Odiapua.com

ବିଶ୍ୱ ନିର୍ମାତା ବିଶ୍ୱକର୍ମା – ନବ ଭାରତର ନିର୍ମାତା ମୋଦୀ ..

ଆଜି ବିଶ୍ୱ ନିର୍ମାତା ବିଶ୍ୱକର୍ମାଙ୍କ ଜୟନ୍ତୀ। ସଂଯୋଗ ବଶତଃ ଆଜି ମଧ୍ୟ ନବ ଭାରତର ନିର୍ମାତା ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୁଳଦେବତା। ପୂରାଣମତେ ବିଶ୍ୱକର୍ମା ଅଷ୍ଟମ ବସୁଦେବତା ପ୍ରଭାସଙ୍କ ଔରସରେ ଯୋଗସିଦ୍ଧାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ। ମତାନ୍ତରେ ପ୍ରଜାପିତା ବ୍ରହ୍ମାଙ୍କ ନାଭି କମଳରୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ଜନ୍ମ। ଚତୁର୍ଭୁଜ ବିଶ୍ୱକର୍ମା, ବାମ ଉପର ହାତରେ ବଟାଳି ଓ ବାମ ତଳ ହାତରେ ମାର୍ତ୍ତୁଲି, ଦକ୍ଷିଣ ଉପର ହାତରେ ଚକ୍ର ଓ ତଳ ହାତରେ ଆଶୀର୍ବାଦ କରୁଥିବା ମୁଦ୍ରାରେ ଦେଖାଯାଆନ୍ତି। ଦିବ୍ୟ ବସ୍ତ୍ର ପରିହିତ ଗଳାରେ ରତ୍ନହାର, ଅନୁପମ ରତ୍ନ ଅଳଙ୍କାରରେ ବିଭୂଷିତ, କର୍ଣ୍ଣରେ ମକର କୁଣ୍ଡଳ। ସେ ଜ୍ଞାନ ଓ ଅବସ୍ଥାରେ ସମୃଦ୍ଧ ହୋଇଥିଲେ ମଧ୍ୟ କିଶୋର ପରି ପ୍ରତିଭାତ। ଅତ୍ୟନ୍ତ ସୁନ୍ଦର ତେଜସ୍ୱୀ କାମଦେବଙ୍କ ପରି କାନ୍ତିମାନ ଅଟନ୍ତି। ବିଶ୍ୱକର୍ମା ସକଳ ଶିଳ୍ପକଳାର ଜନକ। ବ୍ରହ୍ମାଙ୍କ ନିର୍ଦ୍ଦେଶରେ ବିଶ୍ୱକର୍ମା ସମଗ୍ର ସୃଷ୍ଟି ରଚନା କରିଥିଲେ। ଦେବତା ମାନଙ୍କର ସମସ୍ତ ଶସ୍ତ୍ର ବିମାନ ଆଦି ବିଶ୍ୱକର୍ମାଙ୍କ ଦ୍ୱାରା ବିନିର୍ମିତ। ସ୍ୱର୍ଗର ଅମରାବତୀ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ। ମଣିଷର କାର୍ଯ୍ୟର ପାର୍ଥକ୍ୟରେ ଯେପରି ଜାତିର ସୃଷ୍ଟି ସେହିପରି ଭଗବାନଙ୍କୁ ନାନା ରୂପରେ କଳ୍ପନା କରାଯାଇଛି। ଯେତେବେଳେ ସୃଷ୍ଟି କରନ୍ତି ସେତେବେଳେ ସେ ବ୍ରହ୍ମା, ଯେତେବେଳେ ପାଳନ କରନ୍ତି ସେତେବେଳେ ସେ ବିଷ୍ଣୁ ଆଉ ଯେତେବେଳେ ସଂହାର କରନ୍ତି ସେତେବେଳେ ସେ ରୁଦ୍ର ସେହିପରି ସେ ଯେତେବେଳେ ଶିଳ୍ପୀ ସେତେବେଳେ ସେ ବିଶ୍ୱକର୍ମା ବୋଲି ପରିଚିତ ହୁଅନ୍ତି। ବିଶ୍ୱକର୍ମା ଅନ୍ୟ ଅର୍ଥରେ ବିଶ୍ୱର ସୃଷ୍ଟିକର୍ତ୍ତା। ଅନନ୍ତଶାୟୀ ନାରାୟଣଙ୍କ ନାଭିକମଳରୁ ଉତ୍ପନ୍ନ ହୋଇଥିବା ତ୍ରିକାଳଦର୍ଶୀ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା। ଏଣୁ ବିଶ୍ୱକର୍ମାଙ୍କୁ ମଧ୍ୟ ବ୍ରହ୍ମା ରୂପେ କଳ୍ପନା କରି ପୂଜା କରାଯାଏ।ଶାସ୍ତ୍ରରେ ବିଶ୍ୱକର୍ମାଙ୍କ ପାଞ୍ଚ ଅବତାର କଥା ବର୍ଣ୍ଣନା କରାଯାଇଛି। ସେ ପାଞ୍ଚ ଅବତାର ହେଲେ ବିରାଟ ବିଶ୍ୱକର୍ମା, ଧର୍ମବଂଶୀ ବିଶ୍ୱକର୍ମା, ଅଗ୍ନିବଂଶୀ ବିଶ୍ୱକର୍ମା, ସୁଧନ୍ୱା ବିଶ୍ୱକର୍ମା ଓ ଭୃଗୁବଂଶୀ ବିଶ୍ୱକର୍ମା। ସ୍କନ୍ଧ ପୁରାଣ ଅନୁସାରେ ବ୍ରହ୍ମା ସ୍ୱରୂପ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ମୁଖ। ବିଶ୍ୱକର୍ମାଙ୍କର ପଞ୍ଚମୁଖ ତଥା ତାଙ୍କର ପଞ୍ଚପୁତ୍ରଙ୍କ ନାମ ହେଲା – ମନୁ, ମୟ, ତ୍ୱଷ୍ଟା, ଶିଳ୍ପୀ ଓ ଦେବଜ୍ଞ ଏମାନେ ଜଣେ ଜଣେ ସମାଜର ହିତକାରୀ ପ୍ରଚଣ୍ଡ ଦିବ୍ୟ ମହର୍ଷି ଅଟନ୍ତି। ଏହି ପଞ୍ଚମୁଖର ନାମକରଣ ଅନୁସାରେ ଭଗବାନ ବିଶ୍ୱକର୍ମାଙ୍କର ପଞ୍ଚ ପୁତ୍ର ସଂସାରର ହିତ ପାଇଁ ତଥା ଯାନ୍ତ୍ରିକ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିଥିଲେ। ବିଶ୍ୱକର୍ମାଙ୍କ ଏହି ପୁତ୍ରମାନଙ୍କ ବିଭିନ୍ନ ଜ୍ଞାନ କୌଶଳରେ ନୂଆ ନୂଆ ଜିନିଷ ଉଦ୍ଭାବନ ହୋଇଥିଲା ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି। ଦେବଶିଳ୍ପୀ ବିଶ୍ୱକର୍ମା କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟରେ ଆବିର୍ଭୂତ ହୋଇଥିଲେ। ‘ବିଶ୍ୱ ସ୍ୱସ୍ୟ କର୍ମନ୍’ ଇତି ବିଶ୍ୱକର୍ମା। ବିଶ୍ୱକର୍ମା ତ୍ୱଷ୍ଟା ନାମରେ ମଧ୍ୟ ବିଦିତ। ରାମାୟଣ ବର୍ଣ୍ଣନା ଅନୁସାରେ ରାବଣର ସ୍ୱର୍ଣ୍ଣ ଲଙ୍କାପୁର, ହରିବଂଶ ବର୍ଣ୍ଣନା ଅନୁସାରେ ଦ୍ୱାରିକାଧାମ, ସ୍କନ୍ଧପୁରାଣ ବର୍ଣ୍ଣନା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀ ବିଗ୍ରହ ଆଦି ବିଶ୍ୱକର୍ମାଙ୍କ ଦ୍ୱାରା ବିନିର୍ମିତ। ବିଶ୍ୱକର୍ମାଙ୍କ ପୁତ୍ର ନଳ ଯେଉଁ ପଥର ଖଣ୍ଡକୁ ସ୍ପର୍ଶ କରୁଥିଲେ, ତାହା ହାଲୁକା ହୋଇ ପାଣିରେ ଭାସୁଥିଲା। ଏହି ପଥର ମାନଙ୍କୁ ସ୍ପର୍ଶ କରିବାରୁ ସେହି ଭାସମାନ ପଥରଦ୍ୱାରା ରାମଚନ୍ଦ୍ର ସମୁଦ୍ରରେ ସେତୁବନ୍ଧ ବନ୍ଧାଇ ସମୁଦ୍ରକୁ ପାର ହୋଇ ଲଙ୍କା ଗଡ଼ରେ ପହଞ୍ଚିଥିଲେ। ସେହିପରି କିମ୍ବଦନ୍ତୀ ଅନୁଯାୟୀ ଜଗନ୍ନାଥଙ୍କ ଦାରୁ ମୂର୍ତ୍ତି ବିଶ୍ୱକର୍ମା ହିଁ ନିର୍ମାଣ କରିଥିଲେ। ବିଶ୍ୱକର୍ମା ଭକ୍ତର ମନୋବାଞ୍ଛା ପୂରଣ କରିବା ପାଇଁ ବୁଢ଼ା ବଢ଼େଇ ରୂପରେ ଆସି ଜଗନ୍ନାଥ ମୂର୍ତ୍ତି ଗଢ଼ିଥିଲେ ବୋଲି ବିଶ୍ୱାସ ରହିଛି।ଆଜି ସେହି ବିଶ୍ୱ ନିର୍ମାତା ବିଶ୍ୱକର୍ମା ଜୟନ୍ତୀ ଅବସରରେ ନବ ଭାରତର ନିର୍ମାତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱକର୍ମାଙ୍କ ଆଜିର ବଂଶଧର ମାନଙ୍କ ପାଇଁ ଆଣିଛନ୍ତି ଏକ ବଡ଼ ଉପଲବ୍ଧି ତଥା ଏକ ବଡ଼ ଉପହାର। ବିଶ୍ୱ ନିର୍ମାତା ବିଶ୍ୱକର୍ମା ଜୟନ୍ତୀ ଅବସରରେ ୧୭ ସେପ୍ଟେମ୍ବର ଅର୍ଥାତ୍ ଆଜି ପାରମ୍ପରିକ କାରିଗର ଏବଂ ଶିଳ୍ପୀ ମାନଙ୍କ ପାଇଁ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିଶ୍ୱକର୍ମା ଜୟନ୍ତୀ ଅବସରରେ ଆଜି ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନ୍ସନ୍ ଆଣ୍ଡ ଏକ୍ସପୋ ସେଣ୍ଟରରେ “ପିଏମ୍ ବିଶ୍ୱକର୍ମା” ନାମକ ଏକ ନୂତନ ଯୋଜନାର ଶୁଭାରମ୍ଭ କରିବେ ମୋଦୀ। ପାରମ୍ପରିକ ଶିଳ୍ପରେ ନିୟୋଜିତ କାରିଗର ମାନଙ୍କୁ ସହାୟତା ପ୍ରଦାନ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କର ନିରନ୍ତର ଲକ୍ଷ୍ୟ ରହିଛି। କେବଳ କାରିଗର ଓ ଶିଳ୍ପୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନୁହେଁ ବରଂ ସ୍ଥାନୀୟ ଉତ୍ପାଦ, କଳା ଓ ହସ୍ତଶିଳ୍ପ ମାଧ୍ୟମରେ ବହୁ ପୁରୁଣା ପରମ୍ପରା, ସଂସ୍କୃତି ଓ ବିବିଧ ଐତିହ୍ୟକୁ ବଞ୍ଚାଇ ରଖିବା ଓ ସମୃଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଦ୍ୱାରା ଏହି ଯୋଜନା ଅନୁପ୍ରାଣିତ ହୋଇଛି। ୧୩,୦୦୦ କୋଟି ଟଙ୍କା ବ୍ୟୟ ଅଟକଳ ସହିତ କେନ୍ଦ୍ର ସରକାର ପିଏମ୍ ବିଶ୍ୱକର୍ମା ଯୋଜନାକୁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ପ୍ରଦାନ କରିବେ। ଏହି ଯୋଜନା ଅଧୀନରେ ବାୟୋମେଟ୍ରିକ୍ ଆଧାରିତ ପିଏମ୍ ବିଶ୍ୱକର୍ମା ପୋର୍ଟାଲ ବ୍ୟବହାର କରି ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ବିଶ୍ୱକର୍ମା ମାନଙ୍କୁ ମାଗଣାରେ ପଞ୍ଜୀକୃତ କରାଯିବ। ସେମାନଙ୍କୁ ପିଏମ୍ ବିଶ୍ୱକର୍ମା ସାର୍ଟିଫିକେଟ୍ ଏବଂ ପରିଚୟ ପତ୍ର, ମୌଳିକ ଓ ଉନ୍ନତ ଦକ୍ଷତା ବିକାଶ ପ୍ରଶିକ୍ଷଣ ସହିତ ୧୫,୦୦୦ ଟଙ୍କାର ଟୁଲକିଟ୍ ପ୍ରୋତ୍ସାହନ ରାଶି, ୫% ରିହାତି ସୁଧ ହାରରେ ୧ ଲକ୍ଷ ଟଙ୍କା (ପ୍ରଥମ କିସ୍ତି) ଏବଂ ୨ ଲକ୍ଷ ଟଙ୍କା (ଦ୍ୱିତୀୟ କିସ୍ତି) ପର୍ଯ୍ୟନ୍ତ ବନ୍ଧକମୁକ୍ତ ଋଣ ସହାୟତା, ଡିଜିଟାଲ କାରବାର ପାଇଁ ପ୍ରୋତ୍ସାହନ ଏବଂ ମାର୍କେଟିଂ ସହାୟତା ପ୍ରଦାନ କରାଯିବ।ଏହି ଯୋଜନା ପାରମ୍ପରିକ ଶିଳ୍ପରେ ନିୟୋଜିତ କାରିଗର ମାନଙ୍କୁ ସହାୟତା ପ୍ରଦାନ କରିବା ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଦ୍ୱାରା ଅନୁପ୍ରାଣିତ। ଗୁରୁ – ଶିଷ୍ୟ ପରମ୍ପରା ବା ପରିବାର ଭିତ୍ତିକ ପାରମ୍ପରିକ କୌଶଳ ଓ ବୃତ୍ତିକୁ ସୁଦୃଢ଼ ଓ ଦୀର୍ଘସ୍ଥାୟୀ କରିବା ଏହି ଯୋଜନାର ଉଦ୍ଦେଶ୍ୟ। କାରିଗର ଏବଂ ଶିଳ୍ପୀ ମାନଙ୍କର ଉତ୍ପାଦ ଏବଂ ସେବାର ଗୁଣବତ୍ତା ତଥା ପ୍ରସାରରେ ଉନ୍ନତି ଆଣିବା ଏବଂ ସେମାନଙ୍କୁ ଘରୋଇ ଏବଂ ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳ ସହିତ ସମନ୍ୱିତ କରିବାକୁ ସୁନିଶ୍ଚିତ କରିବା ହେଉଛି ପିଏମ୍ ବିଶ୍ୱକର୍ମା ଯୋଜନାର ମୁଖ୍ୟ ଲକ୍ଷ୍ୟ। ଏହି ଯୋଜନା ସମଗ୍ର ଭାରତରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର କାରିଗର ଏବଂ ଶିଳ୍ପୀ ମାନଙ୍କୁ ସହାୟତା ପ୍ରଦାନ କରିବ। ପିଏମ୍ ବିଶ୍ୱକର୍ମା ଯୋଜନା ଅଧୀନରେ ୧୮ଟି ପାରମ୍ପରିକ ହସ୍ତଶିଳ୍ପ ଅନ୍ତର୍ଭୁକ୍ତ ହେବ। ଏଗୁଡିକ ମଧ୍ୟରେ ରହିଛି (୧) ବଢ଼େଇ କାମ (୨) ଡଙ୍ଗା ନିର୍ମାଣ (୩) ଅସ୍ତ୍ରଶସ୍ତ୍ର ନିର୍ମାଣ (୪) କମାର କାମ (୪) ହାତୁଡ଼ି ଏବଂ ଟୁଲ୍ କିଟ୍ ପ୍ରସ୍ତୁତି (୬) ତାଲା ନିର୍ମାଣ (୭) ବଣିଆ (୮) କୁମ୍ଭାର କାମ (୯) ମୂର୍ତ୍ତିଶିଳ୍ପୀ, ପଥର ଶିଳ୍ପୀ (୧୦) ମୋଚି (ଚପଲ / ଜୋତା କାରିଗର) (୧୧) ମିସ୍ତ୍ରୀ (ରାଜମିସ୍ତ୍ରୀ) (୧୨) ଟୋକେଇ / ଚଟେଇ / ଝାଡୁ ପ୍ରସ୍ତୁତକାରୀ / ନଡିଆ କତା ବୁଣାଳୀ (୧୩) କଣ୍ଢେଇ ଏବଂ ଖେଳନା ନିର୍ମାଣ (ପାରମ୍ପରିକ) (୧୪) ଭଣ୍ଡାରୀ (୧୫) ଫୁଲମାଳ ପ୍ରସ୍ତୁତି (୧୬) ଧୋବା (୧୭) ଦରଜୀଏବଂ (୧୮) ମାଛଧରା ଜାଲ ପ୍ରସ୍ତୁତି। ସଂଯୋଗ ବଶତଃ ଆଜି ବିଶ୍ୱ ନିର୍ମାତା ବିଶ୍ୱକର୍ମା ଜୟନ୍ତୀ ସହ ଆଜି ମଧ୍ୟ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଆଜିର ଦିନରେ ସେହି ବିଶ୍ୱ ନିର୍ମାତା ଭଗବାନ ବିଶ୍ୱକର୍ମାଙ୍କ ବନ୍ଦନ କରିବା ସହ ନବ ଭାରତର ନିର୍ମାତା ମୋଦୀ ଜୀ’ଙ୍କୁ ନମନ୍।
– ଇଂ. ହରପ୍ରିୟା ସାହୁ
ଭଦ୍ରକ, ଓଡ଼ିଶା