Odiapua.com

ଆସନ୍ତା କାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ : ୧୫ ରାଜ୍ୟର ୧୧୫ ଲୋକସଭା ଆସନରେ ହେବ ମତଦାନ

ନୂଆ ଦିଲ୍ଲୀ,୨୨।୪ (ଓଡ଼ିଆ ପୁଅ) : ଆସନ୍ତା କାଲି ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ। ଏହି ପର୍ଯ୍ୟାୟରେ ୧୫ଟି ରାଜ୍ୟର ୧୧୫ ଆସନରେ ହେବ ମତଦାନ। ଏହି ପର୍ଯ୍ୟାୟରେ ଆସାମର ୪ଟି, ବିହାରର ୫, ଛତିଶଗଡ଼ର ୭, ଗୁଜରାଟର ୨୬, ଗୋଆର ୨, ଜାମ୍ମୁ-କଶ୍ମୀରର ୧, କର୍ଣ୍ଣାଟକର ୧୪, କେରଳର ୨୦, ମହାରାଷ୍ଟ୍ରର ୧୪, ଓଡ଼ିଶାର ୬, ଉତ୍ତରପ୍ରଦେଶର ୧୦, ପଶ୍ଚିମବଙ୍ଗର ୫, ଦାଦରା ନଗର ହାବେଳିର ୧ ଏବଂ ଡାମନ ଡିଉର ଗୋଟିଏ ଆସନରେ ମତଦାନ କରାଯିବ।

ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ତେବେ ନିର୍ବାଚନ ରଣାଙ୍ଗନରେ ଏକ ହଜାର ୬ଶହ ୧୨ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ। ଏମାନଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କର ଭାଗ୍ୟ ଇଭିଏମ୍ ମେସିନ୍ ରେ ସିଲ୍ ହେବ ଆସନ୍ତା କାଲି। ନିର୍ବାଚନୀ ହିଂସାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେହିପରି ଓଡ଼ିଶାରେ ୬ଟି ଲୋକସଭା ଆସନ, ପୁରୀ, କଟକ, ଭୁବନେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଏବଂ କେନ୍ଦୁଝରରେ ଭୋଟରମାନେ ସୋମାନଙ୍କର ମତାଧିକାର ବ୍ୟବହାର କରି ମତଦାନ କରିବେ। ଏହି ଲୋକସଭା ଆସନ ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମଧ୍ୟ ମତଦାନ ହେବ।

କୌଣସି କାରଣରୁ ପୂର୍ବରୁ ଦୁଇଟି ଆସନରେ ନିର୍ବାଚନ ହୋଇପାରିନଥିଲା। ଏହି ଦୁଇଟି ଆସନରେ ମଧ୍ୟ ନିର୍ବାଚନ ହେବ। ଅର୍ଥାତ ଆସନ୍ତା କାଲି ୧୧୭ଟି ଲୋକସଭା ଆସନ ପାଇଁ ହେବ ମତଦାନ।