ଭୂତପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି ପୂଣ୍ୟତିଥୀ। (୨୫ ଡିସେମ୍ବର ୧୯୨୪ – ୧୬ ଅଗଷ୍ଟ ୨୦୧୮)। ବାଜପେୟୀ ଜଣେ ରାଜନେତା, ସୁବକ୍ତା ଏବଂ ପ୍ରସିଦ୍ଧ ହିନ୍ଦୀ କବି ଥିଲେ। ସ୍ୱାଧୀନ ଭାରତର ଦଶମ ପ୍ରଧାନମନ୍ତ୍ରୀ ଭାବେ ଅଟଳ ଜୀ’ ତିନିଥର (୧୯୯୬ ମସିହାରେ ୧୩ ଦିନ, ୧୯୯୮ ରୁ ୧୯୯୯ ମଧ୍ୟରେ ୧୩ ମାସ ଏବଂ ୧୯୯୯ ରୁ ୨୦୦୪ ପୁରା ୫ ବର୍ଷ କାର୍ଯ୍ୟଭାର ସମ୍ଭାଳି ଥିଲେ। ଜଣେ ଉଦାରବାଦୀ ନେତା ଭାବେ ବିବେଚିତ ବାଜପେୟୀ ଅବିବାହିତ ଥିଲେ।
ପ୍ରାରମ୍ଭିକ ଜୀବନୀ –
ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ୱାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ବାଜପେୟୀଙ୍କ ପିତା କୃଷ୍ଣ ବିହାରୀ ବାଜପେୟୀ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାର ପ୍ରାଚୀନ ବଟେଶ୍ୱରର ମୂଳନିବାସୀ। କୃଷ୍ଣ ବିହାରୀ ଜଣେ କବି ଏବଂ ନିଜ ଗାଁ’ରେ ଶିକ୍ଷକତା କାର୍ଯ୍ୟ କରୁଥିଲେ। ବାଜପେୟୀଙ୍କ ମାତାଙ୍କ ନାମ ଥିଲା କୃଷ୍ଣା ବାଜପେୟୀ। ଛାତ୍ର ଜୀବନରୁ ଅଟଳ ଜୀ’ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର (ଆରଏସ୍ଏସ୍) ସ୍ୱୟଂସେବକ ହୋଇଥିଲେ। ଗ୍ୱାଲିୟରର ଭିକ୍ଟୋରିଆ କଲେଜ (ବର୍ତ୍ତମାନ ଲକ୍ଷ୍ମୀବାଈ କଲେଜ)ରୁ ବାଜପେୟୀ ସ୍ନାତକ ଡିଗ୍ରୀ ପ୍ରାପ୍ତ କରିଥିଲେ। ଏହାପରେ କାନପୁରର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ଏମ୍ଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏମ୍ଏ ପରେ ପରେ ସେ କାନପୁରରେ ଏଲ୍ଏଲ୍ବି ପଢ଼ା ଆରମ୍ଭ କରିଥିଲେ। ତେବେ ମଝିରୁ ପାଠପଢ଼ା ଛାଡ଼ି ପୂର୍ଣ୍ଣ କାଳୀନ ପ୍ରଚାରକ ଭାବେ ସେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ କାର୍ଯ୍ୟରେ ନିଷ୍ଠାର ସହ ଲାଗିଯାଇଥିଲେ।
ରାଜନୈତିକ ଜୀବନ –
ବାଜପେୟୀ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ୧୯୪୨ରେ ଜେଲ ଯାଇଥିଲେ। ୧୯୭୫ରେ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନକୁ ଆହ୍ଲାବାଦ ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ସେ ଜରୁରୀକାଳୀନ ପରିସ୍ଥିତି ଜାରି କଲେ ଏବଂ ଦେଶର ସବୁ ତୁଙ୍ଗ ବିରୋଧୀ ନେତାମାନଙ୍କୁ ଗିରଫ କରାଗଲା। ବାଜପେୟୀଙ୍କୁ ମଧ୍ୟ ୨୨ ମାସ କାଳ କାରାବରଣ କରିବାକୁ ପଡ଼ିଥିଲା। ଭାରତୀୟ ଜନସଂଘର ପ୍ରତିଷ୍ଠାତାଙ୍କ ମଧ୍ୟରେ ବାଜପେୟୀ ଅନ୍ୟତମ। ଜନସଂଘ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ନାମରେ ରାଜନୈତିକ ଦଳର ମାନ୍ୟତା ପାଇଥିଲା। ୧୯୬୮ରୁ ୧୯୭୩ ପର୍ଯ୍ୟନ୍ତ ବାଜପେୟୀ ଜନସଂଘର ଅଧ୍ୟକ୍ଷ ରହିଥିଲେ।
ବାଜପେୟୀ ୧୯୫୫ ମସିହାରେ ପ୍ରଥମ କରି ଲୋକସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ୧୯୫୭ରେ ଅନୁଷ୍ଠିତ ଦ୍ୱିତୀୟ ସାଧାରଣ ନିର୍ବାଚନରେ ବାଜପେୟୀ ମାତ୍ର ୩୩ ବର୍ଷ ବୟସରେ ଉତ୍ତରପ୍ରଦେଶର ବଳରାମପୁର ଲୋକସଭା ଆସନରୁ ଜନସଂଘର ପ୍ରାର୍ଥୀ ଭାବେ ଜିତି ଲୋକସଭାକୁ ପ୍ରଥମ କରି ଯାଇଥିଲେ। ସେତେବେଳେ ସେ ଯେଉଁ ଭାଷଣ ଦେଇଥିଲେ, ତାହା ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଏପରିକି ନେହେରୁ କହିଥିଲେ, ଏହି ଯୁବକ ଜଣଙ୍କ ଦିନେ ଭାରତର ପ୍ରଧାନମନ୍ତ୍ରୀ ହେବେ। ୧୯୫୭ରୁ ୨୦୦୯ ପର୍ଯ୍ୟନ୍ତ ବାଜପେୟୀ ୯ ଥର ଲୋକ ସଭାକୁ ନିର୍ବାଚିତ ହୋଇ ଥିବାବେଳେ ରାଜ୍ୟସଭାକୁ ୧୯୬୨ ଓ ୧୯୮୬ରେ ଦୁଇଥର ନିର୍ବାଚିତ ହୋଇ ମଝିରେ ମାତ୍ର ଦେଢ଼ ବର୍ଷକୁ ଛାଡିଦେଲେ ସଂସଦରେ ୫୦ ବର୍ଷରୁ ଅଧିକ କାଳ ସଦସ୍ୟ ହୋଇ ରହିଛନ୍ତି। ଦେଶର ସେ ଏକମାତ୍ର ସାଂସଦ ଯିଏ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ ଏବଂ ଦିଲ୍ଲୀ, ୪ଟି ରାଜ୍ୟରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି। ସେ ଲକ୍ଷ୍ମୌ ନିର୍ବାଚନ ମଣ୍ଡଳୀରୁ ଲଗାତର ୬ ଥର ବିଜୟୀ ହୋଇଥିଲେ।
୧୯୫୯ରୁ ୧୯୭୭ ପର୍ଯ୍ୟନ୍ତ ଜନତା ପାର୍ଟି ପ୍ରତିଷ୍ଠା ହେବା ଯାଏଁ ବାଜପେୟୀ ୨୦ ବର୍ଷ ଧରି ଜନସଂଘ ସଂସଦୀୟ ଦଳର ନେତା ଥିଲେ। ମୋରାରଜୀ ଦେଶାଇ ସରକାରରେ ସେ ୧୯୭୭ ରୁ ୧୯୭୯ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ ଥିଲେ। ତାଙ୍କ ବିବୃତି “ଆପଣ ବନ୍ଧୁମାନଙ୍କୁ ପରିବର୍ତ୍ତନ କରିପାରିବେ, ମାତ୍ର ପଡ଼ୋଶୀମାନଙ୍କୁ ପରିବର୍ତ୍ତନ କରିପାରିବେ ନାହିଁ’ ଆଜି ବୈଦେଶିକ ନୀତିରେ ଏକ ଜନପ୍ରିୟ ବିବୃତି ଭାବେ ଖ୍ୟାତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବାଜପେୟୀଙ୍କ ସେହି ବିବୃତିକୁ ବାରମ୍ବାର ଦୋହରାଇ ସାରିଛନ୍ତି। ବାଜପେୟୀ ପ୍ରଥମ ବିଦେଶ ମନ୍ତ୍ରୀ ଥିଲେ, ଯିଏକି ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ଭାରତକୁ ଗୌରବାନ୍ୱିତ କରିଥିଲେ।
ଉଲ୍ଲେଖନୀୟ କାର୍ଯ୍ୟ –
୧୯୯୬ ମସିହାରେ ବାଜପେୟୀ ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ତେବେ ସେ ୧୩ ଦିନ ପ୍ରଧାନମନ୍ତ୍ରୀ ପଦରେ ହିଁ ରହିପାରିଥିଲେ। ଏହାପରେ ୧୯୯୮ରେ ସେ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୯ରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଏହି ସମୟରେ ସେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ। ୧୯୯୮ ମଇ ୧୩ରେ ପୋଖରାନଠାରେ କରାଯାଇଥିବା “ଅପରେସନ ଶକ୍ତି’ ଥିଲା ତାଙ୍କର ଆଉ ଏକ ସଫଳତା। ଏହାଦ୍ୱାରା ସେ ବିଶ୍ୱରେ ହାତଗଣତି ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଭାରତକୁ ସାମିଲ କରାଇଥିଲେ। ସେ ଏଭଳି କୌଶଳରେ ପରମାଣୁ ବୋମା ପରୀକ୍ଷା କରାଇଲେ ଏହାର ସୂଚନା ଆମେରିକା ମଧ୍ୟ ପାଇନଥିଲା। ବାଜପେୟୀ ୧୦୦ ବର୍ଷର ପୁରାତନ କାବେରୀ ଜଳ ବିବାଦର ସମାଧାନ କରିଥିଲେ। ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ଓ ବିମାନ ବନ୍ଦରର ବିକାଶ, ନୂଆ ଟେଲିକମ୍ ନୀତି ତଥା କୋଙ୍କଣ ରେଳବାଇର ଶୁଭାରମ୍ଭ ମାଧ୍ୟମରେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ତୁଲାଇଥିଲେ। ସେ ରାଷ୍ଟ୍ରୀୟ ସୁରକ୍ଷା ସମିତି, ଆର୍ଥିକ ପରାମର୍ଶଦାତା କମିଟି ଏବଂ ବ୍ୟାପାର ଓ ଉଦ୍ୟୋଗ କମିଟି ଗଠନ କରିଥିଲେ। ୧୯୯୯ରେ କାରଗିଲ ଯୁଦ୍ଧ ଓ ୨୦୦୧ରେ ସଂସଦ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ବାଜପେୟୀଙ୍କ କାର୍ଯ୍ୟକାଳ ମଧ୍ୟରେ ଘଟିଥିଲା। ୨୦୦୧ରେ ଗୁଜରାଟ ଦଙ୍ଗା ସମୟରେ ବାଜପେୟୀ କହିଥିଲେ ‘ମୋଦି ରାଜଧର୍ମ ପାଳନ କରି ନାହାଁନ୍ତି’। ପାକିସ୍ତାନ ସହିତ ସଂପର୍କରେ ଉନ୍ନତି ଆଣିବା ଲାଗି ୧୯୯୯ ଫେବୃଆରୀ ୧୯ରେ ତାଙ୍କ ଉଦ୍ୟମରେ ଦିଲ୍ଲୀରୁ ପାକିସ୍ତାନର ଲାହୋର ମଧ୍ୟରେ ବସ୍ସେବା ଆରମ୍ଭ କରିଥିଲେ। ଦିଲ୍ଲୀରୁ ଲାହୋର ଯାଉଥିବା ପ୍ରଥମ ବସ୍ରେ ବସି ସେ ପାକିସ୍ତାନ ଯାଇଥିଲେ। ୧୯୯୯ ଫେବୃଆରୀ ୨୧ରେ ବାଜପେୟୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସହ ଲାହୋର ଘୋଷଣାନାମାରେ ସ୍ୱାକ୍ଷର କରିଥିଲେ ଏବଂ ଭାରତ ଓ ପାକିସ୍ତାନ ମଧ୍ୟରେ ରହିଥିବା ସମସ୍ୟାବଳୀକୁ ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ସମାଧାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ୧୯୯୯ ମଇ ଓ ଜୁଲାଇରେ କାରଗିଲ ଉପରେ ପାକିସ୍ତାନର ସେନାମୁଖ୍ୟ ପରଭେଜ ମୁଶାରଫ ଆକ୍ରମଣ କରିବା ସମୟରେ ବି ବାଜପେୟୀ ଏହି ବସସେବାକୁ ବାତିଲ କରି ନଥିଲେ। ତେବେ ୨୦୦୧ ଡିସେମ୍ବର ୧୩ରେ ସଂସଦ ଉପରେ ଆଇଏସଆଇ ଆକ୍ରମଣ ପରେ ଏହି ବସ୍ ସେବା ବନ୍ଦ ହୋଇ ଯାଇଥିଲା। ପରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବନ୍ଦ କରିବା ଏବଂ ନିଜ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦିଆଯିବ ନାହିଁ ବୋଲି ପାକିସ୍ଥାନ ପ୍ରତିଶ୍ରୁତି ଦେବା ପରେ ୨୦୦୩ ଜୁଲାଇ ୧୬ ତାରିଖରେ ଏହି ବସ୍ ସେବା ପୁଣି ଆରମ୍ଭ ହୋଇଥିଲା। ୨୦୦୪ରେ କାର୍ଯ୍ୟକାଳ ପୂରା ହେବା ପୂର୍ବରୁ ‘ଭାରତ ଉଦୟ’ ସ୍ଲୋଗାନ ଦେଇ ବାଜପେୟୀଙ୍କ ନେତୃତ୍ୱରେ ଏନ୍ଡିଏ ନିର୍ବାଚନ ଲଢ଼ିଥିଲା। ତେବେ ପରାଜୟବରଣ କରିବାକୁ ପଡ଼ିଥିଲା। ଏହା ପରଠାରୁ ବାଜପେୟୀ କ୍ରମଶଃ ରାଜନୀତିରୁ ଦୂରେଇ ଯାଇଥିଲେ।
ପୁରସ୍କାର ଏବଂ ସମ୍ମାନ –
ଦେଶପ୍ରତି ବାଜପେୟୀଙ୍କ ଅବଦାନକୁ ସମ୍ମାନ ଜଣାଇବା ପରିପ୍ରେକ୍ଷୀରେ ଡିସେମ୍ବର ୨୫ ତାଙ୍କ ଜନ୍ମତିଥିକୁ ସୁଶାସନ ଦିବସ ଭାବେ ପାଳନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ବାଜପେୟୀଙ୍କ ସମ୍ମାନରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ନବନିର୍ମିତ କ୍ରିକେଟ ଷ୍ଟାଡିୟମକୁ ‘ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମ’ ନାମରେ ନାମକରଣ କରାଯାଇଛି। ୧୯୯୨ରେ ପଦ୍ମ ବିଭୂଷଣ, ୧୯୯୩ରେ କାନପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ସମ୍ମାନ ଜନକ ଡକ୍ଟରେଟ୍ ଉପାଧି ୧୯୯୪ ମସିହାରେ ଲୋକମାନ୍ୟ ତିଳକ ପୁରସ୍କାର, ସର୍ବଶ୍ରେଷ୍ଠ ସାଂସଦ ପୁରସ୍କାର, ଭାରତରତ୍ନ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥ ପୁରସ୍କାର ଏବଂ ୨୦୧୪ ମସିହାରେ ଭାରତ ରତ୍ନ ଉପାଧିରେ ବାଜପେୟୀଙ୍କୁ ଭୂଷିତ କରାଯାଇଥିଲା।
ଦେହାନ୍ତ –
ବାର୍ଦ୍ଧକ୍ୟ ଜନିତ ରୋଗାକ୍ରାନ୍ତ କାରଣରୁ ଦୀର୍ଘଦିନ କାଳ ଶଯ୍ୟାଶାୟୀ ରହିବା ପରେ ୧୬, ୮, ୨୦୧୮ ତାରିଖ ଦିନ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ସନ୍ଧ୍ୟା ୦୫, ୦୫ରେ ବାଜପେୟୀଙ୍କ ଦେହାନ୍ତ ହୋଇଥିଲା। ଆଜି ଭାରତମାତାର ସୁଯୋଗ୍ୟ ସନ୍ତାନ ଭାରତର ରତ୍ନ ଅଟଳ ଜୀ’ଙ୍କ ପୁଣ୍ୟତିଥୀ ଅବସରରେ ତାଙ୍କୁ କୋଟି କୋଟି ନମନ। –ଦେବଦତ୍ତ ରଥ