Odiapua.com

ନାବାଳିକା ମା’ ଓ ଶିଶୁର ମୃତ୍ୟୁ ନୁହେଁ, ହତ୍ୟା ହୋଇଛି: ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ ବେଲଘର ଥାନା ଅନ୍ତର୍ଗତ ଗୁମା ପଞ୍ଚାୟତର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଓ ପ୍ରସବ କରିବା ପରେ ଶିଶୁ ଓ ମା’ର ମୃତ୍ୟୁ ହେବା ଅତ୍ୟନ୍ତ ଦୁଃଖର ବିଷୟ। ତେବେ ତାହା ମୃତ୍ୟୁ ନୁହେଁ, ହତ୍ୟା ବୋଲି କହିଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ଗତ ୫ ତାରିଖରେ ଘଟିଥିବା ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବିଜେପିର ଏକ ପ୍ରତିନିଧି ଦଳ ଗତ ୮ ତାରିଖ ଦିନ କନ୍ଧମାନ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିବା ସହିତ ମୃତ ନାବାଳିକାର ପରିବାର, ସ୍କୁଲ କର୍ତ୍ତୃପକ୍ଷ, ସ୍ଥାନୀୟ ପୋଲିସ ଓ ଜିଲ୍ଲାପାଳଙ୍କୁ ଭେଟିଥିଲେ। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ସଂପର୍କରେ ସୂଚନା ଦେଇ ସ୍ମୃତି ପଟ୍ଟନାୟକ କହିଛନ୍ତି ଯେ, ବିଦ୍ୟାଳୟ କର୍ତ୍ତୃପକ୍ଷ, ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ନାବାଳିକାର ମୃତ୍ୟୁ ହୋଇଥିଲା। ତେଣୁ ନାବାଳିକାର ମୃତ୍ୟୁ ହୋଇନାହିଁ ବରଂ ତାକୁ ହତ୍ୟା କରାଯାଇଛି। ଏଭଳି ଅମାନବୀୟ ଘଟଣା ପାଇଁ ଦାୟୀ ସମସ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ମୃତି ପଟ୍ଟନାୟକ ଦାବୀ କରିଛନ୍ତି। ମୃତ ନାବାଳିକା ଗର୍ଭବତୀ ହୋଇଥିଲେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ଜାଣିନଥିବା ବୋଲି କହିବା ଆଶ୍ଚର୍ଯ୍ୟଜନକ। ନାବାଳିକାଙ୍କ ସ୍ୱାସ୍ଥ୍ୟ ବାରମ୍ବାର ଖରାପ ହେବାରୁ ଚିକିତ୍ସା ପାଇଁ ଯାଇଥିବା ବେଳେ ନାବାଳିକାଟି ୩୧ ସପ୍ତାହର ଗର୍ଭବତୀ ହୋଇଥିବା ଡାକ୍ତର କହିଥିଲେ। ସ୍ଵାଧାର ଗୃହରେ ଥିବା ସମୟରେ ନାବାଳିକାଟି ପ୍ରସବ କରିଥିଲା ଏବଂ ପରବର୍ତୀ ସମୟରେ ଚିକିତ୍ସା ଅବହେଳାରୁ ତାର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇପଡିଥିଲା। ପ୍ରକୃତ ଟିକିତ୍ସା ଅଭାବରୁ ଶେଷରେ ନାବାଳିକା ଏବଂ ତାର ନବଜାତ ଶିଶୁର ମୃତ୍ୟୁ ହୋଇଥିଲା। ନାବାଳିକାଙ୍କ ମୃତ୍ୟୁ ଲାଗି ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଓ ସ୍କୁଲ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଦାୟୀ। ନାବାଳିକାର ପରିବାରକୁ କ୍ଷତିପୂରଣ ବାବଦରେ ତୁରନ୍ତ ୨୦ ଲକ୍ଷ ଟଙ୍କା ଏବଂ ପରିବାରର ଜଣେ ସଦସ୍ୟକୁ ଚାକିରୀ ଯୋଗାଇ ଦେବା ପାଇଁ ସ୍ମୃତି ପଟ୍ଟନାୟକ ଦାବୀ କରିଛନ୍ତି।ବିଜେଡି ସରକାରରେ ମା’କୁ ସମ୍ମାନ କେବଳ ପ୍ରଚାର ସର୍ବସ୍ଵ। ରାଜ୍ୟର ମା’ ଓ ଭଉଣୀ ଆଜି ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଓଡ଼ିଶାରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦିନକୁ ଦିନ ନାବାଳିକା, ମହିଳା ଓ ଶିଶୁ ମୃତ୍ୟୁ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ, ସରକାର ସବୁ ଜାଣିବି ଚୁପ୍ ରହୁଛନ୍ତି। ବିଜେଡି ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଓଡ଼ିଶାର ଆଦିବାସୀ ମହିଳାମାନେ ଦୁଷ୍କର୍ମରେ ଶିକାର ହୋଇ ପ୍ରାଣ ହରାଉଛନ୍ତି। ୨୩ ବର୍ଷର ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷାରେ ବିଫଳ ସାବ୍ୟସ୍ତ ହୋଇଛି। ବିଜେଡି ସରକାର ଦୁର୍ନୀତି, ଭ୍ରଷ୍ଟାଚାର ଓ ଦୁଷ୍କର୍ମରେ ମନ୍ତ୍ରୀ, ନେତାମାନେ ଲିପ୍ତ ରହୁଛନ୍ତି। ମହିଳା ସଶକ୍ତିକରଣର ବାହାସ୍ପୋଟ ମାରୁଥିବା ଶାସକ ବିଜେଡି ବାସ୍ତବରେ ମହିଳାଙ୍କୁ ଶୋଷଣ କରିବାରେ ମାହିର। ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ମନୋଭାବ କାରଣରୁ ସେମାନଙ୍କୁ ସାବତ ପୁଅ ପରି ବ୍ୟବହାର ପ୍ରଦର୍ଶନ କରାଯାଉଛି। ବିଭିନ୍ନ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ରଖାଯାଉଛି। ଆଦିବାସୀଙ୍କ କଲ୍ୟାଣ ପାଇଁ ମୋଦି ସରକାର ବହୁ ଯୁଗାନ୍ତକାରୀ ଯୋଜନାର ସଫଳ କାର୍ଯ୍ୟାନ୍ଵୟନ କରୁଥିବା ବେଳେ ଅନ୍ୟପଟେ ଓଡ଼ିଶାରେ ଶାସକ ବିଜେଡି ବାଧକ ସାଜିଛି। ଓଡ଼ିଶାରେ ମହିଳା ଅତ୍ୟାଚାର, ଶିଶୁ ଅପହରଣ ଓ ଦୁଷ୍କର୍ମ ଘଟଣା ବଢ଼ୁଥିବା ଏନସିଆରବି ରିପୋର୍ଟରେ ସାମ୍ନାକୁ ଆସିଛି। ୨୦୧୭ ମସିହାରେ ୧୬୨୨ ବାଳିକା ନିଖୋଜ ହୋଇଥିବା ବେଳେ ୧୪୭୮ ଜଣ ଉଦ୍ଧାର ହୋଇଥିଲେ। ୨୦୨୧ ମସିହାରେ ୨୪୫୨ ନିଖୋଜ ହୋଇଥିବାବେଳେ ୧୫୧୨ ଉଦ୍ଧାର ହୋଇଛନ୍ତି। ୨୦୧୭ ମସିହାରେ ୬୫୩୬ ମହିଳା ନିଖୋଜ ହୋଇଥିବାବେଳେ ୩୬୧୭ ଉଦ୍ଧାର ହୋଇଛନ୍ତି ଓ ୨୦୨୧ରେ ନିଖୋଜ ୭୩୧୬ ହୋଇଥିବା ୧୪୭୫ ଉଦ୍ଧାର ହୋଇଛନ୍ତି। ଓଡ଼ିଶାରେ ମହିଳା ନିଖୋଜ ସଂଖ୍ୟା ବଢ଼ିଥିବା ବେଳେ ଉଦ୍ଧାର କାର୍ଯ୍ୟ କମିଛି। ବର୍ଷକରେ ଦୁଷ୍କର୍ମ ମାମଲା ୧୧% ବଢ଼ିବା ସହ ଯୌତୁକ ନିର୍ଯ୍ୟାତନା ୩୨% ବଢ଼ିଛି ଯାହା ଓଡ଼ିଶା ପାଇଁ ଶୁଭଙ୍କର ନୁହେଁ ବୋଲି ସ୍ମୃତି ପଟ୍ଟନାୟକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମୀମୟୀ ପଟ୍ଟନାୟକ ଏବଂ ମହିଳା ମୋର୍ଚ୍ଚା ରାଜ୍ୟ ମିଡିଆ ସେଲ୍ ପ୍ରମୂଖ ସୁଚରିତା ଜେନାମଣି ପ୍ରମୂଖ ଉପସ୍ଥିତ ଥିଲେ।
-/Dr