Odiapua.com

‘ବନ୍ଦେ ଉତ୍କଳ ଜନନୀ’: ଓଡ଼ିଶା ମାଟିର ଗୌରବର ଗାଥା ..

ଭୁବନେଶ୍ୱର: ‘ବନ୍ଦେ ଉତ୍କଳ ଜନନୀ’ ଯିଏ ବଖାଣେ ଓଡ଼ିଶା ମାଟିର ଗୌରବର ଗାଥା, ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ଓଡ଼ିଶାର ପ୍ରଦେଶିକ ଗାନ (ସଙ୍ଗୀତ) ଭାବରେ ପରିଚିତ ହୋଇଥିଲା। ଏବେ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ଆଜି ଅର୍ଥାତ୍ ୩୦, ମଇ, ୨୦୨୦, ସନ୍ଧ୍ଯା ୫ଟା ୩୦ ସମୟରେ ସମସ୍ତେ ସାମାଜିକ ଦୂରତ୍ଵକୁ ଧ୍ୟାନ ଦେଇ ବନ୍ଦେ ଉତ୍କଳ ଜନନୀ ଗାନ କରିବା। ବର୍ତ୍ତମାନ ସମୟରେ ଏହାର ଗାନ ଓଡ଼ିଆ ଜାତିକୁ, ଆମ ସମସ୍ତଙ୍କୁ ଅଭୂତପୂର୍ବ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି।

ଓଡ଼ିଶା ମାଟିର କୃତିତ୍ୱ ତଥା ଯଶ ଗାନ କରୁଥିବା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରଚନା କରିଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ୧୯୯୪ ମସିହାରେ ଯୁଧିଷ୍ଠିର ଦାସ ବାଚସ୍ପତି ଥିବା ବେଳେ ବନ୍ଦେ ଉତ୍କଳ ଜନନୀକୁ ବିଧାନସଭା ଅଧିବେଶନ ଶେଷ ଦିନରେ ଗାଇ ସମ୍ମାନ ଦେବା ପାଇଁ ନିଷ୍ପତି ହୋଇଥିଲା। ଏହାପରେ କେତେଥର ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ନେଇ ବାରମ୍ବାର ବୈଠକ ବସିଲେ ମଧ୍ୟ କୌଣସି ସିଦ୍ଧାନ୍ତ ହୋଇ ପାରିଲା ନାହିଁ। ଏହାପରେ ‘ବନ୍ଦେ ଉତ୍କଳ ଜନନୀ’କୁ କିଭଳି ବୋଲାଯିବ ସେ ସମ୍ପର୍କରେ ୪ଟି ନିଷ୍ପତି ହେଲା। ପ୍ରଥମରେ ଏହି ଗୀତର ପ୍ରଥମ, ଚତୁର୍ଥ ଓ ଷଷ୍ଠ ପଦ ରାଜ୍ୟ ସଂଗୀତ ଭାବେ ବୋଲାଯିବ, ଦୂତୀୟରେ ଆକାଶବାଣୀରେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଏହାକୁ ଗାଇଥିବା ମୂଳ କଣ୍ଠସ୍ୱର ଏହାର ସ୍ୱର ହେବ, ତୃତୀୟରେ ୯୦ ସେକେଣ୍ଡ ମଧ୍ୟରେ ଏହାକୁ ଗାନ କରାଯିବ ଏବଂ ଚତୁର୍ଥରେ ଏହାକୁ ଗାଇବା ସମୟରେ ସମସ୍ତେ ଦଣ୍ଡାୟମାନ ହେବେ ବୋଲି ସ୍ଥିର ହୋଇଥିଲା। ଏହି ଗୀତକୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱର କରାଯିବା ପରେ ସଂସ୍କୃତି ବିଭାଗ ଏହାକୁ ଗୃହୀତ କରିବା ପାଇଁ ଗୃହ ବିଭାଗକୁ ପଠାଇଥିଲା। କିନ୍ତୁ, ପରିତାପର ବିଷୟ ‘ବନ୍ଦେ ଉତ୍କଳ ଜନନୀ’ ଏ’ ପର୍ଯ୍ୟନ୍ତ ବିଧିବଦ୍ଧ ଭାବରେ ରାଜ୍ୟ ସଙ୍ଗୀତର (ଷ୍ଟେଟ୍ ଆନ୍ଥମ୍) ମାନ୍ୟତା ପାଇ ପାରିନାହିଁ। /-ଦେବଦତ୍ତ ରଥ

“ବନ୍ଦେ ଉତ୍କଳ ଜନନୀ”

“ବନ୍ଦେ ଉତ୍କଳଜନନୀ,
ଚାରୁ- ହାସମୟୀ ଚାରୁ- ଭାଷମୟୀ,
ଜନନୀ, ଜନନୀ, ଜନନୀ।

ପୂତ- ପୟୋଧି- ବିଧୌତ ଶରୀରା,
ତାଳ- ତମାଳ ସୁଶୋଭିତ ତୀରା,
ଶୁଭ୍ର- ତଟିନୀ- କୂଳ ଶୀକର- ସମୀରା,
ଜନନୀ, ଜନନୀ, ଜନନୀ।

ଘନ- ଘନ- ବନଭୂମି ରାଜିତ ଅଙ୍ଗେ,
ନୀଳ- ଭୂଧର-ମାଳା ସାଜି ତରଙ୍ଗେ,
କଳକଳ- ମୁଖରିତ ଚାରୁ- ବିହଙ୍ଗେ,
ଜନନୀ, ଜନନୀ, ଜନନୀ।

ସୁନ୍ଦରଶାଳୀ ସୁଶୋଭିତ କ୍ଷେତ୍ରା,
ଜ୍ଞାନ-ବିଜ୍ଞାନ ପ୍ରଦର୍ଶିତ ନେତ୍ରା,
ଯୋଗୀ ଋଷିଗଣ ଊଟଜ ପବିତ୍ରା,
ଜନନୀ, ଜନନୀ, ଜନନୀ।

ସୁନ୍ଦର ମନ୍ଦିର ମଣ୍ଡିତ ଦେଶା,
ଚାରୁକଳାବଳୀ ଶୋଭିତ ବେଶା,
ପୁଣ୍ୟ ତୀର୍ଥଚୟ ପୂର୍ଣ୍ଣ ପ୍ରଦେଶା
ଜନନୀ, ଜନନୀ, ଜନନୀ।

ଉତ୍କଳ- ସୁରବର- ଦର୍ପିତ- ଗେହେ,
ଅରିକୁଳ- ଶୋଣିତ- ଚର୍ଚ୍ଚିତ ଦେହେ,
ବିଶ୍ୱଭୁମଣ୍ଡଳ- କୃତବର ସ୍ନେହେ,
ଜନନୀ, ଜନନୀ, ଜନନୀ।

କବିକୁଳ ମୌଳି- ସୁନନ୍ଦନ- ବନ୍ଦ୍ୟେ,
ଭୁବନ- ବିଘୋଷିତ- କୀର୍ତ୍ତିଅନିନ୍ଦ୍ୟେ,
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ,
ଜନନୀ, ଜନନୀ, ଜନନୀ।।
– କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର