Odiapua.com

ସମୟ ଅତିକ୍ରାନ୍ତ ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି ପଞ୍ଜୀକରଣ ବୈଧତା ଜୁନ୍ ୩୦ ଯାଏ ବଢିଲା

– ଫିଟନେସ, ପରମିଟ ଓ ଅନ୍ୟାନ୍ୟ ମୋଟରଯାନ କାଗଜପତ୍ରର ବୈଧତା ମିଆଦ ମଧ୍ୟ ସରକାର ବଢାଇଲେ

ନୂଆ ଦିଲ୍ଲୀ ୩୧-୩ (ଓଡ଼ିଆ ପୁଅ) ଫେବୃଆରୀ ପହିଲା ସୁଦ୍ଧା ଶେଷ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ, ପରମିଟ ଓ ଗାଡ଼ି ପଞ୍ଜୀକରଣ ଓ ଅନ୍ୟାନ୍ୟ ମୋଟରଯାନ କାଗଜପତ୍ରର ବୈଧତାକୁ ସରକାର ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏହି ମର୍ମରେ ନିର୍ଦ୍ଦେଶନାମା ଜାରି କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଦିଆଯାଇଥିବା ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ ଏସବୁ ମୋଟରଯାନ କାଗଜପତ୍ର ଯାହାର ବୈଧତା ଫେବୃଆରୀ ୧ ସୁଦ୍ଧା ଶେଷ ହୋଇଛି ସେସବୁକୁ ଜୁନ ଶେଷ ଯାଏ ବୈଧଭାବେ ଗ୍ରହଣ କରିବାକୁ ହେବ। ସାମ୍ପ୍ରତିକ କରୋନା ସଂକ୍ରମଣ ଜନିତ ସ୍ଥିତି ଦୃଷ୍ଟିରୁ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି।

ଏବେ ସମଗ୍ର ଦେଶରେ ଲକଡାଉନ ଜାରି ରହିଛି। ଏଭଳି ସ୍ଥିତିରେ ଲୋକେ ନିଜ ମୋଟରଯାନର ଲାଇସେନ୍ସ, ପଞ୍ଜୀକରଣ, ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜପତ୍ରର ନବୀକରଣ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରୀ ପରିବହନ କାର୍ଯ୍ୟାଳୟମାନ ଏବେ ବନ୍ଦ ଥିବାରୁ ଏ କ୍ଷେତ୍ରରେ ଅଧିକ ଅସୁବିଧା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏହି ନିଷ୍ପତି ନେଇଛି।

ସଂପୂର୍ଣ୍ଣଭାବେ ଏହାକୁ କାର୍ଯ୍ୟକାରୀ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଅନୁରୋଧ କରାଯାଇଛି। ଏହି କୋହଳ ବ୍ୟବସ୍ଥା ଦ୍ୱାରା ସଂକଟର ଏହି କ୍ଷଣରେ ଲୋକେ, ପରିବହନକାରୀ ଓ ବିଭିନ୍ନ ସଂଗଠନ ଅତ୍ୟାବଶ୍ୟକ ସେବା ସୁବିଧାରେ ଯୋଗାଇପାରିବେ ଏବଂ କୌଣସି ପ୍ରକାର ଅସୁବିଧା ବା ହଇରାଣ ହରକତର ସମ୍ମୁଖୀନ ହେବେ ନାହିଁ ବୋଲି ମନ୍ତ୍ରଣାଳୟ ପଧକ୍ଷରୁ କୁହାଯାଇଛି।