ମନ୍ତ୍ରୀ ମଣ୍ଡଳରେ ନେଇଥିଲେ।ସେ ଦୃଷ୍ଟି କୋଣରୁ ଅପରାଜିତା ଷଡ଼ଙ୍ଗୀଙ୍କ କଥା ଆଶା କରାଯିବା ସ୍ୱାଭାବିକ।ଏଣେ ସଙ୍ଗଠନକୁ ଦୃଷ୍ଟିରେ ଦେଖିଲେ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପଯୁକ୍ତ।ସ୍ୱଚ୍ଛ ଭାବମୂର୍ତ୍ତି ସଂପର୍ଣ୍ଣ ଓଡ଼ିଶାର ଜଣେ ପପୁଲାର ନେତା।ପୂର୍ବରୁ ପ୍ରତାପ ଷଡ଼ଙ୍ଗୀଙ୍କୁ ରାଜ୍ୟ ସଭାପତି କରାଯାଉ ବୋଲି ସଂଘ ଏବଂ ସଙ୍ଗଠନ ସ୍ତରରେ ପ୍ରବଳ ଦାବି ହୋଇ ଆସୁଥିଲା।

ଗତ ଥର ଗୋଟିଏ ସାଂସଦ ସ୍ଥାନରେ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ କରାଯିବା ପଛରେ ମୋଦିଙ୍କର “ଲୁକ ଇଷ୍ଟ ପଲିସ” ଭିତରେ ପୂର୍ବାଞ୍ଚଳର ବିକାଶ କିମ୍ବା ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ବଦଳରେ ଓଡ଼ିଶାରେ ସଙ୍ଗଠନକୁ ମଜଭୁତ କରିବା ଉଦ୍ଦେଶ୍ୟ ଥାଇପାରେ।ଯେଉଁଥିରେ କି ଦୁଇ କେନ୍ଦ୍ରମନ୍ତ୍ରୀ ବିଫଳ ହେଲେ।ବରଂ ପଶ୍ଚିମବଙ୍ଗ ପରି ସ୍ଥାନରେ ଭାଜପାକୁ ଭଲ ସଫଳତା ମିଳିଲା।ପୁଣି ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅଛି।ତେଣୁ ପଶ୍ଚିମବଙ୍ଗରେ ପ୍ରଭାବ ବୃଦ୍ଧି କରିବା ପାଇଁ ସେଠାରୁ ଅଧିକ କେନ୍ଦ୍ରମନ୍ତ୍ରୀ କରାଯିବା ଆଶା କରାଯାଏ।ସେ ଅନୁଯାୟୀ ହୁଏତ ଓଡ଼ିଶାରୁ ଆଉ ଅଧିକ ଆଶା କରିବା ବୃଥା ହୋଇପାରେ।

ତେଣୁ ଏ’ସବୁ ଭିତରେ ଦୁଇ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ ଏବଂ ପ୍ରତାପ ଷଡ଼ଙ୍ଗୀଙ୍କ ସମ୍ଭାବନା ଅଧିକ ଥିଲେ ମଧ୍ୟ ଉଭୟ ପୂର୍ବ ଓଡ଼ିଶାର।ତେଣୁ ହୁଏତ ପଶ୍ଚିମ ଓଡ଼ିଶା କଥା ବିଚାରକୁ ନିଆ ଯାଇପାରେ।ନ’ହେଲେ ହୁଏତ ବିଧାୟକ ଦଳ ନେତା ଏବଂ ରାଜ୍ୟ ସଭାପତି ପଦବୀ କ୍ଷେତ୍ରରେ ପଶ୍ଚିମ ଓଡ଼ିଶାକୁ ଗୁରୁତ୍ୱ ଦିଆଯାଇ ପାରେ।//ଦେବଦତ୍ତ