Odiapua.com

‘ଲଭ୍ ଜିହାଦ୍’ ମଧ୍ୟରେ ଏହି ବିଜେପି ଶାସିତ ରାଜ୍ୟରେ ସ୍ୱତନ୍ତ୍ର ଯୋଜନା : ଅନ୍ୟ ଧର୍ମରେ ବିବାହ କଲେ ୫୦ ହଜାର ଟଙ୍କା ମିଳିବ

ନୂଆ ଦିଲ୍ଲୀ ୨୨-୧୧ (ଓଡ଼ିଆ ପୁଅ) ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ହରିୟାଣା ଭଳି ବିଜେପି ଶାସିତ ରାଜ୍ୟ ଯେଉଁଠାରେ ଳଭ ଜିହାଦ ବିରୋଧରେ କଠୋର ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଆଗାମୀ ବିଧାନସଭା ଅଧିବେଶନରେ ଏହାକୁ ଆଣିବାକୁ ମଧ୍ୟ ପ୍ରଦେଶ ସରକାର ପ୍ରସ୍ତୁତ ହେଉଛନ୍ତି। ଏଥି ସହିତ ଉତ୍ତରାଖଣ୍ଡର ବିଜେପି ସରକାର ଅନ୍ୟ ଧର୍ମ ଓ ଜାତିରେ ବିବାହ କରୁଥିବା ଦମ୍ପତିଙ୍କୁ ପ୍ରୋତ୍ସାହନ ରୂପେ ୫୦ ହଜାର ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି।

ରିପୋର୍ଟ ଅନୁଯାୟୀ, ରାଜ୍ୟର ସାମାଜିକ କଲ୍ୟାଣ ବିଭାଗର ଅଧିକାରୀମାନେ କହିଛନ୍ତି ଯେ, ଏହି ପ୍ରୋତ୍ସାହନ ସମସ୍ତ ଦମ୍ପତିଙ୍କୁ ଦିଆଯିବ, ଯେଉଁମାନେ ଆଇନଗତ ଭାବେ ପଞ୍ଜୀକୃତ ଆନ୍ତଃଧର୍ମି ବିବାହ କିମ୍ବା ଆନ୍ତଃ ଜାତୀୟ ବିବାହ, ଏକ ସ୍ୱୀକୃତିପ୍ରାପ୍ତ ମନ୍ଦିର, ମସଜିଦ, ଚର୍ଚ୍ଚରେ ହୋଇଥିବ। ଅଧିକାରୀ କହିଛନ୍ତି ଯେ, ଆନ୍ତଃ- ଜାତି ବିବାହ ପାଇଁ ପ୍ରୋତ୍ସାହନ ପାଇଥିବା ଦମ୍ପତିଙ୍କ ମଧ୍ୟରୁ ଜଣେ ପତି-ପତ୍ନୀ ଭାରତୀୟ ସମ୍ବିଧାନର ଧାରା ୩୪୧ ଅନୁଯାୟୀ ଏକ ଅନୁସୂଚିତ ଜାତିର ହେବା ଆବଶ୍ୟକ।

ତେହେରୀର ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଦୀପନକର ଗିଲ୍ଡିଆଲ କହିଛନ୍ତି ଯେ ଜାତୀୟ ଏକତା ପାଇଁ ସମାଜରେ ଏକତା ବଜାୟ ରଖିବା ପାଇଁ ଆନ୍ତଃ ଜାତୀୟ ଏବଂ ଆନ୍ତଃ ଧର୍ମ ବିବାହ ଅତ୍ୟନ୍ତ ସହାୟକ ହୋଇପାରେ।

ସୂଚନାଯୋଗ୍ୟଯେ, ଆନ୍ତଃ-ଜାତି ବିବାହ ଦ୍ବାରା ସାମାଜିକ ଏକତା ବଢିବା ସହିତ ଏହା ଜାତିଗତ ବାଛବିଚାର ହ୍ରାସ କରେ ଏବଂ ସମାଜରେ ସମାନତା ଓ ଶାନ୍ତିପୂର୍ଣ୍ଣ ସହବସ୍ଥାନ ବୃଦ୍ଧି କରେ ବୋଲି ଓଡ଼ିଶା ସରକାର ମଧ୍ୟ ସୁମଙ୍ଗଳ ପୋର୍ଟାଲ ଆରମ୍ଭ କରିଛନ୍ତି। ଏହି ଦିଗରେ ଏହି ପୋର୍ଟାଲକୁ ଶୁଭାରମ୍ଭ କରି ଏହା ବହୁ ପରିମାଣରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ପୁନଶ୍ଚ ସୂଚନାଯୋଗ୍ୟ ଯେ ଏହି ସୁମଙ୍ଗଳ ପୋର୍ଟାଲ www.sumangal.odisha.gov.inରେ ଆବେଦନ କଲେ ଆନ୍ତଃ-ଜାତି ବିବାହ କରିଥିବା ଯୋଗ୍ୟ ହିତାଧିକାରୀମାନେ ୬୦ ଦିନ ମଧ୍ୟରେ ପ୍ରୋତ୍ସାହନ ରାଶି ଆକାରରେ ଅଢେଇ ଲକ୍ଷ ଟଙ୍କା ପାଇପାରିବେ।