Odiapua.com

ଉଚିତ ମୂଲ୍ୟରେ ଆବଶ୍ୟକୀୟ ଚିକିତ୍ସା ଉପକରଣ ଉପଲବ୍ଧ କରାଇବା ପାଇଁ ଆଣ୍ଠୁ ପ୍ରତିରୋପଣ ଉପକରଣର ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ ଅବଧି ସେପ୍ଟେମ୍ବର ୧୪, ୨୦୨୧ ଯାଏଁ ବୃଦ୍ଧି କଲା ଏନପିପିଏ

– ଏହାଦ୍ୱାରା ସାଧାରଣ ଲୋକଙ୍କ ୧୫ ଶହ କୋଟି ଟଙ୍କା ସଂଚୟ ହେବ

ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ରସାୟନ ଓ ସାର ମନ୍ତ୍ରଣାଳୟ ଅଧିନସ୍ଥ ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ଲୋକଙ୍କୁ ଉଚିତ ମୂଲ୍ୟରେ ଆବଶ୍ୟକୀୟ ଚିକିତ୍ସା ଉପକରଣ ଯୋଗାଇ ଦେବା ପାଇଁ ଆଣ୍ଠୁ ପ୍ରତିରୋପଣ ଉପକରଣଗୁଡିକର ସର୍ବୋଚ୍ଚ ନିର୍ଦ୍ଧାରିତ ମୂଲ୍ୟ ଅବଧି ଆଉ ବର୍ଷେ ପାଇଁ ଅର୍ଥାତ ସେପ୍ଟେମ୍ବର ୧୪, ୨୦୨୧ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି।

ଏନପିପିଏ ପକ୍ଷରୁ ଔଷଧ ମୂଲ୍ୟ ନିୟନ୍ତ୍ରଣ ଆଦେଶ (ଡିପିସିଓ), ୨୦୧୩ (ପରିଶିଷ୍ଟ ୨) ଅନୁଯାୟୀ ଏ ସମ୍ପର୍କରେ ସେପ୍ଟେମ୍ବର ୧୫, ୨୦୨୦ରେ ବିଜ୍ଞପ୍ତି ଜାରି ହୋଇଛି। ଅଗଷ୍ଟ ୧୬, ୨୦୧୭ରେ ଜାରି ଆଦେଶ କ୍ରମ ସଂଖ୍ୟା ଏସ-ଓ- ୨୬୬୮(ଇ) ମାଧ୍ୟମରେ ଏନପିପିଏ ଆଣ୍ଠୁ ପ୍ରତିରୋପଣ ଉପକରଣଗୁଡିକର ମୂଲ୍ୟ ପ୍ରଥମ ଥର ପାଇଁ ଏକ ବର୍ଷ ଯାଏଁ ନିର୍ଦ୍ଧାରିତ କରିଥିଲେ। ଏହି ସମୟ ସୀମା ଅଗଷ୍ଟ ୧୩, ୨୦୧୮ ଓ ଅଗଷ୍ଟ ୧୫, ୨୦୧୯ରେ ବର୍ଷେ ଲେଖାଏଁ ବଢିଥିଲା। ମୂଲ୍ୟ ନିର୍ଦ୍ଧାରଣ ଅବଧି ଅଗଷ୍ଟ ୧୫, ୨୦୨୦ରେ ସରିଥିବାରୁ ଏହାର ସମୀକ୍ଷା ଆବଶ୍ୟକ ହୋଇ ପଡିଥିଲା।

ଜୁଲାଇ ୨୦୨୦ରେ ପ୍ରାଥମିକ ଓ ସଂଶୋଧିତ ପ୍ରତିରୋପଣ ସାମଗ୍ରୀ ପ୍ରସ୍ତୁତକାରୀ ଓ ଆମଦାନୀ କରୁଥିବା କମ୍ପାନୀଗୁଡିକୁ ଜୁଲାଇ ୨୦୧୮ରୁ ଜୁନ ୨୦୨୦ ମଧ୍ୟରେ ହୋଇଥିବା ବିକ୍ରୟ ବିବରଣୀ ପ୍ରସ୍ତୁତ କରିବାକୁ ଏନପିପିଏ ନିର୍ଦ୍ଦେଶ ଦେଇଥିଲେ। ଅଗଷ୍ଟ ୬, ୨୦୨୦ରେ ଏନପିପିଏ ଦ୍ୱାରା ଆୟୋଜିତ ବୈଠକରେ ୧୪ଟି କମ୍ପାନୀ (୧୦ ଆମଦାନୀ କରୁଥିବା କମ୍ପାନୀ ଓ ୪ ଘରୋଇ ଉତ୍ପାଦନକାରୀ କମ୍ପାନୀ)ଙ୍କ ଠାରୁ ସଂଗୃହୀତ ତଥ୍ୟ ନୀରିକ୍ଷଣ ପରେ ଅଗଷ୍ଟ ୧୫, ୨୦୨୦ ପର୍ଯ୍ୟନ୍ତ ଲାଗୁ ମୂଲ୍ୟର ସମୟ ସୀମା ସେପ୍ଟେମ୍ବର ୧୫, ୨୦୨୦ ପର୍ଯ୍ୟନ୍ତ ଏକ ମାସ ବଢାଇବାକୁ ନିଷ୍ପତ୍ତି ନେଇଥିଲେ।

ସେପ୍ଟେମ୍ବର ୧୪, ୨୦୨୦ରେ ହୋଇଥିବା ପ୍ରାଧିକରଣ ବୈଠକରେ ଏ ସଂକ୍ରାନ୍ତରେ ପୁଣି ଥରେ ଆଲୋଚନା ହୋଇଥିଲା। ୨୦୧୭ରେ ସର୍ବୋଚ୍ଚ ମୂଲ୍ୟ ସୀମା ନିର୍ଦ୍ଧାରଣ କରିବାର ଦୁଇ ବର୍ଷ ମଧ୍ୟରେ ଉପକରଣଗୁଡିକର ଦାମ ୬୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି ଓ ପ୍ରସ୍ତୁତକାରୀ ଘରୋଇ କମ୍ପାନୀଗୁଡିକର ବଜାର ଅଂଶଧନ ୧୧ ପ୍ରତିଶତ ବୃଦ୍ଧି ପାଇଛି। ଯାହା ସରକାରଙ୍କ ଆତ୍ମନିର୍ଭର ଭାରତ ନୀତିର ଅନୁକୂଳ।

ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ହିତ ପାଇଁ ପ୍ରତିରୋପଣ ସାମଗ୍ରୀର ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥା ଜାରି ରଖିବାକୁ ସ୍ଥିର ହୋଇଥିଲା। ଫଳରେ ଏନପିପିଏ ଏହି ଉପକରଣଗୁଡିକର ବର୍ତମାନର ନିର୍ଦ୍ଧାରିତ ମୂଲ୍ୟ ସୀମାର ଅବଧି ଏକ ବର୍ଷ (ସେପ୍ଟେମ୍ବର ୧୪, ୨୦୨୧ ଯାଏଁ) ବଢାଇବାକୁ ନିଷ୍ପତ୍ତି ନେଇଥିଲେ ଓ ସେପ୍ଟେମ୍ବର ୧୫, ୨୦୨୦ରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲେ।

ସରକାରଙ୍କ ଏହି ପଦକ୍ଷେପ ଫଳରେ ସାଧାରଣ ଲୋକଙ୍କ ୧୫ ଶହ କୋଟି ଟଙ୍କା ସଂଚୟ ହୋଇପାରିବ।