Odiapua.com

ଚର୍ଚ୍ଚାରେ, ହେମନ୍ତ ବିଶ୍ୱ ଶର୍ମା ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ – ନିଷ୍ପତ୍ତି ଆଜି ବିଧାନସଭା ବୈଠକରେ ହେବ

ଗୌହାଟୀ ୯-୫ (ଓଡ଼ିଆ ପୁଅ) : ଆସାମରେ ବିଜେପି ମିଳିତ ମଞ୍ଚର ବିଜୟ ପରେ ନୂତନ ମୁଖ୍ୟମନ୍ତୀ କିଏ ହେବେ ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଇତିମଧ୍ୟରେ, ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ହେମନ୍ତ ବିଶ୍ୱ ଶର୍ମା ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତେବେ ଦଳ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ଏହା କେବଳ କଳ୍ପନାଜଳ୍ପନା। ସୂଚନାଯୋଗ୍ୟଯେ, ଗତକାଲିଠାରୁ ଭାରତୀୟ ଜନତା ପାର୍ଟିରେ ବୈଠକ ଚାଲିଛି।

ସୂଚନାଯୋଗ୍ୟ ଯେ ଆସାମର ନୂତନ ସିଏମ୍ ସମ୍ପର୍କରେ ବିଜେପି ହାଇକମାଣ୍ଡଙ୍କ ଦ୍ୱାରା ସର୍ବାନନ୍ଦ ସୋନୋୱାଲ ଏବଂ ହେମନ୍ତ ବିଶ୍ୱ ଶର୍ମାଙ୍କୁ ଦିଲ୍ଲୀ ଡକାଯାଇଥିଲା। ଉଭୟ ନେତା ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିଥିଲେ। କୁହାଯାଉଛି ଯେ, ହେମନ୍ତ ବିଶ୍ୱ ଶର୍ମା ରାଜ୍ୟର ନୂତନ ସିଏମ୍ ହେବାକୁ ଯାଉଛନ୍ତି। ପ୍ରକାଶ ଯେ, ଆଜି ଅପରାହ୍ନରେ ବିଜେପି ବିଧାୟକ ଦଳର ବୈଠକରେ ଏ ସମ୍ପର୍କରେ ଏକ ଆନୁଷ୍ଠାନିକ ଘୋଷଣା ହୋଇପାରେ।

ଏଥି ସହିତ ଯେତେବେଳେ ରାଜ୍ୟ ବିଜେପି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ, ସେତେବେଳେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଦଳର ସାଧାରଣ ସମ୍ପାଦକ ଅରୁଣ ସିଂଙ୍କୁ ପର୍ଯ୍ୟବେକ୍ଷକ ଭାବେ ସାମିଲ କରାଯିବ। ଏଥିସହ ଆସାମର ଦାୟିତ୍ୱରେ ଥିବା ବୈଜୟନ୍ତ ପଣ୍ଡା ମଧ୍ୟ ଯୋଗଦେବେ। ରାଜ୍ୟର ୧୨୬ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ୬୦ ଆସନରେ ଜିତିଛି। ବିଜେପିର ସହଯୋଗୀ ଆସାମ ଗଣ ପରିଷଦ ନଅଟି ଆସନ ଏବଂ ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍ସ ୬ ଟି ଆସନରେ ଜିତିଛନ୍ତି।