Odiapua.com

ଉନ୍ନତ ଭାରତ ଅଭିଯାନ ପାଇଁ ଆଇଆଇଟି ଦିଲ୍ଲୀ ସହିତ ଟ୍ରାଇଫେଡ୍‌ର ବୁଝାମଣାପତ୍ର ସ୍ୱାକ୍ଷରିତ

– ରୋଜଗାର ନିମନ୍ତେ ଜନଜାତି ବର୍ଗର ଲୋକଙ୍କ ଦକ୍ଷତା ବିକାଶ ପାଇଁ ୨୬୦୦ରୁ ଅଧିକ ପ୍ରତିଷ୍ଠାନ ମିଳିତଭାବେ କାମ କରିବେ
– ବୁଝାମଣା ଅନୁସାରେ ଆଦିବାସୀମାନଙ୍କୁ ନୂଆ ପ୍ରକ୍ରିୟାକରଣ ଟେକ୍‌ନୋଲଜି, ନବସୃଜନ, ଦିଗ୍‌ଦର୍ଶନ ଏବଂ ଡିଜିଟାଲ ବ୍ୟବସ୍ଥା ସଂପର୍କରେ ଶିକ୍ଷା ଦିଆଯିବ

ନୂଆ ଦିଲ୍ଲୀ ୨୬-୭ (ଓଡ଼ିଆ ପୁଅ) କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଜନଜାତି ବର୍ଗର ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ଟ୍ରାଇଫେଡ୍‌ସଂସ୍ଥା ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଜନଜାତି ବର୍ଗର ଲୋକଙ୍କୁ ବିକାଶର ମୁଖ୍ୟ ଧାରାରେ ସାମିଲ କରିବା ପାଇଁ ଟ୍ରାଇଫେଡ୍‌ର ଉଦ୍ୟମ ଅବ୍ୟାହତ ରହିଛି। ନିଜର ନିର୍ଦ୍ଧାରିତ ଦାୟିତ୍ୱ ଓ କାର୍ଯ୍ୟ ବାହାରେ ଟ୍ରାଇଫେଡ୍‌ଉନ୍ନତ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ଆଇଆଇଟି ଦିଲ୍ଲୀ ସହିତ ମିଳିମିଶି କାମ କରିବାକୁ ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛି। ଉନ୍ନତ ଭାରତ ଅଭିଯାନ ଭାରତ ସରକାରଙ୍କ ଏକ ଧ୍ୱଜାଧାରୀ କାର୍ଯ୍ୟକ୍ରମ। ଏହା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଛି।

ଗତକାଲି ଏଥିପାଇଁ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଥିରେ ଟ୍ରାଇଫେଡ୍‌, ଉନ୍ନତ ଭାରତ ପକ୍ଷରୁ ଆଇଆଇଟି ଦିଲ୍ଲୀ ଏବଂ ବିଜ୍ଞାନ ଭାରତୀ (ବିଭା)ର ପ୍ରତିନିଧିମାନେ ସ୍ୱାକ୍ଷର କରିଛନ୍ତି। ଉନ୍ନତ ଭାରତ ପକ୍ଷରୁ ଆଇଆଇଟି ଜାତୀୟ ସମନ୍ୱୟକାରୀ ପ୍ରତିଷ୍ଠାନ ଭାବେ କାର୍ଯ୍ୟ କରିବ। ବିଜ୍ଞାନ ଭାରତୀ ବା ବିଭା ଯାହା ଏକ ସ୍ୱଦେଶୀ ବିଜ୍ଞାନ ଆନ୍ଦୋଳନ ତାହା ଏଥିରେ ସହଯୋଗ ଯୋଗାଇବ। ଏବେ ଟ୍ରାଇଫେଡ୍‌ଅଧୀନରେ ଆଦିବାସୀମାନଙ୍କର ଉଦ୍‌ଯୋଗ ବିକାଶ ପାଇଁ ଯେଉଁ ବନଧନ କାର୍ଯ୍ୟକ୍ରମ ଚାଲିଛି ସେଥିରେ ସଂପୃକ୍ତ ବିଦ୍ୟାର୍ଥୀମାନେ ୨୬୦୦ରୁ ଅଧିକ ଶିକ୍ଷାନୁଷ୍ଠାନ, ଗବେଷଣା ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଶୈକ୍ଷିକ ସଂସ୍ଥାନର ସୁଯୋଗ ପାଇବେ। ଉନ୍ନତ ଭାରତ ଏହି ସୁଯୋଗ ଯୋଗାଇଦେବ।

ଉନ୍ନତ ଭାରତ ଅଭିଯାନ ଯୋଜନାରେ ଟ୍ରାଇଫେଡ୍‌ଜନଜାତିର ଲୋକଙ୍କ ଦକ୍ଷତା ବିକାଶ କରାଇ ସେମାନଙ୍କୁ ରୋଜଗାରକ୍ଷମ କରିବାକୁ ଉଦ୍ୟମ କରୁଛି। ଏହା ବିଭିନ୍ନ ମନ୍ତ୍ରଣାଳୟ, ଜିଲା ପ୍ରଶାସନ, ପଞ୍ଚାୟତିରାଜ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂସ୍ଥା ଏବଂ ଅନ୍ୟାନ୍ୟ ସଂପୃକ୍ତ ପକ୍ଷଙ୍କ ସହ ମିଶି କାମ କରୁଛି। ବନଧନ ବିକାଶ କେନ୍ଦ୍ର ପ୍ରତିଷ୍ଠା କରି ଆଦିବାସୀ ଲୋକଙ୍କୁ ଜୀବିକା ଅର୍ଜନର ସୁବିଧା ଦେବାପାଇଁ ଏହି ବୁଝାମଣାପତ୍ର ଅନୁସାରେ ମିଳିତ ଉଦ୍ୟମ କରାଯିବ।

ଏ ସଂପର୍କରେ ସୂଚନା ଦେଇ ଟ୍ରାଇଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରବୀର କୃଷ୍ଣ କହିଛନ୍ତି ଯେ ଜନଜାତିଙ୍କ ବିକାଶ କ୍ଷେତ୍ରରେ ଏହି ବୁଝାମଣାପତ୍ର ବିଶେଷ ସହାୟକ ହେବ। ତାଙ୍କ ସଂସ୍ଥା ବିଭିନ୍ନ ମନ୍ତ୍ରଣାଳୟ ସହ ସକ୍ରିୟ ସହଯୋଗ ରକ୍ଷାକରି ଆଦିବାସୀଙ୍କ ଦକ୍ଷତା ବିକାଶ ମାଧ୍ୟମରେ ରୋଜଗାର ଯୋଗାଇ ଦେବାକୁ ଉଦ୍ୟମ କରୁଛି। ସେମାନେ ଦକ୍ଷ ଓ ଯୋଗ୍ୟ ହୋଇପାରିଲେ ବର୍ଷସାରା ରୋଜଗାରର ସୁବିଧା ପାଇବେ। କୃଷି, ଉଦ୍ୟାନ କୃଷି, ଫୁଲଚାଷ, ଔଷଧୀୟ ଓ ସୁଗନ୍ଧୀ ବୃକ୍ଷଚାଷ ମାଧ୍ୟମରେ ନିଜର ଜୀବିକା ନିର୍ବାହ କରିପାରିବେ। ଏଣିକି ସେମାନେ କେବଳ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହରେ ସୀମିତ ରହିବେ ନାହିଁ। ଆଇଆଇଟି ଦିଲ୍ଲୀ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଏହି ବର୍ଗଙ୍କୁ ଦକ୍ଷ ଓ କୁଶଳୀ କରିବାରେ ଆବଶ୍ୟକ ଦିଗ୍‌ଦର୍ଶନ ଓ ସହାୟତା ଦେବ। ଏହାଛଡା ଦେଶର ବିଭିନ୍ନ ପ୍ରତିଷ୍ଠିତ ଶୈକ୍ଷିକ ଓ ଗବେଷଣା ଭିତ୍ତିକ ଅନୁଷ୍ଠାନରୁ ଆବଶ୍ୟକସ୍ଥଳେ ଏହି ବର୍ଗର ପିଲାମାନେ ତାଲିମ ଏବଂ ଦିଗ୍‌ଦର୍ଶନ ନେଇପାରିବେ।

ସେ କହିଛନ୍ତି ଯେ ଯେଉଁସବୁ ଆଦିବାସୀ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରୁଛନ୍ତି ସେମାନଙ୍କ ସାମଗ୍ରୀ ପ୍ରକ୍ରିୟାକରଣ ଏହାର ମାନବୃଦ୍ଧି ଓ ପ୍ୟାକେଜିଂ ଆଦି ସଂପର୍କରେ ତାଲିମ ଦିଆଯିବ। ଏହାଛଡା ସାମଗ୍ରୀର ନବସୃଜନ, ମେଣ୍ଟରସିପ୍‌ବା ଦିଗ୍‌ଦର୍ଶନ, ଡିଜିଟାଲ ବ୍ୟବସ୍ଥାର ଉପଯୋଗ ଏବଂ ପ୍ରାରମ୍ଭିକ ସହାୟତା ଏହି ବର୍ଗର ଲୋକଙ୍କୁ ପ୍ରଦାନ କରାଯିବ। ଏହାଫଳରେ ସେମାନଙ୍କର ଦକ୍ଷତା ବିକାଶ ଘଟିବ। ବୁଝାମଣାପତ୍ର ମାଧ୍ୟମରେ ଦେଶର ଉତ୍ତମ ବୁଦ୍ଧିମାନ ବ୍ୟକ୍ତିମାନେ ଯେତେବେଳେ ଆଦିବାସୀମାନଙ୍କ ଜୀବିକା ଉପାର୍ଜନ ସଂପର୍କରେ ପଦକ୍ଷେପ ନେବେ ସେତେବେଳେ ସେମାନଙ୍କ ସ୍ଥିତିରେ ନିଶ୍ଚୟ ଉନ୍ନତି ଘଟିବ।

ଏହି ଅବସରରେ ଉଦବୋଧନ ଦେଇ ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ଶ୍ରୀ ଭି- ରାମଗୋପାଳ ରାଓ କହିଛନ୍ତି ଯେ ତାଙ୍କ ଅନୁଷ୍ଠାନ ସମାଜ ସହିତ ବିଭିନ୍ନ ଭାବେ ସଂଯୁକ୍ତ ହେବାକୁ ବେଶ୍‌ସଚେତନ ହୋଇ କାର୍ଯ୍ୟ କରୁଛି। ଇମର୍ସନ କାର୍ଯ୍ୟକ୍ରମରେ ଆମେ ଆମର ଅଧ୍ୟାପକମାନଙ୍କୁ ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ବାସ୍ତବ ସମସ୍ୟାର ସମାଧାନ ପାଇଁ ନିୟୋଜିତ କରୁଛୁ। ହସ୍ପିଟାଲ, ଗାଁ, ଉଦ୍ୟୋଗ ନିର୍ବିଶେଷରେ ଏହି ସହାୟତା ଯୋଗାଇ ଦିଆଯାଉଛି। ଥରେ ସମସ୍ୟାର କାରଣ ଚିହ୍ନଟ ହୋଇଗଲେ ତାହାକୁ ଲବ୍‌ଧ ସମ୍ବଳ ଅନୁସାରେ ସମାଧାନ କରିବାକୁ ଉଦ୍ୟମ କରାଯାଉଛି। ତେଣୁ ଏଭଳି ସ୍ଥିତିରେ ଅଂଶୀଦାରୀର ବିଶେଷ ଗୁରୁତ୍ୱ ରହିଛି। ଆଇଆଇଟି ଦିଲ୍ଲୀ-ଟ୍ରାଇଫେଡ୍‌ଅଂଶୀଦାରୀ ମଧ୍ୟ ବିଜ୍ଞାନ ଭାରତୀ (ବିଭା)ର ଅଭିଜ୍ଞତା ଏବଂ ବିଶେଷ ଜ୍ଞାନକୁ ବ୍ୟବହାର କରିପାରିବ। ବିଭା ବିଜ୍ଞାନ ଓ ଟେକ୍‌ନୋଲଜି ବିକାଶରେ କିପରି ସହାୟକ ହେଉଛି ସେ ସଂପର୍କରେ ସାରା ଦେଶରେ ସଚେତନତା ସୃଷ୍ଟି କରୁଛି। ବିଜ୍ଞାନ ଓ ଟେକ୍‌ନୋଲଜି ଦ୍ୱାରା ମଣିଷ କିପରି ଆତ୍ମନିର୍ଭଶୀଳ ହୋଇପାରିବ ସେ ଦିଗରେ ଏହି ସଂସ୍ଥା କାମ କରୁଛି। ବନଧନ ଯୋଜନାକୁ ସଫଳ କରିବାରେ ବିଭା ସହାୟକ ହେବ। ବିଭିନ୍ନ ବନଧନ କେନ୍ଦ୍ର ମାଧ୍ୟମରେ ଏହା ଆଦିବାସୀଙ୍କୁ ସାମଗ୍ରୀର ମାନ ବୃଦ୍ଧି, ବ୍ରାଣ୍ଡିଂ, ବିକ୍ରିବଟା ଓ ବଜାର ସୁବିଧା ଆଦି ବିଷୟରେ ଦିଗ୍‌ଦର୍ଶନ ଦେବ। ଏହାଫଳରେ ଏହି ବର୍ଗର ଲୋକେ ରୋଜଗାରର ସୁବିଧା ପାଇବେ।

ବନଧନ ବିକାଶ କେନ୍ଦ୍ର ବନବାସୀ ଆଦିବାସୀଙ୍କ ପାଇଁ ଏକ ରୋଜଗାର ସୃଷ୍ଟିକାରୀ ବ୍ୟବସ୍ଥାରେ ପରିଣତ ହୋଇଛି। ସେମାନଙ୍କଠାରୁ ଲଘୁବନଜାତ ଦ୍ରବ୍ୟ ଓ ଅନ୍ୟାନ୍ୟ ପାରମ୍ପରିକ ସାମଗ୍ରୀ ସଂଗ୍ରହ କରି ଏହାର ବିକ୍ରିବଟା ବ୍ୟବସ୍ଥା କରାଯାଉଛି। ଆଦିବାସୀ ଶିଳ୍ପୀ ଓ କାରିଗରୀମାନଙ୍କୁ ମଧ୍ୟ ରୋଜଗାର ଯୋଗାଇବାରେ ସହାୟକ ହୋଇଛି। ଦେଶର ୩-୬ ଲକ୍ଷ ବନବାସୀ ଆଦିବାସୀମାନଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବାକୁ ୧୮, ୫୦୦ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଉଦ୍ୟମ ଚାଲିଛି ତଥା ୧୨୦୫ଟି ଆଦିବାସୀ ଉଦ୍ୟୋଗ ମଧ୍ୟ ପ୍ରତିଷ୍ଠା କରାଯାଇଛି। ଦେଶର ୨୨ଟି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ଯେପରି ଆହୁରି ସଂପ୍ରସାରିତ ହେବ ସେଥିପାଇଁ ଟ୍ରାଇଫେଡ୍‌ଚଳିତ ଆର୍ଥିକ ବର୍ଷରେ ୩୦୦୦ ବନଧନ ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଅନୁମତି ପ୍ରଦାନ କରିଛି। ବନଧନ ଯୋଜନାକୁ ଆଧାର କରି ଆଦିବାସୀମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଟ୍ରାଇଫେଡ୍‌ମଧ୍ୟ ଆହୁରି ଏକାଧିକ ଯୋଜନା ପ୍ରସ୍ତୁତ କରିଛି।

ଉନ୍ନତ ଭାରତ ଅଭିଯାନ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏକ ଧ୍ୱଜଧାରୀ ଜାତୀୟ କାର୍ଯ୍ୟକ୍ରମ। ଗ୍ରାମ୍ୟ ଉନ୍ନୟନ ବ୍ୟବସ୍ଥାରେ ଜ୍ଞାନ ଓ ପ୍ରଯୁକ୍ତିକୁ ପ୍ରୟୋଗ କରି ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଏବଂ ଏକ ସମାବେଶୀ ଭାରତ ନିର୍ମାଣ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଦିଲ୍ଲୀ ଆଇଆଇଟିରେ ଉନ୍ନତ ଭାରତ ଅଭିଯାନର ଏକ ସେଲ୍‌ରହିଛି। ଏଥିରେ ଏକ ପରାମର୍ଶଦାତା କମିଟି, ଏକ କାର୍ଯ୍ୟନିର୍ବାହୀ କମିଟି ଏବଂ ଏକ କାର୍ଯ୍ୟକାରୀ ଗୋଷ୍ଠୀ କାର୍ଯ୍ୟରତ। ବିଭିନ୍ନ ବିଭାଗରୁ ପ୍ରାୟ ୪୦ ଜଣ ଅଧ୍ୟାପକ ଓ ଗବେଷକଙ୍କୁ ଏଥିରେ ସାମିଲ କରାଯାଇଛି। ଏହାକୁ ଗ୍ରାମ୍ୟ ଉନ୍ନୟନ ପ୍ରଯୁକ୍ତି କେନ୍ଦ୍ର (ସିଆରଡିଟି) ଏବଂ ଦିଲ୍ଲୀ ଆଇଆଇଟିର ରୁଟାଙ୍ଗ୍‌ଗୋଷ୍ଠୀ ସହାୟତା ଯୋଗାଉଛି। ଗ୍ରାମାଞ୍ଚଳର ବିକାଶ ପ୍ରକ୍ରିୟାରେ ପରାମର୍ଶ ଓ ଆବଶ୍ୟକ ଦିଗ୍‌ଦର୍ଶନ ଏହା ଯୋଗାଉଛି।

ଉନ୍ନତ ଭାରତ ଅଭିଯାନ ଓ ଦିଲ୍ଲୀ ଆଇଆଇଟି ଦେଶର ବିଭିନ୍ନ ପ୍ରତିଷ୍ଠାନ ସହ ସଂପର୍କ ରଖି କାର୍ଯ୍ୟ କରୁଛି। ସେଥିମଧ୍ୟରେ ସମସ୍ତ ଆଇଆଇଟି, ଏନ୍‌ଆଇଟି, ଡିଏସ୍‌ଟି, ଡିବିଟି, ଆଇସିଏଆର୍‌, ଆଇସିଏମ୍‌ଆର, ଏମ୍‌ଜିଆଇଆରଆଇ, ସିଏସ୍‌ଆଇଆର ଲାବୋରେଟରୀ, ଇସ୍ରୋ, ଡିଆରଡିଓ, ପ୍ରତିରକ୍ଷା ଲାବୋରେଟରୀ, ବାର୍କ, ବିଭିନ୍ନ କମ୍ୟୁନିଟି ଅର୍ଗାନାଇଜେସନ୍‌ଓ ସଚେତନ କର୍ପୋରେଟ ସଂସ୍ଥାମାନେ ଅଛନ୍ତି। ଏବେ ଉନ୍ନତ ଭାରତ ଅଭିଯାନ ନେଟୱାର୍କରେ ୪୪ଟି ଆଞ୍ଚଳିକ ସମନ୍ୱୟକାରୀ ପ୍ରତିଷ୍ଠାନ ସଲ୍ୟୁସନ ଫାସିଲିଟର ଭାବେ କାର୍ଯ୍ୟ କରୁଛି। ଏଥିରେ ୩୩ଟି ବିଶେଷ ବିଷୟ ବିଶେଷଜ୍ଞ ଗୋଷ୍ଠୀ ଓ ନିର୍ଦ୍ଦିଷ୍ଟ ବିଶେଷଜ୍ଞ ପରାମର୍ଶଦାତା ଅଛନ୍ତି। ଉପଜାତି ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ସେମାନଙ୍କ ଦକ୍ଷତା ବିକାଶ ପାଇଁ ସାରା ଦେଶରେ ୨୬୦୦ରୁ ଅଧିକ ସଂଗଠନ କାର୍ଯ୍ୟ କରୁଛି।