Odiapua.com

କରୋନା ଭାଇରସ୍ ରେ ଭାରତରେ ତୃତୀୟ ମୃତ୍ୟୁ, ୭୧ ବର୍ଷ ବୟସ୍କ ବୃଦ୍ଧଙ୍କ ମୃତ୍ୟୁ

ନାଗପୁର/ନୂଆ ଦିଲ୍ଲୀ ୧୪-୩ (ଓଡ଼ିଆ ପୁଅ) ସାଉଦି ଆରବରୁ ଫେରି ଆସିଥିବା ୭୧ ବର୍ଷୀୟ କରୋନା ଭାଇରସ୍ (COVID-19) ସନ୍ଦିଗ୍ଧ ଶନିବାର ଅପରାହ୍ନରେ ମହାରାଷ୍ଟ୍ରର ବୁଲଡାନା ଜିଲ୍ଲାରେ ମୃତ୍ୟୁ ବରଣ କରିଛନ୍ତି। ଡାକ୍ତରଖାନା ଅଧିକାରୀ କହିଛନ୍ତି ଯେ ମୃତ ବ୍ୟକ୍ତି ମଧୁମେହ ଏବଂ ଉଚ୍ଚ ରକ୍ତଚାପର ରୋଗୀ। ସିଭିଲ ସର୍ଜନ ପ୍ରେମଚାନ୍ଦ ପଣ୍ଡିତ କହିଛନ୍ତି ଯେ ଉଚ୍ଚ ରକ୍ତଚାପ ଅଭିଯୋଗ କରିବା ପରେ ରୋଗୀଙ୍କୁ କିଛି ଦିନ ପୂର୍ବରୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ କରୋନା ଭାଇରସ୍ ସଂକ୍ରମଣର ଲକ୍ଷଣ ପ୍ରକାଶ ପାଇବା ପରେ ଶନିବାର ସକାଳେ ବୁଲଡାନା ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ସେ ସୂଚନା ଦେଇଛନ୍ତି, ‘ମୃତକଙ୍କ ବ୍ଲଡ ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯାଇଛି। ଅପରାହ୍ନ ୪.୨୦ ରେ ତାଙ୍କର ମୃତ୍ୟୁ ଘଟିଛି ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏଥି ସହିତ ରାଜ୍ୟରେ ମାମଲା ବଢ଼ୁଥିବା ଦୃଷ୍ଟିରୁ ମହାରାଷ୍ଟ୍ର ସରକାର ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ସରକାରୀ ତଥା ବେସରକାରୀ ବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟଯେ, ଏହାପୂର୍ବରୁ ଦିଲ୍ଲୀରେ ଶୁକ୍ରବାର ଦିନ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। କୁହାଯାଉଛି ଯେ ମହିଳା ଜଣକ ୬୯ ବର୍ଷ ବୟସରେ ଥିଲେ ଏବଂ କରୋନା ଭାଇରସରେ ପୀଡିତ ଥିଲେ। ମହିଳା ଜଣକ ଦିଲ୍ଲୀର ଜନକପୁରୀ ଅଞ୍ଚଳର ବାସିନ୍ଦା ଥିଲେ। ତାଙ୍କ ପୁଅ ବିଦେଶରୁ ଫେରିଥିଲେ। ତାଙ୍କ ପୁଅ କରୋନା ଭାଇରସ୍ରେ ବର୍ତ୍ତମାନ ପୀଡ଼ିତ। ସେ ଆଇସୋଲେସନ ରେ ଅଛନ୍ତି। ଏହା ପୂର୍ବରୁ ପ୍ରଥମେ କର୍ଣ୍ଣାଟକରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା। କର୍ଣ୍ଣାଟକର ୭୬ ବର୍ଷ ବୟସ୍କ ବୃଦ୍ଧଙ୍କ ମୃତ୍ୟୁ ଭାରତରେ କରୋନା ଭାଇରସ୍ ସଂକ୍ରମଣ ହେତୁ ପ୍ରଥମ ମୃତ୍ୟୁ ଥିଲା।