Odiapua.com

ସାକାହାରୀ ଟ୍ରେନ୍: ଆମିଷ ନେବା ଓ ଖାଇବା ଉପରେ ଲାଗିବ ରୋକ୍

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଟ୍ରେନରେ ଆମିଷ ନେବା ଓ ଖାଇବା ଉପରେ ରୋକ୍ ଲଗାଯିବ। ଏହି ନିୟମ ସେହି ସବୁ ଟ୍ରେନ୍ ପାଇଁ ଲାଗୁ ହେବାକୁ ଯାଉଛି ଯେଉଁ ସବୁ ଟ୍ରେନ୍ ଧାର୍ମିକ ସ୍ଥଳ ଅଭିମୁଖେ ଯାତାୟାତ କରୁଛି। ଭାରତୀୟ ରେଳବାଇ ପକ୍ଷରୁ ଏନେଇ ଘୋଷଣା କରିବା ସହିତ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ପାଇଁ କିଛି କିଛି ଟ୍ରେନରେ ଏହା ଲାଗୁ ମଧ୍ୟ ହୋଇଯାଇଛି। ଧୀରେ ଧୀରେ ଧାର୍ମିକ ସ୍ଥଳକୁ ଯାତାୟାତ କରୁଥିବା ସବୁ ଟ୍ରେନ୍ ପାଇଁ ଏହି ନିୟମ ଲାଗୁ କରି ଦିଆଯିବ। ଆମିଷ ବାରଣ କରାଯାଇଥିବା ଏହି ଟ୍ରେନ୍ ଗୁଡ଼ିକୁ ସାତ୍ତ୍ଵିକ ଟ୍ରେନ୍ ଭାବରେ ସାର୍ଟିଫିକେସନ୍ କରାଯିବ। ଏନେଇ ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ପକ୍ଷରୁ ସାତ୍ୱିକ କାଉନ୍ସିଲ ଅଫ୍ ଇଣ୍ଡିଆ ସହିତ ବୁଝାମଣା କରାଯାଇଛି। କାଉନ୍ସିଲ୍ ଏହିସବୁ ଟ୍ରେନକୁ ସାର୍ଟିଫିକେଟ୍ ଦେବ। ସାର୍ଟିଫିକେସନ୍ ପରେ ଏହି ଟ୍ରେନ୍ ସବୁ ସାତ୍ତ୍ଵିକ ଟ୍ରେନ୍ ହୋଇଯିବ।
ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଟ୍ରେନରେ ପରସା ଯାଉଥିବା ଖାଦ୍ୟକୁ ଏଥିପାଇଁ ଖାଆନ୍ତି ନାହିଁ, କାରଣ ସେମାନଙ୍କ ମନରେ ଦ୍ୱନ୍ଦ ଥାଏ ଯେ, ଖାଦ୍ୟରେ ଆମିଷ ନା ନିରାମିଷ। ସ୍ୱଚ୍ଛତାର ସହିତ ରନ୍ଧା ଯାଇଥିବ କି ନାହିଁ, ଆମିଷ ଓ ନିରାମିଷ ଅଲଗା ଅଲଗା ରନ୍ଧାଯାଇଛି କି ନାହିଁ। ତେଣୁ ଯାତ୍ରୀଙ୍କ ଏହି ସମସ୍ୟାକୁ ଦୂର କରିବାକୁ ଯାଇ ରେଳବାଇ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଏବେ ପରଠାରୁ ଟ୍ରେନ୍ ଗୁଡ଼ିକରେ ସମ୍ପୂର୍ଣ୍ଣ ନିରାମିଷ ଖାଦ୍ୟ ପରସାଯିବ ଏହା ସହିତ ସ୍ୱଚ୍ଛତାକୁ ଧ୍ୟାନରେ ରଖାଯିବ। ଏହି ପରିପ୍ରେକ୍ଷୀରେ ଆଇଆରସିଟିସି ପକ୍ଷରୁ ସାତ୍ୱିକ କାଉନ୍ସିଲ୍ ସହିତ ବୁଝାମଣା କରାଯାଇଛି।
-/DevDr