Odiapua.com

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ

ଜଗତସିଂହପୁର ୧୯-୧୧ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ୍) ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପକ୍ଷରୁ ଜିଲ୍ଲାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟର ସଦ୍‌ଭାବନା ସଭାଗୃହ ଠାରେ ଜିଲ୍ଲାପାଳ-ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ନିମନ୍ତେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ନିର୍ଭୁଲ ଫଟୋ ଭୋଟର ତାଲିକା ପାଇଁ ସମସ୍ତଙ୍କର ଦାୟିତ୍ୱ ଓ କର୍ତବ୍ୟ ରହିଛି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ବୁଥ୍ ସ୍ତରରେ ବିଭିନ୍ନ ରାଜନୈତିକ ଦଳର ଏଜେଣ ମାନଙ୍କ ଦ୍ୱାରା ନାଗରିକ ମାନଙ୍କୁ ସଚେତନ କରାଇବା ସହ ଜନପ୍ରତିନିଧି, ସରକାରୀ କର୍ମକର୍ତାଙ୍କ ସହାୟତାରେ ଭୋଟର ତାଲିକା ପ୍ରସ୍ତୁତ କରାଯାଇ ପାରିବ। ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମତେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୧୬-୧୧-୨୦୨୦ରିଖ ଠାରୁ ସମଗ୍ର ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର‌୍ୟ୍ୟକ୍ରମ ଆରମ୍ଭ କରାଯାଇଛି। ତା ୧୬-୧୧-୨୦୨୦ ରିଖ ଠାରୁ ସମସ୍ତ ନିର୍ବାଚନ ମଣ୍ଡଳୀର ପଂଜିକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମେତ ସମସ୍ତ ମତଦାନ କେନ୍ଦ୍ର(ବୁଥ୍‌)ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ତା ୧୫-୧୨-୨୦୨୦ରିଖ ପର‌୍ୟ୍ୟନ୍ତ ଚାଲୁ ରହିବ। ଏହି ସମୟ ମଧ୍ୟରେ ମତଦାତା ମାନେ ସେମାନଙ୍କର ଭୋଟର ତାଲିକା ସଂକ୍ରାନ୍ତୀୟ ତଥ୍ୟ ଯାଚଂ କରିପାରିବେ ଏବଂ ଆବଶ୍ୟକ ସ୍ଥଳେ ସଂଶୋଧନ ନିମନ୍ତେ ଆବେଦନ କରିପାରିବେ। ୨୦୨୧ ମସିହା ଜାନୁୟାରୀ ୧ ତାରିଖ ସୁଦ୍ଧା ୧୮ ବର୍ଷରେ ପଦାର୍ପଣ କରବାକୁ ଥିବା ଯୁବକ ଯୁବତୀ ମାନେ ଭୋଟର ତାଲିକାରେ ନିଜର ନାମ ସାମିଲ କରିବା ପାଇଁ ଫର୍ମ-୬ରେ ଆବେଦନ କରିପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ବୁଥ୍‌ରେ ଜଣେ ବୁଥ୍ ସ୍ତରୀୟ ଅଧିକାରୀ ଭୋଟର ତାଲିକା ସଂଶୋଧନ ପାଇଁ ନିୟୋଜିତ ହୋଇଛନ୍ତି। ସେ ଘରକୁ ଘର ବୁଲି ଭୋଟର ତାଲିକାରେ ମୃତ, ସ୍ଥାନାନ୍ତରିତ ଏବଂ ଦୋହରା ନାମ ସଂଯୋଗ ହୋଇଥିବା ଭୋଟରଙ୍କୁ ଚିହ୍ନଟ କରି ସେମାନଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦେବେ ଓ ନୂତନ ଭୋଟରଙ୍କୁ ତାଲିକାରେ ସାମିଲ କରିବାକୁ ସହାୟକ ହେବେ। ନାଗରୀକ ମାନେ ସେମାନଙ୍କର ଆପତି, ଆଭିଯୋଗ ଏବଂ ସଂଶୋଧନ ପାଇଁ ନିର୍ଦ୍ଧାରିତ ଫର୍ମ ପୂରଣ କରି ଉପ-ଜିଲ୍ଲାପାଳ/ବି-ଡି-ଓ/ତହସିଲଦାରଙ୍କ କାର‌୍ୟ୍ୟାଳୟ କିମ୍ବା ବୁଥ୍ ସ୍ତରୀୟ ଅଧିକାରୀଙ୍କ ଠାରେ ଦାଖଲ କରିପାରିବେ। ଏତଦ୍‌ବ୍ୟତାତ ଏହି କାର‌୍ୟ୍ୟକ୍ରମ ନିମନ୍ତେ ନଭେମ୍ବର ୨୮ ଓ ୨୯ ଏବଂ ଡିସେମ୍ବର ୫ ଓ ୬ ତାରିଖକୁ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ପାଳନ କରାଯିବ। ଏହି ଦିବସରେ ବୁଥ୍ ସ୍ତରୀୟ ଅଧିକାରୀମାନେ ନଭେମ୍ବର ୨୮ ଓ ୨୯ ଏବଂ ଡିସେମ୍ବର ୫ ଓ ୬ ତାରିଖରେ ସଂପୃକ୍ତ ବୁଥ୍‌ରେ ଉପସ୍ଥିତ ରହି ଭୋଟର ତାଲିକା ସଂଶୋଧନ କାର‌୍ୟ୍ୟ ତ୍ୱରାନ୍ୱିତ କରିବେ। ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର‌୍ୟ୍ୟକ୍ରମରେ ଭୋଟର ମାନଙ୍କ ମଧ୍ୟରେ ସଚେତନତା କରାଇବା ସହ ଯେପରି କୈାଣସି ଯୋଗ୍ୟ ମତଦାତା ତାଲିକାରୁ ବାଦ୍ ନ ପଡିବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ବୈଠକରେ ନିଷ୍ପତି ହୋଇଥିଲା। ୧୫ ଜାନୁୟାରୀ-୨୦୨୧ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି ବୈଠକରେ ଉପ-ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ସହକାରୀ ଜିଲ୍ଲାପାଳ, ନିର୍ବାଚନ ଶ୍ରୀ ଶାଶ୍ୱତ ଦାଶ, ସହକାରୀ ଜିଲ୍ଲାପାଳ ଶ୍ରୀ ଦିନେଶ ମିଶ୍ର, ସହକାରୀ ଜିଲ୍ଲାପାଳ ଶ୍ରୀ ପ୍ରମୋଦ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ, ବି-ଜେ-ଡି ପ୍ରତିନିଧି ଶ୍ରୀ ଅଲେଖ ଚରଣ ବାରିକ, ବି-ଜେ-ପି ପ୍ରତିନିଧି ଶ୍ରୀ ଶାରଦା ପ୍ରସାଦ ଦାସ, ଭାରତୀୟ ଜାତୀୟ କଂଗ୍ରେସ ପତିନିଧି ଶ୍ରୀ ମାନସ କୁମାର ରଥ, ବି-ଏସ୍‌-ପି ପ୍ରତିନିଧି ଶ୍ରୀ ଅଜୟ କୁମାର ବେହେରା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।