Odiapua.com

କରୋନାଭାଇରସ୍ ଟୀକାକୁ ନେଇ ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ କଲା ଆମେରିକା – ରିପୋର୍ଟ

ୱାଶିଂଟନ୍ (ଓଡ଼ିଆ ପୁଅ) – ନୂତନ କରୋନାଭାଇରସ୍ ଭ୍ୟାକସିନ୍ କୁ ନେଇ ପ୍ରଥମ ମାନବ ପରୀକ୍ଷା ସିଆଟେଲରେ ଆରମ୍ଭ ହୋଇଛି ବୋଲି ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀ ସୋମବାର କହିଛନ୍ତି। କିନ୍ତୁ ଏହାର ଉପଲବ୍ଧତା ପାଇଁ ସମୟ ଲାଗିବ। ସମ୍ଭବତଃ ଏକ ବର୍ଷରୁ ୧୮ ମାସ ସମୟ ଲାଗିପାରେ। ଏହି ଟିକାକୁ mRNA-1273 କୁହାଯିବ। ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH) ର ବୈଜ୍ଞାନିକ ତଥା ବାୟୋଟେକ୍ନୋଲୋଜି କମ୍ପାନୀ ମେଡର୍ନାର ସହଯୋଗରେ ଏହାକୁ ବିକଶିତ କରାଯାଇଛି।

NIH କହିଛି, ଓପନ୍-ଲେଭେଲ୍ ପରୀକ୍ଷଣପାଇଁ ପ୍ରାୟ ୬ ସପ୍ତାହ ଲାଗିବ। ୧୮ ରୁ ୫୫ ବର୍ଷ ବୟସର ୪୫ ଜଣ ସୁସ୍ଥ ସ୍ବେଚ୍ଛାସେବୀଙ୍କ ଏଥିପାଇଁ ରାଜି ହୋଇଛନ୍ତି। ଅଂଶଗ୍ରହଣକାରୀମାନେ ଏହି ନୂତନ ଅନୁସନ୍ଧାନକାରୀ ଟିକା ଗ୍ରହଣ କରିଛନ୍ତି।

SARS-CoV-2 ଦ୍ୱାରା ସଂକ୍ରମଣକୁ ରୋକିବା ପାଇଁ ଏକ ନିରାପଦ ତଥା ପ୍ରଭାବଶାଳୀ ଟିକା ଖୋଜିବା ଏକ ଜରୁରୀ ଜନସ୍ୱାସ୍ଥ୍ୟ ପ୍ରାଥମିକତା ବୋଲି NIH ର ସଂକ୍ରାମକ ରୋଗର ମୁଖ୍ୟ ଆନ୍ଥୋନୀ ଫସି କହିଛନ୍ତି। ପ୍ରତିଯୋଗିତାମୂଳକ ବେଗରେ ଆରମ୍ଭ ହୋଇଥିବା ଏହି ପ୍ରଥମ ପର୍ଯ୍ୟାୟ ଅଧ୍ୟୟନ ସେହି ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି। ଏହାର ଟ୍ରାଏଲରେ ବାହୁର ଉପର ସ୍ତରରେ ଇଣ୍ଟ୍ରାମସ୍କୁଲାର ଇଞ୍ଜେକ୍ସନ୍ ଦେବା ପରେ ବିଭିନ୍ନ ଡୋଜର ପ୍ରଭାବ ଅଧ୍ୟୟନ କରାଯିବ। ଅଂଶଗ୍ରହଣକାରୀମାନଙ୍କୁ ଯନ୍ତ୍ରଣା କିମ୍ବା ଜ୍ୱର ପରି ପାର୍ଶ୍ୱ ପ୍ରତିକ୍ରିୟା କିପରି ହେଉଛି ତାହା ଉପରେ ନଜର ରଖାଯିବ।

କରୋନାଭାଇରସ୍ ଗୋଲାକାର ଏବଂ ପୃଷ୍ଠରୁ ଉପରେ ମୁକୁଟ ପରି ଦେଖାଯାଏ। ଏହା ମାନବ କୋଷ ସହିତ ବାନ୍ଧି ହୋଇ ଭୂତାଣୁ ପ୍ରବେଶ କରିବାକୁ ଅନୁମତି ଦେଇଥାଏ।

ଯୁକ୍ତରାଷ୍ଟ୍ର ଆମେରୀକାର ଗିଲିଆଡ୍ ସାଇନ୍ସ ଦ୍ୱାରା ନିର୍ମିତ ରିମେଡେସିଭର୍ ନାମକ ଏକ ଆଣ୍ଟିଭାଇରାଲ୍ ଚିକିତ୍ସା ଏସିଆରେ କ୍ଲିନିକାଲ୍ ପରୀକ୍ଷଣର ଶେଷ ପର୍ଯ୍ୟାୟରେ ଅଛି ଏବଂ ଚୀନ୍‌ର ଡାକ୍ତରମାନେ ଏହା କହିଛନ୍ତି ଯେ ଏହା ରୋଗକୁ ମୁକାବିଲା କରିବାରେ ଏହା ପ୍ରଭାବଶାଳୀ ପ୍ରମାଣିତ ହୋଇଛି।

ଡିଏନ୍ଏ ଆଧାରିତ ଟିକା ସୃଷ୍ଟି କରୁଥିବା ଇନୋଭିଓ ନାମକ ଅନ୍ୟ ଏକ ଆମେରିକୀୟ ଫାର୍ମା ଆସନ୍ତା ମାସରେ କ୍ଲିନିକାଲ୍ ଟ୍ରାଏଲରେ ପ୍ରବେଶ କରିବ ବୋଲି କହିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, COVID-19 ରୋଗର ୮୦ ପ୍ରତିଶତ ମୃଦୁ, ୧୪ ପ୍ରତିଶତ ଗୁରୁତର ଏବଂ ପ୍ରାୟ ପାଞ୍ଚ ପ୍ରତିଶତ ସଙ୍କଟାପର୍ଣ୍ଣ ହୋଇଥାଏ। ଏହା ଫଳରେ ଶ୍ୱାସପ୍ରକ୍ରିୟାରେ ରୋଗ ହୁଏ ଯାହା ଫୁସଫୁସକୁ ତରଳ ପଦାର୍ଥରେ ଭରିଦିଏ ଯାହା ପରବର୍ତ୍ତୀ ସମୟରେ ଅମ୍ଳଜାନକୁ ଶରୀରର ବିଭିନ୍ନ ଅଙ୍ଗରେ ପହଞ୍ଚିବାରେ ରୋକିଥାଏ। ସାମାନ୍ୟ ରୋଗରେ ଆକ୍ରାନ୍ତ ରୋଗୀମାନେ ଏକ କିମ୍ବା ଦୁଇ ସପ୍ତାହ ମଧ୍ୟରେ ସୁସ୍ଥ ହୋଇଥାନ୍ତି। ଗୁରୁତର ରୋଗ ଛଅ କିମ୍ବା କିଛି ଅଧିକ ସପ୍ତାହ ନେଇପାରେ।

ଆକଳନ ଅନୁଯାୟୀ ସମସ୍ତ ସଂକ୍ରମିତ ଲୋକଙ୍କ ମଧ୍ୟରୁ ପ୍ରାୟତଃ ଏକ ପ୍ରତିଶତ ମୃତ୍ୟୁବରଣ କରିଥାନ୍ତି।

ସୂଚନାଯୋଗ୍ୟଯେ, କରୋନାଭାଇରସ୍ କାରଣରୁ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୭,୦୦୦ ପାର ହେଲାଣି।

ଚାଇନା ପରେ, ଇଟାଲୀ କରୋନା ଭାଇରସ୍ ରେ ଅଧିକ ପ୍ରଭାବିତ ହୋଇଛି। କେବଳ ଇଟାଲୀ ଲୁହେଁ ସମଗ୍ର ୟୁରୋପ ପାଇଁ କରୋନା ଭାଇରସ୍ ମହାମାରୀ ବିପଦ ସୃଷ୍ଟି କରିଛି। ଇଟାଲୀର ଅବସ୍ଥା ଏତେ ଖରାପ ଯେ ଗୋଟିଏ ଦିନରେ ୩୪୯ ଜଣଙ୍କର ମୃତ୍ୟୁ ହୋଇଛି। ଅର୍ଥାତ୍ ୪୮ ଘଣ୍ଟାରେ ୭୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଏହି ସଂଖ୍ୟା ବୃଦ୍ଧି ପାଇବାକୁ ଯାଉଛି। ଏହା ସହିତ ମୃତ୍ୟୁ ସଂଖ୍ୟା ୨୦୦୦ ରୁ ଅଧିକ ହୋଇଛି।

କରୋନା ଭାଇରସ୍ ବର୍ତ୍ତମାନ ୧୪୫ ଦେଶରେ ବ୍ୟାପି ଗଲାଣି। ଏହି ରୋଗ ହେତୁ ଏପର୍ଯ୍ୟନ୍ତ ୭୦୦୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ଏକଲକ୍ଷ ୮୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି।

କରୋନାଭାଇରସ୍ ରେ ମଙ୍ଗଳବାରଦିନ ଭାରତରେ ତୃତୀୟ ମୃତ୍ୟୁ ହୋଇଥିବା ଖବର ମହାରାଷ୍ଟ୍ରରୁ ଆସିଛି। ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କର କସ୍ତୁରବା ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ବ୍ୟକ୍ତି ଜଣକ ଦୁବାଇରୁ ଫେରିଥିଲେ।

ଏହାପୂର୍ବରୁ କର୍ଣ୍ଣାଟକର ଜଣେ ପୁରୁଷ ଏବଂ ଦିଲ୍ଲୀର ଜଣେ ମହିଳା ଏହି ସଂକ୍ରମଣରେ ପୀଡିତ ହୋଇଥିଲେ। ସେମାନଙ୍କର ମୃତ୍ୟୁ ହୋଇଥିଲା। ଏବେ ପର୍ଯ୍ୟନ୍ତ ଭାରତରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ ହୋଇଥିବା ଜଣାପଡ଼ିଛି।