Odiapua.com

ପିପିଲି ଜଗିଛନ୍ତି ପ୍ରଭାତୀ: ଛଡ଼ାଇ ନେଇଥିଲେ ମନ୍ତ୍ରୀପଦ; ଛଡ଼ାଇ ନେବେକି ବିଧାୟକ ପଦ?

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ତାରିଖ ଘୁଞ୍ଚି ଯାଇଛି। ପ୍ରଥମେ ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ କଂଗ୍ରେସ ପାର୍ଥି ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ସ୍ଥଗିତ ରଖାଯାଇଥିଲା। ଏହାପରେ ସାନି ବିଜ୍ଞପ୍ତି ପ୍ରକାଶ ପାଇ ମେ’ ୧୩ ତାରିଖରେ ପିପିଲି ଉପନିର୍ବାଚନ ଲାଗି ଭୋଟ୍ ଗ୍ରହଣ ହେବ ବୋଲି ଘୋଷଣା ହେଲା। ତେବେ ୧୩ ତାରିଖରେ ଇଦ୍ ପଡ଼ୁଥିବାରୁ ପୁନର୍ବାର ଭୋଟ୍ ଗ୍ରହଣ ତାରିଖ ଘୁଞ୍ଚାଇ ଦିଆଗଲା। ମେ’ ୧୩ ପରିବର୍ତ୍ତେ ମେ’ ୧୬ରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ହେବ। ମେ’ ୧୯ ତାରିଖରେ ହେବ ଭୋଟ୍ ଗଣତି ଏବଂ ଘୋଷଣା। ତେବେ, ପୂର୍ବପରି ସେ ଜୋସ୍ ଆଉ ନାହିଁ। ଏମିତିରେ କରୋନା ମହାମାରୀର ଭୟାବହତା ସହିତ କୋଭିଡ୍ କଟକଣା ମଧ୍ୟ ଲାଗୁ ହୋଇଯାଇଛି। ନିର୍ବାଚନ ପ୍ରଚାର ନିମନ୍ତେ ପିପିଲିରେ ଆସର ଜମାଇଥିବା ବିଭିନ୍ନ ଦଳର ଅଧିକାଂଶ ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ଘର ବାହୁଡ଼ା ହୋଇ ଯାଇଛନ୍ତି। ସୀମିତ ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ଚାଲିଛି ନିର୍ବଚନୀ ପ୍ରଚାର। ତେବେ, ଏହି ପିପିଲି ଉପନିର୍ବାଚନ ପାଇଁ ବିଶେଷତଃ ବିଜେପି କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ସତେ ଯେପରି ପ୍ରଥମ ଥର ପାଇଁ ବିଜେପି ଜିତିବା ଉଦ୍ଦେଶ୍ୟରେ ଲଢ଼ୁଥିବା ପରି ଅନୁଭବ ହେଉଥିଲା। ବିଜେପି ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିଲା ନିର୍ବଚନୀ ପ୍ରଚାର କାର୍ଯ୍ୟ। ବିଜେପିର ସ୍ଥିତି ମଧ୍ୟ ଭଲ ଥିଲା। ଆଉ ସବୁଥର ପରି ଏଥର ମଧ୍ୟ ବିଜେପିର ପ୍ରଚାର କାର୍ଯ୍ୟରେ ଆଗରେ ଥିଲା ବିଜେପି ମହିଳା ମୋର୍ଚ୍ଚା। ମହିଳା ମୋର୍ଚ୍ଚାର ଅଧିକାଂଶ ନେତ୍ରୀ ନିଜ ନିଜ ଦାୟିତ୍ୱରେ ଥିବା ଅଞ୍ଚଳ ଗୁଡ଼ିକରେ ପ୍ରଚାର କାର୍ଯ୍ୟ ଶୃଙ୍ଖଳିତ ଭାବରେ ଖୁବ୍ ସୁନ୍ଦର ଢଙ୍ଗରେ କରୁଥିଲେ। କାଁ, ଭାଁ କେତେ ଜଣଙ୍କୁ ଛାଡ଼ିଦେଲେ ପୂର୍ବାପେକ୍ଷା ଫଟୋ ଉଠାଇବା, ସେଲ୍ଫି ନେଇ ଆତ୍ମପ୍ରଚାର କରିବା କମ୍ ଥିଲା। ନିଜ ଦଳୀୟ ପାର୍ଥି ଆଶ୍ରିତ ପଟ୍ଟନାୟକଙ୍କୁ ଜିତାଇବାକୁ ଏମାନେ ସତେ ଯେପରି ପଣ କରିଦେଇଥିଲେ। କୋଭିଡ୍ ମହାମାରୀ କିନ୍ତୁ, ସବୁ ଓଲଟ ପାଲଟ କରିଦେଲା। ଏବେ ପ୍ରାୟ ସମସ୍ତେ ଘର ବାହୁଡ଼ା ହୋଇଯାଇଛନ୍ତି।

କିନ୍ତୁ, ଏ’ ଭିତରେ ଜାଗା ଛାଡ଼ିନାହାଁନ୍ତି ଜଣେ ନେତ୍ରୀ। ସେ ହେଲେ ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା। ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ପରେ ପିପିଲି ଉପନିର୍ବାଚନ ଲଢ଼େଇରେ ବିଜେପିର ପ୍ରମୂଖ ସିପାହୀ ସାଜିଛନ୍ତି ପ୍ରଭାତୀ ପରିଡ଼ା। ଏବେ ତାଙ୍କ ଉପରେ ପିପିଲି ଏନଏସି ଦାୟିତ୍ୱ ରହିଥିଲେ ମଧ୍ୟ ପୂର୍ବରୁ ସେ ପୂରା ପିପିଲି ଘାଣ୍ଟି ଦେଇଛନ୍ତି। ପାର୍ଥି ଆଶ୍ରିତ ପଟ୍ଟନାୟକଙ୍କର ମଧ୍ୟ ପ୍ରଭାତୀଙ୍କ ଉପରେ ଅଖଣ୍ଡ ବିଶ୍ୱାସ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କର ମଧ୍ୟ ପ୍ରଭାତୀ ପରିଡ଼ାଙ୍କ ଉପରେ ଏକ ବଡ଼ ଆସ୍ଥା ରହିଛି। ବିରୋଧୀଙ୍କ ନଜରରେ ମଧ୍ୟ ପ୍ରଭାତୀ। ପ୍ରଭାତୀ ପରିଡ଼ାଙ୍କ ଗତିବିଧି ଉପରେ ତୀକ୍ଷ୍ନ ଦୃଷ୍ଟି ରଖିଛି ବିରୋଧୀ। କାରଣ ପ୍ରଭାତୀ ଏହି ପୁରୀ ଜିଲ୍ଲାର। ନିମାପଡ଼ାରୁ ପାର୍ଥି ହୋଇ ଆସୁଛନ୍ତି ପ୍ରଭାତୀ। ପୁରୀ ଜିଲ୍ଲାରେ ମୂଳ ବିଜେପି ସଙ୍ଗଠନ ସମେତ ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା, କୃଷକ ମୋର୍ଚ୍ଚା ଆଦିର ନେତାନେତ୍ରୀ ଏବଂ ତୃଣମୂଳ ସ୍ତରର ସଙ୍ଗଠନ କାର୍ଯ୍ୟକର୍ତ୍ତାଙ୍କ ସହିତ ରହିଛି ତାଙ୍କର ନିବିଡ଼ ସଂପର୍କ। ପିପିଲି – ଡେଲାଙ୍ଗ ମାଟି ଏବଂ ଲୋକ ସମ୍ପର୍କ ସହ ସେ ବେଶ ପରିଚିତ। ଏହା ବ୍ୟତୀତ ମହିଳା ମୋର୍ଚ୍ଚା ସଭାନେତ୍ରୀ ଥିବା ସମୟରେ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ହିଁ ହୋଇଥିଲା ବହୁ ଚର୍ଚ୍ଚିତ ବେବିନା, ଇତିଶ୍ରୀ ଆଦି ଘଟଣା ସମେତ ସ୍ୱର୍ଗତ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମହିଳା ବିରୋଧୀ ମନ୍ତବ୍ୟ ଆଦି ଘଟଣାରେ ଆନ୍ଦୋଳନ। ରାଜ୍ୟ ସରକାରଙ୍କୁ ବ୍ୟାକଫୁଟକୁ ନେଇ ଆସିଥିଲା ମହିଳା ମୋର୍ଚ୍ଚା। ଏହି ସବୁ ପ୍ରମୂଖ କାରଣ ଏବଂ ବିବାଦୀୟ ମନ୍ତବ୍ୟ କାରଣରୁ ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ହାତରୁ ମନ୍ତ୍ରୀପଦ ଚାଲିଯାଇଥିଲା। ଏକ ପ୍ରକାର ମନ୍ତ୍ରୀଙ୍କ ହାତରୁ ମନ୍ତ୍ରୀପଦ ଛଡ଼ାଇ ଆଣିଥିଲା ମହିଳା ମୋର୍ଚ୍ଚା। ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ହିଁ ହୋଇଥିଲା ଏହି ସବୁ ଆନ୍ଦୋଳନ। ତେଣୁ ସେ ଏହି ଅଞ୍ଚଳରେ ଏକ ପରିଚିତ ଚେହେରା। ତାଙ୍କ ଉଦ୍ୟମରେ ଖୁବ୍ ପ୍ରଭାବୀ ଢଙ୍ଗରେ ଆଗେଇ ଚାଲିଥିଲା ପ୍ରଚାର କାର୍ଯ୍ୟ। କିନ୍ତୁ ବ୍ରେକ୍ ଲଗାଇ ଦେଲା କରୋନା। ଅବଶ୍ୟ ପ୍ରଭାତୀ ପରିଡ଼ାଙ୍କୁ ଲଗାଇ ପାରିନି ବ୍ରେକ୍। ଏବେ ବି ସେ ତାଙ୍କ ଉଦ୍ୟମ ଜାରୀ ରଖିଛନ୍ତି। ମନ୍ତ୍ରୀପଦ ତ’ ଛଡ଼ାଇ ନେଇଥିଲେ, କ’ଣ ଶାସକ ବିଜେଡି ହାତରୁ ପିପିଲି ବିଧାନସଭା ଆସନଟିକୁ ବି ଛଡ଼ାଇ ନେବାରେ ହୋଇପାରିବେ ସଫଳ? ଦେଖାଯାଉ କ’ଣ ହେଉଛି ପରିଣାମ!?
-@Dr