Odiapua.com

ଲକଡାଉନ ସତ୍ତ୍ୱେ ସମଗ୍ର ଦେଶରେ ଗହମ ଅମଳ କାମ ଜୋରସୋର ଚାଲିଛି – ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ମଧ୍ୟ ଅବ୍ୟାହତ ରହିଛି

କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ସମଗ୍ର ଭାରତରେ ଲକଡାଉନ ବ୍ୟବସ୍ଥା ଲାଗୁ ହୋଇଥିଲେ ମଧ୍ୟ ଗହମ ଅମଳ କାମ ଜୋରସୋରରେ ଚାଲିଛି। ୨୦୨୦ ବର୍ଷର ରବି ଫସଲ ଅମଳ କାମ ପାଇଁ ଯେଉଁ ମାନକ କ୍ରିୟାନୁଷ୍ଠାନ ବିଧି (SOP) ସରକାର ଧାର୍ଯ୍ୟ କରିଛନ୍ତି ତଦନୁସାରେ ଶ୍ରମିକ ଓ ଚାଷୀମାନେ ଏହି ଫସଲ କାଟିବା ଓ ଅମଳ କାମ କରୁଛନ୍ତି। କରୋନା ଭୂତାଣୁ ସଂକ୍ରମଣ ଚାଷୀ ଓ କୃଷି କର୍ମଚାରୀଙ୍କୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଜାରି କରିଥିବା ଏହି ମାନକ କ୍ରିୟାନୁଷ୍ଠାନ ବିଧିକୁ ସବୁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଛି।

ବିଭିନ୍ନ ରାଜ୍ୟରୁ ମିଳିଥିବା ତଥ୍ୟ ଅନୁସାରେ ମଧ୍ୟପ୍ରଦେଶରେ ୯୮ରୁ ୯୯ ଭାଗ ଗହମ ଅମଳ ସରିଲାଣି। ରାଜସ୍ଥାନରେ ୯୨ରୁ ୯୫%, ଉତ୍ତରପ୍ରଦେଶରେ ୮୫ରୁ ୮୮%, ହରିୟାଣାରେ ୫୫ରୁ ୬୦%, ପଞ୍ଜାବରେ ୬୦ରୁ ୬୫ ଏବଂ ଅନ୍ୟାନ୍ୟ ରାଜ୍ୟରେ ୮୭ ରୁ ୮୮% ଗହମ ଅମଳ ସରିଛି।

ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଭିତ୍ତିରେ ଚାଷୀଙ୍କଠାରୁ ଡାଲି ଓ ତୈଳବୀଜ ଆଦି ସଂଗ୍ରହ କାର୍ଯ୍ୟ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ରାଜସ୍ଥାନ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ହରିୟାଣାରେ ଚାଲିଛି। ୨୦୨୦-୨୧ ରବି ଋତୁ ପାଇଁ ଘୋଷଣା କରାଯାଇଥିବା ସରକାରୀ ସହାୟକ ମୂଲ୍ୟ ହିସାବରେ ଚାଷୀଙ୍କଠାରୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀ କିଣା ଯାଉଛି।

ଲକଡାଉନ ସମୟରେ ପାଞ୍ଚଟି ରାଜ୍ୟ ଆନ୍ଧ୍ର, ତେଲଙ୍ଗାନା, ରାଜସ୍ଥାନ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରୁ ୭୨, ୪୧୫.୮୨ ମେଟ୍ରିକ ଟନ ବୁଟ ଓ ଚଣା ଜାତୀୟ ଫସଲ ସଂଗୃହୀତ ହୋଇଛି। ସେହିଭଳି ସାତଟି ରାଜ୍ୟ – ତାମିଲନାଡୁ, ତେଲଙ୍ଗନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ ଓ ଓଡିଶାରୁ ୧, ୨୦, ୦୨୩.୨୯ ମେଟ୍ରିକ ଟନ ହରଡ ଡାଲି ସଂଗୃହୀତ ହୋଇଛି। ଏହି ସମୟରେ ରାଜସ୍ଥାନ, ଉତ୍ତରପ୍ରଦେଶ ଓ ହରିୟାଣାରୁ ୧, ୮୩, ୪୦୦.୮୭ ମେଟ୍ରିକ ଟନ ସୋରିଷ ସଂଗ୍ରହ କରଯାଇଛି।

ଇତି ମଧ୍ୟରେ ଜାତୀୟ ଉଦ୍ୟାନ କୃଷି ବୋର୍ଡ ଦେଶର ୬୧୮ଟି ମାନ୍ୟତା ପ୍ରାପ୍ତ ନର୍ସରରୁ ଫଳ ଓ ପନିପରିବା ଚାଷ ସଂକ୍ରାନ୍ତ ସାମଗ୍ରୀ ଯୋଗାଣ ପ୍ରସ୍ତୁତି ସମ୍ପର୍କରେ ଖବର ପାଇଛି। ଏସବୁ ନର୍ସରୀ ଏବେ ଏହା ଯୋଗାଇବାକୁ ପ୍ରସ୍ତୁତ। ଇଚ୍ଛୁକ୍ତ ବ୍ୟକ୍ତିବିଶେଷ, ଚାଷୀ, ବ୍ୟବସାୟୀ ଓ ଅନ୍ୟାନ୍ୟ ସଂଯୁକ୍ତ ପକ୍ଷଙ୍କ ଅବଗତି ନିମନ୍ତେ ଉଦ୍ୟାନ କୃଷିବୋର୍ଡ ଏହି ତଥ୍ୟ ସବୁ ରାଜ୍ୟ ଓ ଆଞ୍ଚଳିକ ଅଫିସକୁ ଅବଗତ କରାଇଦେଇଛି।