ମହାନ୍ କ୍ରାନ୍ତିକାରୀ ମଙ୍ଗଳ ପାଣ୍ଡେ (୧୯, ଜୁଲାଇ, ୧୮୨୭ – ୮, ଏପ୍ରିଲ, ୧୮୫୭)
୧୮୫୭ ମସିହାରେ ହୋଇଥିବା ସ୍ୱାଧୀନତା ସଂଗ୍ରାମର ପ୍ରମୂଖ ଭୂମିକା ନେଇଥିଲେ ମଙ୍ଗଳ ପାଣ୍ଡେ। ଏହାକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଏ। ମଙ୍ଗଳ ପାଣ୍ଡେ ଇଷ୍ଟ ଇଣ୍ଡିଆ କମ୍ପାନୀରେ ଜଣେ ସିପାହୀ ଥିବା ସତ୍ତ୍ୱେ ଇଂରେଜ ଶାସନ ବିରୋଧରେ ବିଦ୍ରୋହର ନାରା ଦେଇଥିଲେ। ଏକ ବନ୍ଧୁକ ବ୍ୟବହାରକୁ ନେଇ ଆରମ୍ଭ ହୋଇଥିବା ବିଦ୍ରୋହରୁ ଦେଖାଦେଇଥିଲା ଏକ ବଡ଼ ବିପ୍ଳବ। ଏହାର ନେତୃତ୍ୱ ନେଇଥିବା ଯୋଗୁଁ ମଙ୍ଗଳ ପାଣ୍ଡେଙ୍କୁ ମିଳିଥିଲା ଫାଶି ଦଣ୍ଡାଦେଶ। ମାତ୍ର ୩୦ ବର୍ଷ ବୟସରେ ତାଙ୍କୁ ଫାଶି ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ଉତ୍ତରପ୍ରଦେଶର ବଲିଆ ଜିଲ୍ଲାର ନରୱା ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ୧୮୨୭ ମସିହା ଜୁଲାଇ ୧୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମଙ୍ଗଳ ପାଣ୍ଡେ। ଦିବାକର ପାଣ୍ଡେ ଓ ଅଭୟ ରାଣୀ ଦେବୀଙ୍କ କୋଳମଣ୍ଡନ କରିଥିବା ମଙ୍ଗଳ ପାଣ୍ଡେ ୧୮୪୯ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀର ୩୪ତମ ବଙ୍ଗାଲ୍ ନେଟିଭ୍ ଇନଫାଣ୍ଟ୍ରିରେ ଜଣେ ସିପାହି ଭାବରେ ଯୋଗ ଦେଇଥିଲେ। ହିନ୍ଦୁ ଧର୍ମ ଉପରେ ତାଙ୍କର ଥିଲା ଅତୁଟ ବିଶ୍ୱାସ। ଇଂରେଜମାନଙ୍କ ଗୁଲାମୀର ଶିକାର ହେବାପରେ ସେ ପାଲଟି ଯାଇଥିଲେ କ୍ରାନ୍ତିକାରୀ। ଏକ ବନ୍ଧୁକ ବ୍ୟବହାରକୁ ନେଇ ଆରମ୍ଭ ହୋଇଥିଲା ବିଦ୍ରୋହ। ଇଂରେଜ ସରକାରଙ୍କ ପକ୍ଷରୁ ସିପାହୀ ମାନଙ୍କୁ ଏକ ନୂଆ ରାଇଫଲ୍ ବନ୍ଧୁକ ଦିଆଯାଇଥିଲା। କିନ୍ତୁ, ଏଥିରେ କରାଯାଇଥିବା ଏକ ପରିବର୍ତ୍ତନକୁ ନେଇ ଜଳିଥିଲା ବିଦ୍ରୋହର ବହ୍ନି। ଏହି ବନ୍ଧୁକରେ ଗୁଳି ପୂରାଇବା ପୂର୍ବରୁ ଗୁଳିରେ ଲାଗିଥିବା କାରତୁସକୁ ଦାନ୍ତରେ ଛିଣ୍ଡାଇବାକୁ ପଡୁଥିଲା। ଏବଂ ତା’ ପରେ ବନ୍ଧୁକରେ ଗୁଳି ପୁରାଇ ଲକ୍ଷ୍ୟ ଭେଦ କରାଯାଉଥିଲା।
/-Dev@Drath