Odiapua.com

ଟମାଟୋ ମୂଲ୍ୟ ଆକାଶଛୁଆଁ – କେତେକ ସହରରେ ୮୦ ଟଙ୍କା କିଲୋ

ନୂଆଦିଲ୍ଲୀ ୧୦-୭ (ଓଡ଼ିଆ ପୁଅ) ଟମାଟୋର ଖୁଚୁରା ମୂଲ୍ୟ ଦେଶର ଅଧିକାଂଶ ସହରରେ ପୁଣି ଥରେ ଆକାଶଛୁଆଁ ହେବାକୁ ଆରମ୍ଭ କରିଛି। ରୋଷେଇ ଘରର ଗୁରୁତ୍ୱପୂର୍ଣ୍ଣ ଜିନିଷରେ ଅନ୍ତର୍ଭୁକ୍ତ ଟମାଟୋର ମୂଲ୍ୟ ଅଧିକାଂଶ ସହରରେ କିଲୋଗ୍ରାମ ପିଛା ୮୦ ଟଙ୍କାରେ ପହଞ୍ଚିଛି, ଯାହା ପ୍ରାୟ ଏକ ମାସ ପୂର୍ବରୁ ପ୍ରାୟ ୨୦ ଟଙ୍କା ଥିଲା। ଗତ କିଛି ଦିନ ମଧ୍ୟରେ ଟମାଟୋ ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ଭିଲାସ ପାସୱାନ ମଧ୍ୟ ସ୍ୱୀକାର କରିଛନ୍ତି। ତାଙ୍କ କହିବାନୁସାରେ, ଏହାର ମୁଖ୍ୟ କାରଣ ହେଉଛି ଟମାଟୋ ଫସଲ ଦୃଷ୍ଟିରୁ ଏହା ଋତୁକାଳୀନ ଅଟେ ଏବଂ ଏହା ନଷ୍ଟ ହୋଇଯିବା କାରଣରୁ ମହଙ୍ଗା ହେଉଛି।

ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ଚେନ୍ନାଇ ବ୍ୟତୀତ ସମସ୍ତ ମେଟ୍ରୋ ସହରରେ ଟମାଟୋର ଖୁଚୁରା ମୂଲ୍ୟ ୬୦ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଛି। ମନ୍ତ୍ରଣାଳୟ ଅନୁଯାୟୀ ଗୁରୁଗ୍ରାମ, ଗାଙ୍ଗଟୋକ ଏବଂ ରାୟପୁର ଭଳି ସହରରେ ଏହା କିଲୋଗ୍ରାମ ପିଛା ୭୦ ଟଙ୍କା ମିଳୁଛି। ଗୋରଖପୁର, କୋଟା ଏବଂ ଦିମାପୁରରେ ଏହା କିଲୋଗ୍ରାମ ପିଛା ୮୦ ଟଙ୍କାରେ ପହଞ୍ଚିଛି। ଟମାଟୋ କିଛି ରାଜ୍ୟ ଏବଂ ସହରରେ ଯେପରିକି, ହାଇଦ୍ରାବାଦରେ ୩୭ ଟଙ୍କା, ଚେନ୍ନାଇରେ ୪୦ ଟଙ୍କା ଏବଂ ବେଙ୍ଗାଲୁରୁରେ ୪୬ ଟଙ୍କା ବିକ୍ରି ହେଉଛି।