ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ଘଟଣାରେ କୋର୍ଟକୁ ଦାଖଲ କରାଯାଇଥିବା ଚାର୍ଜସିଟ୍ରେ ୧୩ତମ ମୁଦାଲା ତଥା ରାଜ୍ୟ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ କାଟି ଦିଆଯାଇଥିଲା।ମାନ୍ୟବର ଜେଏମଏଫସି କୋର୍ଟ ତଦନ୍ତ ପ୍ରକ୍ରିୟାକୁ ଭର୍ତ୍ସନା କରିବା ସହିତ ପୁନଃ ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତକାରୀ ମାହାଙ୍ଗା ଥାନାଧିକାରୀ ବିଭିନ୍ନ ପ୍ରକାରର ଆଳ ଦେଖାଇ କୋର୍ଟକୁ ବିଭ୍ରାନ୍ତ କରିଆସୁଛନ୍ତି। ତଦନ୍ତକାରୀ ମାହାଙ୍ଗା ଥାନାଧିକାରୀ କୋର୍ଟରେ ଉପସ୍ଥିତ ରହି ତଥ୍ୟପ୍ରମାଣ ଉପସ୍ଥାପନା କରିବା ପାଇଁ ମାନ୍ୟବର ବିଚାରପତି ନିର୍ଦ୍ଦେଶ ଦେଇଥିଲେ। ଉପସ୍ଥିତ ରହିବା ତ’ ଦୁରର କଥା, ଏପରିକି ଚିରାଚରିତ ଭାବେ ଗୋଟିଏ ଚିଠି ଲେଖି ଦେଇ ଥାନାଧିକାରୀ ଜଣକ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିଲେ। ତଦନ୍ତକାରୀ ଥାନାଧିକାରୀଙ୍କ ବ୍ୟବହାର ଓ ଆଚରଣରେ କ୍ଷୁବ୍ଧ ହୋଇ ମାନ୍ୟବର କୋର୍ଟ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିଛନ୍ତି। ମାହାଙ୍ଗା ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ରାଜ୍ୟ ଆଇନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କେଉଁ ଭଳି ଭାବେ ଆଇନକୁ ନିଜ ଇଙ୍ଗିତରେ ଦିଶା ନିର୍ଦ୍ଦେଶ କରୁଛନ୍ତି, ତାହା ସ୍ପଷ୍ଟ ହୋଇଛି। ଆଇନର ବାଟ ଓଗାଳି, ନ୍ୟାୟାଳୟର ନିର୍ଦ୍ଦେଶକୁ ଅସମ୍ମାନ କରି ରାଜ୍ୟର ଖୋଦ୍ ଆଇନମନ୍ତ୍ରୀ କ୍ଷମତାର ଅପବ୍ୟବହାର କରି ସମସ୍ତ ନ୍ୟାୟିକ ପ୍ରକ୍ରିୟାକୁ ଜଳାଞ୍ଜଳୀ ଦେଉଛନ୍ତି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି। ଅନ୍ୟ ପଟେ ଗତ କାଲି ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କର ଛଳନାପୂର୍ଣ୍ଣ ଭିଡିଓ ବିବୃତିର ଦୋମୁହାଁ ନୀତିକୁ ପଦାରେ ପକାଇଛି। କାହା ସାହାସରେ ଏବଂ କାହା ନିର୍ଦ୍ଦେଶରେ ମାହାଙ୍ଗା ପୋଲିସ ୧୩ତମ ମୁଦାଲା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ କାଟି ଦେଇଥିଲା? ତଦନ୍ତକାରୀ ଅଧିକାରୀଙ୍କୁ କୋର୍ଟରେ ହାଜର ହେବା ପାଇଁ କିଏ ଓ କାହିଁକି ବାଧା ସୃଷ୍ଟି କରୁଛି? ପୋଲିସ ତଦନ୍ତକୁ ନେଇ ପ୍ରଶଂସା କରୁଥିବା ଏବଂ ପୋଲିସ ତଦନ୍ତ ଉପରେ ବିଶ୍ୱାସ ରଖିବା ପାଇଁ କହୁଥିବା ମୁଖ୍ୟମନ୍ତ୍ରୀ ଆଜିକାର ଘଟଣା ପରେ ଆଉ କିଛି କହିବା ସ୍ଥିତିରେ ନାହାଁନ୍ତି ବୋଲି ଗୋଲକ କହିଛନ୍ତି।
-/DevDr