Odiapua.com

ରାଜନୀତିରେ ଟ୍ରାନ୍ସଫର୍ମର ଉପାଖ୍ୟାନ: ପୋଡ଼ା ଟ୍ରାନ୍ସଫର୍ମର କିଏ; ମଙ୍ଗୁ ଦତ୍ତ, ମୋଦି, ନବୀନ ନାଁ ଧର୍ମେନ୍ଦ୍ର ?

ଭୁବନେଶ୍ୱର: ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ଏବେ ପ୍ରଚାର ସରଗରମ ଧରିଛି। ଘନଘନ ପ୍ରଚାର ସାଙ୍ଗକୁ ଆରୋପ ପ୍ରତ୍ୟାରୋପ ଚାଲିଛି। ତେବେ ଏ’ ଭିତରେ ଏବେ “ପୋଡ଼ା ଟ୍ରାନ୍ସଫର୍ମର” ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବିଜେପି ଆକ୍ଷେପ କରୁଛି ଯେ, ଦିବ୍ୟଙ୍ଗତ ନେତା ବାଲେଶ୍ୱର ସଦରର ଭୁତପୂର୍ବ ବିଧାୟକ ମଦନ ମୋହନ ଦତ୍ତ (ମଙ୍ଗୁ ଭାଇ)ଙ୍କୁ ବେଜେଡି ନେତା ଅପମାନିତ କରିଛନ୍ତି। କିଛିଦିନ ତଳେ ଉପନିର୍ବାଚନ “ସୁଯୋଗ ଆଣିଦେଇଛି” ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମନ୍ତବ୍ୟକୁ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ସହ ତୁଳନା କରି ମନ୍ତ୍ରୀ ତାଙ୍କର ଅପମାନ କରିଥିବା ବିଜେପି ଅଭିଯୋଗ କରିଥିବା ବେଳେ ଏବେ ପୁଣି ବିଜେଡି ଷ୍ଟାର ପ୍ରଚାରକ କୁନା ତ୍ରିପାଠୀ ମଙ୍ଗୁ ଦତ୍ତଙ୍କ ଉଦ୍ଦେଶ୍ୟରେ ପୋଡ଼ା ଟ୍ରାନ୍ସଫର୍ମର କହି ତାଙ୍କର ଅପମାନ କରିଥିବା ଅଭିଯୋଗ କରୁଛି ବିଜେପି। ବାସ୍ତବରେ କିଏ ଠିକ୍ କିଏ ଭୁଲ୍ ତାହାକୁ ନେଇ ସମୀକ୍ଷା କରିବାର ଅଛି।

ବାଲେଶ୍ଵର ସଦର ନିର୍ବାଚନୀ ସଭାରେ ଯୋଗ ଦେଇ କୁନା ତ୍ରିପାଠୀ କହିଥିଲେ, “ହୀରାକୁଦରୁ ଆସୁଛି ବିଜୁଳି ଶକ୍ତି। ଯେଉଁଥିପାଇଁ ଆମ ଘରେ ବଲ୍‌ ଜଳୁଛି ଏବଂ ପଙ୍ଖା ଘୁରୁଛି। ଯଦି ବିଜୁଳି ଶକ୍ତି ସିଧାସଳଖ ହୀରାକୁଦରୁ ଘରକୁ ଆସିବ, ତାହାହେଲେ ଘର ପୋଡ଼ି ଧ୍ୱଂସ ହୋଇଯିବ। ତେଣୁ ବିଜୁଳି ଶକ୍ତିକୁ କଣ୍ଟ୍ରୋଲ୍‌ କରିବା ପାଇଁ ଗୋଟିଏ ଟ୍ରାନ୍ସଫର୍ମର ଦରକାର। ବିଜୁଳି ଶକ୍ତି ପରି ଘର ଓ ଅଞ୍ଚଳର ବିକାଶ ପାଇଁ ନବୀନବାବୁ ହୀରାକୁଦ ସାଜିଛନ୍ତି। ତେବେ ନବୀନ ବାବୁ ପଠାଉଥିବା ଶକ୍ତିକୁ କଣ୍ଟ୍ରୋଲ କରିବା ପାଇଁ ଯଦି ଆମ ଲୋକାଲ୍ ଟ୍ରାନ୍ସଫର୍ମର ପୋଡ଼ିଗଲା, ତାହା ହେଲେ କଥା ସରିଗଲା। ଏଠି କିଛିଦିନ ପାଇଁ ବସିଥିବା ଟ୍ରାନ୍ସଫର୍ମର କାମ କଲାନି ବୋଲି କୁଆଡ଼େ ଏଠାକାର ଭାଇ ଓ ଭଉଣୀମାନେ କଥା ହେଉଛନ୍ତି। ଏବେ ନବୀନବାବୁ ଆଉ ଗୋଟିଏ ନୂଆ ଟ୍ରାନ୍ସଫର୍ମର ଦେଉଛନ୍ତି, ସେ ହେଉଛନ୍ତି ସ୍ୱରୁପ ଦାସ। ତାଙ୍କୁ ଭୋଟ ଦେଇ ଜିତାନ୍ତୁ।” ଏଠାରେ କୁନା ତ୍ରିପାଠୀ ମଙ୍ଗୁ ଦତ୍ତଙ୍କୁ ପୋଡ଼ା ଟ୍ରାନ୍ସଫର୍ମର ବୋଲି ଆଦୌ କହି ନାହାଁନ୍ତି। କିଛିଦିନ ପାଇଁ ବସିଥିବା ଟ୍ରାନ୍ସଫର୍ମର କାମ କଲାନି ବୋଲି ପରୋକ୍ଷରେ ସେ ମଙ୍ଗୁ ଦତ୍ତଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ତାଙ୍କର ସେହି ସ୍ଵଳ୍ପ କାର୍ଯ୍ୟକାଳ ଭିତରେ ହୁଏତ ଯେତେ ବା ଭଲ କାମ କରିଥାଆନ୍ତୁ ପଛକେ, ନିର୍ବାଚନ ପ୍ରଚାର ସମୟରେ କୌଣସି ବି ବିପକ୍ଷ ଦଳ ପକ୍ଷରୁ ତାଙ୍କ ପ୍ରଶଂସା ଶୁଣିବା ଆଶା କରିବା ବୃଥା। ନିର୍ବାଚନ ପ୍ରଚାର ସମୟରେ ବିପକ୍ଷର ଅପାରଗତା ବିଷୟରେ ପ୍ରତିପକ୍ଷ ଅଭିଯୋଗ ଉଠାଇବା ସ୍ୱଭାବିକ କଥା। ତେବେ, କଥା ହେଲା ମଙ୍ଗୁ ଦତ୍ତଙ୍କୁ ଟ୍ରାନ୍ସଫର୍ମର ସହିତ ତୁଳନା କରିବା କଥା। କିଛିଦିନ ପାଇଁ ବସିଥିବା ଟ୍ରାନ୍ସଫର୍ମର କାମ କଲାନି ବୋଲି ପରୋକ୍ଷରେ କୁନା ତ୍ରିପାଠୀ ମଙ୍ଗୁ ଦତ୍ତଙ୍କ ଉଦ୍ଦେଶ୍ୟରେ ହିଁ କହିଛନ୍ତି। ତେବେ ଏ’ ଟ୍ରାନ୍ସଫର୍ମର ଉପାଖ୍ୟାନ ଆରମ୍ଭ କରିଥିଲା କିଏ, ତାହା ଚିନ୍ତା କରିବାର କଥା।

ଟ୍ରାନ୍ସଫର୍ମର ଉପାଖ୍ୟାନ ଆରମ୍ଭ ତ’ କରିଥିଲା ବିଜେପି। ୨୦୧୯ ସାଧାରଣ ନିର୍ବାଚନ ପ୍ରଚାର ସମୟରେ ନବୀନ ସରକାରଙ୍କ ଉଦ୍ଦେଶ୍ୟରେ ପୋଡ଼ା ଟ୍ରାନ୍ସଫର୍ମରକୁ ଉପାଡ଼ି ଫିଙ୍ଗିଦେବା କଥା କହିଥିଲେ ଏବେକାର ଗୃହମନ୍ତ୍ରୀ ତଥା ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଆଜି ସେହି ଟ୍ରାନ୍ସଫର୍ମର ମନ୍ତବ୍ୟ ଉପରେ ବିଜେପି ଜଣାଉଛି ପ୍ରତିବାଦ। ଏହା କୁଆଡ଼େ ମଙ୍ଗୁ ଦତ୍ତ, ମୋଦି, ବାଲେଶ୍ଵର ଏବଂ ଓଡ଼ିଶା ପାଇଁ ଅପମାନ ବୋଲି କହୁଛି ବିଜେପି। ଏହା ବହୁତ ଦୁଃଖଦାୟକ, ବହୁତ ନିନ୍ଦନୀୟ। ଲୋକଲଜ୍ଜା, କୌଣସି ଶାଳୀନତା ଥିଲେ ଏପରି ମନ୍ତବ୍ୟ ଦିଆଯାଏନି। ମଙ୍ଗୁ ଦତ୍ତ କ’ଣ ପୋଡ଼ା ଟ୍ରାନ୍ସଫର୍ମର, ବାଲେଶ୍ୱରିଆ କ’ଣ ପୋଡ଼ା ଟ୍ରାନ୍ସଫର୍ମର, ମୋଦି କ’ଣ ପୋଡ଼ା ଟ୍ରାନ୍ସଫର୍ମର ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଅହଂକାରରେ ମଦମସ୍ତ ଶାସକ ଦଳ ଏ’ ପ୍ରକାର ଗାଳି ଗୁଲଜ ଅପପ୍ରଚାର କରୁଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏହାକୁ ନେଇ ଅହଂକାରରେ ମଦମସ୍ତ ବିଜେଡି ଦଳର ଲୋକଲଜ୍ଜା ଏବଂ ଶାଳୀନତା ନାହିଁ ବୋଲି ଆଜି କହୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେବେ ୨୦୧୯ ସାଧାରଣ ନିର୍ବାଚନ ପ୍ରଚାର ସମୟରେ ଓଡ଼ିଶା ଆସି ସେଦିନ ଯେବେ ଅମିତ ଶାହା “ନବୀନ ପଟ୍ଟନାୟକଙ୍କ ପୋଡ଼ା ଟ୍ରାନ୍ସଫର୍ମର ସରକାରକୁ ଉପାଡ଼ି ଫିଙ୍ଗିଦିଅ” ବୋଲି କହିଥିଲେ ସେତେବେଳେ ସେହି ମଞ୍ଚରେ ଉପସ୍ଥିତ ଥିଲେ ଏଇ ଧର୍ମେନ୍ଦ୍ର ପ୍ରଧାନ। ଅମିତ ଶାହାଙ୍କ ଭାଷଣରେ ଧର୍ମେନ୍ଦ୍ର ଖୁସିରେ ତାଳି ମାରିଥିଲେ ଆଉ ଡବଲ୍ ଇଞ୍ଜିନ କଥା କହିଥିଲେ। କୁନା ତ୍ରିପାଠୀ ତ’ ପରୋକ୍ଷରେ କହିଥିଲେ, ମଦନ ମୋହନ ଦତ୍ତଙ୍କ ନାଁ ମଧ୍ୟ ନେଇ ନଥିଲେ। କିନ୍ତୁ, ଅମିତ ଶାହା ସେଦିନ ସିଧାସଳଖ ନାଁ ନେଇ କହିଥିଲେ, “ଓଡ଼ିଶା ସରକାର ନାମରେ ଯେଉଁ ଟ୍ରାନ୍ସଫର୍ମର ଅଛି ତାହା ପୋଡ଼ି ଯାଇଛି। ଉପାଡ଼ି ଫିଙ୍ଗିଦିଅ ଏହି ବିଜୁ ଜନତା ଦଳ ସରକାରକୁ।” ନବୀନ ସରକାରକୁ ମୂଳ ସହ ଓପାଡ଼ି ଫଙ୍ଗି ଦେବାକୁ ଆହ୍ୱାନ କରିଥିଲେ ଅମିତ ଶାହା। ତେବେ, ତାହା କ’ଣ ନବୀନ ପଟ୍ଟନାୟକ, ଓଡ଼ିଶା ପାଇଁ ଅପମାନ ନଥିଲା କି ବୋଲି ଅନ୍ୟକୁ ଦୋଷାରୋପ କରିବା ପୂର୍ବରୁ ଏମାନେ ନିଜେ ଚିନ୍ତା କରିବା କଥା। ସେଦିନ କ’ଣ ଅହଂକାରରେ ମଦମସ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକଲଜ୍ଜା ଏବଂ ଶାଳୀନତା ନଥିଲା କି ବୋଲି ମଧ୍ୟ ପ୍ରଶ୍ନ ଉଠିପାରେ। ଆଲୋ ସଖି ଆପଣା ମହତ ଆପେ ରଖି।
/- ଦେବଦତ୍ତ ରଥ