Odiapua.com

କିଏ ହେବ ବିଜେପି ମୁଖ୍ୟମନ୍ତ୍ରୀ ପାର୍ଥି?ପୂର୍ଣ୍ଣଛେଦ ନୁହେଁ,ଜୁଏଲଙ୍କ ମନ୍ତବ୍ୟ ଅପରାଜିତାଙ୍କ ସମ୍ଭାବନା ବଢ଼ାଉଛି!

ଭୁବନେଶ୍ୱର:କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ପାର୍ଥି?ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ଚେହେରା କରି ଲଢ଼ିବ,ନାଁ ଚେହେରା କେବଳ ଜଣେ ନରେନ୍ଦ୍ର ମୋଦୀ ଏବଂ ସଙ୍ଗଠନ ଆଧାରରେ ଲଢ଼ିବ?ଏ ନେଇ କିଛି ଦିନ ହେଲା ଆଲୋଚନା ହୋଇ ଆସୁଛି।ବାସ୍ତବରେ ବିଜେପିର ଏନେଇ ନୀତି ନିର୍ଦ୍ଧାରଣ ସଂସ୍ଥା ପାର୍ଲିଆମେଣ୍ଟାରୀ ବୋର୍ଡ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ଏ ବିଷୟରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରି ନାହାଁନ୍ତି।କିନ୍ତୁ ଏନେଇ ଆଲୋଚନା ଲାଗି ରହିଛି।ଆଜି ସେହି ଆଲୋଚନାରେ ପୁଣି ଘିଅ ଢାଳିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ପାର୍ଥି ହେବେ ବୋଲି ଏକ ଗୋଷ୍ଠୀ ପକ୍ଷରୁ ସବୁବେଳେ ପ୍ରଚାର କରାଯାଇ ଆସୁଥିବା ବେଳେ ଏହାକୁ ସବୁଠାରୁ ଅଧିକ ବିରୋଧ କରି ବିଜେପିରେ ଅନେକ ମୁଖ୍ୟମନ୍ତ୍ରୀ ଚେହେରା ଅଛନ୍ତି ବୋଲି କହି ଆସୁଥିବା ଜୁଏଲ ଓଲଟି ଯାଇଛନ୍ତି।ଜୁଏଲ କହିଛନ୍ତି ଧର୍ମେନ୍ଦ୍ର ଆମର ମୁଖ୍ୟମନ୍ତ୍ରୀ ପାର୍ଥି।

ଜୁଏଲ ଏକଥା ଦୂତୀୟ ଥର କହିଛନ୍ତି।ଏହା ପୂର୍ବରୁ ଏଇ କିଛି ଦିନ ତଳେ ଏକ ଘରୋଇ ଟିଭି ଆଲୋଚନାରେ ସେ ପ୍ରଥମ ଥର ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପାର୍ଥି ବୋଲି କହିଥିଲେ।ଅବଶ୍ୟ ସେ କହିଥିଲେ ଏହା ମୋ ମତ/ଇଚ୍ଛା,ଦଳର ନିଷ୍ପତି ନୁହେଁ।ତେବେ ଆଜିର ଦିନରେ ଜୁଏଲଙ୍କ କଥା ବୋଧହୁଏ ଭିର୍ଣ୍ଣ ଇଙ୍ଗିତ କରୁଛି।

ମଧ୍ୟ ପ୍ରଦେଶ,ରାଜସ୍ଥାନରେ ଅନେକ ନିର୍ବାଚିତ ବିଧାୟକଙ୍କ ଟିକେଟ କଟିଯାଇଥିବା ବେଳେ ଓଡ଼ିଶାରେ କିନ୍ତୁ ପରାଜିତ ପାର୍ଥି ଟିକେଟ ପାଉଛନ୍ତି ବୋଲି ପ୍ରଚାର କରାଉଥିବା ପରି ଜୁଏଲ ତାଙ୍କ ଆଡୁ ଆଜିଠୁ ମୁଖ୍ୟମନ୍ତ୍ରୀ ପାର୍ଥି ଘୋଷଣା କରି ସାରିଲେଣି!

ତେବେ ବଡ଼ କଥା ହେଲା ଆଜି ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗ ଦେଇଛନ୍ତି।ଅପରାଜିତା ଯେଉଁ ସ୍ତରର ବ୍ୟକ୍ତିତ୍ୱ ଏବଂ ତାଙ୍କୁ ଯେଉଁ ପରି ଗୁରୁତ୍ୱ ଦିଆଯାଇ ଦଳରେ ସାମିଲ କରାଗଲା,ତାକୁ ନେଇ ବିଭିନ୍ନ ପ୍ରକାର ଆକଳନ କରାଯାଉଛି।ଅପରାଜିତାଙ୍କୁ ଏକ ଗୁରୁ ଦାୟିତ୍ୱ ଦିଆଯିବା ଆଲୋଚନା ସହ ନବୀନଙ୍କୁ ପ୍ରତିହତ କରିବା ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପାର୍ଥି କରାଯାଇପାରେ ବୋଲି ମଧ୍ୟ ଏକ ଆଲୋଚନା ଜୋର ଧରିଛି।ଅବଶ୍ୟ ଅପରାଜିତା ବିଜେପିର ଆଦର୍ଶ ଏବଂ ମୋଦୀଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ଜଣେ ସାଧାରଣ ସଦସ୍ୟ ଭାବରେ ଯୋଗ ଦେଇଛନ୍ତି ବୋଲି ନିଜେ କହିଛନ୍ତି।ତେବେ ଆଲୋଚନା ବାହାରେ ଯାହାବି ହେଉ,ଜୁଏଲ ଆଉ ଏଥିରେ ବିଚଳିତ ହୋଇ ଆଜିର ଦିନରେ ଏପରି ଆଉ କହିଛନ୍ତି କି?ବୋଲି ସନ୍ଦେହ ହେଉଛି।ଜୁଏଲ ମଧ୍ୟ କହିଛନ୍ତି,ସିଏ ତ’ ଏବେ ପ୍ରାଥମିକ ସଦସ୍ୟ ଭାବରେ ଯୋଗ ଦେଇଛନ୍ତି।ବିଜେପିରେ ପ୍ରଥମେ ଯୋଗ ଦେଉଥିବା ସେ ଯିଏ କେହି ବା ହେଉ,ପ୍ରଥମେ ପ୍ରାଥମିକ ସଦସ୍ୟ ଭାବରେ ହିଁ ଯୋଗ ଦେବ।କିନ୍ତୁ ଏହିପରି ପ୍ରାଥମିକ ସଦସ୍ୟ ଭାବରେ ଯୋଗ ଦେଇ କିରଣ ବେଦୀ ଯେ’ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପାର୍ଥି ହୋଇଥିଲେ।ଓଡ଼ିଶାରେ ମଧ୍ୟ ପ୍ରାଥମିକ ସଦସ୍ୟ ଭାବରେ ଯୋଗ ଦେଇ ପିତାମ୍ବର ଆଚାର୍ଯ୍ୟ ସିଧା ରାଜ୍ୟ ପ୍ରବକ୍ତା!

ତେବେ ଏଠାରେ ଏ ପ୍ରସଙ୍ଗରେ ବିଜେପିର ଜଣେ ନେତୃତ୍ୱ ପ୍ରତାପ ଷଡ଼ଙ୍ଗୀଙ୍କ ମନ୍ତବ୍ୟ ସଙ୍ଗଠନ ଢାଞ୍ଚାରେ ଥିଲାପରି ମନେ ହୁଏ।ଏହିପରି ଏକ ପ୍ରଶ୍ନର ଉତ୍ତରରେ ପ୍ରତାପ ଥରେ କହିଥିଲେ ମୁଖ୍ୟମନ୍ତ୍ରୀ ଚେହେରା କାହାକୁ କରାଯାଇ ପାରେ,ନ’ କରାଯାଇ ବି ପାରେ।ଏ ବିଷୟରେ ଦଳ କି ପାର୍ଲିଆମେଣ୍ଟାରୀ ବୋର୍ଡ ନିଷ୍ପତି ନେବ।ଏ ନେଇ ମୁଁ କହିବା ମୋର ଅଧିକାର ପରିସର ଭୁକ୍ତ ନୁହେଁ।

ଏ ଭିତରେ ଜୁଏଲ ଓରାମଙ୍କ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ବିଜେପି ଛାଡ଼ିବା କଥା ଆଲୋଚନା ଜୋର ଧରିଛି।ଜୁଏଲ ଜିତିବା ପଛରେ ଦିଲ୍ଲୀପଙ୍କର ଯେ ଏକ ବଡ଼ ଭୂମିକା ରହିଥିବା ସମସ୍ତେ ଜାଣନ୍ତି।ଏବେ ଯଦି ଦିଲ୍ଲୀପ ପ୍ରକୃତରେ ବିଜେପି ଛାଡ଼ି ଦିଅନ୍ତି,ତେବେ ରାଉରକେଲା ବିଧାନସଭା ଆସନ ସମେତ ଜୁଏଲଙ୍କ ସୁନ୍ଦରଗଡ଼ ଆସନ ବଜାୟ ରଖିବା ବିଜେପି ପାଇଁ କଷ୍ଟକର ହୋଇଯିବ।ଏବଂ ବାହାରେ ହେଉଥିବା ଏକ ଆଲୋଚନାକୁ ଭିତ୍ତି କରି ଜୁଏଲ ଯେପରି ଅପରାଜିତା ଯୋଗ ଦେବା ଦିନରେ ହିଁ ଏପରି ମନ୍ତବ୍ୟ ଦେଇଛନ୍ତି,ସେଥିରୁ ଅପରାଜିତା ଯେ ସତରେ କ’ଣ ଆଉ ଏକ ଗୁରୁ ଦାୟିତ୍ୱ ନେଉଛନ୍ତି କି?ଆଲୋଚନାକୁ ଅଧିକ ଖୋରାକ ଯୋଗାଉଛି।/ଦେବଦତ୍ତ