Odiapua.com

କ’ଣ କହୁଛି ଉପନିର୍ବାଚନ ରେଜଲ୍ଟ୍: ଗ୍ରାଉଣ୍ଡ ଜିରୋ ରିପୋର୍ଟ ..

ଭୁବନେଶ୍ୱର: ବାଲେଶ୍ଵର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଉଭୟରେ ବାଜିମାତ୍ କରିଛି ଶାସକ ବିଜୁ ଜନତା ଦଳ (ବିଜେଡି)। ତିର୍ତ୍ତୋଲ ଆସନଟିକୁ ବିଜେଡି ବଜାୟ ରଖିଥିବା ବେଳେ ବାଲେଶ୍ଵର ସଦର ଆସନଟିକୁ ବିଜେପି ହାତରୁ ଛଡ଼ାଇ ନେଇଛି ବିଜେଡି। ତିର୍ତ୍ତୋଲରେ ବିଜେଡି ପାର୍ଥି ବିଜୟ ଶଙ୍କର ଦାସ ୫୨.୯୧% ହାରରେ ୮୮,୩୧୦ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ଯେତେବେଳେ କି ବିଜେପି ପାର୍ଥି ରାଜକିଶୋର ବେହେରା ୨୭.୯୨% ହାରରେ ୪୬,୬୦୭ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପାର୍ଥି ହିମାଂଶୁ ଭୂଷଣ ମଲ୍ଲିକ ୧୭.୨୪% ହାରରେ ପାଇଛନ୍ତି ମାତ୍ର ୨୮,୭୭୮ ଖଣ୍ଡ ଭୋଟ୍। ଅର୍ଥାତ୍ ବିଜେଡି ପାର୍ଥି ବିଜୟ ଶଙ୍କର ଦାସ ବିଜେପି ପାର୍ଥି ରାଜକିଶୋର ବେହେରାଙ୍କୁ ୪୧,୭୦୩ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରିଛନ୍ତି। ସେହିପରି ବାଲେଶ୍ଵର ସଦର ଉପ- ନିର୍ବାଚନରେ ବିଜେଡି ପାର୍ଥି ସ୍ୱରୂପ କୁମାର ଦାସ ୫୧.୮% ହାରରେ ୮୪,୦୯୭ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ବିଜେପି ପାର୍ଥି ମାନସ କୁମାର ଦତ୍ତ ୪୩.୫୮% ହାରରେ ପାଇଛନ୍ତି ୭୦,୭୪୬ ଖଣ୍ଡ ଭୋଟ୍। କଂଗ୍ରେସ ପାର୍ଥିନୀ ମମତା କୁଣ୍ଡୁ ୩.୦୭% ହାରରେ ପାଇଛନ୍ତି ମାତ୍ର ୪୯୮୩ ଖଣ୍ଡ ଭୋଟ୍। ଅର୍ଥାତ୍ ବିଜେଡି ପାର୍ଥି ସ୍ୱରୂପ ଦାସ ବିଜେପି ପାର୍ଥି ମାନସ ଦତ୍ତଙ୍କୁ ୧୩,୩୫୧ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରିଛନ୍ତି। ୨୦୧୯ ନିର୍ବାଚନକୁ ଦେଖିଲେ ସେତେବେଳେ ବିଜେପି, ବିଜେଡି ଠାରୁ ୧୩,୫୦୬ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲା। ଆଉ ପ୍ରାୟ ଦେଢ଼ ବର୍ଷ ପରର ପରିଣାମ ଦେଖିଲେ ୧୩,୩୫୧ ଭୋଟରେ ପରାଜୟ ଏବଂ ୨୦୧୯ରେ ୧୩,୫୦୬ ଭୋଟରେ ବିଜୟ ମିଶି ୨୬, ୮୫୭ ଭୋଟର ବ୍ୟବଧାନ ହୋଇଗଲା। ଏମିତିରେ ତିର୍ତ୍ତୋଲ ଆସନରେ ବିଜେଡିର ଯେ କେବଳ ବିଜୟ ନୁହେଁ ବିରାଟ ବିଜୟ ନେଇ ବହୁ ପୂର୍ବରୁ ଆଶା କରାଯାଉଥିଲା। କିନ୍ତୁ, ବାଲେଶ୍ଵର ସଦର ଆସନ କ୍ଷେତ୍ରରେ ଯାହା କିଛି ଆଶା ଓ ଆଶଙ୍କା ରହିଥିଲା। ପୁରୁଖା ନେତାଙ୍କୁ ଛାଡ଼ି ସ୍ୱରୂପ କୁମାର ଦାସଙ୍କୁ ଯେତେବେଳେ ବାଲେଶ୍ଵର ସଦର ପାଇଁ ବିଜେଡି ପାର୍ଥି ଘୋଷଣା କଲା ସେତେବେଳେ ବିଜେଡି ଏକ ଦୁର୍ବଳ ପାର୍ଥି ଦେଇ ବିଜେପିକୁ ସୁଯୋଗ ଦେଇଛି ବୋଲି ଆଲୋଚନା ହେଲା। ଗୋଟେ ତମରକୁ ଗୋଟେ ଆମର କୁହାଯାଇ, ଉଭୟଙ୍କ ଭିତରେ ସଲାସୂତରା ହୋଇଛି ବୋଲି କୁହାଗଲା। କଂଗ୍ରେସ କଥା ଛାଡ଼ନ୍ତୁ, ସେ ତ’ ନିଜର ଅସ୍ତିତ୍ୱ ହରାଇ ସାରିଲାଣି। କିନ୍ତୁ, ବିଜେଡିର ସେହି ଦୁର୍ବଳ ପାର୍ଥି ଆଜି ବିଜେପି ପାର୍ଥିଙ୍କୁ ହରାଇ ବିଜେପି ହାତରୁ ତା’ ଆସନଟି ଛଡ଼ାଇ ନେଲା। ବିହାର ନିର୍ବାଚନ ବିଜୟରେ ଜେଡିୟୁ ଠାରୁ ବିଜେପିର ବଡ଼ ଭୂମିକା ରହିଥିବା ବେଳେ ଦେଶର ଅନ୍ୟାନ୍ୟ ରାଜ୍ୟରେ ଉପନିର୍ବାଚନ ଗୁଡ଼ିକରେ ବିଜେପି ଭଲ ସଫଳତା ପାଇଛି। କିନ୍ତୁ ଓଡ଼ିଶାରେ ପୁଣି ହୋଇଛି ବିଫଳ। ଓଡ଼ିଶା ଉପନିର୍ବାଚନ କ୍ଷେତ୍ରରେ ଉଭୟ ଆସନରେ ବିଜେଡିର ବିଜୟ ଏବଂ ବିଜେପିର ପରାଜୟର ବାସ୍ତବ କାରଣ କ’ଣ ଆସନ୍ତୁ ତାର ଏକ ସମୀକ୍ଷା କରିବା।

ମୂଳ ସଙ୍ଗଠନକୁ ଅଣଦେଖା ଏବଂ କେବଳ ନିଜ ସମର୍ଥିତ ଗୋଷ୍ଠୀଙ୍କୁ ଗୁରୁତ୍ୱ –
ମୂଳ ସଙ୍ଗଠନ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରିବା ସହ କେବଳ ନିଜ ସମର୍ଥିତ ଗୋଷ୍ଠୀଙ୍କୁ ଗୁରୁତ୍ୱ ଦେବା ବିଶେଷ ଭାବରେ ତିର୍ତ୍ତୋଲ ଉପନିର୍ବାଚନରେ ବିଜେପିର ଏତେବଡ଼ ପରାଜୟ ପଛର ପ୍ରମୂଖ କାରଣ ଥିଲା। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେପିର ପ୍ରମୂଖ ସ୍ତମ୍ଭ ସାଜିଥିଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜଗତସିଂହପୁର ଜିଲ୍ଲା ପ୍ରଭାରୀ ସାରଦା ଓରଫ ବୁଲୁ ପ୍ରଧାନ। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସେ ହିଁ ସବୁ କିଛି ବୁଝୁଥିଲେ। ସେ ସାଜିଥିଲେ ତିର୍ତ୍ତୋଲ ଉପନିର୍ବାଚନରେ ବିଜେପିର କେନ୍ଦ୍ରବିନ୍ଦୁ। ସବୁ କିଛି ସେଠି ତାଙ୍କ ଯୋଜନାରେ ହେଉଥିଲା। ଆଉ ତାଙ୍କୁ ଏ’ ଅଧିକାର ଦେଇଥିଲେ ନିଜକୁ ଓଡ଼ିଶା ବିଜେପିର ମଙ୍ଗୁଆଳ ବୋଲାଉଥିବା ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନ, ସାରଦା ପ୍ରଧାନଙ୍କୁ ତିର୍ତ୍ତୋଲ ଉପନିର୍ବାଚନର ପ୍ରମୂଖ ସ୍ତମ୍ଭ ବୋଲି କହିଥିଲେ। କଂଗ୍ରେସରୁ ଆସି ବିଜେପିରେ ଯୋଗଦେବା ପରେ ହିଁ ରାଜକିଶୋର ବେହେରାଙ୍କୁ ତିର୍ତ୍ତୋଲ ପାଇଁ ପାର୍ଥି କରାଯିବା ପ୍ରାୟ ସ୍ପଷ୍ଟ ହୋଇ ଯାଇଥିଲା। ଏମିତିରେ ବିଜେପି ତାର ସମସ୍ତ ଧ୍ୟାନ ବାଲେଶ୍ଵର ଉପନିର୍ବାଚନ ଉପରେ କେନ୍ଦ୍ରୀଭୂତ କରିଥିଲା। ବିଜେପିର ଅଧିକାଂଶ ନେତୃତ୍ୱ ବାଲେଶ୍ୱରରେ ଡେରା ପକାଇଥିଲେ। ତଥାପି ଯେଉଁ କିଛି ନେତୃତ୍ୱ ତିର୍ତ୍ତୋଲ ଦାୟିତ୍ୱରେ ଥିଲେ ସେମାନେ ସେତେଟା ସକ୍ରିୟ ଜଣାପଡ଼ୁ ନଥିଲେ। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ତିର୍ତ୍ତୋଲ ଦାୟିତ୍ୱରେ ଥିଲେ ମଧ୍ୟ ସେତେଟା ସକ୍ରିୟ ଜଣାପଡ଼ୁ ନଥିଲେ। ସେହପରି ଅନ୍ୟ ଜଣେ ନେତା ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ତ’ ସେଠାରେ ବିରୋଧର ସାମନା କରିଥିଲେ। ତାଙ୍କ ଗାଡ଼ି ଉପରେ ଆକ୍ରମଣ କରି ଗାଡ଼ି କାଚ ଭାଙ୍ଗି ଦିଆଯାଇଥିଲା। ଜିଲ୍ଲା ସଭାପତି ସତ୍ୟବ୍ରତ୍ତ ମହାପାତ୍ର, ଜଗତସିଂହପୁର ଅଞ୍ଚଳର ବିଜେପିର ପ୍ରଭାବୀ ନେତା ପ୍ରତାପ ମିଶ୍ର, ଉପେନ୍ଦ୍ର ବିଶ୍ୱାଳ, କ୍ରୀଷ୍ଣା ମହାନ୍ତି ଆଦିଙ୍କ ପରି ଅନେକ ନେତାନେତ୍ରୀଙ୍କୁ ଆଦୌ ଗୁରୁତ୍ୱ ଦିଆଯାଇ ନଥିଲା। ଏ’ସବୁ ଭିତରେ ଅନ୍ୟାନ୍ୟ ଜିଲ୍ଲାରୁ ଆଉ ଯେଉଁ କିଛି ନେତାନେତ୍ରୀ, କାର୍ଯ୍ୟକର୍ତ୍ତା ତିର୍ତ୍ତୋଲ ଯିବା କଥା ସେମାନେ ପ୍ରାୟତଃ ଯାଇନଥିଲେ। କେତେକ ତ’ ତିର୍ତ୍ତୋଲ ନଯାଇ ବାଲେଶ୍ଵର ଚାଲି ଯାଇଥିଲେ। ଏହାର କାରଣ ଦୁଇଟି ଥିଲା। ପ୍ରଥମତଃ ନିଜେ ବିଜେପି ବୋଧେ ତିର୍ତ୍ତୋଲକୁ ସେତେଟା ଗୁରୁତ୍ୱ ଦେଉନଥିଲା। ଏହାର ଉଦାହରଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ଵର ଯାଇ ୩/୪ଟି ନିର୍ବାଚନୀ ସଭା କରିଥିବା ବେଳେ ତିର୍ତ୍ତୋଲ ନଯାଇ ଏଠି ଭର୍ଚୁଆଲ୍ ରାଲି କରି ଉଦ୍ବୋଧନ ଦେଇଥିଲେ। ତେବେ, ପରେ ତିର୍ତ୍ତୋଲ ପାଇଁ ବିଜେପିର ପ୍ରମୂଖ ସ୍ତମ୍ଭ ବୋଲାଉଥିବା ବୁଲୁ ପ୍ରଧାନ ୪/୫ ଘଣ୍ଟା ପାଇଁ ହେଉ ପଛେ ତିର୍ତ୍ତୋଲ ଆସିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିବେଦନ କଲା ପରେ ମନ୍ତ୍ରୀ ଯାଇଥିଲେ। ସେହିପରି ଦୂତୀୟ କାରଣଟି ହେଲା ବୁଲୁ ପ୍ରଧାନଙ୍କ ମନମାନି। ବୁଲୁ ପ୍ରଧାନ ବୋଧେ ସେଠାରେ ନିଜର ଏକ ଚାଟିଆ ଅଧିକାର ଚାହୁଁଥିଲେ। ଅନ୍ୟାନ୍ୟ ନେତୃତ୍ୱ ସେଠାକୁ ଯାଆନ୍ତୁ କିମ୍ବା ଅନ୍ୟ କେହି ସେଠାରେ ହସ୍ତକ୍ଷେପ କରନ୍ତୁ ବୋଲି ସତେ ଯେପରି ସେ ଚାହୁଁନଥିଲେ। ଏଥିଲାଗି ସ୍ଥାନୀୟ ସ୍ତରଠାରୁ ଆରମ୍ଭ କରି କିଛି ବରିଷ୍ଠ ନେତୃତ୍ୱଙ୍କର ବୁଲୁ ପ୍ରଧାନଙ୍କ ଉପରେ ଅସନ୍ତୋଷ ରହିଥିବା କୁହାଯାଉ ଥିଲା। ଏକାଧିକବାର ଗଣ୍ଡଗୋଳ ଘଟିଥିଲା। ବୁଲୁ ପ୍ରଧାନ କିଏ ବୋଲି ପ୍ରଶ୍ନ ମଧ୍ୟ ଉଠିଥିଲା। ଏ’ ସବୁ ଭିତରେ ଏଠାରେ ଜଣେ ନେତ୍ରୀଙ୍କ ଭୂମିକାକୁ ନେଇ ମଧ୍ୟ ଦଳ ଭିତରେ ଖୁବ୍ ଚର୍ଚ୍ଚା ହେଉଥିଲା। ସଂପୃକ୍ତ ନେତ୍ରୀ ଜଣଙ୍କ ହେଲେ ଜାଜ୍ଞସେନୀ ଜେନା। ବୁଲୁ ପ୍ରଧାନଙ୍କ ପରେ ଅଖଣ୍ଡ ପ୍ରଭାବ ରହିଥିଲା ତାଙ୍କର। ତିର୍ତ୍ତୋଲ ନିର୍ବାଚନ ମୈଦାନରେ ବିଜେପି ପକ୍ଷରୁ ଜାଜ୍ଞସେନୀ ଜେନା ଖୁବ୍ ସକ୍ରିୟ ଜଣାପଡ଼ୁଥିଲେ। ନିର୍ବାଚନ ତାରିଖ ଘୋଷଣାର ବହୁ ପୂର୍ବରୁ ଜାଜ୍ଞସେନୀ ଜେନାଙ୍କୁ ପଞ୍ଚାୟତ ତଥା ବୁଥ୍ ସ୍ତର ଯାଏଁ ତୃଣମୂଳ ସ୍ତରରେ ବୈଠକ କରି କାର୍ଯ୍ୟକର୍ତ୍ତା ମାନଙ୍କୁ ସଙ୍ଗଠିତ କରି ଆସୁଥିବାର ଦେଖିବାକୁ ମିଳୁଥିବା ବେଳେ ନିର୍ବାଚନ ସମୟ ପାଖେଇ ଆସିଥିବା ବେଳେ ଅନେକ ପ୍ରମୂଖ ନେତାନେତ୍ରୀଙ୍କ ଉପସ୍ଥିତି ମଧ୍ୟରେ ମଧ୍ୟ ଜାଜ୍ଞସେନୀଙ୍କ ପ୍ରଭାବ ସ୍ପଷ୍ଟ ବାରି ହେଇ ଯାଉଥିଲା। ଏପରିକି ବଡ଼ବଡ଼ ନେତାନେତ୍ରୀ ୟାଙ୍କ ପାଖରେ ହାତ ପାତେଇବାକୁ ପଡ଼ିଥିଲା। ତିର୍ତ୍ତୋଲ ଉପନିର୍ବାଚନ ମୈଦାନରେ ଦଳ ଭିତରେ ବୁଲୁ ପ୍ରଧାନଙ୍କ ପରି ଜାଜ୍ଞସେନୀ ମଧ୍ୟ ଖୁବ୍ ଚର୍ଚ୍ଚାରେ ଥିଲେ। ତେବେ, ଉଭୟଙ୍କୁ ନେଇ ଦଳ ଭିତରେ ପ୍ରବଳ ଅସନ୍ତୋଷ ରହିଥିବା କୁହାଯାଉଥିଲା। ଏହା ମଧ୍ୟ ସତ୍ୟ ଯେ ତିର୍ତ୍ତୋଲରେ ଯଦି କୌଣସି କାରଣରୁ ବିଜେପିର ବିଜୟ ହୋଇଯାଇ ଥାଆନ୍ତା କିମ୍ବା ସେପରି ଭଲ ପ୍ରଦର୍ଶନ କରି ଥାଆନ୍ତା ତେବେ ସମସ୍ତ ଶ୍ରେୟ ବୁଲୁ ପ୍ରଧାନ, ଜାଜ୍ଞସେନୀ ଜେନା ଏବଂ ଧର୍ମେନ୍ଦ୍ରଙ୍କୁ ହିଁ ଯାଇଥାଆନ୍ତା। ସେହି ଅନୁଯାୟୀ ଏବେ ବିଜେପି ସେଠାରେ ହାରିବା ଏବଂ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିବାର ସମସ୍ତ ଅପବାଦ ମଧ୍ୟ ଏମାନଙ୍କ ମୁଣ୍ଡରେ ହିଁ ଯିବ।

ପାର୍ଥି ଚୟନରେ ତୃଟି –
ତିର୍ତ୍ତୋଲ ଉପନିର୍ବାଚନ ପାଇଁ ହଠାତ୍ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ରାଜକିଶୋର ବେହେରାଙ୍କୁ ପାର୍ଥି ଚୟନ କରାଗଲା। ତେବେ ଏଥିରେ ସମସ୍ତଙ୍କ ସହମତି ନିଆଗଲା ନାହିଁ। ଲାଗିଲା ସତେ ଯେପରି ମନ୍ତ୍ରୀ ପ୍ରଧାନଙ୍କ ଇଙ୍ଗିତରେ ପ୍ରଭାରୀ ପ୍ରଧାନ ଯାହା ଚାହିଁଲେ ତାହା କଲେ। ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଅନୁସୁଚିତ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ବିଭୁ ତରାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜଗତସିଂହପୁର ଜିଲ୍ଲା ପ୍ରଭାରୀ ସାରଦା ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତରେ ରାଜକିଶୋର ବେହେରା ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ତାଙ୍କୁ ବିଜେପିରେ ସାମିଲ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସାରଦା ଓରଫ ବୁଲୁ ପ୍ରଧାନ। ସେହି ମିଶ୍ରଣ ପର୍ବ ସମୟରେ ଜଗତସିଂହପୁର ଜିଲ୍ଲା ସଭାପତି କିମ୍ବା ଜିଲ୍ଲାର ସେପରି କୌଣସି ପ୍ରମୂଖ ନେତାଙ୍କର ଉପସ୍ଥିତି ଦେଖିବାକୁ ମିଳିନଥିଲା। ଏହାକୁ ନେଇ ଅନେକଙ୍କ ମନରେ ଅସନ୍ତୋଷ ଭରି ରହିଥିଲା। ସେହିପରି ବାଲେଶ୍ଵର ସଦର କ୍ଷେତ୍ରରେ ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରଥମରୁ ମାନସ ଦତ୍ତଙ୍କୁ ପାର୍ଥି କରିବା ସପକ୍ଷରେ ନଥିଲେ ବୋଲି କୁହାଯାଉଛି। ଅନ୍ୟ ଏକ କାରଣ ସ୍ୱରୂପ ବୟସ ଦୃଷ୍ଟି କୋଣରୁ ମାନସ ବହୁତ କମ ବୟସର ହୋଇଥିବା କାରଣରୁ ଦଳ ଭିତରେ କିଛି ବରିଷ୍ଠ ନିଜର ଆଗାମୀ ଭିବିଷ୍ୟତକୁ ଦେଖି ଭିତରେ ଭିତରେ ମାନସଙ୍କ ପ୍ରତି ଅନାଗ୍ରହ ରହିଥିବା ମଧ୍ୟ କୁହାଯାଉଥିଲା। ଯାହାକୁ ନେଇ କିଛିଟା ସନ୍ଦେହ ରହୁଛି।

ଅନୁକମ୍ପାକୁ କରିଦେଲେ ଫମ୍ପା –
ବାସ୍ତବରେ ତିର୍ତ୍ତୋଲ ପାଇଁ ବିଜେଡି ପାର୍ଥି ବିଜୟ ଶଙ୍କର ଦାସଙ୍କ ପ୍ରତି ସେପରି ଅନୁକମ୍ପା ନଥିଲା। ସେଠି ବିଜେଡିର ବିଜୟ ପଛର ପ୍ରମୂଖ କାରଣ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, ବିଜେଡିର ଦୃଢ଼ ସଙ୍ଗଠନ ଏବଂ ରଣନୀତି ପ୍ରମୂଖ କାରଣ ଥିଲା। କିନ୍ତୁ, ବାଲେଶ୍ଵର ସଦରରେ ମାନସ ଦତ୍ତଙ୍କ ପ୍ରତି ରହିଥିଲା ଯଥେଷ୍ଟ ଅନୁକମ୍ପା। ଯଦି ବି ତାଙ୍କର ବିଜୟ ହୋଇଥାଆନ୍ତା, ଅନୁକମ୍ପା ହିଁ ପ୍ରମୂଖ କାରଣ ହୋଇଥାଆନ୍ତା ବୋଲି କୁହାଯାଉଥିଲା। କିନ୍ତୁ, ସେହି ଅନୁକମ୍ପାକୁ ପୂରା ଫମ୍ପା କରିଦେଲା ନିଜେ ବିଜେପି। ନିଜେ ମାନସ ଦତ୍ତ କାନ୍ଦିଲେ, ମାନସଙ୍କ ମା’ ମଧ୍ୟ କାନି ପତେଇ କାନ୍ଦିକାନ୍ଦି ଭୋଟ୍ ଭିକ୍ଷା କଲେ। କିନ୍ତୁ, କ’ଣ ଭାବିଲେ କେଜାଣି ମାନସଙ୍କ ମା’ ଭୋଟ୍ ମାଗି ଭାଷଣ ଦେଇ କାନ୍ଦିବା ବେଳେ ବିଜେପି କାର୍ଯ୍ୟକର୍ତ୍ତା ମାନେ ତାଳି ମାରୁଥିଲେ। ଭଲା, କାହା କାନ୍ଦିବାରେ ଅବା କିଏ ତାଳି ମାରେ, ସତେ ଯେପରି କେହି ରଙ୍ଗମଞ୍ଚରେ କାନ୍ଦିବାର ଭଲ ଅଭିନୟ କରିବାରୁ ଦର୍ଶକେ ତାଳି ମାରୁଥିଲେ ପରି ଲାଗୁଥିଲା। ଏହିପରି ସବୁ କିଛି କାମ କରି କିଛି ବିଜେପି କାର୍ଯ୍ୟକର୍ତ୍ତା ଅନୁକମ୍ପାକୁ ସତେ ଯେପରି ମିଛ ଅଭିନୟରେ ପରିବର୍ତ୍ତନ କରାଇଦେଲେ।

ବୁମେରାଂ ହେଲା ପୋଡ଼ା ଟ୍ରାନ୍ସଫର୍ମର ଉପଖ୍ୟାନ –
ବିଜେଡି ଷ୍ଟାର ପ୍ରଚାରକ କୁନା ତ୍ରିପାଠୀ ମଙ୍ଗୁ ଦତ୍ତଙ୍କ ଉଦ୍ଦେଶ୍ୟରେ ପୋଡ଼ା ଟ୍ରାନ୍ସଫର୍ମର କହି ତାଙ୍କର ଅପମାନ କରିଥିବା ଅଭିଯୋଗ କଲା ବିଜେପି। କିଏ ଠିକ୍ କିଏ ଭୁଲ୍ ତାହାକୁ ନେଇ ସମୀକ୍ଷା କରିବାର କଥା। ବାସ୍ତବରେ ବାଲେଶ୍ଵର ସଦର ନିର୍ବାଚନୀ ସଭାରେ ଯୋଗ ଦେଇ କୁନା ତ୍ରିପାଠୀ କହିଥିଲେ, “ହୀରାକୁଦରୁ ଆସୁଛି ବିଜୁଳି ଶକ୍ତି। ଯେଉଁଥିପାଇଁ ଆମ ଘରେ ବଲ୍‌ ଜଳୁଛି ଏବଂ ପଙ୍ଖା ଘୁରୁଛି। ଯଦି ବିଜୁଳି ଶକ୍ତି ସିଧାସଳଖ ହୀରାକୁଦରୁ ଘରକୁ ଆସିବ, ତାହାହେଲେ ଘର ପୋଡ଼ି ଧ୍ୱଂସ ହୋଇଯିବ। ତେଣୁ ବିଜୁଳି ଶକ୍ତିକୁ କଣ୍ଟ୍ରୋଲ୍‌ କରିବା ପାଇଁ ଗୋଟିଏ ଟ୍ରାନ୍ସଫର୍ମର ଦରକାର। ବିଜୁଳି ଶକ୍ତି ପରି ଘର ଓ ଅଞ୍ଚଳର ବିକାଶ ପାଇଁ ନବୀନବାବୁ ହୀରାକୁଦ ସାଜିଛନ୍ତି। ତେବେ ନବୀନ ବାବୁ ପଠାଉଥିବା ଶକ୍ତିକୁ କଣ୍ଟ୍ରୋଲ କରିବା ପାଇଁ ଯଦି ଆମ ଲୋକାଲ୍ ଟ୍ରାନ୍ସଫର୍ମର ପୋଡ଼ିଗଲା, ତାହା ହେଲେ କଥା ସରିଗଲା। ଏଠି କିଛିଦିନ ପାଇଁ ବସିଥିବା ଟ୍ରାନ୍ସଫର୍ମର କାମ କଲାନି ବୋଲି କୁଆଡ଼େ ଏଠାକାର ଭାଇ ଓ ଭଉଣୀମାନେ କଥା ହେଉଛନ୍ତି। ଏବେ ନବୀନ ବାବୁ ଆଉ ଗୋଟିଏ ନୂଆ ଟ୍ରାନ୍ସଫର୍ମର ଦେଉଛନ୍ତି, ସେ ହେଉଛନ୍ତି ସ୍ୱରୁପ ଦାସ। ତାଙ୍କୁ ଭୋଟ ଦେଇ ଜିତାନ୍ତୁ।” ଏଠାରେ କୁନା ତ୍ରିପାଠୀ ମଙ୍ଗୁ ଦତ୍ତଙ୍କୁ ପୋଡ଼ା ଟ୍ରାନ୍ସଫର୍ମର ବୋଲି ଆଦୌ କହି ନଥିଲେ। କିଛିଦିନ ପାଇଁ ବସିଥିବା ଟ୍ରାନ୍ସଫର୍ମର କାମ କଲାନି ବୋଲି ପରୋକ୍ଷରେ ସେ ମଙ୍ଗୁ ଦତ୍ତଙ୍କ ଉଦ୍ଦେଶ୍ୟରେ କହିଥିଲେ। ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ତାଙ୍କର ସେହି ସ୍ଵଳ୍ପ କାର୍ଯ୍ୟକାଳ ଭିତରେ ହୁଏତ ଯେତେ ବା ଭଲ କାମ କରିଥାଆନ୍ତୁ ପଛକେ, ନିର୍ବାଚନ ପ୍ରଚାର ସମୟରେ କୌଣସି ବି ବିପକ୍ଷ ଦଳ ପକ୍ଷରୁ ତାଙ୍କ ପ୍ରଶଂସା ଶୁଣିବା ଆଶା କରିବା ଭୁଲ୍। ନିର୍ବାଚନ ପ୍ରଚାର ସମୟରେ ବିପକ୍ଷର ଅପାରଗତା ବିଷୟରେ ପ୍ରତିପକ୍ଷ ଅଭିଯୋଗ ଉଠାଇବା ସ୍ୱଭାବିକ କଥା। ତେବେ, କଥା ହେଲା ମଙ୍ଗୁ ଦତ୍ତଙ୍କୁ ଟ୍ରାନ୍ସଫର୍ମର ସହିତ ତୁଳନା କରିବା କଥା। କିଛିଦିନ ପାଇଁ ବସିଥିବା ଟ୍ରାନ୍ସଫର୍ମର କାମ କଲାନି ବୋଲି ପରୋକ୍ଷରେ କୁନା ତ୍ରିପାଠୀ ମଙ୍ଗୁ ଦତ୍ତଙ୍କ ଉଦ୍ଦେଶ୍ୟରେ ହିଁ କହିଥିଲେ। ତେବେ ଏ’ ଟ୍ରାନ୍ସଫର୍ମର ଉପାଖ୍ୟାନ ଆରମ୍ଭ କରିଥିଲା କିଏ, ତାକୁ ନେଇ ଆଲୋଚନା ଆରମ୍ଭ ହେଲା। ଟ୍ରାନ୍ସଫର୍ମର ଉପାଖ୍ୟାନ ଆରମ୍ଭ ତ’ କରିଥିଲା ବିଜେପି। ୨୦୧୯ ସାଧାରଣ ନିର୍ବାଚନ ପ୍ରଚାର ସମୟରେ ନବୀନ ସରକାରଙ୍କ ଉଦ୍ଦେଶ୍ୟରେ ପୋଡ଼ା ଟ୍ରାନ୍ସଫର୍ମରକୁ ଉପାଡ଼ି ଫିଙ୍ଗିଦେବା କଥା କହିଥିଲେ ଏବେକାର ଗୃହମନ୍ତ୍ରୀ ତଥା ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଟ୍ରାନ୍ସଫର୍ମର ମନ୍ତବ୍ୟ ଉପରେ ବିଜେପି ଜଣାଇଲା ପ୍ରତିବାଦ ଯାହା କୁଆଡ଼େ ମଙ୍ଗୁ ଦତ୍ତ, ମୋଦି, ବାଲେଶ୍ଵର ଏବଂ ଓଡ଼ିଶା ପାଇଁ ଅପମାନ ବୋଲି କହିଲା ବିଜେପି। ଏହା ବହୁତ ଦୁଃଖଦାୟକ, ବହୁତ ନିନ୍ଦନୀୟ। ଲୋକଲଜ୍ଜା, କୌଣସି ଶାଳୀନତା ଥିଲେ ଏପରି ମନ୍ତବ୍ୟ ଦିଆଯାଏନି। ମଙ୍ଗୁ ଦତ୍ତ କ’ଣ ପୋଡ଼ା ଟ୍ରାନ୍ସଫର୍ମର, ବାଲେଶ୍ୱରିଆ କ’ଣ ପୋଡ଼ା ଟ୍ରାନ୍ସଫର୍ମର, ମୋଦି କ’ଣ ପୋଡ଼ା ଟ୍ରାନ୍ସଫର୍ମର ବୋଲି ପ୍ରଶ୍ନ କଲେ ଧର୍ମେନ୍ଦ୍ର ପ୍ରଧାନ। ଅହଂକାରରେ ମଦମସ୍ତ ଶାସକ ଦଳ ଏ’ ପ୍ରକାର ଗାଳି ଗୁଲଜ ଅପପ୍ରଚାର କରୁଛି ବୋଲି କହିଲେ ଧର୍ମେନ୍ଦ୍ର ପ୍ରଧାନ। ତେବେ ୨୦୧୯ ସାଧାରଣ ନିର୍ବାଚନ ପ୍ରଚାର ସମୟରେ ଓଡ଼ିଶା ଆସି ସେଦିନ ଯେବେ ଅମିତ ଶାହା “ନବୀନ ପଟ୍ଟନାୟକଙ୍କ ପୋଡ଼ା ଟ୍ରାନ୍ସଫର୍ମର ସରକାରକୁ ଉପାଡ଼ି ଫିଙ୍ଗିଦିଅ” ବୋଲି କହିଥିଲେ ସେତେବେଳେ ସେହି ମଞ୍ଚରେ ଉପସ୍ଥିତ ଥିଲେ ସେହି ଧର୍ମେନ୍ଦ୍ର ପ୍ରଧାନ। ଅମିତ ଶାହାଙ୍କ ଭାଷଣରେ ଧର୍ମେନ୍ଦ୍ର ଖୁସିରେ ତାଳି ମାରିଥିଲେ ଆଉ ଡବଲ୍ ଇଞ୍ଜିନ କଥା କହିଥିଲେ। କୁନା ତ୍ରିପାଠୀ ତ’ ପରୋକ୍ଷରେ କହିଥିଲେ, ମଦନ ମୋହନ ଦତ୍ତଙ୍କ ନାଁ ମଧ୍ୟ ନେଇ ନଥିଲେ। କିନ୍ତୁ, ଅମିତ ଶାହା ସେଦିନ ସିଧାସଳଖ ନାଁ ନେଇ କହିଥିଲେ, “ଓଡ଼ିଶା ସରକାର ନାମରେ ଯେଉଁ ଟ୍ରାନ୍ସଫର୍ମର ଅଛି ତାହା ପୋଡ଼ି ଯାଇଛି। ଉପାଡ଼ି ଫିଙ୍ଗିଦିଅ ଏହି ବିଜୁ ଜନତା ଦଳ ସରକାରକୁ।” ନବୀନ ସରକାରକୁ ମୂଳ ସହ ଓପାଡ଼ି ଫଙ୍ଗି ଦେବାକୁ ଆହ୍ୱାନ କରିଥିଲେ ଅମିତ ଶାହା। ତେବେ, ତାହା କ’ଣ ନବୀନ ପଟ୍ଟନାୟକ, ଓଡ଼ିଶା ପାଇଁ ଅପମାନ ନଥିଲା କି ବୋଲି ଅନ୍ୟକୁ ଦୋଷାରୋପ କରିବା ପୂର୍ବରୁ ଏମାନେ ନିଜେ ଚିନ୍ତା କରିବାର ଥିଲା। ସେଦିନ କ’ଣ ଅହଂକାରରେ ମଦମସ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକଲଜ୍ଜା ଏବଂ ଶାଳୀନତା ନଥିଲା କି ବୋଲି ମଧ୍ୟ ପ୍ରଶ୍ନ ଉଠିଲା। ତେଣୁ ଏହି ପୋଡ଼ା ଟ୍ରାନ୍ସଫର୍ମର ଉପାଖ୍ୟାନ ବିଜେପି ପାଇଁ ବୁମେରାଂ ହେଲା।

ବାଜେ ଚିଠି –
ଏ’ ଭିତରେ ମାନସ ଦତ୍ତଙ୍କ ମା’ଙ୍କ ନାମରେ ଏକ ଚିଠି ବଣ୍ଟା ଗଲା। ଯେଉଁଥିରେ ତାଙ୍କର ପୋଡ଼ା କପାଳ, ବିଧବା ହାତ କଥା ଆଦି ଲେଖାଯାଇ ମାନସ ଦତ୍ତଙ୍କୁ ଆଶୀର୍ବାଦ ଦେଇ ଭୋଟ୍ ଦେବା ପାଇଁ ନିବେଦନ କରାଯାଇଥିଲା। ପୋଡ଼ା କପାଳ କଥା କହି, ବିଧବା ହାତ ପତେଇ କେହି ହୁଏତ କାହାଠାରୁ କିଛି ସାହାଯ୍ୟ, ଅନୁଗ୍ରହ ପାଇପାରେ। କିନ୍ତୁ ଏମିତିରେ ଭୋଟ୍ ଦେଇ ଜଣଙ୍କୁ ବିଧାୟକ କରିଦେବା କିପରି ଆଶା କରାଯାଇପାରେ। କିଏ ଏହି ବୁଦ୍ଧି ଦେଇଥିଲା, କେଜାଣି ସେ ବୋଧେ ୭୦/୮୦ ଦଶକ ରାଜନୀତିକୁ ଫେରି ଯାଇଥିଲା। ବାସ୍ତବରେ ଏହି ଆଇଡିଆଟିକୁ ନେଇ ବିପକ୍ଷ ମହଲରେ ବହୁତ ତାତ୍ସଲ୍ୟ କରାଯାଇଥିଲା ଲୋକେ ମଧ୍ୟ ଏହାକୁ ଗ୍ରହଣ କରିନଥିଲେ।

ଅର୍ଥ କାରବାର –
ବିଜେପି ଅଭିଯୋଗ କରୁଛି ବିଜେଡି ଅର୍ଥ କାରବାର କରି ଟଙ୍କା, ପଇସା ବାଣ୍ଟି ନିର୍ବାଚନ ଜିତିଗଲା। ହୁଏତ ବିଜେଡି ଟଙ୍କା, ପଇସା କାରବାର କରିଥାଇ ପାରେ। କିନ୍ତୁ, କେନ୍ଦ୍ରରେ ଶାସନରେ ଥିବା ବିଜେପିର ପୁଣି ପେଟ୍ରୋଲିୟମ ମନ୍ତ୍ରାଳୟ ଭଳି ବିଭାଗ ଥିବା ଓଡ଼ିଶାର କେନ୍ଦ୍ରମନ୍ତ୍ରୀଙ୍କ ପାଖରେ କ’ଣ ଟଙ୍କାର ଅଭାବ ଥିଲା। ଟଙ୍କା ଥିଲା, ଟଙ୍କା ବି ଆସିଥିଲା। ଯାହା ଶୁଣିବାକୁ ମିଳୁଛି ଯାହା ବି ଟଙ୍କା ଆସିଥିଲା ଅଧାରୁ ଅଧିକ ଅଧିକ ହଡ଼ପ ହେଇଗଲା। ତୃଣମୂଳ ସ୍ତରର କର୍ମୀଙ୍କୁ ଭୁଆଁ ବୁଲାଇ ବଡ଼ବଡ଼ିଆ ମାନେ ଅଧିକ ଖାଇଗଲେ। ସ୍ଥାନୀୟ ନେତୃତ୍ୱଙ୍କ ଠାରୁ ବାହାରୁ ଯାଇଥିବା ନେତୃତ୍ୱ ଏଥିରେ ଅଧିକ ଭାଗିଦାରୀ ଥିଲେ। ଏସି ହୋଟେଲରେ ରହିଲେ, ଭଲ ଖାଇଲେ ଏବଂ ଖାଲି ଆଦେଶ ଦେଲେ।

ପାର୍ଥିଙ୍କ ପ୍ରଚାର ନୁହେଁ କରୁଥିଲେ ନିଜ ପ୍ରଚାର –
ବିଜେଡି ପ୍ରଚାର ପାଇଁ ଯାଇଥିବା ନେତାନେତ୍ରୀ କେବଳ ନବୀନ, ବିଜେଡି, ଶଙ୍ଖ ଚିହ୍ନ ଏବଂ ପାର୍ଥିଙ୍କ ନାମ କହୁଥିଲେ, ପ୍ରଚାର କରୁଥିଲେ। ଯେତେବେଳେ କି ବିଜେପି ନେତାନେତ୍ରୀ କରୁଥିଲେ ନିଜ ପ୍ରଚାର। କିଏ ନିଜ ନିଜ ନେତାନେତ୍ରୀଙ୍କୁ ଶ୍ରେୟ ଦେଇ ପ୍ରଚାର କରୁଥିଲେ। ପାର୍ଥି ଜିତିବା ତାଙ୍କ ପାଇଁ ଯେତେ ଗୁରୁତ୍ୱ ନଥିଲା ତାଙ୍କ ନେତା/ନେତ୍ରୀଙ୍କ ପ୍ରଭାବ ଯୋଗୁଁ ପାର୍ଥି ଜିତିବାକୁ ଯାଉଛି ବୋଲି ସେମାନେ ପ୍ରତିପାଦନ କରିବାକୁ ଚାହୁଁଥିଲେ। ଆଜି କିନ୍ତୁ ପାର୍ଥି ହାରିଯିବା ପରେ ନିଜ ନେତୃତ୍ୱଙ୍କ ଯୋଗୁଁ ପରାଜୟ ହେଲା ବୋଲି ମାନିବାକୁ ସେମାନେ ନାରାଜ। ସେହିପରି ପ୍ରଚାର କରିବାକୁ ଯାଇଥିବା ନିଜ ଅଞ୍ଚଳରେ ଖାତା ଖତିଆନା ନଥିବା କେତେଜଣ ବ୍ୟାନରରେ ନିଜ ଫଟୋକୁ ସତେ ଯେପରି ଜଣେ ବିରାଟ ନେତୃତ୍ୱ ଭାବରେ ଦେଖାଇ ଛାପି ପକାଇଥିଲେ। ଯେପରିକି ତାଙ୍କ ଚେହେରା ଦେଖି ସେଠି ଲୋକ ଭୋଟ୍ ଦେଇ ପକାଇବେ। ଏପରିକି ଟିଭିରେ ବାଇଟ୍ ଦେବା ପାଇଁ ରାଜ୍ୟ ସ୍ତରୀୟ ନେତା ଧକ୍କାପେଲା କରି ଆଗକୁ ମାଡ଼ିଯାଇ ଟିଭିରେ ମୁହଁ ଦେଖାଉଥିବାର ଦେଖିବାକୁ ମିଳିଥିଲା।

ପଦାରେ ପଡ଼ିଗଲା ଗୋଷ୍ଠୀ ବିବାଦ –
ଅନ୍ୟ ମାନଙ୍କ ପରି ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ବାଲେଶ୍ୱରରେ ପହଞ୍ଚି ବିଜେପି ପାର୍ଥି ମାନସ କୁମାର ଦତ୍ତଙ୍କ ପାଇଁ ମାରାଥନ୍ ପ୍ରଚାର କରିଥିଲେ। ତେବେ, ବାଲେଶ୍ଵରରେ ଅପରାଜିତାଙ୍କୁ ସ୍ୱାଗତ କରିବା ଭିତରେ କେତେକଙ୍କ ମଧ୍ୟରେ କାର୍ପଣ୍ୟତା ଦେଖାଦେଇ ଥିଲା। ବାଲେଶ୍ଵର ଅଞ୍ଚଳର ବରିଷ୍ଠ ନେତ୍ରୀ ସୁଷମା ବିଶ୍ୱାଳ ଅପରାଜିତାଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ ସତ, କିନ୍ତୁ ତାଙ୍କୁ ପାଛୋଟି ନେବା ପରିବର୍ତ୍ତେ ହଠାତ୍ ସେଠାରୁ ଚାଲିଯିବାର ଦେଖାଯାଇ ଥିଲା। ସେହିପରି ବାଲେଶ୍ୱର ପ୍ରଭାରୀ ଦାୟିତ୍ୱରେ ଥିବା ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଠାରୁ ଆରମ୍ଭ କରି ସେଠାରେ ଉପସ୍ଥିତ ଥିବା ପ୍ରମୂଖ ନେତାନେତ୍ରୀ ମାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଗୁଡ଼ିକରେ ଅପରାଜିତାଙ୍କ ଗସ୍ତ ନେଇ ପୂର୍ବରୁ କିମ୍ବା ଗସ୍ତ ସମୟର ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ କୌଣସି ବି ପୋଷ୍ଟ୍ ଦେଖିବାକୁ ମିଳିନଥିଲା। ଯେତେବେଳେ କି କେତେକ ବାଲେଶ୍ଵରରେ ଥାଇ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ତିର୍ତ୍ତୋଲ ଗସ୍ତ ନୁହେଁ ଭର୍ଚୁଆଲ୍ ରାଲି ଭାଷଣକୁ ଶ୍ରେୟ ଦେଇ ପ୍ରଚାର କରିଥିଲେ। ଆଉ ଧର୍ମେନ୍ଦ୍ର ପ୍ରଧାନଙ୍କ ବାଲେଶ୍ଵର ଗସ୍ତ ନେଇ ପୂର୍ବରୁ ଏବଂ ପରେ ପ୍ରଚାର ପ୍ରସାର କଲେ। ଆଶ୍ଚର୍ଯ୍ୟ କଥା ବାଲେଶ୍ଵର ପ୍ରଭାରୀ ଗୋଲକ ମହାପାତ୍ର ବାଲେଶ୍ଵରରେ ଥାଇ, ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ଅପରାଜିତାଙ୍କ ଗସ୍ତ କଥା ପ୍ରଚାର କରିବା ପରିବର୍ତ୍ତେ ଧର୍ମେନ୍ଦ୍ରଙ୍କ ତିର୍ତ୍ତୋଲ ଭର୍ଚୁଆଲ୍ ରାଲିର ପ୍ରଚାର କରୁଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କ ଠାରୁ ଆରମ୍ଭ କରି ଉପନେତା ବିଷ୍ଣୁ ସେଠୀ, ରାଜ୍ୟ ସଭାପତି ସମୀର ମହାନ୍ତି ଏପରିକି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ବାଲେଶ୍ଵର ଗସ୍ତକୁ ନେଇ “ବାଲେଶ୍ୱର ପ୍ରଚାର ମଇଦାନରେ ପହଁଚିଲେ ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର” ବୋଲି ପୋଷ୍ଟ୍ କରିଥିଲେ। କିନ୍ତୁ, ଅପରାଜିତା ଷଡ଼ଙ୍ଗୀଙ୍କ ବାଲେଶ୍ୱର ଗସ୍ତ ସମ୍ବଦ୍ଧରେ ପଦଟିଏ ଲେଖିନଥିଲେ ଗୋଲକ। ଓଡ଼ିଶା ବିଜେପିରେ ଚାଲିଥିବା ଏହି ଗୋଷ୍ଠୀ ବିବାଦ, ଗୋଲକ ଧନ୍ଦା ନେଇ ଭିତରେ ଭିତରେ ଖୁବ୍ ଆଲୋଚନା ହେଉଥିଲା। ଏ’ ସବୁ କଥା ଆଉ ଏକ କଥାରୁ ସ୍ପଷ୍ଟ ହୋଇ ଯାଇଥିଲା, ବିଜେପି ଓଡ଼ିଶାର ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ରମାଗତ ପ୍ରଚାର, ପୋଷ୍ଟ୍ ଦେଖିବାକୁ ମିଳିଥିବା ବେଳେ ଅନ୍ୟାନ୍ୟ କେତେକ ନିର୍ଦ୍ଦିଷ୍ଟ ନେତୃତ୍ୱଙ୍କ ପୋଷ୍ଟ୍ ମଧ୍ୟ ସମୟ ସମୟରେ ଦେଖିବାକୁ ମିଳିଥିଲା। କିନ୍ତୁ, ଅପରାଜିତା ଷଡ଼ଙ୍ଗୀଙ୍କର ବୋଧେ ଏକଦମ୍ ଶୁନ୍ ଥିଲା। ବିଜେପି ଭିତରେ ଚାଲିଥିବା ଏହି ଗୋଷ୍ଠୀ ବିବାଦ ପଦାରେ ପଡ଼ି ଯାଇଥିଲା। ଯାହା ବିଜେପି ପ୍ରତି ଏକ ନକରାତ୍ମକ ଭାବନା ସୃଷ୍ଟି କରିଥିଲା।
/- ଦେବଦତ୍ତ ରଥ