– ୨୦୨୪ ସୁଦ୍ଧା ଦେଶରେ ଦୁଗ୍ଧ ଉତ୍ପାଦନ ୩୩ କୋଟି ଟନରେ ପହଞ୍ଚିବା ଆଶା; ସରକାର ଉତ୍ପାଦିତ କ୍ଷୀରର ୪୦ ପ୍ରତିଶତ ପ୍ରକ୍ରିୟାକରଣ କରିବା ପାଇଁ ଉଦ୍ୟମ କରୁଛନ୍ତି: ମନ୍ତ୍ରୀ ଶ୍ରୀ ସିଂହ
– ଦୁଗ୍ଧ ଓ ମାଂସ ପ୍ରକ୍ରିୟାକରଣ ତଥା ମୂଲ୍ୟ ମିଶ୍ରଣ କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ପାଇଁ ଏଏଚ୍ଆଇଡିଏଫ୍ ପ୍ରୋତ୍ସାହନ ଦେବ, ଘରୋଇ ଉଦ୍ୟୋଗରେ ପଶୁଖାଦ୍ୟ ପ୍ରସ୍ତୁତି କାରଖାନା ତିଆରି କରାଯିବ
କେନ୍ଦ୍ର ମତ୍ସ୍ୟ, ପଶୁ ସମ୍ପଦ ଏବଂ ଦୁଗ୍ଧ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ ଆଜି ପଶୁ ସମ୍ପଦ ଭିତ୍ତିଭୂମି ବିକାଶ ପାଣ୍ଠି (ଏଏଚ୍ଆଇଡିଏଫ୍) କାର୍ଯ୍ୟକାରିତାର ନିର୍ଦେଶାବଳୀକୁ ଆନୁଷ୍ଠାନିକଭାବେ ଉନ୍ମୋଚନ କରିଛନ୍ତି। ମୋଟ ୧୫ ହଜାର କୋଟି ଟଙ୍କାର ଏହି ପାଣ୍ଠି ଗଠନ ପାଇଁ ଜୁନ୍ ୨୪ ତାରିଖରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଆତ୍ମନିର୍ଭର ଭାରତ ଅଭିଯାନ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଯେଉଁ ଘୋଷଣା ସବୁ କରାଯାଇଥିଲା ଏହା ତାହାର ଅଂଶବିଶେଷ। ଆଜି ଏହି କାର୍ଯ୍ୟକ୍ରମରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପତାପଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ। ଏହି ପାଣ୍ଠି ଗଠନ ପାଇଁ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମମନ୍ତ୍ରୀଙ୍କୁ ମନ୍ତ୍ରୀ ଶ୍ରୀ ସିଂହ କୃତଜ୍ଞତା ଜଣାଇବା ସହ କହିଛନ୍ତି ଯେ ଦେଶରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାର ବିଭିନ୍ନ ଉନ୍ନତ (ଜାତିଆ) ପ୍ରଜାତିର ଗାଈଙ୍କ ସଂଖ୍ୟାବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି। ଏହାଛଡା ଉତ୍ତମ କିସମର ଦୁଧିଆଳୀ ଗାଈଙ୍କ ବଂଶବୃଦ୍ଧି କ୍ଷେତ୍ରରେ କାର୍ଯ୍ୟକ୍ରମ ଜାରି ରହିଛି। ଏଥିସହିତ ଉତ୍ପାଦିତ ଦୁଗ୍ଧର ପ୍ରକ୍ରିୟାକରଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଉଛି। ତଦନୁସାରେ ପ୍ରକ୍ରିୟାକରଣ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି। ଏବେ ଭାରତରେ ବର୍ଷକୁ ୧୮ କୋଟି ୮୦ ଲକ୍ଷ ଟନ ଦୁଗ୍ଧ ଉତ୍ପାଦିତ ହେଉଛି। ୨୦୨୪ ବେଳକୁ ଦୁଗ୍ଧ ଉତ୍ପାଦନ ଦେଶରେ ୩୩ କୋଟି ଟନରେ ପହଞ୍ଚିବ ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ଏବେ ଦେଶରେ ଯେତେ କ୍ଷୀର ଉତ୍ପାଦିତ ହେଉଛି ସେଥିରୁ ମାତ୍ର ୨୦ରୁ ୨୫ ଶତାଂଶ ପ୍ରକ୍ରିୟାକୃତ ହୋଇପାରୁଛି। ଏହାକୁ ୪୦ ଶତାଂଶରେ ପହଞ୍ଚାଇବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ଡେରି ପ୍ରୋସେସିଂ ଭିତ୍ତିଭୂମି ବିକାଶ ପାଣ୍ଠି (ଡିଆଇଡିଏଫ୍) ଏବେ କାର୍ଯ୍ୟକାରୀ ହେଉଛି। ବିଶେଷକରି ସମବାୟ କ୍ଷେତ୍ରରେ ଏହା ଭିତ୍ତିଭୂମି ବିକାଶ କାର୍ଯ୍ୟରେ ଲାଗିବ। ଏବେ ଯେଉଁ ଏଏଚ୍ଆଇଡିଏଫ୍ ଗଠନ କରାଯାଇଛି ତାହା ଘରୋଇ କ୍ଷେତ୍ର ପାଇ ଉଦ୍ଦିଷ୍ଟ। ଏହି ଭିତ୍ତିଭୂମି ପ୍ରସ୍ତୁତ ହୋଇଗଲେ ଅଧିକରୁ ଅଧିକ ଦୁଗ୍ଧ ପ୍ରକ୍ରିୟାକୃତ ହୋଇପାରିବ। ଫଳରେ କୋଟି କୋଟି ଚାଷୀ ଓ ଦୁଗ୍ଧ ଉତ୍ପାଦନକାରୀ ଏହାଦ୍ୱାରା ଉପକୃତ ହେବେ। ଏହାଦ୍ୱାରା ମଧ୍ୟ ଭାରତର ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନ ପରିମାଣ ବଢିବ। ଏବେ ଭାରତର ଦୁଗ୍ଧଜାତ ସମାଗ୍ରୀ ରପ୍ତାନୀ ପରିମାଣ ଅତ୍ୟନ୍ତ ନଗଣ୍ୟ। ଡେରି କ୍ଷେତ୍ରରେ ନ୍ୟୁଜିଲାଣ୍ଡ ଭଳି ଦେଶ ଯେଉଁ ମାନ ହାସଲ କରିଛନ୍ତି ଭାରତକୁ ସେହି ସ୍ତରରେ ପହଞ୍ଚିବାକୁ ହେବ। ମନ୍ତ୍ରୀ କହିଛନ୍ତି ଯେ କୋଭିଡ-୧୯ ଲକ୍ଡାଉନ ସମୟରେ ଗୋପାଳକମାନେ ଦୁଗ୍ଧ ଯୋଗାଣ ବ୍ୟବସ୍ଥାକୁ ଅବ୍ୟାହତ ରଖିବା ଏକ ବଡ ଖୁସିର ଖବର।
ଦୁଗ୍ଧ ଭିତ୍ତିଭୂମିର ବିକାଶ ପାଇଁ ଦୁଗ୍ଧ ସମବାୟଗୁଡିକୁ ନାନାବିଧ ପ୍ରୋତ୍ସାହନ ଦେବାପାଇଁ କେନ୍ଦ୍ର ସରକାର କେତେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେଥିପାଇଁ ଏଏଚ୍ଆଇଡିଏଫ୍ ଗଠନ କରାଯାଇଛି। ଏହା ମାଧ୍ୟମରେ ଏମ୍ଏସ୍ଏମ୍ଇ ଏବଂ ଘରୋଇ କଂପାନୀଗୁଡିକୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଇପାରିବ। ଫଳରେ ସେମାନେ ଦୁଗ୍ଧ ପ୍ରକ୍ରିୟାକରଣ ଏବଂ ମୂଲ୍ୟମିଶ୍ରଣ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆଗ୍ରହୀ ହେବେ। ଏଏଚ୍ଆଇଡିଏଫ୍ ଏସବୁ ଭିତ୍ତିଭୂମି ପ୍ରତିଷ୍ଠା କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇ ବହୁ ପ୍ରତୀକ୍ଷିତ ଆବଶ୍ୟକତା ପୂରଣ କରିପାରିବ। ଏହାଛଡା ଘରୋଇ ଉଦ୍ୟୋଗରେ ପଶୁଖାଦ୍ୟ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଏହି ପାଣ୍ଠି ଆବଶ୍ୟକ ପ୍ରୋତ୍ସାହନ ଯୋଗାଇଦେବ।
ଏହି ଯୋଜନାରେ କୃଷି ଉତ୍ପାଦକ ସଂଗଠନ, ଏମ୍ଏସ୍ଏମ୍ଇ, ସେକ୍ସନ ୮ ଧାରା ଅନ୍ତର୍ଭୁକ୍ତ କଂପାନୀ, ଘରୋଇ କଂପାନୀ ଏବଂ ବ୍ୟକ୍ତିଗତ ଉଦ୍ୟମୀ ହିତାଧିକାରୀ ହୋଇପାରିବେ। ସେମାନଙ୍କୁ ପ୍ରକଳ୍ପର ୧୦ ଶତାଂଶ ଅର୍ଥ ସର୍ବନିମ୍ନ ମାର୍ଜିନ ମନି ଆକାରରେ ଦେବାକୁ ପଡିବ। ଅବଶିଷ୍ଟ ୯୦ ଶତାଂଶ ଅର୍ଥ ତଫସିଲଭୁକ୍ତ ବ୍ୟାଙ୍କମାନେ ଋଣ ଆକାରରେ ଯୋଗାଇଦେବେ। ଏହି ଋଣ ଉପରେ ଭାରତ ସରକାର ୩ ଶତାଂଶ ରିଆତି ପ୍ରଦାନ କରିବେ। ଦୁଇବର୍ଷ ପର୍ଯ୍ୟନ୍ତ ମୂଳ ଋଣ ଶୁଝିବାକୁ ପଡିବ ନାହିଁ। ଏହାପରେ ଛଅ ବର୍ଷ ମଧ୍ୟରେ ସମସ୍ତ ଋଣ ପରିଶୋଧ କରିବାକୁ ହେବ।
ଭାରତ ସରକାର ଏଥିପାଇଁ ୭୫୦ କୋଟି ଟଙ୍କାର ଏକ ଋଣ ଗ୍ୟାରେଣ୍ଟି ପାଣ୍ଠି ଗଠନ କରିବେ। ଏହା ନାବାର୍ଡ ଦ୍ୱାରା ପରିଚାଳିତ ହେବ। ଏମ୍ଏସ୍ଏମ୍ଇ ଅଧୀନରେ ଆସୁଥିବା ସମସ୍ତ ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପକୁ ହିଁ ଋଣ ଗ୍ୟାରେଣ୍ଟି ସୁବିଧା ମିଳିବ। ଋଣଗ୍ରହୀତାଙ୍କ ମୋଟ ଋଣର ୨୫ ଶତାଂଶ ଅର୍ଥ ଉପରେ ଗ୍ୟାରେଣ୍ଟି ସୁବିଧା ଯୋଗାଇ ଦିଆଯିବ। ନିଜର ଭିତ୍ତିଭୂମି ବିକାଶ ତଥା ନୂଆକରି ଦୁଗ୍ଧ ଓ ମାଂସ ପ୍ରକ୍ରିୟାକରଣ ଶିଳ୍ପ କିମ୍ବା ମୂଲ୍ୟମିଶ୍ରିତ କୌଣସି ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ପକ୍ଷ ଏହି ଋଣ ନିମନ୍ତେ ଆବେଦନ କରିପାରିବେ। ବିଭିନ୍ନ ତଫସିଲଭୁକ୍ତ ବ୍ୟାଙ୍କରୁ ଏହି ଋଣ ପାଇବା ପାଇଁ ସିଡ୍ବିର ଉଦ୍ୟମୀମିତ୍ର ପୋର୍ଟାଲ ମାଧ୍ୟମରେ ଆବେଦନ କରାଯାଇପାରିବ।
ଏହି ଉଦ୍ୟୋଗରେ ବିପୁଳ ଘରୋଇ ପୁଞ୍ଜି ନିବେଶର ଯେଉଁ ସୁଯୋଗ ରହିଛି ତାହାର ଦ୍ୱାର ଉନ୍ମୁକ୍ତ ହେବାକୁ ଯାଉଛି। ଏଥିପାଇଁ ସରକାର ଯେଉଁ ୧୫ ହଜାର କୋଟି ଟଙ୍କାର ପାଣ୍ଠି ଏବଂ ଋଣ ରିହାତି ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ଘରୋଇ ନିବେଶକଙ୍କୁ ଆକର୍ଷିତ କରିବ ଏବଂ ସେମାନେ ଏ କ୍ଷେତ୍ରରେ ପୁଞ୍ଜି ଖଟାଇବାକୁ ଆଗେଇ ଆସିବେ। ଏହି ଉଦ୍ୟୋଗ ଥରେ ଖୋଲିଗଲେ ବିଭିନ୍ନ ପ୍ରକାର ଦୁଗ୍ଧଜାତ ସାମଗ୍ରୀ ଓ ମାଂସ ଆଦି ଅଧିକରୁ ଅଧିକ ବିଦେଶକୁ ରପ୍ତାନୀ ହେବ। ଦୁଗ୍ଧ ଉଦ୍ୟୋଗରେ ହେଉଥିବା ବିଭିନ୍ନ ବିନିଯୋଗର ୫୦ରୁ ୬୦ ଭାଗ ମୂଲ୍ୟ ଆକାରରେ ଚାଷୀଙ୍କ ପାଖକୁ ଫେରୁଛି। ଅତଏବ ଏହି ଉଦ୍ୟୋଗରେ ପୁଞ୍ଜି ନିବେଶ ବଢିଲେ କୃଷକଙ୍କ ଆୟ ବୃଦ୍ଧି ପାଇବ। ଦୁଗ୍ଧ ସମବାୟ ସହିତ ଚାଷୀ ଯୋଡି ହେଲେ ବା ଚାଷୀଙ୍କଠାରୁ ଘରୋଇ ଉଦ୍ୟୋଗ ଦୁଗ୍ଧ କିଣିଲେ ଚାଷୀଙ୍କ ବିକ୍ରିବଟା ସୁଗମ ହେବ ଏବଂ ସେମାନଙ୍କର ଆୟ ସୁନିଶ୍ଚିତ ହୋଇପାରିବ। ଏହାମଧ୍ୟ ଦୁଗ୍ଧ ବଜାରର ପରିସରକୁ ବଢାଇବ। ତେଣୁ ଏଏଚ୍ଆଇଡିଏଫ୍ ମାଧ୍ୟମରେ ଏହି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଯେଉଁ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି ତଦ୍ଦ୍ୱାରା ଘରୋଇ ନିବେଶ ଅତିକମ୍ରେ ୭ଗୁଣ ବଢିବ ଏବଂ ଚାଷୀମାନେ ମଧ୍ୟ ଏଥିରେ ଉତ୍ସାହିତ ହୋଇ ଗୋପାଳନ ଓ ଦୁଗ୍ଧ ଉତ୍ପାଦନ ଉପରେ ବିଶେଷ ଧ୍ୟାନ ଦେବେ। ଏଏଚ୍ଆଇଡିଏଫ୍ ମାଧ୍ୟମରେ ୩୫ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ରୋଜଗାର ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି।
ଏହି ଅବସରରେ ମତ୍ସ୍ୟ, ପଶୁପାଳନ ଓ ଡେରି ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ଯେ ଦେଶର ୫୩-୫ କୋଟି ଗୃହପାଳିତ ପଶୁଙ୍କୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ପ୍ରତିଷେଧକ ଟୀକା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିମଧ୍ୟରୁ ଇତିମଧ୍ୟରେ ୪ କୋଟି ପଶୁଙ୍କୁ ଟିକା ଦିଆସରିଲାଣି। ନୂଆ ପ୍ରଯୁକ୍ତି ବ୍ୟବହାର କରି ପଶୁଙ୍କ କିସମ (ବ୍ରିଡ) ବିକାଶ କାର୍ଯ୍ୟ ଚାଲିଛି। ତେବେ ଆମେ ପ୍ରକ୍ରିୟାକରଣ କ୍ଷେତ୍ରରେ ପଛରେ ପଡିଛୁ ବୋଲି ସେ କହିଛନ୍ତି। ଏଏଚ୍ଆଇଡିଏଫ୍କୁ ବ୍ୟବହାର କରି ପ୍ରୋସେସିଂ ପ୍ଲାଣ୍ଟମାନ ପ୍ରତିଷ୍ଠା କରାଯାଇପାରିବ ଏବଂ ଏହା ମଧ୍ୟ ପଶୁଖାଦ୍ୟ ପ୍ରସ୍ତୁତି ଶିଳ୍ପ ପ୍ରତିଷ୍ଠାରେ ସହାୟକ ହୋଇପାରିବ। ଏହିସବୁ ପ୍ରକ୍ରିୟାଦ୍ୱାରା ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବା ସହିତ ୫ ଟ୍ରିଲିୟନ ଡଲାର ବିଶିଷ୍ଟ ଅର୍ଥନୀତି ତିଆରି କରିବାକୁ ପ୍ରଧାନମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ସାକାର ହୋଇପାରିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।