Odiapua.com

ତିର୍ତ୍ତୋଲ ଉପ-ନିର୍ବାଚନର ପ୍ରମୂଖ ସ୍ତମ୍ଭ: ପ୍ରଧାନଙ୍କୁ ପ୍ରଧାନ ପସନ୍ଦ ..

ଭୁବନେଶ୍ୱର: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେପିର ପ୍ରମୂଖ ସ୍ତମ୍ଭ ସାଜିଛନ୍ତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜଗତସିଂହପୁର ଜିଲ୍ଲା ପ୍ରଭାରୀ ସାରଦା ଓରଫ ବୁଲୁ ପ୍ରଧାନ। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସେ ସବୁ କିଛି ବୁଝୁଛନ୍ତି। ସେ ସାଜିଛନ୍ତି ତିର୍ତ୍ତୋଲ ଉପନିର୍ବାଚନରେ ବିଜେପିର କେନ୍ଦ୍ରବିନ୍ଦୁ। ସବୁ କିଛି ସେଠି ତାଙ୍କ ଯୋଜନାରେ ହେଉଛି। ଆଉ ତାଙ୍କୁ ଏ’ ଅଧିକାର ଦେଇଛନ୍ତି ଓଡ଼ିଶା ବିଜେପିର ମଙ୍ଗୁଆଳ ବୋଲାଉଥିବା ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତିର୍ତ୍ତୋଲ ପାଇଁ ଆୟୋଜିତ ଭର୍ଚୁଆଲ୍ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବୋଧନ କରିବା ସମୟରେ ତାଙ୍କୁ ନୂଆ ଓଡ଼ିଶାର ସ୍ରଷ୍ଠା ବୋଲି କହିଥିଲେ ସାରଦା ପ୍ରଧାନ। ପ୍ରତିବଦଳରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାରଦା ପ୍ରଧାନଙ୍କୁ ତିର୍ତ୍ତୋଲ ଉପନିର୍ବାଚନର ପ୍ରମୂଖ ସ୍ତମ୍ଭ ବୋଲି କହିଥିଲେ। କଂଗ୍ରେସରୁ ଆସି ବିଜେପିରେ ଯୋଗଦେବା ପରେ ରାଜକିଶୋର ବେହେରାଙ୍କୁ ତିର୍ତ୍ତୋଲ ପାଇଁ ପାର୍ଥି କରାଯିବା ପ୍ରାୟ ସ୍ପଷ୍ଟ ହୋଇଯାଇଥିଲା। ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଅନୁସୁଚିତ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ବିଭୁ ତରାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜଗତସିଂହପୁର ଜିଲ୍ଲା ପ୍ରଭାରୀ ସାରଦା ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତରେ ରାଜକିଶୋର ବେହେରା ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ତାଙ୍କୁ ବିଜେପିରେ ସାମିଲ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସାରଦା ଓରଫ ବୁଲୁ ପ୍ରଧାନ ବୋଲି କୁହାଯାଉଛି। ସେହି ମିଶ୍ରଣ ପର୍ବ ସମୟରେ ଜଗତସିଂହପୁର ଜିଲ୍ଲା ସଭାପତି କିମ୍ବା ଜିଲ୍ଲାର ସେପରି କୌଣସି ପ୍ରମୂଖ ନେତାଙ୍କର ଉପସ୍ଥିତି ଦେଖିବାକୁ ମିଳିନଥିଲା। ସାରଦା ଓରଫ ବୁଲୁ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ଲୋକ। ଅର୍ଥାତ୍ ରାଜକିଶୋର ବେହେରାଙ୍କୁ ଦଳରେ ମିଶାଇବା ଏବଂ ତିର୍ତ୍ତୋଲରୁ ତାଙ୍କୁ ପାର୍ଥି କରାଇବା ବୁଲୁ ପ୍ରଧାନଙ୍କ ମାଧ୍ୟମରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଜନା ବୋଲି କୁହାଯାଉଛି।

ଏମିତିରେ ତ’ ବିଜେପି ତାର ସମସ୍ତ ଧ୍ୟାନ ବାଲେଶ୍ଵର ଉପନିର୍ବାଚନ ଉପରେ କେନ୍ଦ୍ରୀଭୂତ କରିଛି। ବିଜେପିର ଅଧିକାଂଶ ନେତୃତ୍ୱ ବାଲେଶ୍ୱରରେ ଡେରା ପକାଇଛନ୍ତି। ତଥାପି ଯେଉଁ କିଛି ନେତୃତ୍ୱ ତିର୍ତ୍ତୋଲ ଦାୟିତ୍ୱରେ ଅଛନ୍ତି ସେମାନେ ସେତେଟା ସକ୍ରିୟ ଜଣାପଡ଼ୁ ନାହାଁନ୍ତି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ତିର୍ତ୍ତୋଲ ଦାୟିତ୍ୱରେ ଥିଲେ ମଧ୍ୟ ସେତେଟା ସକ୍ରିୟ ଜଣାପଡ଼ୁ ନାହାଁନ୍ତି। ସେହପରି ଅନ୍ୟ ଜଣେ ନେତା ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ତ’ ସେଠାରେ ବିରୋଧର ସାମନା କରି ସାରିଛନ୍ତି। ତାଙ୍କ ଗାଡ଼ି ଉପରେ ଆକ୍ରମଣ କରି ଗାଡ଼ି କାଚ ଭାଙ୍ଗି ଦିଆଯାଇଛି। ଜିଲ୍ଲା ସଭାପତି ସତ୍ୟବ୍ରତ୍ତ ମହାପାତ୍ର, ଜଗତସିଂହପୁର ଅଞ୍ଚଳର ବିଜେପିର ପ୍ରଭାବୀ ନେତା ପ୍ରତାପ ମିଶ୍ର, ଉପେନ୍ଦ୍ର ବିଶ୍ୱାଳ, କ୍ରୀଷ୍ଣା ମହାନ୍ତି ଆଦିଙ୍କ ପରି ଅନେକ ନେତାନେତ୍ରୀଙ୍କୁ ସେପରି ଗୁରୁତ୍ୱ ଦିଆଗଲା ପରି ଅନୁଭବ ହେଉନି। ଏସବୁ ଭିତରେ ଅନ୍ୟାନ୍ୟ ଜିଲ୍ଲାରୁ ଆଉ ଯେଉଁ କିଛି ନେତାନେତ୍ରୀ, କାର୍ଯ୍ୟକର୍ତ୍ତା ତିର୍ତ୍ତୋଲ ଯିବା କଥା ସେମାନେ ପ୍ରାୟତଃ ଯାଉ ନାହାଁନ୍ତି। କେତେକ ତ’ ତିର୍ତ୍ତୋଲ ନଯାଇ ବାଲେଶ୍ଵର ଚାଲି ଯାଇଛନ୍ତି। ଏହାର କାରଣ ଦୁଇଟି ରହିଛି। ପ୍ରଥମତଃ ନିଜେ ବିଜେପି ବୋଧେ ତିର୍ତ୍ତୋଲକୁ ସେତେଟା ଗୁରୁତ୍ୱ ଦେଉ ନାହିଁ। ଏହାର ଉଦାହରଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ଵର ଯାଇ ୩/୪ଟି ନିର୍ବାଚନୀ ସଭା କରିଥିବା ବେଳେ ତିର୍ତ୍ତୋଲ ନଯାଇ ଏଠି ଭର୍ଚୁଆଲ୍ ରାଲି କରି ଉଦ୍ବୋଧନ ଦେଇଛନ୍ତି। ଏଥିପାଇଁ ବୋଧେ ତିର୍ତ୍ତୋଲ ପାଇଁ ବିଜେପିର ପ୍ରମୂଖ ସ୍ତମ୍ଭ ବୋଲାଉଥିବା ବୁଲୁ ପ୍ରଧାନ ୪/୫ ଘଣ୍ଟା ପାଇଁ ହେଉ ପଛେ ତିର୍ତ୍ତୋଲ ଆସିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିବେଦନ କରିଛନ୍ତି। ସେହିପରି ଦୂତୀୟ କାରଣଟି ହେଲା ବୁଲୁ ପ୍ରଧାନଙ୍କ ମନମାନି। ବୁଲୁ ପ୍ରଧାନ ବୋଧେ ସେଠାରେ ନିଜର ଏକ ଚାଟିଆ ଅଧିକାର ଚାହୁଁଛନ୍ତି। ଅନ୍ୟାନ୍ୟ ନେତୃତ୍ୱ ସେଠାକୁ ଯାଆନ୍ତୁ କିମ୍ବା ଅନ୍ୟ କେହି ସେଠାରେ ହସ୍ତକ୍ଷେପ କରନ୍ତୁ ବୋଲି ସେତେ ଯେପରି ସେ ଚାହୁଁନାହାଁନ୍ତି। ଏଥିଲାଗି ସ୍ଥାନୀୟ ସ୍ତରଠାରୁ ଆରମ୍ଭ କରି କିଛି ବରିଷ୍ଠ ନେତୃତ୍ୱଙ୍କର ବୁଲୁ ପ୍ରଧାନଙ୍କ ଉପରେ ଅସନ୍ତୋଷ ରହିଥିବା କୁହାଯାଉଛି। ଏକାଧିକବାର ଗଣ୍ଡଗୋଳ ଘଟି ସାରିଲାଣି। ବୁଲୁ ପ୍ରଧାନ କିଏ ବୋଲି ପ୍ରଶ୍ନ ମଧ୍ୟ ଉଠି ସାରିଲାଣି। ତେବେ, ଏ’ ସବୁ ଭିତରେ ଏଠାରେ ଜଣେ ନେତ୍ରୀଙ୍କ ଭୂମିକାକୁ ନେଇ ମଧ୍ୟ ଦଳ ଭିତରେ ଖୁବ୍ ଚର୍ଚ୍ଚା ହେଉଛି। ସଂପୃକ୍ତ ନେତ୍ରୀ ଜଣଙ୍କ ହେଲେ ଜାଜ୍ଞସେନୀ ଜେନା। ଅଖଣ୍ଡ ପ୍ରଭାବ ରହିଛି ତାଙ୍କର। ତିର୍ତ୍ତୋଲ ନିର୍ବାଚନ ମୈଦାନରେ ବିଜେପି ପକ୍ଷରୁ ଜାଜ୍ଞସେନୀ ଜେନା ଖୁବ୍ ସକ୍ରିୟ ଜଣାପଡ଼ୁଛନ୍ତି। ନିର୍ବାଚନ ତାରିଖ ଘୋଷଣାର ବହୁ ପୂର୍ବରୁ ଜାଜ୍ଞସେନୀ ଜେନାଙ୍କୁ ପଞ୍ଚାୟତ ତଥା ବୁଥ୍ ସ୍ତର ଯାଏଁ ତୃଣମୂଳ ସ୍ତରରେ ବୈଠକ କରି କାର୍ଯ୍ୟକର୍ତ୍ତା ମାନଙ୍କୁ ସଙ୍ଗଠିତ କରି ଆସୁଥିବାର ଦେଖିବାକୁ ମିଳୁଥିବା ବେଳେ ଏବେ ନିର୍ବାଚନ ସମୟ ପାଖେଇ ଆସିଥିବା ବେଳେ ଅନେକ ପ୍ରମୂଖ ନେତାନେତ୍ରୀଙ୍କ ଉପସ୍ଥିତି ମଧ୍ୟରେ ମଧ୍ୟ ଜାଜ୍ଞସେନୀଙ୍କ ପ୍ରଭାବ ଏବଂ ତାଙ୍କ ସକ୍ରିୟତା ସ୍ପଷ୍ଟ ବାରି ହେଇଯାଉଛି। ତିର୍ତ୍ତୋଲ ନିର୍ବାଚନ ମୈଦାନରେ ଦଳ ଭିତରେ ବୁଲୁ ପ୍ରଧାନଙ୍କ ପରି ଜାଜ୍ଞସେନୀ ମଧ୍ୟ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ତେବେ ଉଭୟଙ୍କୁ ନେଇ ଦଳ ଭିତରେ ପ୍ରବଳ ଅସନ୍ତୋଷ ରହିଥିବା ଜଣାପଡ଼ିଛି। କିନ୍ତୁ, ଏହା ମଧ୍ୟ ସତ୍ୟ ଯେ ତିର୍ତ୍ତୋଲରେ ଯଦି କୌଣସି କାରଣରୁ ବିଜେପିର ବିଜୟ ହୋଇଯାଏ କିମ୍ବା ସେପରି ଭଲ ପ୍ରଦର୍ଶନ କରେ, ତେବେ ସମସ୍ତ ଶ୍ରେୟ ବୁଲୁ ପ୍ରଧାନ, ଜାଜ୍ଞସେନୀ ଜେନା ଏବଂ ଧର୍ମେନ୍ଦ୍ରଙ୍କୁ ହିଁ ଯିବ। ଆଉ ଯଦି ହାରିଯାଏ କିମ୍ବା ଖରାପ ପ୍ରଦର୍ଶନ କରେ ତେବେ ସମସ୍ତ ଅପବାଦ ମଧ୍ୟ ଏମାନଙ୍କ ମୁଣ୍ଡରେ ଯିବ।
/- ଦେବଦତ୍ତ ରଥ