Odiapua.com

ସମୟୋପଯୋଗୀ ପଦକ୍ଷେପ ଆର୍ଥିକ ଅଭିବୃଦ୍ଧିରେ ହେବ ସହାୟକ – ପୂର୍ବାନୁମାନ ସମ୍ପର୍କରେ ମତ ରଖିଲେ ବ୍ୟବସାୟ କ୍ଷେତ୍ରର ବିଶେଷଜ୍ଞ

ଭାରତ ସରକାରଙ୍କ ନୀତିଗତ ଓ ଆର୍ଥିକ ପଦକ୍ଷେପ ଅଭିବୃଦ୍ଧି ତ୍ୱରାନ୍ୱିତ କରିବଭାରତୀୟଙ୍କ କ୍ରୟଶକ୍ତି ଦେଶରେ ଆର୍ଥିକ ଗତିବିଧି ବଢ଼ାଇବ
ନୂଆ ଦିଲ୍ଲୀ ୧୪-୬ (ଓଡ଼ିଆ ପୁଅ) ବିଭିନ୍ନ ଦେଶର ଅର୍ଥବ୍ୟବସ୍ଥାକୁ ରେଟିଂ ପ୍ରଦାନ କରୁଥିବା ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ଫିଚ ଭାରତର ଆର୍ଥିକ ଅଭିବୃଦ୍ଧି ସଂକ୍ରାନ୍ତରେ ସକରାତ୍ମକ ପୂର୍ବାନୁମାନ କରିବା ପରେ ଏ ପ୍ରସଙ୍ଗରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ସେମାନଙ୍କର ମତ ରଖିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଜିଡିପି ସାଢ଼େ ୯ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଫିଚ ଆକଳନ କରିଛି। କରୋନା ମହାମାରୀ ଜନିତ ପ୍ରଭାବ ସତ୍ୱେ ଦେଶର ଅର୍ଥବ୍ୟବସ୍ଥା ପୁଣିଥରେ ଟ୍ରାକକୁ ଫେରିବ ଓ ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିବ ବୋଲି ଏହି ସଂସ୍ଥା ପକ୍ଷରୁ କୁହାଯାଇଛି।

ଏହି ପ୍ରସଙ୍ଗରେ ମତ ରଖି ଓଡ଼ିଶା କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସଂଘର ମହାସଚିବ ଇଂ. ସାତ୍ୱିକ ସ୍ୱାଇଁ କହିଛନ୍ତି, ଆଗାମୀ ଆର୍ଥିକ ବର୍ଷ ପାଇଁ ଫିଚର ଆକଳନ ବାସ୍ତବ ରୂପ ନେଇପାରେ। କାରଣ ଭାରତ ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା। ଏଠାକାର ଲୋକମାନଙ୍କ କ୍ରୟଶକ୍ତି ମଧ୍ୟ ଖୁବ ଅଧିକ। ବର୍ତମାନ କରୋନା ମହାମାରୀର ପ୍ରଭାବ କାରଣରୁ ଭାରତୀୟ ଉପଭୋକ୍ତା ସାମାନ୍ୟ ରକ୍ଷଣଶୀଳ ହୋଇପଡ଼ିଛନ୍ତି। ଏହି କାରଣରୁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି। ତେବେ ମହାମାରୀର ପ୍ରଭାବ ହ୍ରାସ ପାଇଲେ ଲୋକମାନେ ଅଧିକ କ୍ରୟ କରିବାକୁ ଆଗେଇ ଆସିବେ। ଇତିମଧ୍ୟରେ ସରକାର ଲୋକଙ୍କ କ୍ରୟ କ୍ଷମତା ବୃଦ୍ଧି ସକାଶେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ଶିଳ୍ପ, ବାଣିଜ୍ୟ, କୃଷି ଆଦି ବିଭିନ୍ନ କ୍ଷେତ୍ର ପାଇଁ ଅନେକଗୁଡ଼ିଏ ଯୋଜନାର ଘୋଷଣା କରିଛନ୍ତି। ଏସବୁ ଯୋଜନା ସଠିକ ସମୟରେ ସଠିକ ଭାବେ କାର୍ଯ୍ୟକାରୀ ହୋଇପାରିଲେ ଦେଶର ଅର୍ଥବ୍ୟବସ୍ଥା ପୁଣିଥରେ ଅଭିବୃଦ୍ଧି ହାସଲ କରିବ। ଆଗାମୀ ବର୍ଷ ଏହି ଅଭିବୃଦ୍ଧି ନିଶ୍ଚିତ ଭାବେ ହାସଲ ହୋଇପାରିବ ବୋଲି ଶ୍ରୀ ସ୍ୱାଇଁ ଆଶାବ୍ୟକ୍ତ କରିଛନ୍ତି।

ଅନୁରୂପ ଭାବେ ସୋନପୁର ଚାମ୍ବର ଅଫ କମର୍ସର ଅଧ୍ୟକ୍ଷ ଧୀରେନ୍ଦ୍ର ପଟ୍ଟନାୟକ କହିଛନ୍ତି ଯେ ଅନ୍ତର୍ଜାତୀୟ ରେଟିଂ ଏଜେନ୍ସି ପକ୍ଷରୁ କରାଯାଇଥିବା ଅଭିବୃଦ୍ଧି ପୂର୍ବାନୁମାନ ନିଶ୍ଚିତ ଭାବେ ହାସଲ କରିହେବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଭାରତ ସରକାର ଏମଏସଏମଇ କ୍ଷେତ୍ର ପାଇଁ ଯେଉଁ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି, ତାହାଦ୍ୱାରା ଛୋଟ ଛୋଟ ବ୍ୟବସାୟୀମାନେ ଲାଭବାନ ହୋଇପାରିବେ। ବ୍ୟବସାୟ ଓ କୃଷି କ୍ଷେତ୍ରର ପ୍ରୋତ୍ସାହନ ପାଇଁ ମଧ୍ୟ ସରକାର ଅନେକଗୁଡ଼ିଏ ପଦକ୍ଷେପ ନେଇଛନ୍ତି। ଏହା ଆଗାମୀ ଦିନରେ ଦେଶର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ।

ସୂଚନାଯୋଗ୍ୟ ଯେ କରୋନା ମହାମାରୀ ଜନିତ ଲକଡାଉନ କାରଣରୁ ପ୍ରଭାବିତ ହୋଇଥିବା ଦେଶର ଆର୍ଥିକ ଗତିବିଧିକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଅନେକଗୁଡ଼ିଏ ଅନୁକୂଳ ତଥା ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଲକଡାଉନ ଜାରି ହେବାର ତୁରନ୍ତ ପରେ ଦେଶର ଗରିବ ଓ ଅସହାୟ ଲୋକମାନଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ସକାଶେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧.୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଥିଲା। ଏହାପରେ ଆତ୍ମନିର୍ଭର ଭାରତ ଯୋଜନା ଅନ୍ତର୍ଗତ ୨୦ ଲକ୍ଷ କୋଟି ଟଙ୍କାର ବିସ୍ତୃତ ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ ସରକାର। ଏହି ପ୍ୟାକେଜରେ ଏମଏସଏମଇ କ୍ଷେତ୍ର ପାଇଁ ୩ ଲକ୍ଷ କୋଟି ଟଙ୍କା ସମେତ, କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର, କ୍ଷୁଦ୍ର ବ୍ୟବସାୟୀ, ଉଠାଦୋକାନୀ, ପ୍ରବାସୀ ଶ୍ରମିକଙ୍କ ପାଇଁ ମଧ୍ୟ ଆର୍ଥିକ ସହାୟତା ଓ ରିହାତି ଘୋଷଣା କରାଯାଇଛି। ଇତିମଧ୍ୟରେ କେନ୍ଦ୍ର କ୍ୟାବିନେଟ ମଧ୍ୟ ବିଭିନ୍ନ କ୍ଷେତ୍ର ପାଇଁ କେତେକ ଯୁଗାନ୍ତକାରୀ ନୀତିଗତ ପଦକ୍ଷେପକୁ ମଞ୍ଜୁରି ଦେଇଛନ୍ତି। ଏସବୁ ପଦକ୍ଷେପ ସାମୟିକ ଆର୍ôଥକ କ୍ଷତିର ପ୍ରଭାବକୁ ହ୍ରାସ କରିବା ପରେ ଦୀର୍ଘକାଳିନ ଭିତିରେ ଦେଶର ଅର୍ଥବ୍ୟବସ୍ଥାର ମୂଳଦୁଆକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।