Odiapua.com

ଦୁଷ୍କର୍ମ ପିଡ଼ିତା ଦିବ୍ୟାଙ୍ଗା ନାବାଳିକା ହୋଇଗଲେ ମା’; ଆଉ ତା’ ପରେ… (ଏକ ଅଧୁରା କାହାଣୀ ..)

ନୂଆଦିଲ୍ଲୀ: ଦୁଷ୍କର୍ମ ପିଡ଼ିତା ଜଣେ ଦିବ୍ୟାଙ୍ଗା ନାବାଳିକାଙ୍କ କରୁଣ କାହାଣୀ.. ଏ’ କାହାଣୀଟି ଏବେ ଅଧୁରା।କାହାଣୀ ପୁଣି ଲେଖିବାକୁ ବାକି ଅଛି, ତାଙ୍କ ପାଇଁ ଏବଂ ସେ ଜନ୍ମ ଦେଇଥିବା ଅବୈଧ ସନ୍ତାନଟି ପାଇଁ।ଦୁଷ୍କର୍ମ ପିଡ଼ିତା ଦିବ୍ୟାଙ୍ଗା ନାବାଳିକା ମା’ ର ଅବୈଧ ସନ୍ତାନଟି ଏବେ ନିଜ ପରିଚୟ ପାଇଁ କରୁଛି ସଙ୍ଘର୍ଷ।

ଘଟଣାଟି ରାଜଧାନୀ ଦିଲ୍ଲୀ, ମଙ୍ଗୋଲପୁରୀ ଅଞ୍ଚଳର।୨୦୧୫ ମସିହାର କଥା।ଜଣେ ସାଢ଼େ ୧୩ ବର୍ଷର ମାନସିକ ରୂପେ ଅନଗ୍ରସର, ମୁକ ଏବଂ ବଧିର ଦିବ୍ୟାଙ୍ଗା ନାବାଳିକା ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ବିଶେଷ ରୂପେ ଏପରି ପିଲାଙ୍କ ପାଇଁ ସଞ୍ଚାଳିତ ଏକ ସ୍କୁଲକୁ ପଢ଼ିବାକୁ ଯାଉଥିଲା।ହଠାତ୍ ଦିନେ ତା’ର ପେଟରେ ଯନ୍ତ୍ରଣା ହେବାରୁ ତାକୁ ମେଡିକାଲ୍ ନିଆଗଲା।ପରୀକ୍ଷା ପରେ ଜଣାପଡ଼ିଲା ସେ ୬ ମାସର ଗର୍ଭବତୀ।ବାପା, ମା’ଙ୍କର ସତେ ଯେପରି ପାଦ ତଳୁ ମାଟି ଖସିଗଲା।ଏହାପରେ ପୋଲିସ ସହାୟତାରେ ତାର ଗର୍ଭପାତ ପାଇଁ ପରିବାର ପକ୍ଷରୁ ଅଦାଲତରେ ଯାଚିକା ଦିଆଗଲା।ଅଦାଲତ ବିଶେଷଜ୍ଞ ଟିମ୍ ଦ୍ୱାରା ଯାଞ୍ଚ କରାଇ ରିପୋର୍ଟ ମାଗିଲେ।ତେବେ, ରିପୋର୍ଟରେ ଆସିଲା ଯେ ଯଦି ଗର୍ଭପାତ କରାଯାଏ, ତେବେ ନାବାଳିକା ଜଣଙ୍କର ଜୀବନ ଯିବାର ସମ୍ଭାବନା ରହିଛି।ତେଣୁ ଅଦାଲତ ଗର୍ଭପାତ ପାଇଁ ଅନୁମତି ଦେଲେ ନାହିଁ।ଏହି ଘଟଣାରେ ସେ ପଢ଼ୁଥିବା ସ୍କୁଲ ଭ୍ୟାନ୍ ଡ୍ରାଇଭରକୁ ଅଭିଯୁକ୍ତ କରାଗଲା।କିନ୍ତୁ, ୨୦୧୫ ସେପ୍ଟେମ୍ବରରେ ନାବାଳିକା ଜଣଙ୍କ ଛୁଆଟିକୁ ଜନ୍ମ ଦେବା ପରେ ଅଭିଯୁକ୍ତ ଡ୍ରାଇଭରର ଡିଏନଏ ସହ ଛୁଆଟିର ଡିଏନଏ ମିଳାଇବାରେ ତାହା ମେଳ ଖାଇଲା ନାହିଁ।ଅଭିଯୁକ୍ତ ଡ୍ରାଇଭରକୁ ନିର୍ଦୋଷରେ ଖଲାସ କରି ଦିଆଗଲା।ଏହାପରେ ସନ୍ଦେହରେ ଛୁଆଟିର ଡିଏନଏ ସହିତ ନାବାଳିକାର ବାପା ଏବଂ ଭାଇଙ୍କ ସମେତ ୬ ଜଣ ସନ୍ଦିଗ୍ଧଙ୍କ ଡିଏନଏ ମିଳାଗଲା।କିନ୍ତୁ, କାହାର ବି ଡିଏନଏ ମେଳ ଖାଇଲା ନାହିଁ।ଏହି ମାମଲାରେ ପୋଲିସର ହାତ ଆଜି ବି ଖାଲି।ପିଡ଼ିତା ନାବାଳିକା ଜଣଙ୍କ କହି ବା ଶୁଣି ପାରୁନ’ଥିବା ସହ କିଛି ବୁଝିପାରୁ ନ’ଥିବା କାରଣରୁ କୋର୍ଟରେ ତାଙ୍କର କହିବାର କୌଣସି ମୂଲ୍ୟ ହିଁ ନାହିଁ।ଏବେ ପିଡ଼ିତାଙ୍କ ମା’ କୋର୍ଟରେ ନିଜର ବୟାନ ଦେଇଛନ୍ତି।ନଭେମ୍ବର ମାସରେ ଏହାର ପରବର୍ତ୍ତୀ ଶୁଣାଣି ହେବ।ଏଣେ ଏବେ ସେହି ଶିଶୁଟି ନିଜର ପରିଚୟ ପାଇଁ କରୁଛି ସଙ୍ଘର୍ଷ।ପରିଚୟ ନ’ଥିବାରୁ ପିଲାଟିକୁ କୌଣସି ସ୍କୁଲରେ ଆଡମିସନ୍ ମିଳୁନାହିଁ।ପିଲାଟିର ଅଜା, ଆଈ ତାକୁ ନିଜର ପରିଚୟ ଦେବାକୁ ଇଚ୍ଛା କରୁଛନ୍ତି।କିନ୍ତୁ ଆଇନଗତ ପ୍ରକ୍ରିୟା ଯୋଗୁଁ ତାହା ହୋଇପାରୁ ନାହିଁ।ତାଙ୍କ ପାଖରେ ହସ୍ପିଟାଲର ଡିସଚାର୍ଜ୍ ସାର୍ଟିଫିକେଟ୍ ଅଛି।କିନ୍ତୁ, କିଛି କାମ ଦେଉନି।ଅଜା, ଆଈଙ୍କ କହିବା ଅନୁଯାୟୀ ମା’ ମାନସିକ ରୂପେ ଦୁର୍ବଳ ଥିବାରୁ ତା’ ନାମରେ ଜନ୍ମ ପ୍ରମାଣ ପତ୍ର କୌଣସି କାମକୁ ନୁହେଁ।ଆଡମିସନ୍ ପାଇଁ ସ୍କୁଲକୁ ଗଲାବେଳେ ସେଠାରେ ସେମାନଙ୍କୁ ସମ୍ପୂର୍ଣ୍ଣ କାହାଣୀ କହିବାକୁ ପଡ଼ୁଛି, ଏଣେ ଆଡମିସନ୍ ବି ମିଳୁନି।ଯାହା ସେମାନଙ୍କ ପାଇଁ ଚିନ୍ତା ବଢ଼ାଉଛି।ପରିବାରର କୌଣସି ସଦସ୍ୟ ଶିକ୍ଷିତ ନ’ଥିବାରୁ ତାହା ମଧ୍ୟ ସମସ୍ୟା ସୃଷ୍ଟି କରୁଛି।ସଂପୃକ୍ତ ଦିବ୍ୟାଙ୍ଗା ନାବାଳିକା ଏବଂ ସେ ଜନ୍ମ ଦେଇଥିବା ଶିଶୁଟିର କାହାଣୀ ଏଠି ଅଧୁରା ହୋଇ ରହିଛି।କ’ଣ ରହିବ ସେମାନଙ୍କର ଆଗାମୀ କାହାଣୀ, ଏବଂ କ’ଣ ହେବ ସେମାନଙ୍କର ଭବିଷ୍ୟତ??//ଦେବଦତ୍ତ ରଥ