Odiapua.com

ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି..

ଭୁବନେଶ୍ୱର: ଦେଶ ସ୍ୱାଧୀନତାକୁ ସ୍ମରଣ କରାଇବା ଉଦ୍ଦେଶ୍ୟରେ ଏବଂ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୧୩୦ କୋଟି ଦେଶବାସୀଙ୍କ ଭାଗିଧାରୀ ଓ ଭାବନାର ପର୍ବ “ଆଜାଦୀ କା ଅମୃତ ମହୋତ୍ସବ” ପାଳନ କରାଯାଉଛି। ଏହି ଅବସରରେ ଯେଉଁ ମହାପୁରୁଷ, ଶହୀଦ, ସ୍ୱାଧୀନତା ସଂଗ୍ରାମୀ ଓ ଅପରିଚିତ ନାୟକମାନେ ଦେଶ ପାଇଁ ତ୍ୟାଗ, ବଳିଦାନ ଓ ତପସ୍ୟା କରିଥିଲେ, ସେମାନଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଉଛି। ଓଡ଼ିଶାର ବହୁ ମହାପୁରୁଷ, ସ୍ୱାଧୀନତା ସଂଗ୍ରାମୀ ଓ ଅପରିଚିତ ନାୟକ ମାନଙ୍କୁ ସମ୍ମାନ ଜଣାଇବା ସହିତ ସେମାନଙ୍କ ସଂପର୍କରେ ବର୍ତ୍ତମାନର ଯୁବପୀଢ଼ିକୁ ଅବଗତ କରାଇବା ଆମ ସମସ୍ତଙ୍କ ଦାୟୀତ୍ୱ। ଏହା ଦ୍ୱାରା ଆମ ସଂସ୍କୃତି, ଐତିହ୍ୟ, ପରଂପରା ଓ ଇତିହାସ ସର୍ବଦା ଜୀବନ୍ତ ହୋଇ ରହିବ। ପାଇକ ବିଦ୍ରୋହକୁ ସ୍ୱତନ୍ତ୍ର ଆନ୍ଦୋଳନ ଭାବେ ମୋଦି ସରକାର ମାନ୍ୟତା ଦେବା ସହିତ ଏଥି ପାଇଁ ବଜେଟରେ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ରାଜ୍ୟ ସରକାର ଜମି ପ୍ରଦାନ କରିବା ମାତ୍ରେ ଖୋର୍ଦ୍ଧାର ବରୁଣେଇ ପାହାଡ଼ରେ ସ୍ମାରକୀ ପ୍ରତିଷ୍ଠା ସମ୍ଭବ ହୋଇପାରିବ ଏବଂ ଏହା ହିଁ ପ୍ରକୃତ ପକ୍ଷେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ହେବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।“ଆଜାଦୀ କା ଅମୃତ ମହୋତ୍ସବ” ପାଳନ ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି ଭଦ୍ରକ ଜିଲ୍ଲା ବାସୁଦେବ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରକ୍ତତୀର୍ଥ ଇରମକୁ ପଦଯାତ୍ରାରେ ଯାଇ ୨୯ ଜଣ ଶହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ବହୁ ଅପରିଚିତ ନାୟକ ମାନଙ୍କ ଜିବନୀକୁ ଲୋକଲୋଚନକୁ ଆଣି ସାର୍ବଜନୀନ କରିବା ଆମ ସମସ୍ତଙ୍କ ପ୍ରଥମ ଦାୟୀତ୍ୱ ହେଉ ବୋଲି ସମୀର ମହାନ୍ତି କହିଛନ୍ତି। ଏହି ଲବଣତୀର୍ଥ ଚୂଡାମଣିରୁ ଇରମ ଯାଏଁ ଏକ ପଦଯାତ୍ରା ଆୟୋଜିତ ହୋଇଥିଲା। ଏହାସହ ରକ୍ତତୀର୍ଥ ଇରମ୍ ମାଟିର ଶହୀଦ ସଂଗ୍ରାମୀ ମାନଙ୍କ ପରିବାର ସଦସ୍ୟଙ୍କୁ ସମୀର ମହାନ୍ତି ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ସିପ୍ରା ବାଜପେୟୀ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ, ମାଧବାନନ୍ଦ ମଲ୍ଲିକ, ପଞ୍ଚାନନ ନାୟକ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଦେବାଂଶୁ ରାଉତ, ଜିଲ୍ଲା କୋଷାଧ୍ୟକ୍ଷ ଜୟ ପ୍ରକାଶ ମଲ୍ଲିକ, ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ସୁରଜ ସୂର୍ଯ୍ୟବଂଶୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
@Dr